Unknown

 

 

 

 

 

 

 

 

 

ଚିନ୍ତାଧାରା

ଶ୍ରୀ କାଳିଆ ପାଣିଗ୍ରାହୀ

 

ସୂଚୀପତ୍ର

 

୧.

ବିଶ୍ୱରୂପ

୨.

ଗୀତା ଧର୍ମ

୩.

ଗୀତା ଓ ଯଜ୍ଞ

୪.

ମନୁଷ୍ୟତା

୫.

ଅବତାର

୬.

ବ୍ୟକ୍ତିଗତ ଧର୍ମ

୭.

ଗଜ ନିସ୍ତାରଣ

୮.

କବିସୂର୍ଯ୍ୟଙ୍କ ଭକ୍ତି

୯.

ରବୀନ୍ଦ୍ରନାଥଙ୍କ ଈଶ୍ୱରବାଦ

୧୦.

ଅନୁତାପ

୧୧.

କିଶୋରଚନ୍ଦ୍ରାନନ ଚମ୍ପୂରେ ଆଧ୍ୟାତ୍ମିକ ପ୍ରେମ

୧୨.

ଭାରତୀୟ ନବଜାଗରଣ

୧୩.

ଅଗସ୍ତ୍ୟ

Image

 

ବିଶ୍ୱରୂପ

 

ପରଂବ୍ରହ୍ମ ଏକ । ଯେ ନିର୍ଗୁଣ, ସେ ମଧ୍ୟ ସଗୁଣ, ଏହି ଦୁଇଟି ତତ୍ତ୍ୱ ପୃଥକ୍‍ ତତ୍ତ୍ୱ ନୁହେଁ । ଦୁଇ ତତ୍ତ୍ୱ ଭିତରେ ଯେଉଁ ପ୍ରଭେଦ ଦେଖାଯାଏ, ତାହା ବାହ୍ୟ ପ୍ରଭେଦ ମାତ୍ର । ଗୀତା ପରି ସମନ୍ୱୟ ଗ୍ରନ୍ଥରେ ସଗୁଣ ଓ ନିର୍ଗୁଣ ବ୍ରହ୍ମପ୍ରାପ୍ତି ନିମନ୍ତେ ସାଧନାର ମାର୍ଗ କୁହାଯିବା ବିଚିତ୍ର ନୁହେଁ । ନିର୍ଗୁଣ ଓ ସଗୁଣ ସାଧନାରେ ମାର୍ଗ ଭିନ୍ନ ଭିନ୍ନ ହେଲେ ସୁଦ୍ଧା, ସାଧନା ଫଳରେ କୌଣସି ପାର୍ଥକ୍ୟ ନାହିଁ । ତେଣୁ ନିର୍ଗୁଣ ଓ ସଗୁଣ ଉପାସନାର ବିଧି ଭିନ୍ନ ହେଲେହେଁ ଲକ୍ଷ୍ୟ ଓ ସିଦ୍ଧି ଏକ । ଗୀତା ଆଲୋଚନା କଲେ ଏହି ଭକ୍ତିର ସତ୍ୟ ସମ୍ୟକ ଉପଲବ୍‌ଧ ହୁଏ । ସଗୁଣ ଓ ନିର୍ଗୁଣ ସାଧକର ବୁଦ୍ଧି, ବଳ, ବିଚାର ଓ ଚରିତ୍ର ଏକାପରି । ସ୍ଥିତପ୍ରଜ୍ଞର ବ୍ୟବହାର ସଙ୍ଗେ ଭକ୍ତର ଆଚରଣ ସମାନ । ଉଭୟଙ୍କ ବ୍ୟବହାରରେ କୌଣସି ତାରତମ୍ୟ ଦୃଷ୍ଟିଗୋଚର ହୁଏ ନାହିଁ । ଗୀତାର ଦ୍ୱିତୀୟ ଅଧ୍ୟାୟରେ ନିର୍ଗୁଣ ବ୍ରହ୍ମସାଧକ ସ୍ଥିତପ୍ରଜ୍ଞର ବୁଦ୍ଧି, ବିଚାର ଓ ବ୍ୟବହାର ବର୍ଣ୍ଣନା କରି ଭଗବାନ୍‍ ଶ୍ରୀକୃଷ୍ଣ କହିଛନ୍ତି, ‘‘ହେ ପାର୍ଥ, ଯେତେବେଳେ ସାଧକ ମନୋଗତ ସମସ୍ତ କାମନା ପରିତ୍ୟାଗ କରି, ଆପେ ତୁଷ୍ଟ ହୁଏ, ସେତେବେଳେ ତାହାକୁ ସ୍ଥିତପ୍ରଜ୍ଞ କୁହାଯାଏ । ଦୁଃଖରେ ଯାହାର ମନ ଅନୁଦ୍‌ବିଗ୍ନ, ସୁଖରେ ଯେ ସ୍ପୃହାହୀନ, ଯେଉଁ ବ୍ୟକ୍ତି ରାଗ, ଭୟ ଓ କ୍ରୋଧଶୂନ୍ୟ, ସେହି ମୁନି ହିଁ ସ୍ଥିତପ୍ରଜ୍ଞ । ଶୁଭାଶୁଭପ୍ରାପ୍ତିରେ ଯେ ଆନନ୍ଦିତ କିମ୍ବା ବିଷାଦଗ୍ରସ୍ତ ହୁଏ ନାହିଁ, ଯେଉଁ ବ୍ୟକ୍ତି ସବୁଠାରେ ମମତାହୀନ ସେ ଅଟେ ସ୍ଥିତପ୍ରଜ୍ଞ । କଚ୍ଛପ ନିଜ ଅଙ୍ଗକୁ ସଙ୍କୁଚିତ କଲାପରି ଯେ ଇନ୍ଦ୍ରିୟ ସୁଖରୁ ଅଲଗା ହୋଇ ରହିପାରେ ସେ ଅଟେ ସ୍ଥିତପ୍ରଜ୍ଞ । ନିରାହାର ହେଲେ ମନୁଷ୍ୟ ନିଜ ଇନ୍ଦ୍ରିୟକୁ ସ୍ୱାଧୀନ କରିପାରେ । କିନ୍ତୁ ବିଷୟତୃଷ୍ଣା ତାହାର ନଷ୍ଟ ହୁଏ ନାହିଁ । ମାନ୍ତ୍ର ସ୍ଥିତପ୍ରଜ୍ଞର ପରମାତ୍ମା- ଦର୍ଶନ ହେତୁ ଏହି ତୃଷ୍ଣା ମଧ୍ୟ ଲୁପ୍ତ ହୁଏ । ପ୍ରବଳ ଯତ୍ନ ସତ୍ତ୍ୱେ, ଇନ୍ଦ୍ରିୟମାନେ ମନକୁ ହରଣ କରନ୍ତି-। ମାତ୍ର ଯେ ମୋତେ ଆଶ୍ରୟ କରନ୍ତି ସେ ସଂଯମୀ ହୁଅନ୍ତି । ସେମାନଙ୍କର ପ୍ରଜ୍ଞାହିଁ ପ୍ରତିଷ୍ଠିତ ଅଟେ-। ବିଷୟ ଆଷକ୍ତିରୁ କାମ, କାମରୁ କ୍ରୋଧ ଓ ମୋହରୁ ସ୍ମୃତିବିଭ୍ରମ, ସେଥିରୁ ବୁଦ୍ଧିଭ୍ରଂଶ ଓ ବୁଦ୍ଧିନାଶରୁ ସର୍ବନାଶ ଘଟେ । ମାତ୍ର ଯାହାର ଇନ୍ଦ୍ରିୟମାନେ ନିଜର ବଶରେ ରହନ୍ତି, ସେ ରାଗଦ୍ୱେଷ ଶୂନ୍ୟ ହୋଇ ଆତ୍ମପ୍ରସାଦ ଓ ଶାନ୍ତି ଲାଭକରେ । ଏହି ପ୍ରସାଦହିଁ ଦୁଃଖ ନାଶର କାରଣ । ପ୍ରସନ୍ନଚିତ୍ତ ବ୍ୟକ୍ତିର ବୁଦ୍ଧି ସ୍ଥିର ହୋଇ ରହେ । ଯେ ଯୋଗଯୁକ୍ତ ନୁହେଁ, ତାହାର ବୁଦ୍ଧି, ଭାବନା ଓ ଶାନ୍ତି ନାହିଁ । ତା ପକ୍ଷେ ସୁଖ କାହୁଁ ଆସିବ ? ଯାହାର ଆତ୍ମସଂଯମ ନାହିଁ, ତାହାର ମନ ବାୟୁଚାଳିତ ନୌକାପରି ଆଲୋଡ଼ିତ ହୁଏ । ମାତ୍ର ଯାହାର ଇନ୍ଦ୍ରିୟ ସକଳ ବିଷୟସୁଖରୁ ନିବୃତ୍ତ, ତାହାର ପ୍ରଜ୍ଞା ପ୍ରତିଷ୍ଠିତ ଅଟେ । ସାଧାରଣ ଲୋକଙ୍କ ପକ୍ଷେ ଯାହା ଦିନ, ମୁନିମାନଙ୍କ ପକ୍ଷେ ତାହା ରାତି । ଯେପରି ଜଳ ପ୍ରବେଶ କଲେ ମଧ୍ୟ ସମୁଦ୍ର ଅଚଳ ଓ ସ୍ଥିର ଦେଖାଯାଏ, ସେହିପରି ସ୍ଥିତପ୍ରଜ୍ଞ ଭିତରେ କାମନା ପ୍ରବେଶ କଲେ ସୁଦ୍ଧା ସେ ବିଚଳିତ ଓ ସ୍ଥିର ହୋଇ ରହେ । ତାହାର ଶାନ୍ତି ନଷ୍ଟ ହୁଏ ନାହିଁ । ମାତ୍ର ଯାହାର ପ୍ରଜ୍ଞା ପ୍ରତିଷ୍ଠିତ ନୁହେଁ ସେ ତଦ୍ଦ୍ୱାରା ଶାନ୍ତି ହରାଏ । ଯେଉଁ ବ୍ୟକ୍ତି ସମସ୍ତ କାମନା ପରିତ୍ୟାଗ କରି ନିସ୍ପୃହ ଭାବେ, ମମତା-ହୀନ ଓ ନିରହଙ୍କାରୀ ହୋଇ ବିଚରଣ କରେ, ସେ ଶାନ୍ତି ଲାଭ କରେ । ଏହାହିଁ ବ୍ରାହ୍ମୀସ୍ଥିତି । ଏହା ପ୍ରାପ୍ତ ହେବା ଲୋକ ବି ମୋହିତ ହୁଏ ନାହିଁ । ସେ ଅନ୍ତିମ କାଳରେ ଏହି ଭାବେ ସ୍ଥିତ ହୋଇ ବ୍ରହ୍ମନିର୍ବାଣପ୍ରାପ୍ତ ହୁଏ । ବ୍ରାହ୍ମୀସ୍ଥିତି, ବ୍ରହ୍ମ ନିର୍ବାଣ, ଶାନ୍ତ ଓ ଅବିଚଳିତ ଚତ୍ତ ନିର୍ଗୁଣ ବ୍ରହ୍ମ ସାଧକର ଲକ୍ଷଣ ଅଟେ ।

 

ଗୀତାର ପଞ୍ଚମ ଅଧ୍ୟାୟରେ ପୁନର୍ବାର ଏହି ଭାବଟି ପ୍ରକାଶ କରାଯାଇଛି । ବ୍ରହ୍ମପ୍ରାପ୍ତ ବ୍ୟକ୍ତିର ସ୍ୱଭାବ ଓ ସ୍ୱରୂପ କହିବାକୁ ଯାଇ ଗୀତା କହିଛି ‘‘ପରଂବ୍ରହ୍ମରେ ଯାହାଙ୍କର ସ୍ଥିତି ଓ ନିଷ୍ଠା, ସେପରି ସାଧକ କଳୁଷଶୂନ୍ୟ ହୋଇ ମୁକ୍ତିଲାଭ କରି ଆଉ ଫେରନ୍ତି ନାହିଁ । ସେହି ପଣ୍ଡିତମାନେ ଗୋ, ହସ୍ତୀ, କୁକୁର ଓ ଚଣ୍ଡାଳଠାରେ ସମଦର୍ଶୀ ହୁଅନ୍ତି । ବ୍ରହ୍ମବିଦ୍, ବ୍ରହ୍ମସ୍ଥିତ ବ୍ୟକ୍ତି ପ୍ରିୟପ୍ରାପ୍ତିରେ ହୃଷ୍ଟ ହୁଏ ନାହିଁ କିମ୍ବା ଅପ୍ରିୟ ପ୍ରାପ୍ତିରେ ଉଦ୍‌ବିଗ୍ନ ହୁଏ ନାହିଁ । ସେ ସ୍ଥିର ବୁଦ୍ଧି ଓ ମୋହ ଶୂନ୍ୟ । ବାହ୍ୟ ସ୍ପର୍ଶରେ ଅନାଶକ୍ତ ଆତ୍ମା, ଆତ୍ମାରେ ଯେଉଁ ସୁଖ ତାହା ଲାଭ କରେ । ଯେ ଶରୀର ମୋକ୍ଷଣ ପୂର୍ବରୁ କାମକ୍ରୋଧ ଜାତ ଉଦ୍‌ବେଗକୁ ପ୍ରତିରୋଧ କରିପାରେ ସେ ଯୁକ୍ତ ଓ ସୁଖୀ- ଯାହାର ଅନ୍ତରରେ ସୁଖ ଓ ଆରାମ, ଅନ୍ତରରେ ଯାହାର ଜ୍ୟୋତି, ସେହି ଯୋଗୀ ବ୍ରହ୍ମଭୂତ ହୋଇ ବ୍ରହ୍ମନିର୍ବାଣ ପ୍ରାପ୍ତ ହୁଏ । ଯେ ନିଃସଂଶୟ ଓ କଳୁଷହୀନ ପୁଣି ସର୍ବଭୂତର ହିତରେ ରତ, ସେପରି ଋଷିମାନେ ବ୍ରହ୍ମନିର୍ବାଣ ପ୍ରାପ୍ତ ହୁଅନ୍ତି । ନିର୍ଗୁଣ ବ୍ରହ୍ମପ୍ରାପ୍ତ ହେଲେ ମନୁଷ୍ୟର ଯେଉଁ ଅବସ୍ଥା ହୁଏ ତାହା ଉଲ୍ଲିଖିତ ଅଂଶରେ ସ୍ପଷ୍ଟ ହୋଇଅଛି । ମନୁଷ୍ୟର ବ୍ରାହ୍ମୀସ୍ଥିତ ବା ବ୍ରହ୍ମନିର୍ବାଣ ଯଦି ଶୂନ୍ୟବାଦର ରୂପାନ୍ତର ହୋଇଥାନ୍ତା, ତେବେ ଗୀତାରେ ତାହାର ଅବତାରଣା ହୋଇ ନଥାନ୍ତା । ନିର୍ବାଣ ନିମନ୍ତେ ମନୁଷ୍ୟକୁ କମ୍ ସାଧନା କରିବାକୁ ହୁଅନ୍ତା ନାହିଁ, କମ୍ ଗୁଣର ଅଧିକାରୀ ହେବାକୁ ହୁଅନ୍ତା ନାହିଁ । ନିର୍ଗୁଣ ବ୍ରହ୍ମଲାଭ ପାଇଁ ଯେତେବେଳେ ସାଧକକୁ ଏତେଗୁଡ଼ିଏ ଗୁଣ ସମ୍ପାଦନ କରିବାକୁ ହୁଏ, ସେହି ସାଧକର ଲକ୍ଷ୍ୟ ଯେଉଁ ନିର୍ଗୁଣ ବ୍ରହ୍ମ ସେ କେତେ ଅସଂଖ୍ୟ ଗୁଣରେ ଭୂଷିତ ହୋଇ ନ ଥିବେ-? ଏହା ମନୁଷ୍ୟ ଧାରଣାରୁ ଅତୀତ ହେବାରୁ କେବଳ ‘ନିଃ’ ପଦର ବ୍ୟବହାର କରାଯାଇଛି-। ହୀରାକୁ ଅମୂଲ୍ୟ ମଣି କହିବା ଦ୍ୱାରା ତାହାର ମୂଲ୍ୟ ହ୍ରାସ ହୁଏ ନାହିଁ । ସେହିପରି ଅନନ୍ତ ଗୁଣନିଧି ଭଗବାନଙ୍କୁ ନିର୍ଗୁଣ ଆଖ୍ୟା ପ୍ରଦାନ କଲା ମାତ୍ରେ, ସଗୁଣ ଉପାସକମାନେ ପ୍ରମାଦ ଗଣିବା ଅନାବଶ୍ୟକ ।

 

ସମଦର୍ଶନ ଶକ୍ତି ପାଇବା ନିମନ୍ତେ ସ୍ଥିତପ୍ରଜ୍ଞକୁ ବହୁ ଚାରିତ୍ରିକ ସାଧନା କରିବାକୁ ହୁଏ । ଯେ ସମସ୍ତଙ୍କୁ ସମଦୃଷ୍ଟିରେ ଦେଖି ସମାନଭାବେ ଭାବିପାରେ, ସେ ଜଗତର ଅନ୍ୟାୟ, ଅତ୍ୟାଚାର ଓ ଅସମତା ଦେଖି ନୀରବ ରହି ନ ପାରେ । ଏହି ସବୁ ଅସାମଞ୍ଜସ୍ୟ ଦୂର କରିବାକୁ, ବ୍ରାହ୍ମଣ ଓ ଚଣ୍ଡାଳକୁ ପୁଣି ଗାଈ ଓ କୁକୁରକୁ ଏକାପରି ସୁଯୋଗ, ଅଧିକାର ଓ ନ୍ୟାୟ ପ୍ରଦାନ କରିବାକୁ ସେ ଯେଉଁ କର୍ମର ଆରମ୍ଭ କରେ ସେ କର୍ମରେ ନଥାଏ ଆସକ୍ତି କିମ୍ବା ଆତ୍ମମ୍ଭରିତା । ସେତିକି ନୁହେଁ, ସେପରି କର୍ମୀଠାରେ କିଛି ପାପ ରହେ ନାହିଁ । ତାହାର ଅନ୍ତଃକରଣ ସର୍ବଦା ପୁଣ୍ୟ ଜ୍ୟୋତିରେ ଉଜ୍ଜ୍ୱଳ ରହେ । ଈଶ୍ୱରଙ୍କ ଅସ୍ତିତ୍ୱରେ ତାହାର ଲେଶମାତ୍ର ସନ୍ଦେହ ନାହିଁ । ପ୍ରହ୍ଲାଦଙ୍କ ପରି ସେ ସବୁଠାରେ ଶ୍ରୀହରିଙ୍କୁ ଦେଖେ । ପରର ଅମଙ୍ଗଳ ଚିନ୍ତା ତା ପକ୍ଷେ ଅସମ୍ଭବ ହୁଏ । ସେ ସର୍ବଭୂତ ହିତରେ ରତ ରହେ ଓ ସର୍ବଜୀବରେ ତାହାର ଦୟା ଜାତ ହୁଏ । ସେ ବୁଦ୍ଧଙ୍କ ପରି ବିଶ୍ୱମୈତ୍ରୀ ଅନୁଭବ କରି ରହିଥାଏ ।

 

I shall teach compassion to men

and be a speechless world's interpreter

Abating this accused world of woe

Not man's alone.

 

ଏହି ମୈତ୍ରୀଭାବ ହୃଦୟଙ୍ଗମ କରି ସେ ନୀରବ ରହେ ନାହିଁ । ସେ ସମସ୍ତଙ୍କ ହିତରେ ରତ ରହି ଲୋକମଙ୍ଗଳ ପାଇଁ କର୍ମଯୋଗର ଆରମ୍ଭ କରେ ।

 

ଗୀତାର ଅନ୍ୟ କେତେ ସ୍ଥାନରେ ସଗୁଣବ୍ରହ୍ମ ଓ ସାଧନାରେ ସମ୍ୟକ୍‍, ବିଚାର କରାଯାଇଛି । ଏହି ସଗୁଣବ୍ରହ୍ମଧାରଣା ପୁରୁଷୋତ୍ତମ ଯୋଗରେ ପୂର୍ଣ୍ଣ ଆକାର ଧାରଣା କରି ଅତି ସ୍ପଷ୍ଟ ହୋଇଅଛି । ପୁଣି ଅଷ୍ଟମ ଅଧ୍ୟାୟରେ କୁହାଯାଇଛି, ‘ଅବିଦ୍ୟାରୂପ ଅନ୍ଧକାରର ବହିର୍ଭୂତ, ଆଦିତ୍ୟ ବର୍ଣ୍ଣ ଅଚିନ୍ତ୍ୟ ରୂପ, ସକଳ ଜଗତର ବିଧାତା, ଅଣୁଠାରୁ ମଧ୍ୟ ଅଣୁତର, ସକଳ ଜଗତର ଶାସ୍ତା ସେହି ପୁରାତନ କବିଙ୍କୁ ଯେଉଁ ଭକ୍ତ ସର୍ବଦା ସ୍ମରଣ କରେ, ସେ ମରଣ ସମୟରେ ଭକ୍ତିଯୁକ୍ତ ଯୋଗ ବଳରେ ସେହି ଦିବ୍ୟ ପୁରୁଷଙ୍କୁ ପ୍ରାପ୍ତ ହୁଏ ।’ ଭଗବାନଙ୍କୁ ଏଠାରେ ‘କବି’ କୁହାଯାଇ ତାଙ୍କର ବ୍ୟକ୍ତିଗତ ଭାବକୁ ଅତି ପ୍ରାଞ୍ଜଳ କରାଯାଇଛି । କବି ଅଟନ୍ତି ସର୍ବଜ୍ଞ ଓ ସୃଜନକାରୀ । ବିଶ୍ୱରଚନା ତାଙ୍କର କବିତା । ରବିନ୍ଦ୍ର ନାଥ ଗୋଟିଏ ଗୀତରେ ଲେଖିଛନ୍ତି–

 

ଆମାର ନୟନେ ତୋମାର ବିଶ୍ୱକବି

ଦେଖିୟା ଲଇତେ ସାଧ ପାୟ କବି ।

 

ଭଗବାନଙ୍କୁ ଦିବ୍ୟପୁରୁଷ ଆଖ୍ୟା ଦିଆଯାଇଛି । ଯେଉଁ ବ୍ୟକ୍ତି ତାଙ୍କୁ ସର୍ବଦା ସ୍ମରଣ କରେ ଓ ଯାହାର ମାନସ ପ୍ରୟାଣ କାଳରେ ଅଚଳ ହୋଇ ତାଙ୍କଠାରେ ରହେ, ସେ ସେହି ପରମପୁରୁଷଙ୍କୁ ପ୍ରାପ୍ତ ହୁଏ । ସଗୁଣ ଭକ୍ତର ଏହି ସବୁ ଲକ୍ଷଣ ସ୍ଥିତପ୍ରଜ୍ଞ ଲକ୍ଷଣ ସହିତ ସମାନ ।

 

ପୁନର୍ବାର ସେହି ଅଧ୍ୟାୟରେ କୁହାଯାଇଛି, ‘ଅନନ୍ୟଚେତା ହୋଇ ଯେ ସର୍ବଦା ମୋତେ ସ୍ମରଣ କରେ, ସେହି ନିତ୍ୟଯୁକ୍ତ ଯୋଗୀ ପକ୍ଷେ ମୁଁ ସୁଲଭ ଅଟେ ।’ ଯୁକ୍ତ ହେବା ଲକ୍ଷଣ, ଅନନ୍ୟ ଚେତା ହୋଇ ଭଗବାନଙ୍କୁ ସ୍ମରଣ କରିବା ପ୍ରବୃତ୍ତି ନିର୍ଗୁଣ ଓ ସଗୁଣ ଉଭୟ ସାଧନା ସକାଶେ ଆବଶ୍ୟକ । କୌଣସି ସାଧନ ମାର୍ଗରେ ଏହି ଲକ୍ଷ୍ୟଣଗୁଡ଼ିକୁ ବାଦ ଦିଆଯାଇ ପାରିବ ନାହିଁ । ଭଗବାନ କିପରି ଗୁଣଯୁକ୍ତ ଏହା ବୁଝାଇବାକୁ ଯାଇ ଶ୍ରୀକୃଷ୍ଣ କହୁଛନ୍ତି, ‘ଭୂତନିଚୟ ଯାହାର ଅଭ୍ୟନ୍ତରରେ ଅବସ୍ଥିତ, ଯେ ଏହି ନିଖିଳ ଜଗତକୁ ବ୍ୟାପିଅଛନ୍ତି, ସେହି ପରମପୁରୁଷ ଅନନ୍ୟ ଭକ୍ତିଦ୍ୱାରା ଲଭ୍ୟ ଅଟନ୍ତି ।’ ଏକାଦଶ ଅଧ୍ୟାୟର ଶେଷ ଶ୍ଳୋକରେ କୁହାଯାଇଛି, ‘ଯେ ମୋ ପାଇଁ କର୍ମ କରେ, ମୋତେ ପ୍ରଧାନ ବୋଲି ମନେ କରେ, ମୋତେ ଭକ୍ତିକରେ, ଆସକ୍ତି ତ୍ୟାଗ କରେ ଓ କାହାରି ପ୍ରତି ବୈରାଚରଣ କରେନାହିଁ; ସେ ମୋତେ ପ୍ରାପ୍ତ ହୁଏ ।’ ନିର୍ବୈରହେବା, ସଙ୍ଗବର୍ଜିତ ହୋଇ ରହିବା, ଅନାଶକ୍ତ ଭାବେ କର୍ମନିରତ ହୋଇ ଭଗବତ୍ କର୍ମ କରିବା, ଭାଗବତର ଲକ୍ଷଣ, ଏଗୁଡ଼ିକ ମଧ୍ୟ ନିର୍ଗୁଣବ୍ରହ୍ମ ସାଧକ ପକ୍ଷେ ଏକାନ୍ତ ଆବଶ୍ୟକ । ଭକ୍ତି ଯୋଗ ଅଧ୍ୟାୟରେ ବର୍ଣ୍ଣିତ ଭକ୍ତର ଗୁଣ ସହିତ ଓ ନିର୍ଗୁଣବ୍ରହ୍ମ ସାଧକ ସ୍ଥିତପ୍ରଜ୍ଞର ଗୁଣ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ସେହି ଅଧ୍ୟାୟରେ କୁହାଯାଇଛି, ‘ଯେଉଁ ବ୍ୟକ୍ତିମାନେ ପ୍ରତିହିଂସାଶୂନ୍ୟ, ଦୟାଳୁ,ମମତାହୀନ ଓ ନିରହଙ୍କାର,ଯେଉଁମାନେ ଦୁଃଖରେ ଓ ସୁଖରେ ସମାନ ବ୍ୟବହାର କରନ୍ତି; ଯେଉଁମନେ କ୍ଷମାଶୀଳ, ସତତ ସନ୍ତୁଷ୍ଟ, ଯେଉଁ ଯୋଗୀ ସଂଯତ ଓ ସମ୍ବନ୍ଧେ ସୁଦୃଢ଼, ଯାହାର ମନ ଓ ବୁଦ୍ଧି ମୋଠାରେ ଅର୍ପିତ, ସେ ମୋର ଭକ୍ତ, ସେ ମୋର ପ୍ରିୟ ।’ ଭକ୍ତକୁ ମଧ୍ୟ ଅଗାଧ ସାଧନା କରିବାକୁ ହୁଏ । ଭଗବାନଙ୍କୁ ସଗୁଣ ଆଖ୍ୟା ପ୍ରଦାନ କରିଦେଲେ କେବଳ କାହାର ହୃଦୟ ଭକ୍ତିରସାପ୍ଳୁତ ହୋଇଯାଏ ନାହିଁ । ଭକ୍ତର ଗୁଣ ଆହୁରି ଅନେକ ଅଛି । ‘ଯେ ଲୋକମାନଙ୍କୁ ଉଦ୍‌ବିଗ୍ନ କରେ ନାହିଁ, ପୁଣି ନିଜେ ଉଦ୍‌ବିଗ୍ନ ହୁଏ ନାହିଁ, ସେହି ବ୍ୟକ୍ତି ମୋର ପ୍ରିୟ ଅଟେ । ’ ଅନୁଦ୍‌ବିଗ୍ନ ହୋଇ ରହିବା ଗୋଟିଏ ସହଜ ଗୁଣ ନୁହେଁ । ଏଥିପାଇଁ ଆବଶ୍ୟକ ପୂର୍ଣ୍ଣ ଜ୍ଞାନ ଓ ଅଗାଧ ଭକ୍ତି । ଏଥି ନିମନ୍ତେ ଆବଶ୍ୟକ ନିଃସଂଶୟ ଈଶ୍ୱର ବିଶ୍ୱାସ । ଥରେ ଏହି ଅନୁଦ୍‌ବିଗ୍ନ ଚିତ୍ତ ସମ୍ବନ୍ଧେ ଜଣେ ପୋଲାସ୍ତ ଅଧ୍ୟାପକ ମହାତ୍ମା ଗାନ୍ଧିଙ୍କଠାକୁ ଲେଖିଥିଲେ- ‘‘No worry whatever. There is an Almighty God who takes care of all and nothing happens without his permission. There fore worry is weakness, and my faith being infinite, I cannot worry".

 

ଯେଉଁ ସାଧକ ସମାଧି ଅବସ୍ଥାରେ ରହି ବ୍ରାହ୍ମୀ ସ୍ଥିତି ଅପୁଭବ କରେ ଓ ସମସ୍ତ ଉଦ୍‌ବେଗର ଅତୀତ ହୁଏ ତାହାର ଅବସ୍ଥା ସଙ୍ଗେ ଭକ୍ତର ଅବସ୍ଥା ସମାନ ଅଟେ । ଗୀତାନୁସାରେ ଭକ୍ତ ‘ଅନପେକ୍ଷ, ଶୁଚିର୍ଦକ୍ଷ, ଉଦାସୀନ, ଗତବ୍ୟଥ !’ ସେ,ନହୁଷ୍ୟତି, ନଦ୍ୱେଷ୍ଟି ନଶୋଚତି, ନକାଂକ୍ଷତି । ପୁଣି ସେ ‘ଶୁଭାଶୁଭ ପରିତ୍ୟାଗୀ ।’ ସେ ଶତ୍ରୁ ଓ ମିତ୍ର ନିକଟରେ ଏକାପରି ଆଚରଣକରେ । ମାନରେ , ଅପମାନରେ, ଶୀତରେ,ଉଷ୍ଣରେ ପୁଣି ସୁଖରେ ଦୁଃଖରେ ତାହାର ବ୍ୟବହାର ସମାନ । ସେ ସଙ୍ଗ ବିବର୍ଜିତ ଓ ଆସକ୍ତିହୀନ । ସେ ନିନ୍ଦା ଓ ପ୍ରଶଂସା ସମାନ ଭାବେ ଗ୍ରହଣ କରେ । ସେ ମୌନୀ ଓ ସଂଯତବାକ୍ । ତାହାର ସ୍ଥାନମମତା ନାହିଁ । ସମଗ୍ର ବସୁଧାକୁ ସେ ନିଜର କୁଟୁମ୍ବ ବୋଲି ମନେ କରେ । ତାହାର ମତି ସ୍ଥିର ଓ ଅବିଚଳିତ ।

 

ନିର୍ଗୁଣ ଓ ସଗୁଣ ମଧ୍ୟରେ କେଉଁଟି ଶ୍ରେଷ୍ଠ ଏହାର ବିଚାର ଗୀତାରେ କରାଯାଇଛି । ଶ୍ରୀକୃଷ୍ଣ କେତେବେଳେ ଜ୍ଞାନ ଯୋଗର ପ୍ରଶଂସା କରିଅଛନ୍ତି, ଆଉ କେତେବେଳେ ଭକ୍ତି ଯୋଗକୁ ଉଚ୍ଚ ସ୍ଥାନ ଦେଇଅଛନ୍ତି । ଅକ୍ଷର, ନିର୍ବିଶେଷ ଓ ଅବ୍ୟକ୍ତ ବ୍ରହ୍ମର ଉପାସନା ଜ୍ଞାନ ଯୋଗ ସାପେକ୍ଷ ଓ ଐଶ୍ୱର୍ଯ୍ୟ ଯୁକ୍ତ ସର୍ବଶକ୍ତିମାନ୍ ସଗୁଣ ଈଶ୍ୱରଙ୍କ ପ୍ରାର୍ଥନା ଭକ୍ତି ଯୋଗ ବିଶିଷ୍ଟ । ମାତ୍ର ଦୁହେଁ ପରସ୍ପର ବିରୋଧି ନୁହନ୍ତି । ବ୍ରହ୍ମ ସଗୁଣ ହୁଅନ୍ତୁ ବା ନିର୍ଗୁଣ ହୁଅନ୍ତୁ, ଜ୍ଞାନ ବିନା କୌଣସି ପ୍ରକାର ଉପାସନା ଅସମ୍ଭବ । ମାତ୍ର କେବଳ ଜ୍ଞାନ ଯୋଗରେ ନିର୍ଗୁଣ ବ୍ରହ୍ମର ଯେଉଁ ଉପାସନା ହୁଏ ତାହା କଷ୍ଟସାଧ୍ୟ ଓ ଜଟିଳ ପୁଣି ସେହି ମାର୍ଗରେ ସ୍ଖଳନ ଖୁବ୍ ସମ୍ଭବପର । କିନ୍ତୁ ଭକ୍ତି ମାର୍ଗରେ ଏପରି ବ୍ଳିଷ୍ଟତା ଓ ସ୍ଖଳନର ଆଶଙ୍କା ଅତ୍ୟନ୍ତ ଊଣା । ଏ ସମ୍ବନ୍ଧେ ଦ୍ୱାଦଶ ଅଧ୍ୟାୟରେ କୁହାଯାଇଛି, ‘‘ଯେଉଁମାନେ ମୋଠାରେ ମନୋନିବେଶ କରି, ପରମ ଶ୍ରଦ୍ଧା ସହକାରେ ନିତ୍ୟ ନିବିଷ୍ଟଚିତ୍ତ ହୋଇ ମୋର ଉପାସନା କରନ୍ତି, ମୋ ମତରେ ସେପରି ବ୍ୟକ୍ତିମାନେ ଶ୍ରେଷ୍ଠ ଯୋଗୀ ଅଟନ୍ତି । ଯେଉଁମାନେ ସବୁଠାରୁ ସମବୁଦ୍ଧି ରଖି ସମସ୍ତ ଭୂତର ହିତରେ ରତ ରହି, ଇନ୍ଦ୍ରିୟସଂଯମପୂର୍ବକ ଅକ୍ଷର, ଅନିର୍ଦ୍ଦେଶ, ସର୍ବବ୍ୟପୀ, ଅବ୍ୟକ୍ତ, ଅଚିନ୍ତନୀୟ, କୂଟସ୍ଥ, ଅଚଳ, ଧ୍ରୁବ, ନିତ୍ୟ ଓ ପରଂବ୍ରହ୍ମଙ୍କର ଉପାସନା କରନ୍ତି ସେମାନେ ମଧ୍ୟ ମୋତେ ଲାଭ କରନ୍ତି । ମାତ୍ର ଯେଉଁମାନେ ଅବ୍ୟକ୍ତରେ ଆସକ୍ତ ସେମାନେ ଅଧିକ କ୍ଳେଶ ପାଇଥାନ୍ତି । ଦେହଧାରୀ ଜୀବ ପକ୍ଷେ ଅବ୍ୟକ୍ତ-ଲାଭ ଗତି ଦୁଃଖପୂର୍ଣ୍ଣ ଓ କ୍ଳେଶଦାୟକ ଅଟେ ।’’ ଏଥିରୁ ଗୀତାର ମତ ସ୍ପଷ୍ଟ ହୋଇଛି ଯେ, ସବିଶେଷ ବ୍ରହ୍ମହିଁ ଉପାସନା ନିମନ୍ତେ ପ୍ରଶସ୍ତ । ନିର୍ଗୁଣବ୍ରହ୍ମ ଓ ଉପାସନା ପରସ୍ପର ବିରୋଧୀ ଦୁଇଟି ପଦ ବୋଲି ମନେ ହୁଏ । କିନ୍ତୁ ସଗୁଣ ଉପାଶନା ସହଜସାଧ୍ୟ ନୁହେଁ । ଏଥିପାଇଁ ଆବଶ୍ୟକ, ଉଚିତ ଜ୍ଞାନ ଓ ଦେହାଭିମାନ ତ୍ୟାଗ । ମନକୁ ସାମ୍ୟାବସ୍ଥାରେ ନ ରଖିଲେ କୌଣସି ମାର୍ଗରେ ଚାଳିତ ହେବା ସମ୍ଭବ ନୁହେଁ । ଏଥିପାଇଁ ସମାନ ଭାବରେ ଆବଶ୍ୟକ ଭକ୍ତି ଓ ଜ୍ଞାନ । ଏହି ଦୁଇଟି ପରସ୍ପର ବିରୋଧୀ ନୁହନ୍ତି, ବରଂ ସହଯୋଗୀ ।

ଭଗବାନ ଅବ୍ୟକ୍ତ ହୋଇ ସୁଦ୍ଧା ବ୍ୟକ୍ତ, ନିରାକାର ହୋଇ ସୁଦ୍ଧା ସାକାର, ଅନନ୍ତ ହୋଇ ସୁଦ୍ଧା ସାନ୍ତ, ଅସୀମ ହୋଇ ସୁଦ୍ଧା ସସୀମ । ଭଗବାନଙ୍କୁ କେହି ଦେଖୁ ନଦେଖୁ, ତାଙ୍କ କାର୍ଯ୍ୟକଳାପ ନ ଦେଖିବାର ଉପାୟ ନାହିଁ । ତାଙ୍କ କାର୍ଯ୍ୟକଳାପ ଲାଗି ସେ ଲୁଚିରହି ପାରନ୍ତି ନାହିଁ-। କବି ତେଣୁ ଗାଇଛନ୍ତି, ‘‘ତୋମାର ସୂର୍ଯ୍ୟଚନ୍ଦ୍ର ତୋମାୟ ରାଖ୍‌ବେ କୋଥାୟ ତେକେ ?’’ ବିଶ୍ୱବ୍ରହ୍ମାଣ୍ଡ ଦେଖିଲେ ବିଶ୍ୱକର୍ତ୍ତାଙ୍କ ଐଶ୍ୱର୍ଯ୍ୟ ଅନୁଭୂତ ହୁଏ । ତେଣୁ ଜିଜ୍ଞାସୁକୁ ଗାନ୍ଧିଜୀ ଉପଦେଶ ଦେଇଥିଲେ, ‘‘At night do a little bit of star gazing with the aid of a simple astronomical guide, and you will have before your eyes a spectacle which no cinema in the world can provide; and it may be, you will find one day God peeping through the myriads of stars and if you attune yourself to the divine mighty manifestation, you will hear the sweet and soothing music of the spheres."

ଆମ୍ଭମାନଙ୍କର ଆଖି ଥାଇ ଦେଖୁନାହୁଁ । ତେଣୁ ହାଣ୍ଡି ଦେଖିଲେ ସୁଦ୍ଧା କୁମ୍ଭାର ଆମ ଆଖିକୁ ଦିଶୁନାହିଁ । ପ୍ରହ୍ଲାଦ ରାଜ ପ୍ରାସାଦର ସ୍ତମ୍ଭ ମଧ୍ୟରେ ହରିଙ୍କୁ ଦେଖିଲେ ସୁଦ୍ଧା, ତାଙ୍କ ପିତାଙ୍କ ପକ୍ଷେ ତାହା ସମ୍ଭବ ହେଲା ନାହିଁ । ପ୍ରତ୍ର୍ୟକ ସ୍ପଷ୍ଟ ବସ୍ତୁରେ ଭଗବାନଙ୍କୁ ଦେଖିବାକୁ ହେଲେ ଦିବ୍ୟଚକ୍ଷୁ ଆବଶ୍ୟକ ହୁଏ ଓ ଏହି ଚକ୍ଷୁ ଦାନ କରନ୍ତି ନିଜେ ଭଗବାନ । ଅର୍ଜ୍ଜୁନ ଦିବ୍ୟ ଚକ୍ଷୁ ପାଇଲା ପର୍ଯ୍ୟନ୍ତ ତାଙ୍କ ସମ୍ମୁଖରେ କେବଳ ଜଣେ ସାରଥୀଙ୍କୁ ଦେଖୁଥିଲେ । ପରେ ସେ ବିଶ୍ୱରୂପ ଦେଖିବାକୁ ସମର୍ଥ ହେଲେ । ଆଧ୍ୟାତ୍ମିକ ସାଧନାରେ ଭଗବାନଙ୍କ କରୁଣା ଓ ଏହି କରୁଣା ପାଇଁ ଭିକ୍ଷା, ଉଭୟେ ଏକା ସମୟରେ ଆବଶ୍ୟକ । ଦେବା ନେବା ଏକାଥରକେ ହୁଏ । ‘‘ମାତ୍ର ମାଗିଲା ପର୍ଯ୍ୟନ୍ତ ଦିଆ ଯାଏ ନାହିଁ । ଅର୍ଜ୍ଜୁନ କହିଲେ, ‘‘ମୁଁ ଏହି ବିରାଟ ରୂପ ଦେଖିବାକୁ ସମର୍ଥ ନୁହେଁ ମୋତେ ସମର୍ଥ କରି ଦେଖାଅ ।’’ ସେ କଥା ନିଜେ ବୁଝି ଶ୍ରୀକୃଷ୍ଣ ଦିବ୍ୟଚକ୍ଷୁ ପ୍ରଦାନ କଲେ । ଖ୍ରୀଷ୍ଟିଆନ୍‍ ଗ୍ରନ୍ଥରେ କୂହାଯାଇଛି, ‘Ask, it shall be given. Knock, it shall be open.'

ଭଗବାନଙ୍କୁ ନଜାଣିଲେ ଭକ୍ତି ନିରର୍ଥକ । ଭକ୍ତ ନ ହେଲେ ଭଗବାନଙ୍କୁ ଜାଣିହୁଏ ନାହିଁ । ଭଗବାନ ଇଚ୍ଛା ନକଲେ ପୁଣି ନଜଣାଇଲେ ସେ ଜଣାଯାନ୍ତି ନାହିଁ । ‘‘ଯେଓ ଭକତ ସେଓ ଜାନେ, ଯାରେ ଜାନାଅ ତୁମି ସେଓ ଜାନେ ।’’ ଏ ଅତି ଜଟିଳ ସମସ୍ୟା । ଏହାର ସମାଧାନ ସହଜ ନୁହେଁ । ଗୀତାର ଦଶମ ଅଧ୍ୟାୟରେ ଏହି ବିଷୟର ବିଚାର କରା ଯାଇଅଛି । ସେହି ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ‘‘ସୁର ଓ ମହର୍ଷିମାନେ ମୋର ପ୍ରଭାବ ଓ ଉତ୍ପତ୍ତି ଜାଣନ୍ତି ନାହିଁ । କାରଣ ସେମାନଙ୍କର ଆଦି ବା କାରଣ ମୁଁ । ଯେଉଁ ଲୋକ ମୋତେ ଏହିରୂପେ ଅଜ, ଅନାଦି ଓ ଲୋକମହେଶ୍ୱର ବୋଲି ଜାଣେ ସେ ଏହି ମର୍ତ୍ତ୍ୟରେ ବିମୋହିତ ନହୋଇ ସବୁ ପାପରୁ ଉଦ୍ଧାର ପାଏ । ଯେଉଁମାନେ ମୁଁ ସମସ୍ତଙ୍କର କାରଣ, ମୋଠାରୁ ସମସ୍ତ ଉତ୍ପନ୍ନ ବୋଲି ଭାବି ମୋତେ ପ୍ରୀତିପୂର୍ବକ ଭଜନ କରନ୍ତି, ମୋଠାରେ ଚିତ୍ତ ଓ ପ୍ରାଣ ଅର୍ପଣ କରି ପରସ୍ପର ମଧ୍ୟରେ ମୋହରି କଥା କହି ସନ୍ତୁଷ୍ଟ ହୁଅନ୍ତି ସେହି ସତତ ଯୁକ୍ତ ପ୍ରୀତିପୂର୍ବକ ଭଜନକାରୀମାନଙ୍କୁ ମୁଁ ବୁଦ୍ଧି ଯୋଗ ପ୍ରଦାନ କରେ, ଯାହାଦ୍ୱାରା ସେମାନେ ମୋତେ ପାଆନ୍ତି । ସେମାନଙ୍କୁ ଅନୁକମ୍ପା କରିବା ନିମିତ୍ତ ମୁଁ ସେମାନଙ୍କ ମଧ୍ୟରେ ପ୍ରବେଶ କରି ଜ୍ଞାନଦୀପ ହୋଇ ଅଜ୍ଞାନାନ୍ଧକାରକୁ ବିନାଶ କରେ ।’’ ମନୁଷ୍ୟର ଯେଉଁ ସବୁ ସଦ୍‌ବୁଦ୍ଧି ଜାତ ହୁଏ, ବିବେକ ଜ୍ଞାନ ଆସେ, ସେ ସବୁ ଭଗବାନଙ୍କର ପ୍ରେରଣା ଅଟେ । ଏହି ପ୍ରେରଣା ନିମନ୍ତେ ଭଗବଦ୍‌ ଭଜନ ଆବଶ୍ୟକ । କରୁଣା ଭିକ୍ଷା ନକଲେ କରୁଣା ଦାନ କରାଯାଏ ନାହିଁ ।

ଭଜନ ମାର୍ଗର ବିଧି ଜାଣିବାକୁ ଅର୍ଜ୍ଜୁନ ପଚାରିଲେ, ‘‘ହେ ଯୋଗୀ, ଆପଣଙ୍କୁ କିପରି ଚିନ୍ତା କଲେ ମୁଁ ଜାଣି ପାରିବି ? ଆପଣଙ୍କ ସମ୍ବନ୍ଧରେ କ’ଣ ବୋଲି ଚିନ୍ତା କରିବି ? କେଉଁ କେଉଁ ପଦାର୍ଥରେ ମୋର ଆପଣଙ୍କୁ ଚିନ୍ତା କରିବା ଦରକାର ତାହା ମୋତେ ବୁଝାଇ କହନ୍ତୁ ।’’ ଇତିପୂର୍ବେ ନବମ ଅଧ୍ୟାୟରେ ଭଗବାନ ତାଙ୍କ ବିଭୂତିର ସାମାନ୍ୟ ପରିଚୟ ଦେଇଥିଲେ, ‘‘ମୋର ଏହି ଅବ୍ୟକ୍ତ ମୂର୍ତ୍ତିରେ ଜଗତ ବ୍ୟାପ୍ତ । ସକଳ ପ୍ରାଣୀ ମୋଠାରେ ଅବସ୍ଥିତ । ମୁଁ କିନ୍ତୁ ସେମାନଙ୍କୁ ଆଶ୍ରୟ କରି ନାହିଁ । ମୁଁ ଏହି ଜଗତର ପିତା, ମାତା, ଧାତା, ପିତାମହ । ମୁଁ ପିବତ୍ର ବେଦର ଓଁକାର । ମୁଁ ଋକ୍‌, ଯଜୁ ଓ ସାମ । ମୁଁ ଗତିର୍ଭର୍ତ୍ତା, ପ୍ରଭୁ, ସାକ୍ଷୀ, ନିବାସ, ଶରଣ, ସୁହୃତ, ପ୍ରଭବ, ପ୍ରଳୟ, ସ୍ଥାନ, ନିଧାନ ଓ ଅକ୍ଷୟ ବୀଜ । ପୁନର୍ବାର ବିଭୂତି ବର୍ଣ୍ଣନା କରିବା ପୂର୍ବରୁ ଭଗବାନ ଦଶମ ଅଧ୍ୟାୟରେ ବୁଝାଇ ଅଛନ୍ତି, ‘‘ମୋର ବିଭୂତି ବାହୁଲ୍ୟର ଅନ୍ତ ନାହିଁ । ତେଣୁ ମୁଁ ସବୁ କହି ପାରିବି ନାହିଁ । କେତେକ ଦୃଷ୍ଟାନ୍ତ କେବଳ ଦେବି ।’’ ତା ପରେ ଭଗବାନଙ୍କର ବିଭୂତି ବର୍ଣ୍ଣନା ହୋଇଅଛି । କେବଳ ଅଧ୍ୟାତ୍ମ ଶାସ୍ତ୍ରରେ ନୁହେଁ, ସାହିତ୍ୟ କ୍ଷେତ୍ରରେ ମଧ୍ୟ ଏହାର ଭାବ-ଗାମ୍ଭୀର୍ଯ୍ୟ, ରଚନା ପରିପାଟୀ ଓ କବିତା-ସୌନ୍ଦର୍ଯ୍ୟ ଅଦ୍ୱିତୀୟ । ତାହା ପ୍ରକୃତରେ,

‘‘ଶ୍ରବଣେ ତୃପ୍ତିର ଅବସାନ ନାହିଁ,

ଯେତେ ଶୁଣୁଥିଲେ ନୂଆ ଲାଗୁଥାଇ ।’’

ଅନ୍ତହୀନ କଥା କହି କହି ଶ୍ରୀକୃଷ୍ଣ ଥକି ପଡ଼ିଲେ । ପରିଶେଷରେ ସେ କହିଲେ, ‘‘ମୋର ଦିବ୍ୟ ବିଭୂତିର ଅନ୍ତ ନାହିଁ । ତେଣୁ ଅତି ସଂକ୍ଷେପରେ କେବଳ କହିଦେଲି । ତୁମେ ଏହି କେତୋଟି ଦୃଷ୍ଟାନ୍ତରୁ ଜାଣିରଖ ଯେ, ଯେଉଁ ଯେଉଁ ଠାରେ ଶ୍ରୀ ଓ ବିଭୂତି ବିଦ୍ୟମାନ, ସେ ସବୁ ମୋ ତେଜର ଗୋଟିଏ ଗୋଟିଏ ଅଂଶ ମାତ୍ର ।’’ କିନ୍ତୁ ବ୍ୟକ୍ତ ବିଶ୍ୱଦ୍ୱାରା ଅବ୍ୟକ୍ତ ବ୍ରହ୍ମର ପୂର୍ଣ୍ଣ ଅଭିବ୍ୟକ୍ତି ଅସମ୍ଭବ । ଯେପରି ହାଣ୍ଡିରେ କୁମ୍ଭାରର ଯୋଗ ଥିଲେ ସୁଦ୍ଧା, ହାଣ୍ଡିଟି କୁମ୍ଭାରର ପୂର୍ଣ୍ଣ ପ୍ରକାଶ ନୁହେଁ-। ଶ୍ରୀକୃଷ୍ଣ ତେଣୁ ଏହି ଆଶଙ୍କା ଦୂର କରିବାକୁ ଯାଇ କହିଛନ୍ତି, ‘‘ଏହି ସମସ୍ତ ଜଗତ ମୋର ଗୋଟିଏ ଅଂଶ ବୋଲି ଜାଣ ।’’ ଯାହାର ଅଂଶ ମାତ୍ର ଏହି ବିପୁଳ ଜଗତ, ଯାହାର ଆଶିଂକ ତେଜରେ ଏହି ଜଗତର ସମସ୍ତ ବସ୍ତୁ ପ୍ରକାଶମାନ, ସେହି ପୂର୍ଣ୍ଣ ବିଭୂତି, ସେହି ପୂର୍ଣ୍ଣ ତେଜର ଅବଧାରଣା କରିବା ସାଧାରଣ ମନୁଷ୍ୟ ପକ୍ଷେ ଅସମ୍ଭବ । ଯେ ଜାଣେ, ସେ ଜାଣେ । ସମସ୍ତେ କିନ୍ତୁ ଜାଣନ୍ତି ନାହିଁ । ବେଦରେ କୁହାଯାଇଛି ବ୍ରହ୍ମ ଚାରିପାଦ ଏକ ପାଦ ବ୍ୟକ୍ତ ଓ ତିନି ପାଦ ଅବ୍ୟକ୍ତ-। ପୂର୍ଣ୍ଣ ଜ୍ୟାତ୍ସ୍ନା ନିକଟରେ ଆଂଶିକ ଜ୍ୟୋତି ମ୍ରିୟମାଣ ହୋଇ ପଡ଼େ । ତେଣୁ ଗୀତାର ପୁରୁଷୋତ୍ତମ ଯୋଗରେ କୁହାଗଲା ପରି, ‘‘ଯେଉଁଠାରେ ସୂର୍ଯ୍ୟ, ପାବକ ଓ ଶଶାଙ୍କ ପ୍ରକାଶିତ ହୋଇ ପାରନ୍ତି, ତାହା ଅଟେ ମୋର ପରମ ଧାମ ।’’ ଏକାଦଶ ଅଧ୍ୟାୟର ବିଶ୍ୱରୂପ ଦର୍ଶନ ବେଳେ ବର୍ଣ୍ଣିତ ହୋଇଛି, ‘‘ଆକାଶରେ ସହସ୍ର ସୂର୍ଯ୍ୟ ଏକାବେଳେ ଉତ୍‌ଥିତ ହେଲେ, ସେହି ପ୍ରଭା ସେହି ମହାତ୍ମାଙ୍କ ପ୍ରଭା ସଙ୍ଗେ ସମାନ ହୋଇପାରେ ।’’ ଭଗବାନଙ୍କର ଏହି ମହିମା କୀର୍ତ୍ତନହିଁ ଭଜନ, ଏହି ମହିମାରେ ବିଭୋର ହେବାହିଁ ଧ୍ୟାନ । ଏହି ଭଜନ ଓ ଧ୍ୟାନ କୌଣସି ବିଧି ଓ ଅନୁଷ୍ଠାନର ଅପେକ୍ଷା ରଖେ ନାହିଁ-। କବି ଏହି ଅଧ୍ୟାତ୍ମ ରାଜ୍ୟରେ ବୈଧାନିକ ମୁକ୍ତିର ବର୍ଣ୍ଣନା କରି ଗାଇଛନ୍ତି–

ତୁମ୍ଭ ଭଜନରେ ହେବି ନାହିଁ ନାଥ ମାଳା ଜପିବାରେ ବାଧ୍ୟ,

କୋଟି କୋଟି ଗ୍ରହ କଣ୍ଠି ସେ ମାଳାର ଜପି କେ କରିବ ସାଧ୍ୟ ।

ରାଜନୀତିରେ Residual power ବୋଲି ଗୋଟିଏ ବିଷୟର ଚର୍ଚ୍ଚା ହୋଇଥାଏ । ଏହାର ଅର୍ଥ ବଳକା କ୍ଷମତା । କେନ୍ଦ୍ର ସରକାରଙ୍କୁ କେତେ କ୍ଷମତା ଦିଆଯାଏ ଓ ଆଉ କେତେ କ୍ଷମତା ପ୍ରାଦେଶିକ ସରକାରମାନେ ନିଅନ୍ତି । କେତେ ବିଷୟରେ ଉଭୟଙ୍କୁ କ୍ଷମତା ପ୍ରଦତ୍ତ ହୁଏ । ତଥାଚ ଏହି ସବୁ କ୍ଷମତାର ବାହାରେ ଅନ୍ୟ କେତେ ବିଷୟ ରହିଯାଏ । ଏହି ସବୁ କ୍ଷମତା କ’ଣ କେହି କହିପାରନ୍ତି ନାହିଁ । କାଳକ୍ରମେ ନୂଆ ନୂଆ ପରିସ୍ଥିତି ଉପୁଜେ, ଯେତେବେଳେ ଏହି ଅଜଣା କ୍ଷମତାର ଆବଶ୍ୟକତା ଉପଲବ୍‌ଧି କରାଯାଏ । ସମ୍ବିଧାନରେ ଆଗରୁ ଠିକ୍‌ କରାଯାଇ ଥାଏ ଯେ, ଏପରି କୌଣସି କ୍ଷମତା ଏକହେଲେ ପ୍ରାଦେଶିକ, ନହେଲେ କେନ୍ଦ୍ରସରକାରଙ୍କ ହାତରେ ରହିବ । ଏହି କ୍ଷମତାକୁ କୁହାଯାଏ Residual power ସେହିପରି ଭଗବାନଙ୍କ ଅସ୍ତିତ୍ୱ । ଭଗବାନଙ୍କ ପରି ପରିପୂର୍ଣ୍ଣ ବସ୍ତୁ ସ୍ୱୟଂ ଭଗବାନଙ୍କ ବ୍ୟତୀତ ଆଉ କେହି ହୋଇ ନପାରନ୍ତି । ଅନ୍ୟ ସବୁ ପଦାର୍ଥ ଅସଂପୂର୍ଣ୍ଣ । ମାତ୍ର ଏହି ଅସଂପୂର୍ଣ୍ଣ ସଂପୂର୍ଣ୍ଣ ହୋଇଥାଏ ଭଗବାନଙ୍କ ଆବିର୍ଭାବ ଦ୍ୱାରା । ହିରଣ୍ୟକଶିପୁ ଓ ବଳୀ ଉପାଖ୍ୟାନରେ ଭଗବାନଙ୍କର ଏହି ସଂପୂର୍ଣ୍ଣ ଅସ୍ତିତ୍ୱର ପ୍ରକାଶ ଅତି ପ୍ରାଞ୍ଜଳଭାବେ ହୋଇ ଅଛି । ହିରଣ୍ୟକଶିପୁ ବ୍ରହ୍ମାଙ୍କଠାରୁ ବରଲାଭ କଲା ପରେ କହିଲେ–

ଆପଣ ଯେବେ ତାହା କରିବ ହେ ପ୍ରଦାନ

ତେମନ୍ତ ହେଲେ ତୁମ୍ଭେ ସର୍ଜିବା ଜନ୍ତୁମାନ

ଯେତେ ଅଛନ୍ତି ସେମାନଙ୍କ ତହୁଁ ମୋର

ମରଣ ନ ହେବଟି ଆହେ ବେଦଧର ।

ସଜ୍ଜନମାନଙ୍କର ଭିତରେ ଯେ ବାହାରେ

ଦିବସମାନଙ୍କରେ ସକଳ ରଜନୀରେ

ତୁମ୍ଭେ ସର୍ଜନ କରିବାର ଯେତେ ଜନ

ସେମାନଙ୍କ ସକାଶୁ ନୋହିବ ମୋ ନିଧନ

ଏ ଜଗତେ ଆୟୁଧମାନେ ଯେତେ ଛନ୍ତି

ସେ ଶସ୍ତ୍ରମାନଙ୍କରେ ନୋହିବ ମୋର ମୃତି

ନର ମୃଗାଦି ଅବା ଅଛନ୍ତି ଯେ ଆନ

ତେଣେ ନୋହିବ କେତେ ବେଳରେ ମୋ ନିଧନ ।

ଏହି ବରଲାଭ କରି ହିରଣ୍ୟକଶିପୁ ନିଶ୍ଚିନ୍ତ ହେଲେ । ସେ ନିଶ୍ଚିନ୍ତରୂପେ ଜାଣିଲେ ଯେ ଏହି ବର ସମସ୍ତ ସୃଷ୍ଟିକୁ ଆବଦ୍ଧ କରିଛି । ସେ କିନ୍ତୁ ଜାଣି ନ ଥିଲେ ବ୍ରହ୍ମାଙ୍କ ବରର ତାଲିକା ବାହାରେ ଆଉ ଗୋଟିଏ Residual କ୍ଷମତା ଅଛି; ଯାହାର ବ୍ୟବହାରରେ ତାଙ୍କର ମୃତ୍ୟୁହୋଇ ପାରିବ । ସେ ଜାଣି ନଥିଲେ ଯେ ବ୍ରହ୍ମାଙ୍କ ସର୍ଜିତ ଜନ୍ତୁମାନଙ୍କ ବାହାରେ ଆଉ ଗୋଟିଏ ଜନ୍ତୁର ଆଭିର୍ଭାବ ସମ୍ଭବପର । ସେ ଜାଣି ନ ଥିଲେ ଯେ ବ୍ରହ୍ମାଙ୍କ ସର୍ଜିତ ରାତି ଓ ସକାଳ ବାହାରେ ଅନ୍ୟ ଏକ ସମୟ ମଧ୍ୟ ଅଛି, ସମସ୍ତ ପ୍ରକାର ଅସ୍ତ୍ରଶସ୍ତ୍ର ବାହାରେ ଆଉ ଗୋଟିଏ ଅସ୍ତ୍ର ଅଛି । ପରିଶେଷରେ ସେ ଦେଖିଲେ–

ଅତିଶୟ ଅତ୍ୟନ୍ତ ଅଦଭୁତ ସେହି

ସିଂହ ରୂପ ନୋହେ ସେ ନର ରୂପ ନୋହି ।

ସ୍ଥିତ ହେବା ସ୍ତମ୍ଭର ମଧ୍ୟରୁ ଯେ ବାହାର

ହୋଇଯାଏ ଅତ୍ୟନ୍ତ ନରସିଂହାକାର

ବିଚାରିଲେ ମୃଗ ନୋହେ କି ବାନର

ଅତ୍ୟନ୍ତରେ ବିଚିତ୍ର ଅଟଇ ଏ ଶରୀର ।

ସେହି ବିଚିତ୍ର ଶରୀର, ସେହି ବିରାଟ ବିଶ୍ୱରୂପ ଯେ ବ୍ରହ୍ମାଙ୍କ ସୃଜନ ଶକ୍ତିର ବହୁଊର୍ଦ୍ଧ୍ୱରେ, ତାହା ହିରଣ୍ୟ ଅତିଶୟ ବିଳମ୍ବରେ ଜାଣି ପାରିଥିଲେ ।

ବଳୀଙ୍କଠାରୁ ଦାନଗ୍ରହଣ ସମୟରେ ଭଗବାନଙ୍କ ତ୍ରିବିକ୍ରମ ମୂର୍ତ୍ତି ସେହି ବିଶ୍ୱରୂପ ପ୍ରକାଶନର ଅନ୍ୟ ଏକ ଘଟଣା, ବାମନ ଭିତରେ ତ୍ରିବିକ୍ରମଙ୍କ ଅଧିଷ୍ଠାନ ଭଗବାନଙ୍କ ଐଶ୍ୱର୍ଯ୍ୟ ପ୍ରକାଶର ଗୋଟିଏ ପ୍ରକୃଷ୍ଟ ଉଦାହରଣ । ବଳୀ ଭାବିଥିଲେ, ‘‘ଛୋଟ ବ୍ରାହ୍ମଣ ଖଣ୍ଡେ, ଇଏ ନେଇ ନେଇ ମୋଠୁଁ ଏମିତି କେତେ ନେବ ? ମୁଁ ବିଶ୍ୱ ବ୍ରହ୍ମାଣ୍ଡର ରାଜା, ମୁଁ କ’ଣ ଏଠାରେ ହାରିଯିବି ?’’ ମାତ୍ର–

ସେ ବଳୀଙ୍କି କହିଲେ ବାମନ ବନମାଳୀ

ହେ ବଳି, ଦୈତପତି ତିନି ପାଦ ମହୀ

ଆମ୍ଭଙ୍କୁ ଯେ ତୁମ୍ଭେ ସତ୍ୟେ ଅଛ ଦେଇ

ଦୁଇ ପାଦରେ ଯେ ତୁମ୍ଭେ ଅର୍ଜିବା ଅବନୀ

ଆକ୍ରମିଲେ ତୁମ୍ଭର ଦେଖୁଛି ନେତ୍ର ବେନି

ତୃତୀୟ ପାଦ ଧରଣୀ କି ତୁମ୍ଭେ ଏବେ

କଳ୍ପନା କରି ଦିଅ କହୁଛି ମୁଁ ଭାବେ ।

ବିଶ୍ୱବ୍ରହ୍ମାଣ୍ଡ ସମଗ୍ର ସୃଷ୍ଟି ବାହାରେ ମଧ୍ୟ ବିରାଟ ପୁରୁଷ ଭଗବାନ ବିଦ୍ୟମାନ । କ୍ଷର, ଅକ୍ଷରର ଅତୀତ ଯେ ପୁରୁଷ ତାଙ୍କୁ ଗୀତା ଡାକିଛି ପୁରୁଷୋତ୍ତମ ବୋଲି । ଏହି ବିରାଟ ପୁରୁଷଙ୍କୁ ପାଇବାକୁ ହେଲେ ମାନବ ତ୍ରିଗୁଣାତୀତ ହେବା ଆବଶ୍ୟକ । ଭଗବାନଙ୍କର ଏହି ବିରାଟ ଅସ୍ତିତ୍ୱର ଧାରଣା ସକାଶେ ଭଗବତ୍‌ ଆରାଧନା ଆବଶ୍ୟକ । ବିଶ୍ୱ ଭିତରେ ଓ ବିଶ୍ୱ ବାହାରେ ଯେ ଭଗବାନଙ୍କୁ ଦେଖେ ସେ ତାଙ୍କୁ ଲାଭକରେ । ଯାହାଠାରୁ ବିଶ୍ୱ ଉଦ୍‌ଭୂତ ସେ ମଧ୍ୟ ବିଶ୍ୱରୂପ । ତାଙ୍କର ବିଭୂତି ଶ୍ରବଣ, ତାଙ୍କ ଖ୍ୟାତି-କୀର୍ତ୍ତନ ଓ ତାଙ୍କ ରୂପ-ଦର୍ଶନ ଜୀବର ଏକମାତ୍ର ଲକ୍ଷ୍ୟ ଓ ଆକାଂକ୍ଷା । ସତତ ଚିନ୍ତା, ସଦାଭ୍ୟାସ ଓ ସର୍ବୋପରି ଭଗବତ୍‌ ଅନୁଗ୍ରହ ଦ୍ୱାରା ଏହି ଆକାଂକ୍ଷା ପୂର୍ଣ୍ଣ ହୁଏ । ବିଶ୍ୱରୂପ ଧାରଣା ଆର୍ଯ୍ୟପ୍ରାଣ ଅତି ପୁରାତନ କାଳରୁ ସ୍ପର୍ଶ କରିଥିଲା । ଏହା ବେଦର ‘ପୁରୁଷସୂକ୍ତ’ରେ ଅଭିବ୍ୟକ୍ତି ଲାଭ କରିଅଛି । ଭଗବାନ କୌଣସି ପୁରୁଷ ବିଶେଷ ନୁହନ୍ତି, ତଥାଚ ସେ ସମସ୍ତଙ୍କ ହୃଦୟରେ ଅନ୍ତର୍ଯ୍ୟାମୀରୂପେ ବିଦ୍ୟମାନ । ଭଗବାନ ଏକ, ବହୁ ନୁହନ୍ତି, ତଥାଚ ସେ ମଣିମାଳାର ପୂତ୍ରପରି ପ୍ରତ୍ୟେକ ହୃଦୟ ଭିତରେ ପ୍ରବିଷ୍ଟ ହୋଇ ଅଛନ୍ତି । ଭଗବାନଙ୍କୁ ଯେତେ ଛୋଟ ପରି ଭାବି ହୋଇ ପାରିବ ସେ ସେହି ପରିମାଣରେ ଛୋଟ, ତଥାଚ ତାଙ୍କ ଅପେକ୍ଷା ବଡ଼ ଆଉ କେହି ନାହିଁ । ଏହିପରି ପରସ୍ପର ବିରୋଧାତ୍ମକ ଉକ୍ତି ବିନା ଭଗବାନଙ୍କୁ ବୁଝାଇ କହିବାର ଅନ୍ୟ ଉପାୟ ନାହିଁ । କାରଣ ତାଙ୍କୁ ଜାଣିବାକୁ ମନ ପାରେ ନାହିଁ ଓ ତାଙ୍କୁ ପ୍ରକାଶ କରିବାକୁ ବୁଦ୍ଧି ବଚନ ହାରେ । ଭାଷାର ବହୁ ଊର୍ଦ୍ଧ୍ୱରେ ଭଗବାନ ଅବସ୍ଥିତ, ତଥାଚ ଭାଷାହିଁ ତାଙ୍କୁ ବ୍ୟକ୍ତ କରିବାର ଏକମାତ୍ର ଅବଲମ୍ବନ । ପୁରୁଷସୂକ୍ତରେ କୁହାଯାଇଛି, ‘‘ବିରାଟ ପୁରୁଷଙ୍କର ସହସ୍ର ଶିର, ସହସ୍ର ନୟନ, ସହସ୍ର ଚରଣ । ସେ ସମସ୍ତ ଜଗତକୁ ବ୍ୟାପି ଅଛନ୍ତି ଏବଂ ଜଗତ ବାହାରେ ମଧ୍ୟ ସେ ବିଦ୍ୟମାନ । ସେହି ପୁରୁଷ ଭୂତ, ବର୍ତ୍ତମାନ ଓ ଭିବଷ୍ୟତ ଅଟନ୍ତି । ମର୍ତ୍ତ୍ୟ ଓ ଅମର୍ତ୍ତ୍ୟର ସେ ଅଧୀଶ୍ୱର ।’’ ଏହି ବିରାଟ ରୂପର ପ୍ରକାଶ ରାମାୟଣରେ କରାଯାଇଛି । ସୀତାଙ୍କ ଅଗ୍ନିପରୀକ୍ଷା ବେଳେ ବ୍ରହ୍ମା ରାମଚନ୍ଦ୍ରଙ୍କୁ କହୁଛନ୍ତ–

ବିଷ୍ଣୁ ତୁମ୍ଭେ ଶଂଖ ଚକ୍ର ଗଦା ପଦ୍ମ ଧର

ଆନନ୍ଦ ଜଳଧି ତୁମ୍ଭ ଶୟନ ମନ୍ଦିର

ସର୍ବଲୋକ ପରଧର୍ମ ନାମ ବିଶ୍ୱକ୍‌ସେନ

ଅକ୍ଷର ବ୍ରହ୍ମସ୍ୱରୂପ ସତ୍ୟ ସନାତନ

ସର୍ବ ଲୋକ ମଧ୍ୟେ ତୁମ୍ଭେ କରିଛ ବସତି

ଘୋର ପ୍ରଳୟରେ ତାହା ଶୂନ୍ୟେ ତବ ସ୍ଥିତି ।

ଶରଣ ଶରଣ୍ୟ ତୁମ୍ଭେ ଅନାଦି ଅନନ୍ତ

ପଦ୍ମନାଭ ଦେବରୂପ ପୁଣି ଶୀର୍ଷ ଶତ ।

ବର୍ଣ୍ଣିବ କେ ଗୋଟି ଗୋଟି କୋଟି ମହିମାରେ

ଧରିଅଛି ତ୍ରିଭୁବନ ତୁମ୍ଭର ମୂରତି ।

ତୁମ୍ଭ ଛଡ଼ା ଏ ଜଗତେ ନାହିଁ ଆଉ କେହି

ନିଖିଳ ଜଗତ ଅଟେ ତୁମ୍ଭରଟି ଦେହୀ ।

ପୁରାଣ ପୁରୁଷ ତୁମ୍ଭେ କରୁଣା ଆଧାର ।

ଗୀତାର ଦଶମ ଅଧ୍ୟାୟ ସଙ୍ଗେ ରାମାୟଣର ଉଲ୍ଲିଖିତ ବିଭୂତି ବର୍ଣ୍ଣନା ପାଠ କଲେ ଜଣାଯାଏ, ବ୍ୟାସ ବାଲ୍ମୀକି କିପରି ଭଗବଦ୍‌ ଧାରଣାରେ ଏକମତ ଅଟନ୍ତି । ଭାଗବତର ପ୍ରଥମସ୍କନ୍ଧ ତୃତୀୟ ଅଧ୍ୟାୟର ମଧ୍ୟ ଏହିପରି ଗୋଟିଏ ବିଶ୍ୱରୂପ ବର୍ଣ୍ଣନା ଠିକ୍‌ ପୁରୁଷସୂକ୍ତ ପରି । ମେକାଲେ ସାହେବ ଆମ୍ଭମାନଙ୍କ ପୁରାଣରେ ଦୁଧ ଓ ମହୁର ସମୁଦ୍ର ଛଡ଼ା ଆଉ କିଛି ଦେଖିବାକୁ ପାଇ ନଥିଲେ । କିନ୍ତୁ ତାଙ୍କୁ କିଏ ସେତେବେଳେ ଭଲ ରକମର ଗୋଟିଏ ଚକ୍ଷୁ ଦେଇଥିଲେ ସେ ବୁଝି ପାରିଥାନ୍ତେ କିପରି ପୁରାଣରେ ଆର୍ଯ୍ୟମାନଙ୍କ ସମସ୍ତ ଦର୍ଶନତତ୍ତ୍ୱ ଆଖ୍ୟାନ ଓ ଗଳ୍ପ ଆକାରରେ ରୂପାୟିତ ହୋଇଅଛି ।

ଏ ଚମତ୍କାର ରୂପ ଜ୍ଞାନ ଚକ୍ଷୁ ଦ୍ୱାରେ

ଜ୍ଞାନୀମାନେ ଦେଖନ୍ତି ସମସ୍ତେ ଏ ସଂସାରେ

ସହସ୍ର ସଂଖ୍ୟା ଯେଉଁ ପାଦ, ଉରୁ, ଭୁଜେ

ତହିଁରେ ସେ ସଂଖ୍ୟାରେ ଆନନମାନେ ରାଜେ

ସେହିରୂପ ସଂଖ୍ୟାରେ ସହସ୍ରେ ମସ୍ତକ

ସେହିରୂପ ସଂଖ୍ୟାରେ ସହସ୍ରେ ଯେ ନାସିକ

ଏ ବାହାରେ ସହସ୍ରେ ମୁକୁଟ ସୁବସନ

ସହସ୍ର କୁଣ୍ଡଳରେ ଅଟନ୍ତି ଶୋଭମାନ ।

 

ଭାଗବତ ମହାଭାରତର ପରବର୍ତ୍ତୀ ଗ୍ରନ୍ଥ । ତେଣୁ ଗୀତାର ବିଶ୍ୱରୂପ ବର୍ଣ୍ଣନା ଭାଗବତରେ ପୁନରାବୃତ୍ତି କରାଯାଇଛି ମାତ୍ର । ଭାଗବତର ଏକାଦଶ ସ୍କନ୍ଧରେ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ବିଭୂତି ଯୋଗ କହିଲା ବେଳେ ଗୀତାରୁ ଉଦ୍ଧାର କରିବା କଥା କହିଛନ୍ତି । ଗୀତାର ବିଶ୍ୱରୂପ ବର୍ଣ୍ଣନା ଅନ୍ୟାନ୍ୟ ବର୍ଣ୍ଣନାଠାରୁ ଉତ୍କୃଷ୍ଟତମ । ବିଭୂତି ଅଧ୍ୟାୟର ବିଶ୍ୱସଙ୍ଗୀତ ଶ୍ରବଣ ପରେ ଏକାଦଶ ଅଧ୍ୟାୟର ବିଶ୍ୱରୂପ ଦର୍ଶନ ଅତି ଚମତ୍କାର ହୋଇଅଛି । ଦୃଶ୍ୟ ଓ ଶ୍ରାବ୍ୟ କାବ୍ୟର ସମାବେଶ ପରି ଏହି ଦୁଇଟି ଅଧ୍ୟାୟରେ ବିଶ୍ୱରୂପ ପରି ଗୋଟିଏ ଦୁରୂହ ଆଧ୍ୟାତ୍ମିକ ତତ୍ତ୍ୱଟି ଅତି ସ୍ପଷ୍ଟ, ସୁନ୍ଦର ଓ ସବୋଧ୍ୟ ହୋଇ ପାରିଛି । ଅର୍ଜ୍ଜୁନ ଦଶମ ଅଧ୍ୟାୟ ଶେଷ ପରେ ଏକାଦଶ ଅଧ୍ୟାୟର ଆରମ୍ଭରେ କହିଲେ, ‘‘ଆପଣ ଯାହାସବୁ କହିଗଲେ ତାହା ସବୁ ମୁଁ ଶୁଣିଲି । ତଦ୍ଦ୍ୱାରା ମୋର ମୋହ ଦୂର ହେଲା । ଆପଣ କହିଲେ, ଆପଣଙ୍କଠାରୁ ସବୁ ଭୂତର ଉତ୍ପତ୍ତି । ଏହା ମଧ୍ୟ ଶୁଣିଲି । ଆପଣଙ୍କର ମାହାତ୍ମ୍ୟ ଅକ୍ଷୟ; ଏହାର ବିସ୍ତୃତ ବର୍ଣ୍ଣନା ମଧ୍ୟ ଆପଣଙ୍କଠାରୁ ଶୁଣିଲି । କାନରେ ଶୁଣିଲି ସତ, କିନ୍ତୁ ଆଖିରେ ତ ଦେଖିଲି ନାହିଁ । ତାହା ସବୁ ଦେଖିବାକୁ ମୋର ଖୁବ୍‌ ଇଚ୍ଛା ହେଉଛି । ମୁଁ ତାହା ସବୁ ଦେଖିବାକୁ ଯୋଗ୍ୟ କି ଅଯୋଗ୍ୟ ଆପଣ ଜାଣନ୍ତି । ଆପଣ ଯଦି ମନେ କରନ୍ତି ଯେ ସେ ସବୁ ଦେଖିବା ପାଇଁ ମୋର ସାମର୍ଥ୍ୟ ଅଛି ତେବେ ଦେଖାନ୍ତୁ । ତଦ୍ଦ୍ୱାରା ମୋର ଚକ୍ଷୁ ଓ କର୍ଣ୍ଣର ବିବାଦ ଘୁଞ୍ଚିଯିବ ।’’ ଅର୍ଜ୍ଜୁନ ଠିକ୍‌ ଜଣେ ଉତ୍ତମ ସ୍କୁଲ ବାଳକ ପରି ଶ୍ରୀକୃଷ୍ଣଙ୍କୁ ପଚାରିଥିଲେ । ଶ୍ରୀକୃଷ୍ଣ ମଧ୍ୟ ମନେ କଲେ ଯେ ଅର୍ଜ୍ଜୁନ ସେପରି ରୂପ ଦେଖିବା ପାଇଁ ଉପଯୁକ୍ତ । ଉପଯୁକ୍ତ ଶିଷ୍ୟକୁ ଜ୍ଞାନ ପ୍ରଦାନ କରିବାରେ ଗୁରୁ କେବେ ଅବହେଳା କରନ୍ତି ନାହିଁ । ଶ୍ରୀକୃଷ୍ଣ କିନ୍ତୁ ଦେଖିଲେ ଅର୍ଜ୍ଜୁନ ତାଙ୍କ ଚର୍ମ ଚକ୍ଷୁରେ ବିଶ୍ୱରୂପ ଦର୍ଶନ କରିବା ଅସମ୍ଭବ । ସେଥି ନିମନ୍ତେ ଦିବ୍ୟଚକ୍ଷୁ ଆବଶ୍ୟକ । ମାତ୍ର ଏହି ଦାନ ଭଗବାନଙ୍କ ବିନାନୁଗ୍ରହରେ କରାଯାଇ ନପାରେ; ପୁଣି ଅପାତ୍ରରେ ଭଗବାନ ସେହି ଅନୁଗ୍ରହ କରନ୍ତି ନାହିଁ । ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ ଦିବ୍ୟଚକ୍ଷୁ ଦାନ କରି ବିଶ୍ୱରୂପ ପ୍ରଦର୍ଶନ କଲେ । ଏହି ଦିବ୍ୟଚକ୍ଷୁ ସମ୍ବନ୍ଧେ ଭାଗବତର ଗୋଟିଏ ସ୍ଥାନରେ ଲେଖାଅଛି–

 

ଏ ଚମତ୍କାର ରୂପ ଜ୍ଞାନଚକ୍ଷୁ ଦ୍ୱାରେ

ଜ୍ଞାନୀମାନେ ଦେଖନ୍ତି ସମସ୍ତେ ଏ ସଂସାରେ ।

 

ବିଶ୍ୱରୂପ ଦେଖିବାକୁ ସମସ୍ତଙ୍କର ସାମର୍ଥ୍ୟ ନାହିଁ । ଅସମର୍ଥ ବ୍ୟକ୍ତି ଦେଖି କିଛି ଉବଲବ୍‌ଧି କରେ ନାହିଁ । ପ୍ରତ୍ୟହ କିଏ ନଦେଖୁଛି ଏହି ବିରାଟ ବିଶ୍ୱର ମହିମାମୟ ଦୃଶ୍ୟ ! ମାତ୍ର ଉପଲବ୍‌ଧି କରନ୍ତି କେତେ ଜଣ ? ନିଜେ ଅର୍ଜ୍ଜୁନ ମଧ୍ୟ ବିରାଟ ପୁରୁଷଙ୍କୁ ଦେଖି ଭୟବିହ୍ୱଳ ଚିତ୍ତରେ କହିଲେ, ‘‘ହେ ଦେବେଶ, ହେ ଜଗନ୍ନାଥ, ମୁଁ ଆପଣଙ୍କର ଏହି ଅଦୃଷ୍ଟପୂର୍ବ ରୂପ ଦର୍ଶନ କରି ହୃଷ୍ଟ ହେଲି ସତ୍ୟ, ମାତ୍ର ମନ ମୋର ଭୟରେ ବ୍ୟଥିତ । ମୋତେ ତେଣୁ ତୁମ୍ଭର ନାରାୟଣ ରୂପ ଦେଖାଅ । ହେ ସହସ୍ରବାହୁ, ମୁଁ ତୁମ୍ଭର ଏହି ବିରାଟ ରୂପ ଦେଖିବାକୁ ସକ୍ଷମ ନୁହେଁ । ମୋତେ ତୁମ୍ଭର ଚତୁର୍ବାହୁଯୁକ୍ତ ନାରାୟଣ ରୂପ ଦେଖାଅ । ମୁଁ ତେବେ ଭୟଯୁକ୍ତ ହେବି ।’’ ବିଶ୍ୱରୂପ ଦର୍ଶନ ସମସ୍ତଙ୍କ ଭାଗ୍ୟରେ ଘଟେ ନାହିଁ । ଭଗବାନ ପ୍ରସନ୍ନ ହେଲେ କେବଳ ସାଧକ ଏହି ରୂପ ଦେଖିବାକୁ ସମର୍ଥ ହୁଏ । ବେଦପାଠ, ଦାନ, କର୍ମ ବା ତପସ୍ୟାରେ ଏହି ଦର୍ଶନ ମିଳେ ନାହିଁ । ସେ ଦର୍ଦ୍ଦର୍ଶନୀୟ ରୂପ ଦେବତାମାନେ ମଧ୍ୟ ଦେଖିପାରନ୍ତି ନାହିଁ । କେବଳ ଭକ୍ତିହିଁ ଏହି ଦର୍ଶନ ଲାଭର ଏକମାତ୍ର ଉପାୟ । ବିଶ୍ୱରୂପ ଦର୍ଶନ ବାଜିକର ବିଦ୍ୟା ନୁହେଁ । ସେଥିରେ ଅତି ପ୍ରାକୃତିକତା କିଛି ନାହିଁ । ଭକ୍ତ ଅତି ସହଜରେ ସେହି ରୂପର ଉପଲବ୍‌ଧି କରି ତାହାଠାରେ ଆଶ୍ରୟ ନିଏ ।

 

ଅବ୍ୟକ୍ତ ଭଗବାନଙ୍କୁ ବ୍ୟକ୍ତ କରିବା ଚେଷ୍ଟା ବିଶ୍ୱରୂପ ଅଧ୍ୟାୟରେ କରାଯାଇ ଅଛି । ସମସ୍ତ ସୃଷ୍ଟିର ସମଷ୍ଟିକରଣଦ୍ୱାରା ସ୍ରଷ୍ଟାଙ୍କ ଅଭିବ୍ୟକ୍ତି ଯେତେ ବିଭୂତି ପୂର୍ଣ୍ଣ ହେଉ ପଛକେ, ତାହା ସମ୍ପୂର୍ଣ୍ଣ ହୋଇ ନପାରେ । ପଞ୍ଚଦଶ ଅଧ୍ୟାୟରେ ସୃଷ୍ଟକୁ ଗୋଟିଏ ଗଛର ରୂପରେ ଆରୋପ କରଯାଇଛି । ସେହି ଅଧ୍ୟାୟରେ ପୁଣି କ୍ଷର, ଅକ୍ଷର ଓ ପୁରୁଷୋତ୍ତମର ବିଚାର କରାଯାଇଛି । କ୍ଷରର ମଧ୍ୟ ଆବହମାନତ୍ୱ ରହିଅଛି । ନଦୀରେ ଏହି ମୁହୂର୍ତ୍ତର ଜଳ ଆର ମୁହୂର୍ତ୍ତରେ ରହୁନାହିଁ, ବିବର୍ଦ୍ଧମାନ ଜୀବ ଶରୀରର ଅଂଶରାଶି ପ୍ରତି ମୁହୂର୍ତ୍ତରେ ବଢ଼ିବାରେ ଲାଗିଛି, ପୁଣି ବୃକ୍ଷର ନୂତନ କିଶଳୟ ଓ ପ୍ରସୂନ ନୁଆ ନୂଆ କରି ଅବିରାମଭାବେ ଦେଖା ଦେବାରେ ଲାଗିଛନ୍ତି । ପୁରାତନ ପରେ ନୂତନର ଧାରା ଅହରହ ଚାଲିଛି । ଏହି କ୍ଷୟଶୀଳ ସୃଷ୍ଟି ମଧ୍ୟ ସେହି ବିରାଟ ବ୍ୟକ୍ତିତ୍ୱର ଆତ୍ମବିକାଶ । ଏହାହିଁ କ୍ଷର ପୁରୁଷ । ପରିବର୍ତ୍ତନ ଗୋଟିଏ Relative ବା ତୁଳନାତ୍ମକ ପଦ । କୌଣସି ଗୋଟିଏ ଅପରିବର୍ତ୍ତିତ ପଦାର୍ଥକୁ ଲକ୍ଷ୍ୟ କଲେ ଅନ୍ୟ ସବୁର ବର୍ତ୍ତନ ଜଣାଯାଏ । ଏହି ସ୍ଥିର, ଚିର, ଅବ୍ୟକ୍ତ, ଅଦୃଶ୍ୟ ଓ ଅକ୍ଷୟ ବ୍ୟକ୍ତିତ୍ୱକୁ ଅକ୍ଷର ନାମ ଦିଆ ଯାଇଛି । ଏହା ଶୂନ୍ୟ ନୁହେଁ, କିନ୍ତୁ ମନର ଅଗୋଚର, ବୁଦ୍ଧିର ଅଗମ୍ୟ ଓ ଗୁଣର ଅତୀତ । କ୍ଷର ଅକ୍ଷର ଦୁଇଟି ବିରୋଧାତ୍ମକ ପୁରୁଷର ସ୍ଥିତି ସମ୍ଭବ ହୋଇଛି ଜଣେ ଉତ୍ତମ ପୁରୁଷର ଅବସ୍ଥାନ ହେତୁ । ପୁରୁଷୋତ୍ତମ କ୍ଷର ଓ ଅକ୍ଷର ପୁରୁଷ ପୁଣି ଆଉ କିଛି ଅଧିକ । ଗୀତା ଏହି ଅଧ୍ୟାୟରେ ଭଗବାନଙ୍କଠାରେ ବ୍ୟକ୍ତିତ୍ୱ ଆରୋପ କରି ଭକ୍ତି ଧର୍ମର ପରାକାଷ୍ଠା ଦର୍ଶାଇଅଛି ।

Image

 

ଗୀତା ଧର୍ମ

 

ଗୀତାର ଭଗବତ୍‌ ଧାରଣା ଏକାଧାରରେ ମହାନ ଓ ସରଳ । ଭଗବାନ ଶ୍ରୀକୃଷ୍ଣ କହିଅଛନ୍ତି, ‘‘ଅଥବା ହେ ଅର୍ଜ୍ଜୁନ, ଏପରି ବହୁତ କଥା ଜାଣିବାରେ ତୁମ୍ଭର କି ପ୍ରୟୋଜନ ? ମୁଁ ଏହି ସମସ୍ତ ଜଗତକୁ ମୋର ଏକ ଅଂଶଦ୍ୱାରା ବ୍ୟାପି ରହିଅଛି ।’’ ଏହି ବିପୁଳ ବିରାଟ ଜଗତ ଯେତେବେଳେ ତାଙ୍କର ଗୋଟିଏ ଅଂଶମାତ୍ର, ସେ ନିଜେ କେତେ ବଡ଼, କେଡ଼େ ବିରାଟ, ତାହା ଧାରଣା କରିବା ମନୁଷ୍ୟପକ୍ଷେ କଷ୍ଟ ସାଧ୍ୟ । ଗୀତାନୁସାରେ ଭଗବାନ ବିଶ୍ୱଜଗତରୁ ଅଲଗା ହୋଇ ରହି ନାହାନ୍ତି । ଜଗତ ଠାରୁ ପୃଥକ୍‌ ହୋଇ ତାଙ୍କର କୌଣସି ଗୋଟିଏ ସ୍ଥାନରେ ଅବସ୍ଥିତ ନାହିଁ । ସେ ବ୍ରହ୍ମାଣ୍ଡର ସବୁ ସ୍ଥାନରେ, ସୃଷ୍ଟିର ସମସ୍ତ ଅଂଶରେ ବିଦ୍ୟମାନ । ‘‘ହେ ଧନଞ୍ଜୟ, ମୋଠାରୁ ପ୍ରଧାନତର ହୋଇ କୌଣସି ବସ୍ତୁ ନାହିଁ । ସୂତ୍ରରେ ମଣିପରି ଏହି ସବୁ ମୋ ଦେହରେ ଗ୍ରଥିତ ହୋଇ ରହିଅଛି । ଏହି ଉକ୍ତିର ବିଷଦ ବ୍ୟାଖ୍ୟା କରିବାକୁ ଯାଇ ଟୀକାକାର କହି ଅଛନ୍ତି, ‘‘ପରମ ବ୍ରହ୍ମହିଁ ଏହି ସୃଷ୍ଟିର ଆଦି କାରଣ । ସେହି ଆଦି କାରଣରୁ ଏହି ଜଗତ ସୃଷ୍ଟ । ପରମାତ୍ମା ଓତପ୍ରୋତ ଭାବରେ ସମୁଦାୟ ବ୍ରହ୍ମାଣ୍ଡରେ ବିଦ୍ୟମାନ ।’’ ଭଗବାନ ଅନାଦି ଓ ଅନନ୍ତ, ତାଙ୍କର ଆରମ୍ଭ ନାହିଁ କି ଶେଷ ନାହିଁ । ସେ ଜନ୍ମରହିତ ଓ ମୃତ୍ୟୁ ହୀନ । ତାଙ୍କଠାରୁ ସବୁ ଜାତ । ସେ କାହାଠାରୁ ଜାତ ହୋଇ ନାହାନ୍ତି । ଗୀତା ବାକ୍ୟରେ ସେ ‘ସର୍ବଭୂତର ଆଦି କାରଣ’ ଅଟନ୍ତି । ଗୀତାର ଏହି ଉଚ୍ଚ ଭଗବତ୍‌ ଧାରଣା କୌଣସି ଉର୍ବର ମସ୍ତିଷ୍କର ମଧୁର କଳ୍ପନା ନୁହେଁ । ଏହା ପ୍ରତିପାଦିତ, ସତ୍ୟ ଓ ବାସ୍ତବ ଅଟେ । ଭଗବାନ ଅଛନ୍ତି । ତାଙ୍କର ଅସ୍ତିତ୍ୱ ଏହି ଦୃଶ୍ୟମାନ ଜଗତ ଭିତରେ ନିଃସନ୍ଦେହ ଭାବେ ରହିଅଛି । ସେ କୌଣସି ଗୋଟିଏ ସ୍ଥାନରେ ଆବଦ୍ଧ ହୋଇ ରହି ନାହାନ୍ତି ବା କୌଣସି ଗୋଟିଏ ସଂପ୍ରଦାୟରେ ଅବରୁଦ୍ଧ ନୁହନ୍ତି । ସେ ସମସ୍ତଙ୍କର, ସବୁ ଯୁଗର ଓ ସବୁ ଦେଶର ଭଗବାନ ଅଟନ୍ତି । ସେ ପୂର୍ବେ ଥିଲେ, ଏବେ ଅଛନ୍ତି ଓ ପରେ ରହିବେ । ତାଙ୍କ ପରି ସତ୍ୟ ସେ କେବଳ । ଗୀତାର ଏହି ଗାଣତାନ୍ତ୍ରିକ ସତ୍ୟ ଆଧୁନିକ ଗଣତନ୍ତ୍ରବାଜୀ ଜଗତ ବୁଝିଲେ ମାନବ ଜାତିର ସୁଖ ସମୃଦ୍ଧିର ଅଭିବୃଦ୍ଧି ଖୁବ ସହଜସାଧ୍ୟ ହୋଇ ପାରିବ ।

 

ଗୀତାରେ ବିଭିନ୍ନ ଦେବତାର ବର୍ଣ୍ଣନା କରାଯାଇ ଅଛି । ମାତ୍ର ସେମାନେ ଜଣେ ଜଣେ ଭଗବାନ ନୁହନ୍ତି । ତେଣୁ ସେମାନଙ୍କୁ ପୂଜା କଲେ ଭଗବାନଙ୍କର ପୂଜା ହୋଇ ନ ପାରେ । ଦେବତାମାନେ ଭଗବାନଙ୍କଠାରୁ ନୀଚ । ଭଗବାନଙ୍କ ପୂଜାରୀ ଦେବତାମାନଙ୍କ ପୂଜାରୀ ସଦୃଶ ନୁହେଁ । ଦେବତା ଆରାଧନା ଭଗବତ୍‌ ଆରାଧନା ସଙ୍ଗେ ସମାନ ନୁହେଁ । ଗୀତାର ନବମ ଅଧ୍ୟାୟରେ କୁହାଯାଇଛି, ‘‘ଦେବ ଉପାସକଗଣ ଦେବ ଲୋକ, ପିତୃ ଉପାସକଗଣ ପିତୃ ଲୋକ, ଭୂତ ଉପାସକଗଣ ଭୂତ ଲୋକକୁ ଗମନ କରନ୍ତି । କିନ୍ତୁ ଯେଉଁମାନେ ମୋତେ ଉପାସନା କରନ୍ତି ସେମାନେ ମୋଠାକୁ ଆସନ୍ତି, ମୋତେ ଲାଭ କରନ୍ତି ।’’ କେତେ ଲୋକଙ୍କର ଧାରଣା ଯେ ଯାହାକୁ ଉପାସନା କଲେ ମଧ୍ୟ ସବୁ ଉପାସନା ସେହି ଭଗବାନଙ୍କଠାକୁ ଯାଏ । ‘‘କିନ୍ତୁ ଏପରି ବିଚାର ଗୀତା ବିରୁଦ୍ଧ ଅଟେ ? ନବମ ଅଧ୍ୟାୟର ତେଇଶି ଓ ଚବିଶି ଶ୍ଳୋକର ବିକୃତାର୍ଥ ଏପରି ଭ୍ରମସଂକୁଳ ଧାରଣାର କାରଣ ଅଟେ । ମାତ୍ର ସେହି ଦୁଇଟି ଶ୍ଳୋକରେ ଦୁଇ ପ୍ରକାର ଉପାସନାର ପାର୍ଥକ୍ୟ ସ୍ପଷ୍ଟ କରାଯାଇ ଅଛି । ତେଇଶି ଶ୍ଳୋକରେ କୁହାଯାଇଛି, ‘‘ଅନ୍ୟ ଦେବତାର ଭକ୍ତ ଯେଉଁମାନେ ଶ୍ରଦ୍ଧାର ସହିତ ଉପାସନା କରନ୍ତ, ସେମାନଙ୍କର ଉପାସନା ମୁଁ ଗ୍ରହଣ କରେ ।’’ କିନ୍ତୁ ଏଥିରୁ ବୁଝିବା ଠିକ୍‌ ନୁହେଁ ଯେ ଅନ୍ୟ ଦେବତାର ଉପାସନା ଯାହା ଭଗବତ୍‌ ଉପାସନା ତାହା । ଅନ୍ୟ ଦେବତା ଉପାସନାରେ ଭକ୍ତର ଯେଉଁ ଶ୍ରଦ୍ଧା ନିହିତ ଅଟେ, ଭଗବାନ ସେହି ଶ୍ରଦ୍ଧାତକ ଗ୍ରହଣ କରନ୍ତି । ତେଣୁ ପରବର୍ତ୍ତୀ ଚବିଶି ଶ୍ଳୋକରେ କୁହାଯାଇ ଅଛି, ‘‘ମୁଁ ସବୁ ଯଜ୍ଞର ଭୋକ୍ତା ଓ ପ୍ରଭୁ, ଅନ୍ୟ ଦେବତାମାନଙ୍କୁ ଯେ ପୂଜା କରନ୍ତି ସେମାନେ ଯଥାର୍ଥ ଭାବରେ ମୋତେ ଜାଣନ୍ତି ନାହିଁ । ଏଣୁ ଭ୍ରଷ୍ଟ ହୁଅନ୍ତି ।’’ ‘‘ମୋ ଭକ୍ତ ମୋତେ ଲାଭ କରନ୍ତି; ଭକ୍ତିପୂର୍ବକ ଯେ କୌଣସି ବ୍ୟକ୍ତି ମୋତେ ପତ୍ର ପୁଷ୍ପ, ଫଳ ଅର୍ପଣ କରେ, ସେହି ପ୍ରଯତାତ୍ମା ବ୍ୟକ୍ତିର ଉପହାର ମୁଁ ଗ୍ରହଣ କରେ ।’’ ଚତୁର୍ଥ ଅଧ୍ୟାୟରେ ମଧ୍ୟ ଏହିପରି ଦୁଇ ପ୍ରକାଣ ଭକ୍ତଙ୍କର ପାର୍ଥକ୍ୟ ଓ ଭଗବାନଙ୍କ ଭକ୍ତର ଶ୍ରେଷ୍ଠତା ପ୍ରତିପାଦନ କରାଯାଇ ଅଛି । ‘‘ଯେ ମୋତେ ଯେପରି ଭାବରେ ଆଶ୍ରୟ କରେ, ମୁଁ ତାକୁ ସେହିପରି ଫଳ ଦାନରେ ଅନୁଗ୍ରହ କରେ । ମନୁଷ୍ୟ ସର୍ବପ୍ରକାରେ ମୋର ପଥ ଅନୁସରଣ କରେ ।’’ ଗୀତା ବାକ୍ୟର ତାତ୍‌ପର୍ଯ୍ୟ ଏହା ଯେ ଉପାସନାର ଉଦ୍ଦେଶ୍ୟ ଉପରେ ଉପାସନାର ଫଳ ନିର୍ଭର କରେ ।’’ ‘‘ଜ୍ଞାନୀ ଓ ଅଜ୍ଞାନୀଙ୍କ ପୂଜାର ଫଳରେ ପ୍ରଭେଦ ଅଛି । ଜ୍ଞାନୀ ନିର୍ବାଣ ଲାଭ କରେ । କିନ୍ତୁ ଅଜ୍ଞାନ କାମନାଫଳ ଲାଭ କରି ତାହାର ମୁକ୍ତି ମାର୍ଗକୁ ପୂର୍ବାପେକ୍ଷା ଅଧିକଭାବେ କଣ୍ଟକିତ କରେ ।’’ ଧନୀ ଧନ ବା ଧନଦେବତାଙ୍କର ପୂଜା କରି ଅଧିକ ଧନୀ ହୁଏ । ଧନ ଫଳ ଭଗବାନ ତାକୁ ଦାନ କରନ୍ତି-। ମାତ୍ର ଭକ୍ତର ମୁକ୍ତି ସଙ୍ଗେ, ମୁମୂକ୍ଷୁର ମୋକ୍ଷ ସଙ୍ଗେ ଧନଲାଭ ସମାନ ହୋଇ ନପାରେ । ଚତୁର୍ଥ ଅଧ୍ୟାୟର ଦ୍ୱାଦଶ ଶ୍ଳୋକରେ ଏହି ଭାବଟିକୁ ଆହୁରି ସ୍ପଷ୍ଟ କରାଯାଇଛି । ‘‘ଇହ ଲୋକରେ କର୍ମ ସିଦ୍ଧି ପ୍ରାର୍ଥନା କରି ମନୁଷ୍ୟ ଦେବତା ପୂଜା କରେ ।’’ ଭକ୍ତର ଆକାଂକ୍ଷା ଏପରି ନୁହେଁ । ଅନ୍ୟ ଦେବତା ପୂଜାର ଫଳ ଭଗବଦ୍‌ ଭକ୍ତିର ଫଳ ସଙ୍ଗେ ସମାନ ହୋଇ ନ ପାରେ । ତେଣୁ ଅନ୍ୟ ଦେବତା ପୂଜା ଓ ଭଗବତ୍‌ ପୂଜା ଏକା ନୁହେଁ । ଭଗବାନଙ୍କୁ ଯେ କୌଣସି ପ୍ରକାର ଉପାସନା କଲେ ଫଳ ସମାନ ହୁଏ ନାହିଁ । ଫଳ ଉପାସନାର ଅନୁକୂଳ ହୁଏ । ଏଣୁ ଭଗବାନଙ୍କୁ ନାମ ଦିଆଯାଇଛି ବାଞ୍ଛାନିଧି । ସେ ସବୁ ଜୀବର ବାଞ୍ଛା ପୂର୍ଣ୍ଣ କରନ୍ତି । ଏହି ବାଞ୍ଛାର ଗୁଣ ଉପରେ ଭକ୍ତିର ମୂଲ୍ୟ ଊଣା ଅଧିକ ହୁଏ । ମନୁଷ୍ୟ ବାଞ୍ଛା କରିବାରେ ତାହାର ସ୍ୱାତନ୍ତ୍ର୍ୟ ରହିଛି । ସେ ଇଚ୍ଛା କଲେ ଭଗବାନଙ୍କଠାରୁ ଐହିକ ସିଦ୍ଧି ଲାଭ କରିପାରେ । ନତୁବା ପାରଲୌକିକ ମୁକ୍ତି ପ୍ରାପ୍ତ ହୋଇପାରେ-। ଭଗବାନଙ୍କୁ ଆମ୍ଭେମାନେ ଯେପରି ବ୍ୟବହାର କରୁଁ ସେପରି ଫଳ ପାଉଁ । ଏହି ବ୍ୟବହାରହିଁ ପୂଜା ବା ଉପାସନା । ଏହାର ପାର୍ଥକ୍ୟ ଅନୁସାରେ ଫଳ ଲାଭର ପାର୍ଥକ୍ୟ ଘଟିଥାଏ ।

 

ସ୍ୱର୍ଗପ୍ରାପ୍ତି ଓ ମୁକ୍ତି ଏକ ନୁହେଁ । ପ୍ରଥମୋକ୍ତ ଆକାଂକ୍ଷା ଗୀତାନୁସାରେ ଉଚ୍ଚ ଧରଣର ନୁହେଁ । ସେପରି ଆକାଂକ୍ଷାକୁ ଗୌଣ ସ୍ଥାନ ଦେଇ ଶ୍ରୀକୃଷ୍ଣ ନବମ ଅଧ୍ୟାୟରେ ନିମ୍ନ ପ୍ରକାରେ ବୁଝାଇ ଅଛନ୍ତି ।

 

‘‘ୠକ, ଯଜୁ ଓ ସାମ ବେଦବିତ୍‌ ସୋମଯୋଗକାରୀ ଓ ବିଗତପାପ ବ୍ୟକ୍ତିମାନେ ଯଜ୍ଞଦ୍ୱାରା ମୋରି ଉପାସନା କରି ସ୍ୱର୍ଗ ପ୍ରାପ୍ତିର ଅଭିଳାଷ କରନ୍ତି । ସେମାନେ ପବିତ୍ର ସୁରେନ୍ଦ୍ର ଲୋକ ପ୍ରାପ୍ତ ହୋଇ ସ୍ୱର୍ଗରେ ଦିବ୍ୟ ଦେବଭୋଗ ଉପଭୋଗ କରନ୍ତି । ସେମାନେ ବିଶାଳ ସ୍ୱର୍ଗଲୋକ ଭୋଗ କରି ପୁଣ୍ୟ କ୍ଷୟରେ ପୁଣି ମର୍ତ୍ତ୍ୟ ଲୋକରେ ପ୍ରବେଶ କରନ୍ତି । ଏହିରୂପେ ବେଦୋକ୍ତ ଧର୍ମକୁ ଯେଉଁମାନେ ଆଶ୍ରୟ କରନ୍ତି, ସେହି କାମକାମୀ ବ୍ୟକ୍ତି ଏହି ପ୍ରକାର ଗମନାଗମନ କରୁଥାନ୍ତି ।’’

 

ଏହି ଦୁଇଟି ଶ୍ଳୋକରେ ଗୀତାଚାର୍ଯ୍ୟ ବୈଦିକ କର୍ମକାଣ୍ଡକୁ ନିନ୍ଦାକରି ଅହେତୁକୀ ଭକ୍ତିର ଶ୍ରେଷ୍ଠତା ପ୍ରତିପାଦନ କରି ଅଛନ୍ତି । ଉପନିଷଦ ରଚୟିତା ୠଷିମାନଙ୍କର ମଧ୍ୟ ଏହାହିଁ ସିଦ୍ଧାନ୍ତ । ନିଷ୍କାମ ଭକ୍ତିର ପ୍ରଶଂସା କରି ଶ୍ରୀକୃଷ୍ଣ ପୁନର୍ବାର କହିଅଛନ୍ତି, ‘‘ଯେଉଁମାନେ ଅନ୍ୟ କାର୍ଯ୍ୟରୁ ବିରତ ରହି ଓ ଅନବରତ ଧ୍ୟାନମଗ୍ନ ହୋଇ ମୋର ଉପାସନା କରନ୍ତି, ସେହି ନିତ୍ୟାଭିଯୁକ୍ତ ବ୍ୟକ୍ତିମାନଙ୍କର ଯୋଗ ଓ କ୍ଷେମ ମୁଁ ସମ୍ପାଦନ କରେ ।’’

 

ସ୍ୱର୍ଗପ୍ରାପ୍ତି ଜୀବର ମୁକ୍ତି ନୁହେଁ । ଭଗବତ୍‌ ଲାଭହିଁ ପ୍ରକୃତ ମୁକ୍ତି । ଏହି ମୁକ୍ତିର ଶ୍ରେଷ୍ଠ ମାର୍ଗ ଗୀତାରେ ଦର୍ଶାଇ ଦିଆଯାଇ ଅଛି । ଉକ୍ତ ମାର୍ଗ ଅଟେ ଆତ୍ମସମର୍ପଣ । ଏହାର ମୂଳରେ ଅଛି ଅହେତୁକୀ ଭକ୍ତି ଓ ନିଷ୍କାମ କର୍ମ । ତେଣୁ ଭଗବାନ କହିଛନ୍ତି, ‘‘ଯେଉଁ ଲୋକ ମୋତେ ଭକ୍ତିସହ ପତ୍ର, ପୁଷ୍ପ, ଫଳ, ଜଳ ପ୍ରଦାନ କରେ ମୁଁ ତାହା ଗ୍ରହଣ କରେ ।’’ ବିଶ୍ୱ ବ୍ରହ୍ମାଣ୍ଡର କର୍ତ୍ତାଙ୍କୁ ଲାଭ କରିବା ସକାଶେ ଆଡ଼ମ୍ବରପୂର୍ଣ୍ଣ ପୂଜା ଆବଶ୍ୟକ ନୁହେଁ । ଭକ୍ତିହିଁ ଏହାର ଏକମାତ୍ର ଉପାୟ । ଭକ୍ତର ଲକ୍ଷଣ, ଭକ୍ତର ଜୀବନଚାଳନ ଓ ଭକ୍ତର ବ୍ୟବହାର ସମ୍ବନ୍ଧେ ଗୀତାରେ କୁହାଯାଇ ଅଛି । ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ କହିଛନ୍ତି, ‘‘ହେ କୁନ୍ତୀନନ୍ଦନ, ତୁମେ ଯାହା କର, ଯାହା ଖାଅ, ଯେଉଁ ହୋମ ଓ ତପସ୍ୟା କର, ତାହା ସବୁ ମୋତେ ଅର୍ପଣ କର । ଶୁଭ ଓ ଅଶୁଭ ଫଳର ହେତୁ କର୍ମବନ୍ଧନରୁ ତୁମ୍ଭେ ଏହିରୂପେ ଉଦ୍ଧାର ପାଇବ । ଏହିରୂପେ ତୁମ୍ଭେ ସନ୍ନ୍ୟାସ ଯୋଗ ଯୁକ୍ତାତ୍ମା ଓ ବିମୁକ୍ତ ହୋଇ ମୋତେ ଲାଭ କରିବ ।’’ ଏହାକୁହିଁ କୁହାଯାଏ ଭଗବତ୍‌ ଅର୍ପଣ । ବୈଷ୍ଣବମାନଙ୍କ ଭାଷାରେ ଏହାହିଁ କୃଷ୍ଣେନ୍ଦ୍ରିୟ ତୃପ୍ତିସାଧନ । ଏପରି ଆତ୍ମସମର୍ପଣ ଯେଉଁ ଭକ୍ତ କରେ ସେ ଅତି ସହଜରେ ଭଗବାନଙ୍କର ଶରଣ ନିଏ । ତେଣୁ ଗୀତାର ଶେଷାଧ୍ୟାୟରେ ଅର୍ଜ୍ଜୁନଙ୍କୁ ଶ୍ରୀକୃଷ୍ଣଙ୍କର ସ୍ପଷ୍ଟ ଉପଦେଶ, ‘‘ହେ ଭାରତ, ତୁମ୍ଭେ ସର୍ବତୋଭାବରେ ତାଙ୍କର ଶରଣାପନ୍ନ ହୁଅ । ତାଙ୍କ ପ୍ରସାଦରେ ତୁମ୍ଭେ ପରମଶାନ୍ତି ଓ ନିତ୍ୟ ସ୍ଥାନ ଲାଭ କରିପାରିବ ।’’ ପୁନର୍ବାର ଶ୍ରୀକୃଷ୍ଣ କହିଛନ୍ତି, ‘‘ହେ ଅର୍ଜ୍ଜୁନ, ତୁମ୍ଭେ ମଦ୍‌ଗତ ଚିତ୍ତ ହୋଇ ମୋର ଭକ୍ତି କର । ମୋର ଉପାସକ ହୁଅ ଓ ମୋତେ ନମସ୍କାର କର-। ତାହା ହେଲେ ତୁମେ ମୋତେ ପାଇ ପାରିବ ।’’ ସମସ୍ତ ଧର୍ମ ପରିତ୍ୟାଗ କରି କେବଳ ମୋଠାରେ ତୁମ୍ଭେ ଶରଣାପନ୍ନ ହୁଅ । ମୁଁ ତୁମ୍ଭଙ୍କୁ ସକଳ ପାପରୁ ମୁକ୍ତ କରିବି । ତୁମ୍ଭେ ଶୋକ କର ନାହିଁ ।’’

 

ଏହି ଅର୍ପଣ କେବଳ ଭୌତିକ ବସ୍ତୁରେ ପର୍ଯ୍ୟବସିତ ନୁହେଁ । ନଡ଼ିଆ, କଦଳୀ ନୈବେଦ୍ୟରେ ଏହାର ଶେଷ ହୁଏ ନାହିଁ । ଏହା ସମଗ୍ର ଜୀବ ଓ ସମସ୍ତ କର୍ମର ବ୍ୟାପକ ଅଟେ । ଜୀବନର ସମସ୍ତ କର୍ମ, ସମସ୍ତ ଧ୍ୟାନ, ସମସ୍ତ ତପସ୍ୟା, ଏମନ୍ତ କି ଭୋଜନାଦି ସମସ୍ତ ପ୍ରକାର ଭୋଗ ଓ ଉପଭୋଗ ଭଗବାନଙ୍କ ଠାରେ ଅର୍ପିତ ହେବା ଆବଶ୍ୟକ । ଭକ୍ତ ଜୀବନରେ ଏପରି କୌଣସି ବିଷୟ, ପଦାର୍ଥ, ଧ୍ୟାନ, ଧାରଣା କିମ୍ବା ଆଚରଣ ରହିବ ନାହିଁ, ଯାହାକି, ଭଗବାନଙ୍କୁ ଦିଆ ଯାଇ ନ ପାରିବ । ସରଳ ଭାଷାରେ କହିବାକୁ ଗଲେ ଭଗବାନ କହୁଛନ୍ତି ଭକ୍ତକୁ, ‘‘ତୁମେ ଯାହା କର, ଯାହା ଖାଅ, ଯାହା ଦିଅ, ସବୁ ମୋଠାରେ ଅର୍ପଣ କର । କରିବା ପାଇଁ ତୁମର ବୋଲି କିଛି ନାହିଁ । ମୋ ପାଇଁ ଖାଅ, ମୋ ପାଇଁ ଦିଅ । ତୁମେ କରୁଛ, ତୁମେ ଦେଉଛ, ତୁମେ ମାରୁଛ ଏହି ଅଭିମାନ, ଏହି କର୍ତ୍ତୃତ୍ୱ ଅଭିମାନ ତ୍ୟାଗକର ।’’ ଜୀବନରେ; ତୁମ୍ଭେ କେତେ କାର୍ଯ୍ୟ ନ କର ? ତୁମ୍ଭେ ନିଜ ପୁତ୍ରକୁ ଖୁଆଉଅଛ, ନିଜେ ବହି ପଢ଼ି ଜ୍ଞାନ ସମ୍ପାଦନ କରୁଅଛ, ତୁମ୍ଭେ ପିତାଙ୍କର ସୁଖ ସକାଶେ ସେବା କରୁଅଛ । ଏହିପରି ଅନେକ ଦୈନନ୍ଦିନ କର୍ମ ସାରା ଜୀବନବ୍ୟାପୀ ରହିଅଛି । କିନ୍ତୁ ତୁମ୍ଭେ ସର୍ବଦା ମନେ କରୁଛ ଯେ ଏହି ସବୁ କାର୍ଯ୍ୟ ତୁମ୍ଭର ଓ ତୁମ୍ଭର କୌଣସି ନା କୌଣସି ଉଦ୍ଦେଶ୍ୟ ସାଧନ ସକାଶେ । ମାତ୍ର ଏଠାରେହିଁ ତୁମ୍ଭର ଭୁଲ ହେଉଛି । ତୁମ୍ଭଙ୍କୁ ମନେ କରିବାକୁ ହେବ, ହୃଦୟଙ୍ଗମ କରିବାକୁ ହେବ, ଉପଲବ୍‌ଧି କରିବାକୁ ହେବ ଯେ ତୁମ୍ଭେ ତୁମ୍ଭର ସମସ୍ତ କାର୍ଯ୍ୟ ଭଗବାନଙ୍କ ପାଇଁ କରୁଛ, ତୁମ୍ଭ ପାଇଁ ନୁହେଁ । କିନ୍ତୁ ଏପରି କରିବାରେ ଗୋଟିଏ ଜଟିଳ ପ୍ରଶ୍ନର ସମାଧାନ ଆବଶ୍ୟକ ହୁଏ । ମନେ କର ତୁମ୍ଭେ ଚୋରି କରୁଛ, ମଦ୍ୟ ପାନ କରୁଛ, ପରଦାରାସକ୍ତ ହୋଇଛ । ଏହି ପ୍ରକାର କର୍ମ କି ଭଗବାନଙ୍କୁ ଅର୍ପଣ କରାଯିବ ? କୌଣସି ଅସାର, ନୀତିହୀନ କର୍ମ ଭଗବାନଙ୍କୁ ଅର୍ପଣ କରିବା ପାଇଁ ଗୀତାର କୌଣସି ଠାରେ ଉପଦେଶ ନାହିଁ । ଆତ୍ମ ସପର୍ପଣ ଓ ଭଗବତ୍‌ ଅର୍ପଣର କଦର୍ଥ କରି ଗୀତାର ଅପବ୍ୟବହାର ଯେ କରେ ତା ପାଇଁ ଗୀତା ଧର୍ମ ଉଦ୍ଦିଷ୍ଟ ନୁହେଁ । ତୁମ୍ଭର ଭଗବତ୍‌ ଧାରଣା ଉପରେ ତୁମ୍ଭର ଅର୍ପଣର ଭଲ ଅସାର ନିର୍ଭର କରେ । ତୁମ୍ଭର ଭଗବାନ ଯଦି ନୀତିପୂର୍ଣ୍ଣ, ତେବେ ତୁମ୍ଭେ କୌଣସି ପ୍ରକାର ଅନୀତିକର କାର୍ଯ୍ୟ ତାହାଙ୍କୁ ସମର୍ପଣ କରିବାକୁ ସାହସ ହୋଇ ପାରିବ ନାହିଁ । ଭଗବତ୍‌ ଧାରଣା ଯାହାର ଯେତେ ଉଚ୍ଚ, ତାହାର ନୀତିର ମାନ ସେତେ ଉତ୍କୃଷ୍ଟ । ଭକ୍ତର ଭଗବାନ ଯଦି ମଦ୍ୟପ, ଭକ୍ତ ତାଙ୍କୁ ଉତ୍ସର୍ଗ କରି ମଦ୍ୟ ପାନ କରିବା ସହଜ ଓ ସ୍ୱାଭାବିକ । ପ୍ରଣବରୁ ଅଶୁଦ୍ଧ ହେଲେ ଯେପରି ସମସ୍ତ ଅନୁଷ୍ଠାନ ପଣ୍ଡ ହୋଇ ଯାଏ, ସେହିପରି ଏହି ଭଗବଦ୍‌ ଧାରଣା ଅଶୁଦ୍ଧ ହେଲେ ଭକ୍ତର ସମସ୍ତ ଜୀବନ ଅସାର ହୋଇ ଯାଏ । ସର୍ବ ପ୍ରଥମେ ଭଗବଦ୍‌ ଧାରଣା ଠିକ୍‌ କରିବା ଆବଶ୍ୟକ । ଜୀବନର ସାଧାରଣ ନୀତିକୁ ବାଦ୍‌ ଦେଇ ଭଗବଦ୍‌ ଭକ୍ତିର ଆଶ୍ରୟ ନେଲେ ଭଗବାନ ସେପରି ଭଣ୍ଡାମିକୁ ବରଦାସ୍ତ କରନ୍ତି ନାହିଁ । ନୀତି ଉପରେ ଭଗବଦ୍‍ଭକ୍ତି ସ୍ଥାପିତ ହେବା ଆବଶ୍ୟକ-। ନୀତି ଅଟେ ଆଧ୍ୟାତ୍ମିକତାର ପୀଠଭୂମି, ମୂଳଦୁଆ ଓ ମେରୁଦଣ୍ଡ । ନୀତି ହୀନ ଭକ୍ତ ଭଣ୍ଡଛଡ଼ା ଆଉ କିଛି ନୁହେଁ । ପ୍ରକୃତ ଭଗବଦ୍‌ ଧାରଣାର ଅଭାବ ହେତୁ ଏହିପରି ଭଣ୍ଡାମି ଧର୍ମ ରାଜ୍ୟରେ ପ୍ରବେଶ ଲାଭକରି ସମାଜର ବହୁ କୁସଂସ୍କାର ଓ ଅନ୍ଧ ବିଶ୍ୱାସମୂଳକ ଅନୁଷ୍ଠାନର କାରଣ ହୁଏ । ଭକ୍ତ ମକଦ୍ଦମା ଜିଣିବାକୁ ତ୍ରିନାଥଙ୍କ ପୂଜା କରିବାକୁ ଶଙ୍କା କରେ ନାହିଁ, ଦେବୀଙ୍କଠାରେ ଛାଗବଳୀ ଦେଇ ନିଜର ମାଂସାଶନପ୍ରବୃତ୍ତି ଚରିତାର୍ଥ କରିବାକୁ କୁଣ୍ଠାବୋଧ କରେ ନାହିଁ ଓ ଗୁରୁଦୀକ୍ଷା ଛଳରେ ସରଳା ଅବଳାର ସତୀତ୍ୱ ନଷ୍ଟ କରିବାରେ ପରାଙ୍‌ମୁଖ ହୁଏ ନାହିଁ । ପ୍ରକୃତ ଭଗବଦ୍‌ ଧାରଣାର ବାଟ ଜ୍ଞାନଯୋଗ । ଜ୍ଞାନ ରନ୍ଦିତ ଭକ୍ତ ମୂଢ଼ତା ଛଡ଼ା ଅନ୍ୟ କିଛି ନୁହେଁ । ଲୋକେ କହନ୍ତି, ‘‘ଦୃଢ଼େ ତରନ୍ତି ମୂଢ଼େ ତରନ୍ତି, ମଝି ମଝିଆ ବୁଡ଼ି ମରନ୍ତି ।’’ ମାତ୍ର ପ୍ରକୃତ ପକ୍ଷେ ମୂଢ଼େ ତରନ୍ତି ନାହିଁ । ସେମାନେ ଅଜ୍ଞାନ ହୋଇ ମନେ କରନ୍ତି ଯେ ସେମାନେ ମଧ୍ୟ ତରିଛନ୍ତି । ଅଜ୍ଞାନରୂପ ଅନ୍ଧକାରରେ ରହି ସେମାନେ ଭକ୍ତପଥର ବହୁ ଦୂରରେ ରହି ଯାଆନ୍ତି । ପୁଣି ଅନ୍ଧବିଶ୍ୱାସ, କୁସଂସ୍କାର, ଆନୁଷ୍ଠାନିକତା ଓ ପୌରୋହିତ୍ୟର ନିଗଡ଼ରେ ବାନ୍ଧି ହୋଇ ନିଜର ଶ୍ରେୟ କ’ଣ ନିଜେ ଜାଣି ନପାରି ଜୀବନର ଆଧ୍ୟାତ୍ମିକ ଲକ୍ଷ୍ୟ ବିସ୍ମୃତ ହୁଅନ୍ତି । ଜ୍ଞାନଦଗଧ ହେଲେ ମାନବ ଜୀବନ ରୂପ ସ୍ୱର୍ଣ୍ଣ ପ୍ରଭାଯୁକ୍ତ ହୁଏ । ଅଜ୍ଞାନ ପଙ୍କରୁ ଉଦ୍ଧାର ପାଇବାକୁ ହେଲେ ଜ୍ଞାନହିଁ ଏକମାତ୍ର ଉପାୟ ।

 

ଜୀବନକୁ ଭଗବାନଙ୍କର ଅର୍ପଣ ଯୋଗ୍ୟ କରିବାକୁ ହେଲେ ମନୁଷ୍ୟକୁ ତାହାର ସମସ୍ତ ସମୟ ସତ୍‌କର୍ମରେ ପୂର୍ଣ୍ଣ କରିବାକୁ ହେବ, ମନକୁ ଉତ୍ତମ ଚିନ୍ତାରେ ସତତ୍‌ ନିମଗ୍ନ ରଖିବାକୁ ହେବ, ହୃଦୟକୁ ସୁନ୍ଦର ଭାବରେ ସୁରଞ୍ଜିତ କରିବାକୁ ହେବ । ସେତେବେଳେ ଯାଇ ତାହାର ଜୀବନ ଭଗବାନଙ୍କୁ ଦେବା ପାଇଁ ଯୋଗ୍ୟ ହେବ । ସେ ପର୍ଯ୍ୟନ୍ତ ନୁହେଁ । ସ୍ୱଇନ୍ଦ୍ରୟ ପରିବର୍ତ୍ତେ ‘କୃଷ୍ଣେନ୍ଦ୍ରିୟ’ ତୃପ୍ତି ଯେତେବେଳ ମନୁଷ୍ୟର ଏକମାତ୍ର ଲକ୍ଷ୍ୟ ହେବ, ସେତେବେଳେ ସେ ମନେ କରିବ, କରିବା ପାଇଁ ତାହାର କୌଣସି କାର୍ଯ୍ୟ, ଖାଇବା ପାଇଁ ତାହାର କୌଣସି ଖାଦ୍ୟ ନାହିଁ, ଉପଭୋଗ କରିବା ପାଇଁ ତାହାର କିଛି ଭୋଗ୍ୟ ବସ୍ତୁ ନାହିଁ । ସେ ଯାହା କରିବ, ଖାଇବ ଓ ଭୋଗ କରିବ ସେ ସବୁ ଭଗବତ୍‌ ଉଦ୍ଦିଷ୍ଟ ଓ ଭଗବତ୍‌ ଅର୍ପଣର ଯୋଗ୍ୟ । ସେ ଭାବିବ ସେ ଦାସ ଓ ଭଗବାନ ତାହାର ମାଲିକ, ସେ କଲମ ଓ ଭଗବାନ ତାହାର ଲେଖକ, ସେ ଅସ୍ତ୍ର ଓ ଭଗବାନ ତାହାର ଚାଳକ, ସେ ଯନ୍ତ୍ର ଓ ଭଗବାନ ତାହାର ଯାନ୍ତ୍ରିକ, ସେ ବୀଣା ଓ ଭଗବାନ ତାହାର ବାଦକ । ଶ୍ରୀକୃଷ୍ଣ ଏକାଦଶ ଅଧ୍ୟାୟରେ ତାଙ୍କର ବିଶ୍ୱରୂପ ଦେଖାଇଲେ ବେଳେ ଅର୍ଜ୍ଜୁନଙ୍କର ମୃଢ଼ ଆତ୍ମାଭିମାନକୁ ଭଗ୍ନ କରି କହିଲେ, ‘ନିମିତ୍ତ ମାତ୍ରଂ ଭବ ସବ୍ୟସାଚୀ’ । ଅର୍ଜ୍ଜୁନ ଏ ପର୍ଯନ୍ତ କହୁଥିଲେ, ମୁଁ କିମିତି ୟା କରିବି, ମୁଁ କିମିତି ତା କରିବି । ଏହି ମୂଢ଼ ଭାବକୁ ଦୂର କରିବା ପାଇଁ ଭଗବାନ କହିଲେ ତୁମେ କିଛି କରିବା ଆବଶ୍ୟକ ନାହିଁ । ମୁଁ ସବୁ କରୁଛି, କରିଛି ଓ କରିବି । ତୁମେ କେବଳ ମୋର ନିମିତ୍ତ ହୋଇ ସାକ୍ଷିଗୋପାଳ ପରି ଠିଆରହି ଥାଅ । ଗୀତାର ଏହି ସମର୍ପଣ ଭାବ ଅତି ଉଚ୍ଚ ଓ ସୁନ୍ଦର । ଏହି ଭାବରେହିଁ ମନୁଷ୍ୟର ଶାନ୍ତ ଓ ସୁଖ ପାଇବାର ବାଟ ଅଛି । ଏହି ମାର୍ଗ ଯେ ଭୁଲେ ସେ ଇହ ଓ ପର ସଂସାରରେ ଦୁଃଖୀ ହୋଇ ରହେ ।

 

୨ୟ ଭାଗ

 

ଗୀତାନୁସାରେ ମୁକ୍ତି କର୍ମ ନିଷ୍କୃତ ନୁହେଁ । କର୍ମରୁ ନିଷ୍କୃତ ହେବା କାହା ପକ୍ଷେ ସମ୍ଭବ ନୁହେଁ । ସ୍ୱୟଂ ଭଗବାନ ମଧ୍ୟ ସର୍ବଦା କର୍ମରେ ରତ । ମାତ୍ର ସେ କର୍ମାସକ୍ତ ନୁହନ୍ତି । ସେହିପରି ମନୁଷ୍ୟକୁ ଅଧ୍ୟ ହେବାକୁ ହେବ । ଆସକ୍ତିହୀନ କର୍ମରେ ମନୁଷ୍ୟ କର୍ମ ବନ୍ଧନରେ ଆବଦ୍ଧ ହେବ ନାହିଁ । ଜଳବିନ୍ଦୁ ପଦୁପତ୍ରରେ ଥାଇ ସୁଦ୍ଧା, ସେଠାରେ ଲାଗି ନ ଥାଏ । ପତ୍ରଠାରୁ ଜଳବିନ୍ଦୁ ଯେପରି ଅଲଗା ରହେ, ସେହିପରି ଫଳାକାଂକ୍ଷାବର୍ଜିତ କର୍ମ କରି ମନ କର୍ମାସକ୍ତିରୁ ଅଲଗା ରହେ । ସେ କର୍ମରେ ବାନ୍ଧି ହୋଇ ରହେ ନାହିଁ । ଏହାହିଁ ପ୍ରକୃତ ତ୍ୟାଗ ଓ ମୁକ୍ତି ଲାଭ କରିବାର ଏକମାତ୍ର ପ୍ରକୃଷ୍ଟ ମାର୍ଗ । ନିଷ୍କାମ କର୍ମର ଆଦର୍ଶ ଭଗବାନ ନିଜେ ତାଙ୍କ ସୃଷ୍ଟିର ସ୍ଥିତି ଓ ଲୟରେ ଦେଖାଇ ଅଛନ୍ତି । ଭଗବାନ ଅର୍ଜ୍ଜୁନଙ୍କୁ ଏହା ବୁଝାଇବାକୁ ଯାଇ କହି ଅଛନ୍ତି, ‘‘ହେ ପାର୍ଥ, ତିନି ଭୁବନରେ ମୋର କୌଣସି କର୍ତ୍ତବ୍ୟ ନାହିଁ; ଅପ୍ରାପ୍ତ ବା ପ୍ରାପ୍ତ ମୋର କୌଣସି ବିଷୟ ନାହିଁ । ତଥାଚ ମୋତେ ସର୍ବଦା କର୍ମନିରତ ହୋଇ ରହିବାକୁ ହେଉଛି, ମୁଁ ଯଦି ନିରଳସ ଓ କର୍ମପ୍ରବଣ ନ ହେବି, ତେବେ ମାନବସମାଜ ମୋର ଆଦର୍ଶ ଅନୁକରଣ କରି ଆଳସ୍ୟପରାୟଣ ଓ କର୍ମବିମୁଖ ହୋଇଯିବ । ସେହିପରି ବିଦ୍ୱାନ ବ୍ୟକ୍ତିମାନେ ନିଜେ ଅନାସକ୍ତ ହୋଇ ସୁଦ୍ଧା ଲୋକଶିକ୍ଷା ପାଇଁ କର୍ମ କରନ୍ତି ।’’

 

କର୍ମଯୋଗରେ ଅନାସକ୍ତି, ଫଳାକାଂକ୍ଷା ବିବର୍ଜନ ଓ ଭଗବଦଦର୍ପଣ, ଏହି ତିନୋଟି ଲକ୍ଷ୍ୟ ରଖିବା ଆବଶ୍ୟକ । ଅନାସକ୍ତିରେ ଆଳସ୍ୟକୁ ଯେ ଦେଖେ, ସେ ଦେଖି ଦେଖେ ନାହିଁ । ଫଳାକାଂକ୍ଷା ତ୍ୟାଗରେ କର୍ମଲକ୍ଷ୍ୟଭ୍ରଷ୍ଟ ହେବାର ଆଶଙ୍କା ଠିକ୍‌ ନୁହେଁ । ଫଳକୁ ଭଗବାନଙ୍କଠାରେ ଅର୍ପଣକଲେ କେବଳ ଆକାକ୍ଷାଂ ଓ ଆସକ୍ତିରୁ ମୁକ୍ତି ହୋଇ କର୍ମଯୋଗୀ ଲୋକକଲ୍ୟାଣ ସକାଶେ ସର୍ବଦା କର୍ମନିରତ ହୋଇ ରହିଥାଏ । ଏହାହିଁ ଗୀତାର ଆଦର୍ଶ ।

 

ଗୀତାରେ କର୍ମ, ଭକ୍ତ ଓ ଜ୍ଞାନର ବିଚାର ଥରକୁଥର କରାଯାଇଛି । ପ୍ରତ୍ୟେକ ବିଷୟସୂଚକ ବିଭିନ୍ନ ଅଧ୍ୟାୟ ଅଛି ସତ୍ୟ, ମାତ୍ର ଏହି ତିନୋଟି ବିଷୟର ବିଚାର ଅଧ୍ୟାୟନିର୍ବିଶେଷରେ ଗ୍ରନ୍ଥର ବିଭିନ୍ନ ସ୍ଥାନରେ କରାଯାଇଅଛି-। କର୍ମଯୋଗ ଅଧ୍ୟାୟରେ ଅଲଗା ହୋଇ ବହିବା ସେମାନଙ୍କ ପକ୍ଷେ ଅସମ୍ଭବ ଓ ଅସ୍ୱାଭାବିକ । ଏହି ତିନୋଟି ବିଷୟ ଗୋଟିଏ ସତ୍ୟର ବିଭିନ୍ନ ବିଭାବ ମାତ୍ର । ତେଣୁ ଗୋଟିଏ ଦ୍ୱାରା ପୂର୍ଣ୍ଣ ସତ୍ୟର ପ୍ରକଟନ ଅସାଧ୍ୟ ଅଟେ ।

 

ଯେ ଏହି ତ୍ରିବେଣୀ ସଙ୍ଗମର ପୂର୍ଣ୍ଣ ସତ୍ୟ ଉପଲବ୍‌ଧି କରେ ସେ ଗୀତା ଭାଷାରେ ଅଟେ ସ୍ଥିତପ୍ରଜ୍ଞ । ‘‘ହେ ପାର୍ଥ, ଯେତେବେଳେ ଯୋଗୀ ମନୋଗତ ସମସ୍ତ କାମନା ତ୍ୟାଗ କରି ଆପଣା ସ୍ୱରୂପରେ ଆପେ ତୁଷ୍ଟ ହୁଏ, ସେତେବେଳେ ତାହାକୁ ସ୍ଥିତପ୍ରଜ୍ଞ କୁହାଯାଏ । ଦୁଃଖରେ ଯାହାର ମନ ଉଦ୍‌ବେଗ ଶୂନ୍ୟ, ସୁଖରେ ଯାହାର ସ୍ପୃହା ନାହିଁ, ଯାହାର ଚିତ୍ତ ଆସକ୍ତି, ଭୟ ଓ କ୍ରୋଧରୁ ଦୂରରେ ରହିଅଛି ସେ ସ୍ଥିତପ୍ରଜ୍ଞ ।’’ ସ୍ଥିତପ୍ରଜ୍ଞ ସ୍ନେହଶୂନ୍ୟ ଓ ହର୍ଷ ବିଷାଦରହିତ, ସେ କଚ୍ଛପ ପରି ନିଜର ସମସ୍ତ ଇନ୍ଦ୍ରିୟକୁ ବିଷୟ ସୁଖରୁ ପ୍ରତ୍ୟାହାର କରେ । ନିରାହାର କିମ୍ବା ଇନ୍ଦ୍ରିୟ ନିବୃତ୍ତି ମାତ୍ରେ ମନୁଷ୍ୟ ପବିତ୍ର ହୋଇଯାଏ ନାହିଁ । କାରଣ ତାହାର ବିଷୟ-ତୃଷ୍ଣା ରହି ଯାଇଥାଏ । ସେହି ତୁଷ୍ଣା ତିରୋହିତ ପରମାତ୍ମାଙ୍କ ଦର୍ଶନାକାଂକ୍ଷାରେ, ଏପରି ଅବସ୍ଥାରେ ପହଞ୍ଚିବା ନିମନ୍ତେ ଜ୍ଞାନ, ଭକ୍ତ ଓ କର୍ମର ପରସ୍ପର ସାହଚର୍ଯ୍ୟ ଏକାନ୍ତ ଆବଶ୍ୟକ । ଏହି ସତ୍ୟହିଁ ଗୀତାପ୍ରତିପାଦିତ ସତ୍ୟ । ଏହାହିଁ ଗୀତା ପ୍ରଚାରିତ ଧର୍ମ, ଏହି ସମନ୍ୱୟହିଁ ଗୀତା ନିର୍ଦ୍ଦିଷ୍ଟ ମାର୍ଗ ।

 

ଭଗବାନଙ୍କ ଆରାଧନା ସକାଶେ ଯେଉଁ ଆଧ୍ୟାତ୍ମିକ ସାଧନା ଆବଶ୍ୟକ ହୁଏ, ସେଥି ନିମନ୍ତେ ବ୍ରାହ୍ମଣ, ଶୂଦ୍ର ଆଦି ଜାତିର ତାରତମ୍ୟ କଥା ଗୀତାରେ କୁହାଯାଇ ନାହିଁ । ବରଂ ଏଥି ସମ୍ବନ୍ଧରେ ଗୀତାରେ ଜାତିଭେଦ ବିଚାରକୁ ମୋଟେ ସ୍ଥାନ ଦିଆଯାଇ ନାହିଁ । ଜାତି ନିର୍ବିଶେଷରେ ମୁକ୍ତିଲାଭ ସମସ୍ତଙ୍କର ଜନ୍ମଗତ ଅଧିକାର ଓ କର୍ତ୍ତବ୍ୟ ଅଟେ । ବହୁ ବ୍ୟୟସାପେକ୍ଷ ଯଜ୍ଞୋତ୍ସବ କିମ୍ବା ବିପୁଳ ଧନ ସମ୍ବଳିତ ଦାନ ଧର୍ମ ଗରିବର ଭାଗ୍ୟରେ ଘଟେ ନାହିଁ । ତ୍ରିବେଦଦର୍ଶୀ ହେବା ମୂର୍ଖ ଶୂଦ୍ର ପକ୍ଷେ ସମ୍ଭବ ନୁହେଁ । ତଥାଚ ଗରିବ ଓ ଶୂଦ୍ର ମଧ୍ୟ ଭଗବାନଙ୍କର ଉପାସନା କରିପାରେ ? ଏହି ଆରାଧନାରେ ସମସ୍ତଙ୍କର ଏକାପରି ଅଧିକାର । ନବମ ଅଧ୍ୟାୟରେ କୁହାଯାଇଛି, ‘‘ମୁଁ ସର୍ବ ଜୀବନରେ ସମାନ, ମୋର ଦ୍ୱେଷ୍ୟ ବା ପ୍ରିୟ କେହି ନାହିଁ । ଯେଉଁ ବ୍ୟକ୍ତିମାନେ ଭକ୍ତି ପୂର୍ବକ ମୋତେ ଭଜନ କରନ୍ତି, ସେମାନଙ୍କଠାରେ ମୁଁ ଓ ମୋଠାରେ ସେମାନେ ଥା’ନ୍ତି । ଅତ୍ୟନ୍ତ ଦୁରାଚାର ଯେବେ ଅନନ୍ୟ ଅଭିଳାଷ ହୋଇ ମୋତେ ଭଜନ କରେ, ତାହାକୁ ସାଧୁ ବୋଲି ମନେ କରିତା ଉଚିତ । ଯେଉଁ ପାପ ଯୋନି ବ୍ୟକ୍ତିମାନେ, ସ୍ତ୍ରୀ ହୁଅନ୍ତୁ, ବୈଶ୍ୟ ହୁଅନ୍ତୁ ଅବା ଶୂଦ୍ର ହୁଅନ୍ତୁ, ମୋତେ ଆଶ୍ରୟ କରନ୍ତି ସେମାନେ ପରମ ଗତି ଲାଭ କରନ୍ତି ।’’ ଗୀତା ମତରେ ଜାତି ବିଭାଗରେ ସ୍ଥାନ ନିଜର ଗୁଣ ଓ ବୃତ୍ତି ଅନୁସାରେ ଅଛି ସତ୍ୟ, ମାତ୍ର ଆଧ୍ୟାତ୍ମିକ କ୍ଷେତ୍ରରେ ଜାତିଭେଦଶୂନ୍ୟ ସାମ୍ୟ ଭାବକୁ ଗୀତା ଯଥେଷ୍ଟ ସମ୍ମାନ ଦେଇ ଅଛି । ଭକ୍ତ ସମାଜରେ ଜାତିଭେଦର ବିଚାର ନାହିଁ, ଭଗବଦ୍‌ ପ୍ରସାଦ ଲାଭର ଅଧିକାର ସମସ୍ତ ମାନବଙ୍କର ସମାନ ଅଟେ ।

 

ଅତ୍ୟନ୍ତ ଦୁରାଚାର ମଧ୍ୟ ଭଗବାନଙ୍କର ଭଜନା କଲେ ସାଧୁ ହୁଏ । ମାତ୍ର ଭଜନା କରିବା ସହଜ ବ୍ୟାପାର ନୁହେଁ । ଭଗବାନଙ୍କ ନାମ ଭଜନରେ ଦଶଟି ଅପରାଧ ଘଟିବାର ସମ୍ଭାବନା ବରାବର ରହିଅଛି । ଭଜନା ମଧ୍ୟ ଏକ ପ୍ରକାର ସାଧନା । ସେଥି ପାଇଁ ଅଧ୍ୟ ଆବଶ୍ୟକ-ଅଭ୍ୟାସ, ଅନୁରକ୍ତି, ଏକାଗ୍ରତା ଓ ବିନୟ । ରବୀନ୍ଦ୍ରନାଥଠାକୁର ଗୋଟିଏ ଗୀତରେ କହିଛନ୍ତି- କେବଳ କର୍ମବିଷୟ, ଜ୍ଞାନଯୋଗ ଅଧ୍ୟାୟରେ କେବଳ ଜ୍ଞାନବିଷୟ ଓ ଭକ୍ତିଯୋଗ ଅଧ୍ୟାୟରେ କେବଳ ଭକ୍ତ ବିଷୟ ଚର୍ଚ୍ଚା ନ କରି, ପ୍ରତ୍ୟେକ ଅଧ୍ୟାୟରେ ତ୍ରିବିଧ ବିଷୟ ବିଚାର କରାଯାଇଅଛି । ପୁଣି ଅନ୍ୟ ଯୋଗ ନାମଧେୟ ଅଧ୍ୟାୟଗୁଡ଼ିକରେ ମଧ୍ୟ ଏହି ତିନୋଟି ବିଷୟ ବୁଝାଇ ଦିଆଯାଇଛି । କେତେ ଶ୍ଳୋକରେ ଜ୍ଞାନର ଉତ୍କର୍ଷ, କେତେ ଶ୍ଳୋକରେ ଭକ୍ତିର ଉପାଦେୟତା ପୁଣି ଅନ୍ୟ କେତେ ଶ୍ଳୋକରେ କର୍ମର ଆବଶ୍ୟକତା ବିଷୟ କୁହାଯାଇଅଛି । ଏହା ସବୁ ପାଠକଲେ କେଉଁ ଯୋଗ କାହାଠାରୁ ଅଧିକ ମୋଟେ ଜଣାଯାଏ ନାହିଁ । ଜ୍ଞାନର ବଡ଼ିମା ଦର୍ଶାଇ ଚତୁର୍ଥ ଅଧ୍ୟାୟରେ କୁହାଯାଇଛି, ‘‘ଯେବେ ସକଳ ପାପୀଙ୍କଠାରୁ ତୁମ୍ଭେ ଅଧିକ ପାପୀ ହୁଅ, ତେବେ ସମସ୍ତ ପାପରାଶିକୁ ଜ୍ଞାନ ତରଣୀଦ୍ୱାରା ପାର ହୋଇଯିବ ।’’ ପରବର୍ତ୍ତୀ ଶ୍ଳୋକରେ କୁହାଯାଇଛି, ‘‘ହେ ଅର୍ଜ୍ଜୁନ, ପ୍ରଜ୍ଜ୍ୱଳିତ ଅଗ୍ନି ଯେପରି କାଷ୍ଠକୁ ଭସ୍ନସାତ୍‌ କରେ, ଜ୍ଞାନାଗ୍ନି ସେହିପରି ସମୁଦାୟ କର୍ମକୁ ଭସ୍ମରେ ପରିଣତ କରେ ।’’ ଜ୍ଞାନଯୋଗ ଅଧ୍ୟାୟରେ ଜ୍ଞାନର ଏହିପରି ଉତ୍କର୍ଷ ଚିତ୍ରଣ ସ୍ୱାଭାବିକ । ମାତ୍ର ସେହି ଅଧ୍ୟାୟରେ କର୍ମର ସ୍ଥାନ କୌଣସିମତେ ଗୌଣ ନୁହେଁ ।‘‘ଜ୍ଞାନ ସଦୃଶ ପବିତ୍ର ପଦାର୍ଥ ଇହଜଗତରେ ନାହିଁ । କର୍ମଯୋଗୀ ହେଲେ ସେହି ଜ୍ଞାନ କାଳକ୍ରମେ ଲାଭ କରିବ ।’’ ଜ୍ଞାନ ଓ କର୍ମର ପରସ୍ପର ଅଛେଦ୍ୟ ସମ୍ବନ୍ଧ ଓ ନିର୍ଭରଶୀଳତାକୁ ସ୍ପଷ୍ଟ କରି ଅଧ୍ୟାୟର ଶେଷ ଶ୍ଳୋକରେ କୁହାଯାଇଛି, ‘‘ଅତଏବ ହେ ଭାରତ, ହୃଦୟରେ ଥିବା ଅଜ୍ଞାନଜାତ ସଂଶୟରାଶିକୁ ଜ୍ଞାନଖଡ଼୍‌ଗଦ୍ୱାରା ଛେଦନ କରି କର୍ମ ଯୋଗନୁଷ୍ଠାନ କର ।’’ ତୃତୀୟ ଅଧ୍ୟାୟର ଶେଷ ଶ୍ଳୋକ କହୁଛି, ‘‘ହେ ମହାବାହୁ, ଆତ୍ମାକୁ ଏହିପରି ଭାବରେ ବୁଦ୍ଧିଠାରୁ ଶ୍ରେଷ୍ଠ ଜ୍ଞାନ କରି ଓ ସଂଶୟ ଶୂନ୍ୟ ବୁଦ୍ଧିଦ୍ୱାରା ମନକୁ ନିଶ୍ଚଳ ରଖି ଦୁର୍ଜୟ ଶତ୍ରୁକୁ ବିନାଶ କର ।’’ ଭକ୍ତି ଯୋଗ ଅଧ୍ୟାୟରେ ମଧ୍ୟ କର୍ମର ଆବଶ୍ୟକତାକୁ ବାଦ୍‌ ଦିଆଯାଇନାହିଁ । ଅଭ୍ୟାସ ଯୋଗଠାରୁ ଜ୍ଞାନ ଯୋଗ ଶ୍ରେଷ୍ଠତର ଏବଂ ଜ୍ଞାନ ଯୋଗଠାରୁ ଧ୍ୟାନ ଯୋଗ ଶ୍ରେଷ୍ଠତର । ପୁଣି ଧ୍ୟାନ ଯୋଗଠାରୁ କର୍ମ ଫଳତ୍ୟାଗ ଯୋଗ ଆହୁରି ଶ୍ରେଷ୍ଠ ।’’ ଭକ୍ତର ମଧ୍ୟ କର୍ମ ଯୋଗ ଆବଶ୍ୟକ । ‘‘ପରନ୍ତୁ ଯେଉଁ ଭକ୍ତମାନେ ସେମାନଙ୍କର ସମସ୍ତ କର୍ମ ମୋଠାରେ ଅର୍ପଣପୂର୍ବକ ଏକ-ଚିତ୍ତ ହୋଇ ଭକ୍ତିଭରେ କେବଳ ମୋତେ ଧ୍ୟାନ ଓ ଆରାଧନା କରନ୍ତି, ସେମାନଙ୍କୁ ମୁଁ ସମସ୍ତ ବିପଦରୁ ଉଦ୍ଧାର କରେ । କର୍ମାର୍ପଣ, ଧ୍ୟାନ ଓ ଆରାଧନା ତିନୋଟି ଯୋଗର ନିର୍ଦ୍ଦେଶକ ଅଟନ୍ତି । ଗୋଟିଏ ଶ୍ଳୋକରେ ଏହି ତିନୋଟି ପଦର ବ୍ୟବହାରଦ୍ୱାରା ଜ୍ଞାନ,କର୍ମ ଓ ଭକ୍ତିର ସମକାଳୀନ ଆବଶ୍ୟକତା ସ୍ପଷ୍ଟ ପ୍ରମାଣିତ ହେଉଛି । ସେହି ଅଧ୍ୟାୟରେ ଭକ୍ତକୁ ଚିତ୍ତ-ଅର୍ପଣ କାର୍ଯ୍ୟରେ ଅଭ୍ୟାସ କରିବାକୁ ଉପଦେଶ ଦେଇଅଛନ୍ତି । ତାହା ଯଦି ନ ହୁଏ, ତେବେ, ‘‘ମୋର ସନ୍ତୋଷ ଲାଭ ପାଇଁ ଅନ୍ୟ କିଛି କାର୍ଯ୍ୟ କରିବାକୁ ଚେଷ୍ଟା କର ।’’ ତାହା ଯଦି ନ ହୁଏ ‘ମୋରିଠାରେ ଏହି ଚିତ୍ତ ହୋଇ ସମସ୍ତ କାର୍ଯ୍ୟର ଫଳ ଆଶା ତ୍ୟାଗ କର ।’’ ଭାଷାର ବିଭିନ୍ନ ପ୍ରକାର କରାମତି ଦେଖାଇ କୌଣସି ଗୋଟିଏ ଯୋଗର ଶ୍ରେଷ୍ଠତା ପ୍ରତିପାଦନ କରିବାର ଚେଷ୍ଟା ଗୀତାର ପ୍ରତ୍ୟେକ ସ୍ଥାନରେ ପରାଜିତ ହୋଇଅଛି । ଭକ୍ତି, ଜ୍ଞାନ ଓ କର୍ମର ମୂଲ୍ୟ ଜୀବନ କ୍ଷେତ୍ରରେ ସମାନ । ଗୋଟିକର ଅଭାବରେ ଅନ୍ୟ ଦିଓଟି ନିରର୍ଥକ, ମୂଲ୍ୟହୀନ ଓ ଦୁର୍ବଳ । ଗଙ୍ଗା, ଯମୁନା ଓ ସରସ୍ୱତୀର ତ୍ରିବେଣୀ ଧାରପରି ଏହି ତିନୋଟି ଧାରା ସଂଯୁକ୍ତ ହୋଇ ଭଗବତ ସାଗରରେ ପତିତ ହୁଅନ୍ତି । ପରସ୍ପର ଠାରୁ ଅଲଗା ହୋଇ ବହିବା ସେମାନଙ୍କ ପକ୍ଷେ ଅସମ୍ଭବ ଓ ଅସ୍ୱାଭାବିକ । ଏହି ତିନୋଟି ବିଷୟ ଗୋଟିଏ ସତ୍ୟର ବିଭିନ୍ନ ବିଭାବ ମାତ୍ର । ତେଣୁ ଗୋଟିକ ଦ୍ୱାରା ପୂର୍ଣ୍ଣ ସତ୍ୟର ପ୍ରକଟନ ଅସାଧ୍ୟ ଅଟେ ।

 

ଯେ ଏହି ତ୍ରିବେଣୀ ସଙ୍ଗମର ପୂର୍ଣ୍ଣ ସତ୍ୟ ଉପଲବ୍‌ଧ କରେ ସେ ଗୀତା ଭାଷାରେ ଅଟେ ସ୍ଥତପ୍ରଜ୍ଞ । ‘‘ହେ ପାର୍ଥ, ଯେତେବେଳେ ଯୋଗୀ ମନୋଗତ ସମସ୍ତ କାମନା ତ୍ୟାଗ କରି ଆପଣା ସ୍ୱରୂପରେ ଆପେ ତୁଷ୍ଟ ହୁଏ, ସେତେବେଳେ ତାହାକୁ ସ୍ଥିତପ୍ରଜ୍ଞ କୁହାଯାଏ । ଦୁଃଖରେ ଯାହାର ମନ ଉଦ୍‌ବେଗ ଶୂନ୍ୟ, ସୁଖରେ ଯାହାର ସ୍ପୃହା ନାହିଁ, ଯାହାର ଚିତ୍ତ ଆସକ୍ତି, ଭୟ ଓ କ୍ରୋଧରୁ ଦୂରରେ ରହିଅଛି ସେ ସ୍ଥିତପ୍ରଜ୍ଞ ।’’ ସ୍ଥିତପ୍ରଜ୍ଞ ସ୍ନେହଶୂନ୍ୟ ଓ ହର୍ଷ ବିଷାଦରହିତ, ସେ କଚ୍ଛପ ପରି ନିଜର ସକସ୍ତ ଇନ୍ଦ୍ରିୟକୁ ବିଷୟ ସୁଖରୁ ପ୍ରତ୍ୟାହାର କରେ । ନିରାହାର କିମ୍ବା ଇନ୍ଦ୍ରିୟ ନିବୃତ୍ତି ମାତ୍ରେ ମନୁଷ୍ୟ ପବିତ୍ର ହୋଇଯାଏ ନାହିଁ । କାରଣ ତାହାର ବିଷୟ-ତୃଷ୍ଣା ରହି ଯାଇଥାଏ । ସେହି ତୃଷ୍ଣା ତିରୋହିତ ପରମତ୍ମାଙ୍କ ଦର୍ଶନାକାଂକ୍ଷାରେ, ଏପରି ଅବସ୍ଥରା ପହୁଞ୍ଚିବା ନିମନ୍ତେ ଜ୍ଞାନ, ଭକ୍ତି ଓ କର୍ମର ପରସ୍ପର ସାହଚର୍ଯ୍ୟ ଏକାନ୍ତ ଆବଶ୍ୟକ । ଏହି ସତ୍ୟହିଁ ଗୀତାପ୍ରତିପାଦିତ ସତ୍ୟ । ଏହାହିଁ ଗୀତା ପ୍ରଚାରିତ ଧର୍ମ, ଏହି ସମନ୍ୱୟହିଁ ଗୀତା ନିର୍ଦ୍ଦିଷ୍ଟ ମାର୍ଗ ।

 

ଭଗବାନଙ୍କ ଆରାଧନା ସକାଶେ ଯେଉଁ ଆଧ୍ୟାତ୍ମିକ ସାଧନା ଆବଶ୍ୟକ ହୁଏ, ସେଥି ନିମନ୍ତେ ବ୍ରାହ୍ମଣ, ଶୂଦ୍ର ଆଦି ଜାତିର ତାରତମ୍ୟ କଥା ଗୀତାରେ କୁହାଯାଇ ନାହିଁ । ବରଂ ଏଥି ସମ୍ବନ୍ଧରେ ଗୀତାରେ ଜାତିଭେଦ ବିଚାରକୁ ମୋଟେ ସ୍ଥାନ ଦିଆଯାଇ ନାହିଁ । ଜାତି ନିର୍ବିଶେଷରେ ମୁକ୍ତିଲାଭ ସମସ୍ତଙ୍କର ଜନ୍ମଗତ ଅଧିକାର ଓ କର୍ତ୍ତବ୍ୟ ଅଟେ । ବହୁ ବ୍ୟବସାପେକ୍ଷ ଯଜ୍ଞୋତ୍ସବ କିମ୍ବା ବିପୁଳ ଧନ ସମ୍ବଳିତ ଦାନଧର୍ମ ଗରିବର ଭାଗ୍ୟରେ ଘଟେ ନାହିଁ । ତ୍ରିବେଦଦର୍ଶୀ ହେବା ମୂର୍ଖ ଶୂଦ୍ର ପକ୍ଷେ ସମ୍ଭବ ନୁହେଁ । ତଥାଚ ଗରିବ ଓ ଶୂଦ୍ର ମଧ୍ୟ ଭଗବାନଙ୍କର ଉପାସନା କରିପାରେ ? ଏହି ଆରାଧନାରେ ସମସ୍ତଙ୍କର ଏକାପରି ଅଧିକାର । ନବମ ଅଧ୍ୟାୟରେ କୁହା ଯାଇଛି, ‘‘ମୁଁ ସର୍ବ ଜୀବରେ ସମାନ, ମୋର ଦ୍ୱେଷ୍ୟ ବା ପ୍ରିୟ କେହି ନାହିଁ । ଯେଉଁ ବ୍ୟକ୍ତିମାନେ ଭକ୍ତି ପୂର୍ବକ ମୋତେ ଭଜନ କରନ୍ତି, ସେମାନଙ୍କଠାରେ ମୁଁ ଓ ମୋଠାରେ ସେମାନେ ଥା’ନ୍ତି । ଅତ୍ୟନ୍ତ ଦୁରାଚାର ଯେବେ ଅନନ୍ୟ ଅଭିଳାଷ ହୋଇ ମୋତେ ଭଜନ କରେ, ତାହାକୁ ସାଧୁ ବୋଲି ମନେ କରିବା ଉଚିତ । ଯେଉଁ ପାପ ଯୋନି ବ୍ୟକ୍ତିମାନେ, ସ୍ତ୍ରୀ ହୁଅନ୍ତୁ, ବୈଶ୍ୟ ହୁଅନ୍ତୁ ଅବା ଶୂଦ୍ର ହୁଅନ୍ତୁ, ମୋତେ ଆଶ୍ରୟ କରନ୍ତି ସେମାନେ ପରମ ଗତି ଲାଭ କରନ୍ତି ।’’ ଗୀତା ମତରେ ଜାତି ବିଭାଗର ସ୍ଥାନ ନିଜର ଗୁଣ ଓ ବୃତ୍ତି ଅନୁସାରେ ଅଛି ସତ୍ୟ, ମାତ୍ର ଆଧ୍ୟାତ୍ମିକ କ୍ଷେତ୍ରରେ ଜାତିଭେଦଶୂନ୍ୟ ସାମ୍ୟ ଭାବକୁ ଗୀତା ଯଥେଷ୍ଟ ସମ୍ମାନ ଦେଇ ଅଛି । ଭକ୍ତ ସମାଜରେ ଜାତିଭେଦରେ ବିଚାର ନାହିଁ, ଭଗବଦ୍‌ ପ୍ରସାଦ ଲାଭର ଅଧିକାର ସମସ୍ତ ମାନବଙ୍କର ସମାନ ଅଟେ ।

 

ଅତ୍ୟନ୍ତ ଦୁରାଚାର ମଧ୍ୟ ଭଗବାନଙ୍କର ଭଜନା କଲେ ସାଧୁ ହୁଏ । ମାତ୍ର ଭଜନା କରିବା ସହଜ ବ୍ୟାପାର ନୁହେଁ । ଭଗବାନଙ୍କ ନାମ ଭଜନରେ ଦଶଟି ଅପରାଧ ଘଟିବାର ସମ୍ଭାବନା ବରାବର ରହିଅଛି । ଭଜନା ମଧ୍ୟ ଏକ ପ୍ରକାର ସାଧନା । ସେଥି ପାଇଁ ମଧ୍ୟ ଆବଶ୍ୟକ-ଅଭ୍ୟାସ, ଅନୁରକ୍ତି, ଏକାଗ୍ରତା ଓ ବିନୟ । ରବିନ୍ଦ୍ର ନାଥଠାକୁର ଗୋଟିଏ ଗୀତରେ କହିଛନ୍ତି–

 

‘‘ଭୟ ହୟ ପାଛେ ତୋମାନାମେ ଆମି

ଆମାରେ କରି ପ୍ରଚାର ହେ,

ମୋହବଶେ ପାଛେ ଘିରେ ଆମାୟ

ତବ ନାମ ଗାନ ଅହଙ୍କାର ହେ ।’’

 

ଏହା ଭକ୍ତର ଗୋଟିଏ ଅପରାଧ । ‘‘ମୁଁ ଭଜନ କରୁଛି, ସମସ୍ତେ ଜାଣନ୍ତୁ ମୋର ଏହି ଭଜନ ବିଷୟ, ମୋ ପରି ଅନ୍ୟ ଲୋକେ କରି ପାରନ୍ତି ନାହିଁ । ଭଜନ କରି ମୁଁ ଯଶ ଅର୍ଜନ କରିଛି-।’’ ଏହିପରି ଅହଙ୍କାରର ବିଭିନ୍ନ ରୂପ ଭଗବାନଙ୍କ ନାମ ଗାନ ସମୟରେ ମନକୁ କଳଙ୍କପୂର୍ଣ୍ଣ କରିଦିଏ । ଅହଙ୍କାର ଶୂନ୍ୟ ଚିତ୍ତରେ, ଉତ୍ତମ କାର୍ଯକଳାପଦ୍ୱାରା ପୁଣି ସମ୍ୟକ୍‌ ଭଗବଦ୍‌ ଧାରଣା ଦ୍ୱାରା ନାମଭଜନ ସିଦ୍ଧ ହୁଏ । କେବଳ ନାମ ଗାନରେ ନୁହେଁ, ଜୀବନର ପ୍ରତ୍ୟେକ କାର୍ଯ୍ୟରେ ଓ ମନର ପ୍ରତ୍ୟେକ ଚିନ୍ତାରେ ଭଗବାନଙ୍କର ଆରାଧନା କରିବା ଆବଶ୍ୟକ । ଏହାହିଁ ଭଗବାନଙ୍କଠାରେ ମାନବର ଆତ୍ମସମର୍ପଣ । ଏହାହିଁ ଭଗବାନଙ୍କଠାରେ ପ୍ରକୃତ ନିବେଦନ । ଅନ୍ୟ ପ୍ରକାର ନୈବେଦ୍ୟ, ଭୋଗ, ପୂଜା ଏହି ଆତ୍ମସମର୍ପଣର ରୂପକ ମାତ୍ର ।

 

ଗୀତାରେ କୁହାଯାଇଛି, ‘‘ମୋ ଭକ୍ତ କେବେ ମରେ ନାହିଁ ।’’ ଅର୍ଥାତ୍‌ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ । ଏହା ହୁଏ ଭଗବଦ୍‌ ଦର୍ଶନ ଲାଭରେ । ସେପରି ଭକ୍ତ ରକ୍ତମାଂସର ଶରୀର ଧାରଣ କରି ସୁଦ୍ଧା ଆଧ୍ୟାତ୍ମିକ ଜୀବନଯାପନ କରିବାକୁ ସମର୍ଥ ହୁଏ । ସେ କୌଣସି ମୁହୂର୍ତ୍ତରେ, କୌଣସି କାର୍ଯ୍ୟରେ କିମ୍ବା କୌଶସି ଚିନ୍ତାରେ ଭଗବାନଙ୍କୁ ଭୁଲେ ନାହିଁ; ସର୍ବଦା ତାଙ୍କରି ସେବାରେ ରତ ରହେ । ଅତି ସରଳ ଅଥଚ ଅତି ଗଭୀର ଭାବେ ଏହି ଭାବଟିକୁ ଭକ୍ତ କବି ମଧୁସୂଦନ ରାଓ ଚାରୋଟି ପଂକ୍ତିରେ ବୁଝାଇ ଦେଇଛନ୍ତି–

 

ଯାହା ମୁଁ କରଇ ଯାହା ମୁଁ କହଇ,

ଯାହା ମୁଁ ଚିନ୍ତଇ ମନେ

ଜଗତର କର୍ତ୍ତା ପରମ ଇଶ୍ୱର

ଜାଣୁଛନ୍ତି ପ୍ରତି କ୍ଷଣେ ।

ମୋ ପାଶେ ଅଛନ୍ତି ଦିବସ ରଜନୀ

ମହାପ୍ରଭୁ ପରାତ୍ପର

ଏ କଥା ସୁମରି ସର୍ବଥା ତାହାଙ୍କୁ

ପୂଜିବି ମୁଁ ନିରନ୍ତର ।

 

ଗୀତାର ଦଶମ ଅଧ୍ୟାୟରେ ଶ୍ରୀକୃଷ୍ଣ ଭଗବାନଙ୍କର ବିଭୂତି ବର୍ଣ୍ଣନା କରି ଅଛନ୍ତି । ଏହା ଗୋଟିଏ ହୃଦୟସ୍ପର୍ଶୀ, ମନ ଉଲ୍ଲାସକର ମଧୁର କବିତା ଅଟେ । ଏହି ଅଧ୍ୟାୟରେ ଶ୍ରକୃଷ୍ଣଙ୍କ ଶେଷ ବାକ୍ୟଟିକୁ ବିଶ୍ଳେଷିତ କରି ବୁଝିଲେ ବୁଝି ହୁଏ ଏହିପରି–‘‘ଏତେ କଥାରୁ କି ପାଇବ ଅର୍ଜ୍ଜୁନ । ଭାତ ହାଣ୍ଡିରୁ ଗୋଟିଏ ଚିପି ଜାଣିଲାପରି ମୁଁ ତୁମକୁ ଗୋଟିଏ କଥାରେ ସବୁ କହି ଦେଉଛି ଶୁଣ । ଏହି ଯେଉଁ ବିଶାଳ ବ୍ରହ୍ମାଣ୍ଡ ତୁମ୍ଭେ ଦେଖୁଛ ତାହା କ’ଣ ଜାଣ ? ତାହା ମୋର ଗୋଟିଏ ଅଂଶ ମାତ୍ର ।’’ ଗଙ୍ଗାଧର ମେହେର ମଧ୍ୟ ଭଗବାନଙ୍କର ବିଭୂତି ବିଷୟ କହିବାକୁ ସମର୍ଥ ନ ହୋଇ ତାଙ୍କ ‘‘ବିଶ୍ୱ ଜୀବନ’’ କବିତାରେ ଏଣୁ ତେଣୁ ଚେଷ୍ଟା କରିଛନ୍ତି, ‘ସିନ୍ଧୁ ତବକୃପା ବିନ୍ଦୁ, ତେଣୁ ତୁମ୍ଭେ କୃପାସିନ୍ଧୁ ହୋଇ ନପାରେ, ତୁମ୍ଭ ସୃଷ୍ଟିରେ ଯେତେ ସୂର୍ଯ୍ୟ ଅଛନ୍ତି ତାହାର ସଂଖ୍ୟା ଗଣିବାକୁ ମୁଁ ଅସମର୍ଥ, ହିମାଳୟ ତୁମ୍ଭ ନିକଟରେ ଗୋଟିଏ ସୋରିଷପରି ।’ ବିଭୂତି ଯୋଗ ପରେ ଗୀତାରେ ଦେଖିବାକୁ ମିଳେ ବିଶ୍ୱରୂପ ଦର୍ଶନ ଯୋଗ । ଏହି ଅଧ୍ୟାୟର ଶ୍ଳୋକଗୁଡ଼ିକ ହିମାଳୟ ବକ୍ଷରେ ଚିର ପ୍ରବାହମାନ ସ୍ରୋତ ପରି ସରଳ, ଅବିରଳ ଓ ସମୁଜ୍ଜ୍ୱଳ । ‘‘ଭଗବାନ କିଏ କ’ଣ ? କେଉଁଠାରେ ତାଙ୍କ ଅବସ୍ଥିତ-?’’ ଏହି ପ୍ରଶ୍ନର ଉତ୍ତର ଗୀତାର ଏହି ଅଧ୍ୟାୟରେ ଗୋଟିଏ ପ୍ରଶ୍ନ ଆକାରରେ ମିଳୁଛି, ‘‘ଭଗବାନ କିଏ ନୁହନ୍ତି ? କ’ଣ ହୋଇ ନ ପାରନ୍ତି ? ସେ କେଉଁଠାରେ ଅବସ୍ଥିତ ନୁହନ୍ତି ? ଅର୍ଜ୍ଜୁନଙ୍କର ସ୍ତୁତି ଠିକ୍‌ ଏହି ଭାବର ଅଭିବ୍ୟକ୍ତି ମାତ୍ର । ‘‘ତୁମ୍ଭଙ୍କୁ ସମ୍ମୁଖରେ ନମସ୍କାର କରେ, ପଶ୍ଚାତରେ ନମସ୍କାର କରେ, ସବୁ ଦିଗରେ ନମସ୍କାର କରେ । ତୁମ୍ଭର ବୀର୍ଯ୍ୟର ଅନ୍ତ ନାହିଁ, ବିକ୍ରମର ତୁଳନା ନାହିଁ । ତୁମ୍ଭେ ସମସ୍ତରେ ବ୍ୟାପି ରହିଅଛ । ତୁମ୍ଭେ ସର୍ବସ୍ୱରୂପ ଅଟ । ହେ ଅତୁଳ ଶକ୍ତିଶାଳୀ, ତୁମ୍ଭେ ଏହି ଚରାଚର ଭୁବନର ପିତା, ପୂଜ୍ୟ, ଗୁରୁ ଓ ଗରୀୟାନ୍‌ ଅଟ ।’’

 

ଗୀତା ପ୍ରକଟିତ ଏହି ବିଶ୍ୱରୂପ, ଏହି ବିରାଟ ମୂର୍ତ୍ତି, ଏହି ଅନ୍ତର୍ଯ୍ୟାମୀ ସ୍ୱରୁପ ସବୁବେଳେ ସମସ୍ତଙ୍କୁ ଦିଶେ ନାହିଁ । ବେଦପାଠ, ତପସ୍ୟା, ଦାନ ବା ଯଜ୍ଞଦ୍ୱାରା ମଧ୍ୟ ଏହି ରୂପ ଦିଶେ ନାହିଁ । ଦେବତାମାନେ ମଧ୍ୟ ଯୁଗଯୁଗ ତପସ୍ୟା କରି ଏହି ରୂପ ଦେଖି ପାରନ୍ତି ନାହିଁ, ସେହି ରୂପ ଦର୍ଶନ କରେ କିଏ ? ‘‘ହେ ପାଣ୍ଡବ, ଯେ ମୋ ପାଇଁ କର୍ମ କରେ, ମୋତେ ପ୍ରଧାନ ବୋଲି ମନେ କରେ, ମୋତେ ଭକ୍ତି କରେ, ଆସକ୍ତି ତ୍ୟାଗ କରେ,କାହାରି ପ୍ରତି ବୈରାଚରଣ କରେ ନାହିଁ, ସେ ମୋତେ ପ୍ରାପ୍ତ ହୁଏ ।’’ ବିଶ୍ୱରୂପ ଦର୍ଶନ ସକାଶେ ଯେଉଁ ଦିବ୍ୟଦୃଷ୍ଟି ଆବଶ୍ୟକ ହୁଏ, ତାହା ଦାନ କରନ୍ତି ନିଜେ ଭଗବାନ । ମାତ୍ର ସେ ଲୋକ ଦେଖି, ଏହା ଦିଅନ୍ତି । ଯେ ନିଜକୁ ନିମିତ୍ତ ମାତ୍ର ମନେ କରି ଆତ୍ମସମର୍ପଣରେ ସକ୍ଷମ ହୁଏ, ସେ କେବଳ ଏହି ଦିବ୍ୟଦୃଷ୍ଟି ଲାଭ କରି ଭଗବାନଙ୍କର ଦର୍ଶନ ଲାଭ କରେ ।

 

ଏହି ହିଁ ଗୀତାର ଦର୍ଶନ ବା ଧର୍ମ ।

Image

 

ଗୀତା ଓ ଯଜ୍ଞ

 

ସଂସାର ଦୁଃଖପୂର୍ଣ୍ଣ । ଯେଉଁ ଲୋକରେ ଦୁଃଖ ନାହିଁ ସେହି ସ୍ଥାନକୁ ଯିବା ପାଇଁ ମାନବର ଚିରନ୍ତନ ଆକାଂକ୍ଷା ରହିଅଛି । ସେଥି ପାଇଁ ଯଜ୍ଞର ଆବଶ୍ୟକତା । ଯଜ୍ଞର ଫଳ ସ୍ୱର୍ଗଲାଭ ଓ ସ୍ୱର୍ଗ ସୁଖଭୋଗ । ଯଜ୍ଞ କିପରି କରିବା ଉଚିତ, କିଏ କରିବାକୁ ସମର୍ଥ, ଏହି ସବୁ ବିଧି ବେଦର କର୍ମକାଣ୍ଡରେ ବର୍ଣ୍ଣିତ ହୋଇଅଛି । କେଉଁ ବ୍ୟକ୍ତି କେଉଁ ଯଜ୍ଞ କରିବା ଉଚିତ, କେଉଁ ଯଜ୍ଞରେ କେଉଁ ଫଳ ପ୍ରାପ୍ତ ହୁଏ, ଏହି ସବୁ ବିଚାର ମଧ୍ୟ ସେହି କର୍ମକାଣ୍ଡରେ ବିଧିବଦ୍ଧ ହୋଇଅଛି-। ରାଜସୂୟ ଯଜ୍ଞ ରାଜାମାନେ କରନ୍ତି । ଦୈନନ୍ଦିନ କାର୍ଯ୍ୟକଳାପର ବିଧି ମଧ୍ୟ ବେଦର କର୍ମକାଣ୍ଡରେ ନିର୍ଦ୍ଦେଶ କରାଯାଇଅଛି । ଦିବସରେ ନିଦ୍ରା କର ନାହିଁ, ଶ୍ରାଦ୍ଧ ନ କରି ଭୋଜନ କର ନାହିଁ, ପ୍ରୋଷିତ ମାଂସ ବ୍ୟତୀତ ଅନ୍ୟ ମାଂସ ଆହାର କର ନାହିଁ । କର୍ମକାଣ୍ଡରେ ଈଶ୍ୱର, ଭକ୍ତି ଇତ୍ୟାଦି ବିଷୟ କୁହାଯାଇ ନାହିଁ । ଯଜ୍ଞ କରି ସ୍ୱର୍ଗକୁ ଯାଅ ଏହାହିଁ ଏହାର ଲକ୍ଷ୍ୟ । କିନ୍ତୁ ଜ୍ଞାନୀମାନଙ୍କର ମତ ଅନ୍ୟ ପ୍ରକାର । ସେମାନେ କହନ୍ତି, କେବଳ କର୍ମଦ୍ୱାରା ଜୀବନର ଶ୍ରେୟ ଲାଭ କରାଯାଇ ନ ପାରେ । ଉପନିଷଦ କହେ, ‘‘କର୍ମ, ସନ୍ତାନ କିମ୍ବା ଧନ ଦ୍ୱାରା ଜୀବନର ମୂକ୍ତି ଅସମ୍ଭବ-। ତ୍ୟାଗହିଁ ଅମରାତ୍ମା ଲାଭର ଏକମାତ୍ର ପନ୍ଥା । କର୍ମଫଳ ଚିରସ୍ଥାୟୀ ନୁହେଁ । ପୁଣ୍ୟ ବା ପାପର ସମସ୍ତ ଫଳ ଭୋଗ ଦ୍ୱାରା କ୍ଷୟ ପ୍ରାପ୍ତ ହୁଏ ।’’ ମୁଣ୍ଡକ ଉପନିଷଦରେ ଲେଖା ଯାଇଛି, ‘‘ଯଜ୍ଞ ରୂପ କର୍ମ ଅଦୃଢ଼ ଓ ଭଙ୍ଗୁର ଭେଳା ମାତ୍ର । ଯେଉଁ ମୂଢ଼ ଲୋକେ ଶ୍ରେୟ ଲାଭ ଆଶାରେ ଯଜ୍ଞର ପ୍ରଶଂସା କରନ୍ତି, ସେମାନେ ପୁନର୍ବାର ଜରାମୃତ୍ୟୁ ଗ୍ରସ୍ତ ହୁଅନ୍ତି । ଯଜ୍ଞ ଦ୍ୱାରା ଅବଶ୍ୟ ସ୍ୱର୍ଗ ପ୍ରାପ୍ତ ହୁଏ । କିନ୍ତୁ ଫଳାକାଂକ୍ଷା ଥିବାରୁ ସେପରି ଯଜ୍ଞ ଦ୍ୱାରା ତତ୍ତ୍ୱଜ୍ଞାନ ଲାଭ ହୁଏ ନାହିଁ । କର୍ମ କ୍ଷୟ ହେଲା ପରେ ସ୍ୱର୍ଗଚ୍ୟୂତି ଘଟେ ।’’ ଜ୍ଞାନବାଦୀମାନଙ୍କ ମତରେ କର୍ମଫଳ ସ୍ଥାୟୀ ନୁହେଁ ଓ କର୍ମୀର ଫଳ ଅବଶ୍ୟମ୍ଭାବୀ । କର୍ମହିଁ ବନ୍ଧନର ମୂଳ କାରଣ । ଜୀବ କର୍ମ ଦ୍ୱାରା ବଦ୍ଧ ହୁଏ ଓ ଜ୍ଞାନଦ୍ୱାରା ମୁକ୍ତ ହୁଏ । ପୁଣ୍ୟ ହେଉ ବା ପାପ ହେଉ, କର୍ମ ଫଳ ଅନୁଭବ କରିବାକୁ ମନୁଷ୍ୟ ବାଧ୍ୟ । ବିନା ଭୋଗରେ କର୍ମ କ୍ଷୟ ଅସମ୍ଭବ । ଏହି ଭୋଗହିଁ ପୁନର୍ଜନ୍ମର କାରଣ । ପ୍ରଶ୍ନୋପନିଷଦ ଅନୁସାରେ ‘‘ପୁଣ୍ୟର ଫଳ ଭୋଗ ନିମନ୍ତେ ପୁଣ୍ୟ ଲୋକକୁ, ପାପର ଫଳ ଭୋଗ ନିମନ୍ତେ ପାପଲୋକ ଓ ପୂଣ୍ୟ ଓ ପାପ ଉଭୟର ଫଳ ଭୋଗ ନିମନ୍ତେ ନରଲୋକକୁ ଯିବାକୁ ହୁଏ ।’’

 

ସୃଷ୍ଟିର ବୟସ ତୁଳନାରେ ମନୁଷ୍ୟର ଆୟୁର୍ଦାୟ ଏକଶତ ବର୍ଷ ଅତି ନଗଣ୍ୟ । ଏହି ଫଳ ଭୋଗ ନିମନ୍ତେ ଏହିପରି ଅନେକ ଜନ୍ମ, ଏହିପରି ଅନେକ ଶତବର୍ଷ ଆବଶ୍ୟକ ହୁଏ । ମାତ୍ର ପୁନର୍ଜନ୍ମ ମାନବର ଲକ୍ଷ୍ୟ ନୁହେଁ । ତାହାର ଲକ୍ଷ୍ୟ ଜନ୍ମ ମରଣର ନିରାକରଣ, ତାହାହଁ ମୁକ୍ତି, ତାହାହିଁ ନିଷ୍କୃତି, ତାହାହିଁ ଅମୃତ । ଗୋଟିଏ ଭଗବଦ୍‌ ସ୍ତୁତିରେ କୁହାଯାଇଛି, ମୋତେ ମୃତ୍ୟୁରୁ ଅମୃତକୁ ନିଅ-। ବୌଦ୍ଧମାନେ ଏହି ଜନ୍ମ ମରଣ ନିରାକୃତ ଅମୃତ ଅବସ୍ଥାକୁ ନିର୍ବାଣ କହନ୍ତି । ଗୀତାରେ ମଧ୍ୟ ଥରକୁ ଥର ବ୍ରହ୍ମ ନିର୍ବାଣପ୍ରାପ୍ତି ବିଷୟ କୁହାଯାଇଅଛି । ଅମୃତତ୍ୱ ବା ଅମରତ୍ୱ ଓ ସ୍ୱର୍ଗବାସ ଏକା ନୁହେଁ । ଅପ୍‌ସରାଧ୍ୟୁଷିତ ନନ୍ଦନକାନନ ନିବାସ ଆତ୍ମାର ଅମରତ୍ୱ ସଙ୍ଗେ ସମାନ ହୋଇ ନପାରେ-। କାରଣ ସ୍ୱର୍ଗବାସ ମଧ୍ୟ ଚିରସ୍ଥାୟୀ ନୁହେଁ । ସ୍ୱର୍ଗ ହିନ୍ଦୁ ପୁରାଣ ଅନୁସାରେ ଦେବତାମାନଙ୍କର ରାଜ୍ୟ, ମାତ୍ର ଭଗବାନଙ୍କ ରାଜ୍ୟ ଅନ୍ୟଠାରେ । ସ୍ୱର୍ଗ ରାଜ୍ୟରୁ ମନୁଷ୍ୟ ଚ୍ୟୁତ ହେବାର ସମ୍ଭାବନା ବରାବର ରହିଛି, ମାତ୍ର ଯେ ଭଗବାନଙ୍କ ରାଜ୍ୟକୁ ଯାଏ ସେ ଆଉ ଏହି ନରଲୋକକୁ ଫେରେ ନାହିଁ । ଏପରି ଅମୃତ ଲାଭ କର୍ମକାଣ୍ଡରେ ମିଳେ ନାହିଁ । ଏଥି ପାଇଁ ଆବଶ୍ୟକ ତ୍ୟାଗ ଓ ତତ୍ତ୍ୱଜ୍ଞାନ ଲାଭ ।

 

ଗୀତାରେ ଏହି କର୍ମକାଣ୍ଡରେ ଆବଶ୍ୟକ ନିନ୍ଦା କରାଯାଇଛି । କାରଣ ଗୀତା ଗୋଟିଏ ସମସ୍ତ ଉପନିଷଦର ସମନ୍ୱୟ । ଉପନିଷେଦ, ଜ୍ଞାନୀମାନଙ୍କର, ତତ୍ତ୍ୱଦର୍ଶୀମାନଙ୍କର ଗ୍ରନ୍ଥ । ଗୀତାର ଦ୍ୱିତୀୟ ଅଧ୍ୟାୟରେ ଲେଖାଅଛି, ‘‘ବେଦର ବିଷୟ ତିନୋଟି ଗୁଣ, ଯଥା-ସତ୍ତ୍ୱ, ରଜ ଓ ତମ । ଏହି ତିନୋଟି ଗୁଣକୁ ତୁମ୍ଭେ ଅତିକ୍ରମ କର ।’’ ଅନ୍ୟଠାରେ ଗୀତାରେ କୁହାଯାଇଛି, ‘‘ବେଦର ଫଳବାଦରେ ଅର୍ଥାତ୍‌ କର୍ମକାଣ୍ଡରେ ଆସକ୍ତ ଯେଉଁମାନେ ସେହି ପୁଷ୍ପିତ ବାକ୍ୟର ପ୍ରଶଂସା କରନ୍ତି ସେମାନେ ଅଜ୍ଞାନ ଅଟନ୍ତି । ଯେଉଁମାନେ କର୍ମାତ୍ମା, ସ୍ୱର୍ଗପରାୟଣ, ଭୋଗ ଓ ଐଶ୍ୱର୍ଯ୍ୟ ସାଧକ, କ୍ରିୟାବହୁଳ କର୍ମକାଣ୍ଡରେ ଅନୁରକ୍ତ ଓ ଫଳରେ ଆସକ୍ତ, ସେମାନଙ୍କର ବୁଦ୍ଧି କେବେହେଲେ ସମାଧିରେ ଏକାଗ୍ର ହୁଏ ନାହିଁ । ଏହି କ୍ରିୟାବହୁଳ କର୍ମକାଣ୍ଡରେ ଅନୁରକ୍ତ ହୋଇ ସେମାନେ ଥରକୁ ଥର ଏହି ସଂସାରକୁ ଆସିଥାନ୍ତି ।’’ ଫଳାସକ୍ତ କର୍ମୀର ପତନ ସମ୍ବନ୍ଧେ ଗୀତା କହିଛି, ‘‘ସୋମପାୟୀ ଯାଜ୍ଞିକମାନେ ପାପହୀନ ହୋଇ ଯଜ୍ଞଦ୍ୱାରା ସ୍ୱର୍ଗ ପ୍ରାପ୍ତିର କାମନା କରନ୍ତି । ସେମାନେ ଯଜ୍ଞର ଫଳ ସ୍ୱରୂପ ପୁଣ୍ୟ ଇନ୍ଦ୍ରଲୋକ ପ୍ରାପ୍ତ ହୋଇ ଦିବ୍ୟ ଦେବଭୋଗ ଉପଭୋଗ କରନ୍ତି । ବିଶାଳ ସ୍ୱର୍ଗ ଲୋକର ଉପଭୋଗ ପରେ ସେମାନଙ୍କର ପୁଣ୍ୟ କ୍ଷୟ ହୋଇଯାଏ । ପୁଣ୍ୟ କ୍ଷୟ ହେବା ସଙ୍ଗେ ସଙ୍ଗେ ସେମାନେ ମର୍ତ୍ତ୍ୟ ଲୋକକୁ ଫେରି ଆସନ୍ତି ।’’ ଏହିରୂପେ ସକାମ ସାଧକ କର୍ମକାଣ୍ଡ ଅନୁସରଣ କରି ସ୍ୱର୍ଗକୁ ଓ ମର୍ତ୍ତ୍ୟକୁ ଯିବା ଆସିବା କରୁଥାନ୍ତି । ଏହା ପ୍ରକୃତ ମୁକ୍ତି ନୁହେଁ ।

 

ଗୀତା ଅତି ସ୍ପଷ୍ଟ ଓ ଦୃଢ଼ ଭାବେ ଯଜ୍ଞାନୁଷ୍ଠାନର ବିରୁଦ୍ଧାଚରଣ କରିଛି । ପ୍ରାଣହୀନ ବୈଧାନିକତା ବହୁଳ, ଜୀବ କ୍ଷୟକର ଯଜ୍ଞାନୁଷ୍ଠାନର ଉଚ୍ଛେଦସାଧନ ଗୀତା ରଚୟିତାଙ୍କ ଜୀବନରେ ଗୋଟିଏ ପ୍ରଧାନ କାର୍ଯ୍ୟ ହୋଇଥିଲା । ସେ ତାଙ୍କ କିଶୋର ସମୟରେ ବ୍ରଜଧାମରୁ ଗୋବର୍ଦ୍ଧନ ତଳେ ଇନ୍ଦ୍ରପୂଜାକୁ ସଂପୂର୍ଣ୍ଣ ଭାବେ ଉଠାଇ ଦେଇଥିଲେ । ପୌଢ଼ାବସ୍ଥାରେ ସେହି ଯଜ୍ଞ ବିରୁଦ୍ଧରେ ଶ୍ରୀକୃଷ୍ଣଙ୍କ ପକ୍ଷେ କହିବା ବିଚିତ୍ର ନୁହେଁ । ଯଜ୍ଞ ସେ ସମୟରେ ପରମ୍ପରାଗତ ହୋଇଥିଲା । ତାହାର ଉଚ୍ଛେଦସାଧନ ସକାଶେ ଶ୍ରୀକୃଷ୍ଣ ବହୁବାର ପ୍ରଚାର କରିଅଛନ୍ତି । ଭାଗବତରେ ମଧ୍ୟ ଶ୍ରୀକୃଷ୍ଣଙ୍କର ଏହି କାର୍ଯ୍ୟର ଅନେକ ଦୃଷ୍ଟାନ୍ତ ମିଳେ ।

 

ଯଜ୍ଞାନୁଷ୍ଠାନର ଯଥେଷ୍ଠ ନିନ୍ଦା ବିଭିନ୍ନ ଉପନିଷଦରେ କରାଯାଇଛି । ଗୀତା ମଧ୍ୟ ସେହି ପନ୍ଥା ଅନୁସରଣ କରିଛି । ଯଜ୍ଞର ପ୍ରାଣହୀନ, ଅର୍ଥଶୂନ୍ୟ, ହିଂସାପୂର୍ଣ୍ଣ ବୈଧାନିକତାର ଆତିଶଯ୍ୟ ଉତ୍କଟ ହେଲାବେଳେ ଉପନିଷଦମାନଙ୍କର ଆବିର୍ଭାବ । ଇନ୍ଦ୍ରଲୋକ ଲୋଭ, ଅପ୍‌ସରା ଭୋଗଲାଳସା ଓ ନନ୍ଦନକାନନର ମଳୟ ହିଲ୍ଲୋଳ ସେବା-ଇଚ୍ଛା ତତ୍‌କାଳୀନ ବ୍ରାହ୍ମଣ ଓ କ୍ଷତ୍ରିୟମାନଙ୍କର ପ୍ରଧାନ ଲକ୍ଷ୍ୟ ହୋଇଥିଲା । ତେଣୁ ସେମାନେ ଆଧ୍ୟାତ୍ମିକ ବିଚାର ଓ ଜୀବନ-ମୁକ୍ତିକୁ ପଛରେ ପକାଇ ଯଜ୍ଞର ଆଡ଼ମ୍ବର ସାଜସଜ୍ଜାରେ ବିଭୋର ହୋଇ ଯାଇଥିଲେ । ସେମାନଙ୍କୁ ସଚେତ କରିବାକୁ ଗୀତାରେ କୁହାଗଲା, ‘‘ଯେଉଁମାନେ ଦେବତା ଭଜନା କରନ୍ତି, ସେମାନେ ଦେବଲୋକକୁ ଯା’ନ୍ତି, ପିତୃବ୍ରତୀମାନେ ପିତୃଲୋକକୁ ଯା’ନ୍ତି, ମାତ୍ର ଯେଉଁମାନେ ମୋତେ ଭଜନା କରନ୍ତି, ସେମାନେ ମୋ ନିକଟକୁ ଆସନ୍ତି । ଯେଉଁମାନେ ଶ୍ରଦ୍ଧା ସହକାରେ ଅନ୍ୟ ଦେବତାର ଉପାସନା କରନ୍ତି, ସେମାନେ ମୋତେ ଉପାସନା କରନ୍ତି ସତ୍ୟ, ମାତ୍ର ତାହା ବିଧିପୂର୍ବକ ନୂହେଁ । ଏହି ପ୍ରକାରର ଉପାସନା ନିକୃଷ୍ଟ ଓ ବିଧିହୀନ ।’’

 

ଭଗବାନଙ୍କଠାକୁ ଯିବା ଓ ସ୍ୱର୍ଗଲୋକକୁ ଯିବା ଏହି ଦୁଇଟି ଜିନିସ ପୃଥକ୍‌ ଅଟେ, ଏହା ଗୀତାପାଠରୁ ଅତି ସ୍ପଷ୍ଟ ହୁଏ । ଭଗବାନଙ୍କ ତୁଳନାରେ ଇନ୍ଦ୍ରାଦି ଦେବତା ଅତି ନିକୃଷ୍ଟ । ସେମାନଙ୍କର ପୂଜା ଭଗବାନଙ୍କ ପୂଜା ସଙ୍ଗେ ସମାନ ହୋଇ ନ ପାରେ । କାରଣ ‘‘ବ୍ରହ୍ମଲୋକଠାରୁ ମଧ୍ୟ ଜୀବର ପତନ ହୋଇପାରେ । ମାତ୍ର ମୋତେ ପାଇଲେ ଆଉ ପୁନର୍ଜନ୍ମ ହୁଏ ନାହିଁ । ମହାତ୍ମାଗଣ ମୋତେ ଲାଭ କରି ପରମ ସିଦ୍ଧି ପ୍ରାପ୍ତ ହୋଇ ଦୁଃଖମୟ କ୍ଷଣଭଙ୍ଗୁର ସଂସାରକୁ ଆସିବାକୁ ବାଧ୍ୟ ହୁଅନ୍ତି ନାହିଁ ।

 

ଗୀତା ସକାମ ଯଜ୍ଞର ପକ୍ଷପାତୀ ନୁହେଁ । ମାତ୍ର ଗୀତା ମଧ୍ୟ ଯଜ୍ଞକୁ ସ୍ଥାନ ଦେଇଛି । କିନ୍ତୁ ଗୀତାର ଯଜ୍ଞ ବିଚାର ଅନ୍ୟ ପ୍ରକାରର । ଏପରି ବିଚାର ଅଧ୍ୟ ଅନ୍ୟ ଉପନିଷଦ୍‌ମାନଙ୍କରେ ମିଳେ । ସୁର୍ଗାଦି ଲାଭ ନିମନ୍ତେ ଯଜ୍ଞାନୁଷ୍ଠାନ ନିନ୍ଦାର୍ହ, ମାତ୍ର ଦେବତାମାନଙ୍କ ପୋଷଣ ନିମନ୍ତେ ଯଜ୍ଞ କରିବା ପ୍ରତ୍ୟେକ ମନୁଷ୍ୟର କର୍ତ୍ତବ୍ୟ ଅଟେ । ପୂର୍ବକାଳରେ ପ୍ରଜାପତି ଯେତେବେଳେ ସୃଷ୍ଟି କଲେ, ସେତେବେଳେ ଯଜ୍ଞ ସୃଷ୍ଟ ହେଲା । ପୁଣି ସୃଷ୍ଟ ଜୀବମାନଙ୍କୁ ସେ ଏହି ଉପଦେଶ ଦେଲେ, ‘‘ଏହି ଯଜ୍ଞ ଦ୍ୱାରାହିଁ ତୁମ୍ଭମାନଙ୍କର ପ୍ରଜା-ବୃଦ୍ଧି ହେବ । ଏହା ତୁମ୍ଭର କାମଧେନୁ ସ୍ୱରୂପ । ଯଜ୍ଞ ଦ୍ୱାରା ତୁମ୍ଭେ ଦେବତା ମାନଙ୍କୁ ପୋଷଣ କର, ଦେବତାମାନେ ତୁମ୍ଭମାନଙ୍କୁ ପ୍ରତିପୋଷଣ କରିବେ । ଏହିପରି ତୁମ୍ଭେ ପରସ୍ପର ପୋଷଣ କରି ଶ୍ରେୟ ଲାଭ କର । ତୁମ୍ଭ ଯଜ୍ଞ ଦ୍ୱାରା ଅର୍ଚ୍ଚିତ ହୋଇ ଦେବତାମାନେ ତୁମ୍ଭମାନଙ୍କର ଅଭିଳଷିତ ଭୋଗ ଦାନ କରିବେ । ସେମାନଙ୍କ ପ୍ରଦତ୍ତ ଭୋଗ ସେମାନଙ୍କ ଉଦ୍ଦେଶ୍ୟରେ ଅର୍ପଣ ନ କରି ଯେ ଭୋଗ କରେ ସେ ଦସ୍ୟୁର କାର୍ଯ୍ୟ କରେ ।’’ ଦେବତାମାନେ ଆମ୍ଭମାନଙ୍କର ଅନେକ ଉପକାର କରନ୍ତି । ଏମାନେ ପ୍ରକୃତରେ ଗୋଟିଏ ଗୋଟିଏ ଶକ୍ତି । ଏହି ଶକ୍ତିଗୁଡ଼ିକ ରୂପାନ୍ତରିତ ହୋଇ ଦେବଦେବୀ ନାମରେ ଆଖ୍ୟାତ ହୋଇ ଅଛନ୍ତି । ସମସ୍ତ ପ୍ରକାର ଶକ୍ତିର ମୂଳୋତ୍ପାଦକ ଅଟନ୍ତି ସ୍ୱୟଂ ଭଗବାନ୍‌ । ଅଗ୍ନି ଦେବତାର ଦାହିକା ଶକ୍ତି, ପବନ ଦେବତାର ସ୍ପର୍ଶ ଶକ୍ତି, ଜଳଦେବତାର ଓଦା ବା ସଜଳ କରିବା ଶକ୍ତି, ଏହି ସବୁ ଶକ୍ତି ଦାନ କରନ୍ତି ନିଜେ ଭଗବାନ । ଗୋଟିଏ ଉପନିଷଦରେ ଏହି ତତ୍ତ୍ୱଟି ବୁଝାଇବା ନିମନ୍ତେ ଅତି ସୁନ୍ଦର କଥାଟିଏ କୁହାଯାଇଛି । ଅଗ୍ନି, ବରୁଣ, ବାୟୁ ପ୍ରଭୃତି ଦେବତାମାନେ ଯେତେବେଳେ ନିଜ ନିଜର ଉତ୍କର୍ଷ ଦେଖାଇବାକୁ କଳି କଲେ, ସେତେବେଳେ ତାଙ୍କୁ ଗୋଟିଏ କୁଟା ଉପରେ ସେମାନଙ୍କର ଶକ୍ତି ପ୍ରୟୋଗ କରିବାକୁ କୁହାଗଲା । ମାତ୍ର ଦେଖାଗଲ ଯେ କୁଟାଟିକୁ ଅଗ୍ନି ଦେବତା ପୋଡ଼ି ପାରିଲେ ନାହିଁ କି ବାୟୁ ଦେବତା ଉଡ଼ାଇ ପାରିଲେ ନାହିଁ । ସେମାନେ ପଛେ ବୁଝିଲେ ଯେ ସେମାନେ ଭଗବଦ୍‌ ପ୍ରଦତ୍ତ ଶକ୍ତି ବିନା ଅକ୍ଷମ ଓ ଅସମର୍ଥ ।

 

ଏହି ଦେବତାମାନଙ୍କ ଶକ୍ତିର ଉପକାର ଆମ୍ଭେମାନେ ସବୁବେଳେ ଲାଭ କରି ଥାଉଁ । ଏହି ଉପକାର ନିମନ୍ତେ ଆମ୍ଭେମାନେ କାହାଠାରେ କୃତଜ୍ଞ ? ଉଭୟ ଦେବତା ଓ ଭଗବାନଙ୍କଠାରେ ଆମ୍ଭେମାନେ କୃତଙ୍ଗ ରହିବା ଉଚିତ । ଦେବତାମାନଙ୍କ ଶକ୍ତିରୁ ଉପକାର ପାଇ ଆମ୍ଭେମାନେ ଭଗବାନଙ୍କୁ ଜାଣୁ । ତେଣୁ ସେମାନଙ୍କଠାରେ ଆମ୍ଭେମାନେ କୃତଜ୍ଞ । ଏହି କୃତଜ୍ଞତା ଜ୍ଞାପନହିଁ ଯଜ୍ଞ ।

 

ପ୍ରକୃତି ଭଗବାନଙ୍କର ବିପୁଳ ଦାନ । ସେହି ପ୍ରକୃତିର ଉପଯୋଗ କରି ମନୁଷ୍ୟ ନିଜର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଜୀବନର ପୃଷ୍ଟିସାଧନ କରିଥାଏ । ପ୍ରକୃତିର ଉପଯୋଗ ଓ ବ୍ୟବହାର ମନୁଷ୍ୟର ଜ୍ଞାନ ଓ ବୁଦ୍ଧି ଉପରେ ନିର୍ଭର କରେ । ପ୍ରାକୃତିକ ଶକ୍ତିପୁଂଜ ପ୍ରକୃତି ଭିତରେ ଲୁକ୍‌କାୟିତ ହୋଇ ରହିଥାଏ । ମନୁଷ୍ୟ ତାହାର ବୁଦ୍ଧି ଓ ଜ୍ଞାନର ଆଲୋକରେ ସେ ସବୁ ଶକ୍ତିକୁ ଦେଖେ ଓ ନିଜ ଉପକାର ପାଇଁ ବ୍ୟବହାର କରେ । ପ୍ରକୃତିଦତ୍ତ ଉପକାର ଓ ଭଗବଦ୍‌ଦତ୍ତ ଜ୍ଞାନାଲୋକ ନିମନ୍ତେ ମନୁଷ୍ୟ ଭଗବାନଙ୍କଠାରେ ଋଣୀ । ପ୍ରାକୃତିକ ଶକ୍ତି ରୂପକ ଦେବତାମାନେ ଭଗବାନଙ୍କର ସେବକ କେବଳ । ଆମ୍ଭେମାନେ ତେଣୁ ସେବକମାନଙ୍କଠାରେ କୃତଜ୍ଞ ନହୋଇ କୃତଜ୍ଞ ରହୁ ଖୋଦ ମାଲିକଠାରେ । ଏହି କୃତଜ୍ଞତା ପ୍ରକାଶ ପାଏ ଭଗବାନଙ୍କର ସ୍ତୁତି-ଗାନରେ । ସ୍ତୁତି ଗାନରେ ତୃପ୍ତ ନହୋଇ ମନୁଷ୍ୟ ଭଗବାନଙ୍କର ସେବା କରିବାରେ ଲାଗିଯାଏ । ଭଗବଦ୍‌ ସେବା ସେ କରେ ଜଗତକୁ ସେବା କରି । ତେଲୁଗୁ ଭାଷାରେ ଗୋଟିଏ ଗୀତରେ କବି ଗାଇଛନ୍ତି, ‘‘ମାନବ ସେବେ ଦେବୁ ନି ସେବା ।’’ ଇଂରାଜି କବିତା ‘ଆବୁ ବେନ ଅଧମ’ର ଶେଷ ତାତ୍ପର୍ଯ୍ୟ ମଧ୍ୟ ଠିକ୍‌ ଏହିଭଳି । ଆବୁ ଦେବ ପୁରୁଷଙ୍କୁ କହିଲେ, ‘‘ଜଣେ ମାନବ ସେବକରୂପେ ମୋ ନାମଟି ତାଲିକାରେ ରଖ ।’’ ଶେଷରେ ଦେଖାଗଲା ଭଗବଦ୍‌ ସେବକ ତାଲିକାରେ ପ୍ରଥମ ସ୍ଥାନ ଆବୁ ପାଇଛନ୍ତି । ମାନବ ସେବା ପାଇଁ ସ୍ୱାର୍ଥ ତ୍ୟାଗ ଆବଶ୍ୟକ, ଏହି ତ୍ୟାଗ ହିଁ ଯଜ୍ଞ । ଯଜ୍ଞରେ ବଳୀ ଦେବାକୁ ହୁଏ । ତୁମ୍ଭର ସ୍ୱାର୍ଥହିଁ ଏହି ବଳୀର କାର୍ଯ୍ୟ କରେ । ସ୍ୱାର୍ଥ ତ୍ୟାଗ କଲେ ଯଜ୍ଞ-ନାରାୟଣ ଯଜ୍ଞରେ ଆବିର୍ଭୂତ ହୁଅନ୍ତି । ଯଜ୍ଞ ବିନା, ତ୍ୟାଗ ବିନା ସୃଷ୍ଟି ଓ ସ୍ଥିତି ସମ୍ଭବପର ନୁହେଁ । ବେଦର ପୁରୁଷସୁକ୍ତ ସେହି ଯଜ୍ଞର କଥା ଅବତାରଣ କରିଛି । ସୃଷ୍ଟିକର୍ତ୍ତା ନିଜକୁ ଯଜ୍ଞ କରି ସୃଷ୍ଟି ରଚନା କରିଛନ୍ତି । ବିନା ଯଜ୍ଞରେ କୌଣସି କାର୍ଯ୍ୟ ହୋଇ ନପାରେ । ଭୌତିକ କାର୍ଯ୍ୟ ମଧ୍ୟ ଯଜ୍ଞମୂଳକ । ବୀଜର ଯଜ୍ଞ ନହେଲେ ଅଙ୍କୁରରଉଦ୍‌ଗମ ହୁଏ ନାହିଁ । ପୁଷ୍ପର ଯଜ୍ଞ ନହେଲେ ଫଳ ଫଳେ ନାହିଁ । ତ୍ୟାଗହିଁ ଯଜ୍ଞ, ପରୋପକାରହିଁ ଯଜ୍ଞ । ଉପନିଷଦ୍‌ ଓ ଗୀତା ବୈଦିକବିଧିବହୁଳ ପ୍ରାଣୀବଧଜନିତ ଯଜ୍ଞକୁ ଏହି ଆଧ୍ୟାତ୍ମିକ ବ୍ୟାଖ୍ୟା ଦାନ କରି ନୃଶଂସ ରକ୍ତପାତ ଓ ବୈଧାନିକତାରୁ ରକ୍ଷା କରିଛନ୍ତି । ଏହି ଆଧ୍ୟାତ୍ମିକ ଅର୍ଥ ଅନୁସାରେ ସମସ୍ତେ ପ୍ରତ୍ୟହ ଯଜ୍ଞ କରିବା ଉଚିତ ।

Image

 

ମନୁଷ୍ୟତା

 

ସୃଷ୍ଟିରେ ମାନବର ସ୍ଥାନ ସମସ୍ତଙ୍କ ଅପେକ୍ଷା ବହୁତ ଉଚ୍ଚରେ ଅଛି । ଶାସ୍ତ୍ରରେ ତେଣୁ ନରଜନ୍ମକୁ ଲୋକରେ ଦୁର୍ଲଭ ବୋଲି କୁହାଯାଇ ଅଛି । ଜୀବ ପକ୍ଷେ ନରଦେହ ଧାରଣ ବହୁ ସାଧନସାପେକ୍ଷ ଅଟେ । ମାନବେତର ପ୍ରାଣୀଙ୍କ ପକ୍ଷେ ମୋକ୍ଷ ଲାଭ ଅସମ୍ଭବ । ମୁକ୍ତିର ଦ୍ୱାର ମାନବ ଜୀବନ । ଚଣ୍ଡୀ ଦାସ ମନୁଷ୍ୟର ଏହି ଉତ୍କୃଷ୍ଟ ସ୍ଥାନକୁ ଲକ୍ଷ୍ୟ କରି ଗାଇଥିଲେ–

 

ଶୁନ ହ ମାନୁଷ ଭାଇ

ସବାର ଉପରେ ମାନୁଷ ସତ୍ୟ

ତାହାର ଉପରେ ନାଇ ।

 

ଋଷିଆର ପ୍ରସିଦ୍ଧ ଲେଖକ ମାକ୍ସିମ ଗର୍କୀ ମଧ୍ୟ ଏହି ସମ୍ବନ୍ଧେ ତାଙ୍କର ଅଭିମତ ପ୍ରକାଶ କରିଛନ୍ତି ନିମ୍ନ ପ୍ରକାରେ । I am a man of earth, and outside of its men there is nothing I desire to know. Books bring me in friendly and magnanimous contast with men, inspire me with respect for them and ever deepen my interest in man, master of the earth, ereator of all that is fine and great on it.'' ବାଇବେଲରେ କୁହାଯାଇଛି ମାନବ ଭଗବାନଙ୍କ ଆଦର୍ଶରେ ଗଠିତ Man is made in the image of God.

 

ଜୀବ ଇତିହାସକ୍ରମରେ ମନୁଷ୍ୟର ଆବିର୍ଭାବ ସର୍ବ ପ୍ରଥମ ନୁହେଁ । ଦିନଥିଲା ଯେତେବେଳେ ଏହି ପୃଥିବୀରେ ମନୁଷ୍ୟ ନାମକ ପ୍ରାଣୀର କୌଣସି ସତ୍ତା ନ ଥିଲା । ତାହାର ଆବିର୍ଭାବ ସୃଷ୍ଟି-ଇତିହାସରେ ବହୁ ବିଳମ୍ବରେ ଘଟିଥିବା ଜଣାଯାଏ । ବାଇବଲ କହେ ସୃଷ୍ଟି କରିବାକୁ ଭଗବାନଙ୍କୁ ମୋଟ ଛ’ଟି ଦିନ ଲାଗିଥିଲା ଓ ଷଷ୍ଠ ଦିନ ଭଗବାନ ମନୁଷ୍ୟକୁ ତିଆରି କରିଥିଲେ । ମନୁ ମନୁଷ୍ୟ ଜାତିର ଜନ୍ମଦାତା ବୋଲି ହିନ୍ଦୁ ପୁରାଣମାନଙ୍କରେ ଲିଖିତ ହୋଇ ଅଛି । ତେଣୁ ତାହାର ନାମ ମାନବ । ଜୀବ-ବିଜ୍ଞାନର ମଧ୍ୟ ମତ ଯେ ପୃଥିବୀ ପୃଷ୍ଠରେ ମାନବ ଜାତି ଅତି ବିଳମ୍ବରେ ଦେଖାଦେଇ ଥିଲା । କ୍ରମବିକାଶ ନିୟମରେ ମନୁଷ୍ୟର ଉତ୍ପତ୍ତି ଓ ବାନରର ଉତ୍ପତ୍ତି ସ୍ଥାନ ଏକ ଓ କାଳକ୍ରମେ ମନୁଷ୍ୟ ବାନରରୁ ଭିନ୍ନ ହେଲା ବୋଲି ଡାରଉଇନ ସର୍ବ ପ୍ରଥମେ ମତ ପ୍ରକାଶ କରି ପ୍ରାଣୀ ବିଜ୍ଞାନରେ ଗୋଟିଏ ଚିନ୍ତାବିପ୍ଳବ ଘଟାଇ ଥିଲେ ।

 

ମନୁଷ୍ୟ ମଧ୍ୟ ଅନ୍ୟ ପଶୁପକ୍ଷୀମାନଙ୍କ ପରି ଗୋଟିଏ ଜୀବ । ଜୀବନ ଧାରଣ ନିମନ୍ତେ ମନୁଷ୍ୟକୁ ମଧ୍ୟ କେତେ ଜାନ୍ତବ ନିୟମ ପାଳନ କରିବାକୁ ହୋଇଥାଏ । ମନୁଷ୍ୟକୁ ମଧ୍ୟ ଅନ୍ୟ ଜୀବଜନ୍ତୁ ମାନଙ୍କ ପରି ପ୍ରାଣଧାରଣ ସକାଶେ ପାନାହାର କରିବାକୁ ହୁଏ ଓ ବଂଶରକ୍ଷା, ବଂଶ-ବୃଦ୍ଧି ସକାଶେ ସହବାସ କରିବାକୁ ହୁଏ । ମନୁଷ୍ୟ ଦ୍ୱିପଦ । ଏହା ପଶୁଠାରୁ ତାହାର ଗୋଟିଏ ବିଶେଷ ପ୍ରଭେଦ । ଚାରି ଗୋଡ଼ରେ ଚାଲୁ ନ ଥିବାରୁ ତାହାର ମେରୁଦଣ୍ଡ ସିଧା ସଳଖ । ହାତ ଗୋଡ଼ ତାହାର ଅଙ୍ଗୁଳିବିଷ୍ଟ । ଏହିପରି କେତେ ଶାରୀରିକ ଗଠନମୂଳକ ପ୍ରଭେଦ ବାଦଦେଲେ ଖାଦ୍ୟପାନ ଇତ୍ୟାଦି ଜୀବନ ଧାରଣର କେତେ ଅପରିହାର୍ଯ୍ୟ ବିଷୟରେ ମନୁଷ୍ୟ ଓ ପଶୁ ଏକା ଅଟନ୍ତି । ଗାଈର କ୍ଷୀର ଖାଇ ବାଛୁରୀ ବଞ୍ଚିଲାପରି ମାନବ ଶିଶୁ ମଧ୍ୟ ମାତାର ସ୍ତନ୍ୟ ପାନକରି ବଞ୍ଚେ । କପୋତ କପୋତୀଙ୍କର ଦାମ୍ପତ୍ୟଲୀଳା, ଶିଶୁ ପ୍ରସବ ଓ ପାଳନରୀତି ପୁଣି ସନ୍ତାନ-ବାତ୍ସଲ୍ୟ ମନୁଷ୍ୟର ସଙ୍ଗେ ସମାନ । ପାନାହାର ମୈଥୁନରେ ଆକାରଗତ ପାର୍ଥକ୍ୟ ଥିଲେ ସୁଦ୍ଧା ମୂଳରେ ଓ ପରିଣାମରେ ସେ ସବୁ ପ୍ରଭେଦ ଅତି ହେୟ ଓ ନିକୃଷ୍ଟ । ସଭ୍ୟମାନବ ତାହାର ପାନାହାରକୁ ଯେପରି ସୁସ୍ୱାଦୁ ଓ ରୁଚିକର କରୁ, ଯୌନ ପ୍ରନ୍ତ୍ରିୟାକୁ ଯେତେ ରୋମାଞ୍ଚକର ପ୍ରଚ୍ଛନ୍ନ ବେଶ ପ୍ରଦାନ କରୁ, ପଶୁଠାରୁ ସେ କେବେ ଏହି ଶରୀର ଧାରଣ ରୀତିରେ ପୃଥକ୍‌ ହୋଇ ନ ପାରେ । ଅଙ୍ଗୁଳି ପରିବର୍ତ୍ତେ ଚାମୁଚା ବ୍ୟବହାର କିମ୍ବା ଅବାରିତ ଯୌନଚର୍ଯ୍ୟା ପରିବର୍ତ୍ତେ ବିବାହାଦି ସାମାଜିକ ଅନୁଷ୍ଠାନ ମନୁଷ୍ୟକୁ ପଶୁ ଆଚରଣରୁ ବଞ୍ଚାଇପାରି ନ ପାରେ ।

 

ତଥାଚ ‘‘ସବାର ଉପରେ ମାନୁଷ ସତ୍ୟ, ତାହାର ଉପରେ ନାହିଁ । କାରଣ ଦେହହିଁ ମନୁଷ୍ୟର ସର୍ବସ୍ୱ ନୁହେଁ । ଦେହୀ ହେଲେ ସୁଦ୍ଧା ମନୁଷ୍ୟଠାରେ ଆଉ କିଛି ଅଧିକ ବିଷୟ ଅଛି ଯାହାର ବଳରେ ସେ ପଶୁତ୍ୱରୁ ଉଦ୍ଧାର ପାଇପାରେ । ତାହା ହେଉଛି ତାହାର ମନ । ଏହି ମନକୁ ଧରି ରଖିବା ପାଇଁ ମସ୍ତିଷ୍କ ବୋଲି ଗୋଟିଏ ଭୌତିକ ଆଧାର ମନୁଷ୍ୟର ମସ୍ତକ ଭିତରେ ଅଛି ସତ୍ୟ, କିନ୍ତୁ ମନ ତୁଳନାରେ ମସ୍ତିଷ୍କଟିର ମୂଲ୍ୟ ନ୍ୟୂନ ଅଟେ । ଯେପରି ହୀରକ ତୁଳନାରେ ହୀରକାଧାରର ମୂଲ୍ୟନ୍ୟୂନ । ଏହି ମାନସିକ ଶକ୍ତି କେବଳ ମାନବ ନୁହେଁ ସମସ୍ତ ସୃଷ୍ଟିର ମୂଳରେ ବିଦ୍ୟମାନ । ଏହି ପ୍ରଚ୍ଛନ୍ନ ଶକ୍ତିହିଁ ସମସ୍ତ ସୃଷ୍ଟିର କର୍ତ୍ତା ଅଟନ୍ତି । ଆଧୁନିକ ବୈଜ୍ଞାନିକମାନେ ମଧ୍ୟ ସୃଷ୍ଟି ମୂଳରେ ଜଡ଼ବାଦର ବିଶ୍ୱାସ ଆଉ କରନ୍ତି ନାହିଁ । ବିଶ୍ୱର ଏହି ସୃଷ୍ଟି ରହସ୍ୟ ଉଦ୍‌ଘାଟନ କରିବାକୁ ଚେଷ୍ଟା କରି ସେମାନେ ମଧ୍ୟ ସେହି ଅଭୌତିକ ମହାଶକ୍ତିର ମୂଳରେ ପହଞ୍ଚି ଅଛନ୍ତି । ଜଡ଼ବାଦ ଆଧୁନିକ ଚିନ୍ତା ଜଗତରୁ ଉଭେଇ ଯାଇଛି । ସାର ଜେମସ୍‌ ଜୀନ ନାମକ ଇଂଲଣ୍ଡର ଜଣେ ବୈଜ୍ଞାନିକ ତାଙ୍କ ରଚିତ The Mysterious Universe ନାମକ ବହିରେ ଏହି ଜଡ଼ ବାଦର ଅଳୀକତା ଓ ମାନସିକ ଶକ୍ତିର ଆବଶ୍ୟକତା ସମ୍ବନ୍ଧେ ବୁଝାଇବାକୁ ଯାଇ ଲେଖିଅଛନ୍ତି, ‘‘Today the thought is universe begins to look more like a great thought than like a great machine. Mind no longer appears as an accidental intruder into the realm of matter. we are beginning to suspect that we ought rather to hail it as the creator and governor of the realm of matter- not of course our individual minds, but the minds in which the atoms out of which our individual minds have grown, exist as thoughts.

 

Substantial matter has reasolved itself into a ceation and manifestation of mind. We discover that the universe shows evidence of designing or controlling power that has something in common with our own individual minds.'' ଏହି ମାନସିକ ଶକ୍ତିକୁ ଅନ୍ତର୍ଯ୍ୟାମୀ ନାମ ଦିଆଯାଇ ପାରେ । ସମସ୍ତ ଜୀବରେ ଏହାର ଅବସ୍ଥାନ । କିନ୍ତୁ ସ୍ଥାନ ବିଶେଷରେ ଏହାର ପ୍ରକାଶ ଓ ବିକାଶ ଛୋଟ ଓ ବଡ଼ । ମନଃଶକ୍ତିର ପ୍ରାବଲ୍ୟ ମାନବ ଜାତିର ସର୍ବାଧିକ ଅଟେ । ଏହି ଶକ୍ତି ଯେତେ ମାର୍ଜିତ ହୁଏ ସେତେ ସତେଜ ହୁଏ, ଯେତେ ବ୍ୟବହୃତ ହୁଏ ସେତେ ବିକାଶ ଲାଭକରେ । ଏହି ଶକ୍ତିର ପ୍ରାବଲ୍ୟ ମନୁଷ୍ୟକୁ ପଶୁଠାରୁ ଉଚ୍ଚତର ଆସନ ଦେଇ ପାରିଅଛି । ପ୍ରବୁଦ୍ଧ ଭାରତ ନାମକ ବିଖ୍ୟାତ ମାସିକ ପତ୍ରରେ ଜଣେ ଲେଖକଙ୍କର ମତ ଏହି ବିଷୟରେ ପ୍ରଣିଧାନଯୋଗ୍ୟ ।

 

‘‘In the lower strata of the biological world one may trace the existence of rudimentary mind, which at the state of evolution is no more than a mere hand maid of the great life force; but in man mind certainly is no less prominent a factor than life. It is this devloped mind that alone has created the gulf between man and the rest of the animals and established his suzerainty over them all.''

 

ଏହି ମାନସିକ ଶକ୍ତିକୁ ମନୁଷ୍ୟ ପାଇଥିଲା ତାହାର ଆକାରିକ ବା ପ୍ରାରମ୍ଭିକ ଅବସ୍ଥାରେ-। ଏହା ବହୁ ଯୁଗାନ୍ତର ପୂର୍ବର ଇତିହାସ ଅଟେ । ସୃଷ୍ଟିର ଆର୍ଥିକ ବ୍ୟବସ୍ଥାରେ (in the economy of God's creation) ଅଙ୍ଗୁଳିବିଶିଷ୍ଟ ଦୁଇଟି ହାତ ଓ ଊର୍ଦ୍ଧ୍ୱଦୃଷ୍ଟିକ୍ଷମ ମସ୍ତିଷ୍କ ବିଶିଷ୍ଟ ଗୋଟିଏ ମସ୍ତକ ବ୍ୟତୀତ ସୃଷ୍ଟିକର୍ତ୍ତା ତାହାକୁ ଆଉ କିଛି ଦେଇ ନ ଥିଲେ । ପ୍ରାଣୀ ବିଜ୍ଞାନ ନ୍ତ୍ରମବିକାଶ ଅନୁସାରେ ଯେଉଁ ପ୍ରଥମ ମାନବ ଭୂପୃଷ୍ଟରେ ଆବିର୍ଭୂତ ହେଲା ତାହାର ସରସ ପୌରାଣିକ ଚିତ୍ର ଆମ୍ଭେମାନେ ପାଇଥାଉଁ ବାଇବଲର ଆଦାମ ଈଭ ଉପାଖ୍ୟାନରୁ । ଯୁଗର ପରିବର୍ତ୍ତନ ସଙ୍ଗେ ଓ କାଳର ଅବାରିତ ଗତିରେ ତାଳ ମିଶାଇ ଚାଲିଅଛି ଭୂପୃଷ୍ଠରେ ମାନବ ଜାତିର ଇତିହାସ । ମନୁଷ୍ୟ ଏହି ସମୟରେ କେତେ ଯେ ପରିବର୍ତ୍ତନ ଓ ପରିବର୍ଦ୍ଧନ ଘଟାଇ ଅଛି ତାହା ଗୋଟିଏ କୌତୂହଳପୂର୍ଣ୍ଣ ଦୀର୍ଘ ଐତିହାସିକ ବୃତ୍ତାନ୍ତ । ସ୍ତରକୁସ୍ତର ଭେଦକରି ମାନବ ସଭ୍ୟତା କିପରି ଉଚ୍ଚରୁ ଉଚ୍ଚକୁ ଯାଉଛି ତାହା ଲକ୍ଷ କରିବାର ବିଷୟ ଅଟେ । ନିଷାଦ ଅବସ୍ଥାରୁ ଉନ୍ନୀତ ହୋଇ ପାରିଧିକୁ କେବଳ ଜୀବନ ଧାରଣର ଏକମାତ୍ର ଉପାୟ ନ କରି ମାନବ କିପରି ପଶୁଚାରଣ ବୃତ୍ତି ଅବଲମ୍ବନ କରି ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଭ୍ରମଣ କରିବାକୁ ଲଗିଲା, ଏହି ଭ୍ରାମ୍ୟମାଣ ଜୀବନରେ ଅତୃପ୍ତ ରହି ସେ କିପରି ଭୂମିକର୍ଷଣ ବୃତ୍ତିରେ ବ୍ରତୀହେଲା, କୃଷି ସଭ୍ୟତା-ସୂର୍ଯ୍ୟର ଚାରିଆଡ଼େ କିପରି ପଲ୍ଲିଜୀବନ ଓ କୂଟୀର ଶିଳ୍ପ ଓ ଗ୍ରାମ୍ୟ ବାଣିଜ୍ୟ ଘୂରିବାକୁ ଲଗିଲା, ବାଣିଜ୍ୟର ନ୍ତ୍ରମବିବର୍ଦ୍ଧନ ଫଳରେ କିପରି ନାଗରିକ ସଭ୍ୟତାର ଅଭ୍ୟୁଦୟ ହେଲା, ପୁଣି ପରିଶେଷରେ ଯାନ୍ତ୍ରିକ ନିପୁଣତାଜନିତ ଶଳ୍ପୋନ୍ନତି ପ୍ରଭାବରୁ କିପରି ମନୁଷ୍ୟର ସମସ୍ତ ପ୍ରକାର ଜୈବିକ ଆବଶ୍ୟକତା ପୂର୍ଣ୍ଣ ହେବାକୁ ଲାଗିଲା, ଏହି ଯାନ୍ତ୍ରିକ ସଭ୍ୟତାର ଗତି କିପରି ଦିନକୁଦିନ ଅତି ଦ୍ରୁତ ଗତିରେ ଆଧୁନିକ ଯୁଗରେ ଚାଲିଅଛି, ଏହିସବୁ ଅନୁଧ୍ୟାନ କଲେ ମନରେ ଏକପ୍ରକାର ଆଶ୍ଚର୍ଯ୍ୟର ଭାବ ଜାଗି ଉଠେ । ମନେ ହୁଏ ମନୁଷ୍ୟ ଭଗବାନଙ୍କ ସୃଷ୍ଟିର ସର୍ବଶ୍ରେଷ୍ଠ ଜୀବ ।

 

ମାନବ ଜାତିର ଏହି ପ୍ରବାହମାନ ଐତିହାସିକ ଗତିକୁ ନିରୀକ୍ଷଣ କଲେ, ତାହାର ଅନ୍ୟଏକ ବିଭାବ ଆମ୍ଭମାନଙ୍କର ଦୃଷ୍ଟିଗୋଚର ହୁଏ ! ମାନସିକ ଶକ୍ତିଦ୍ୱାରା ତାହାର ସକଳ ଭୌତିକ ଆବଶ୍ୟକତାକୁ ପୂର୍ଣ୍ଣ କରି ସୁଦ୍ଧା ମନୁଷ୍ୟ ତୃପ୍ତ ନୁହେଁ, କାରଣ ସେ ଜାଣେ ଯେ ତଦ୍ୱାରା ସେ ପଶୁତ୍ୱରୁ ଉଦ୍ଧାର ପାଇନାହିଁ, ସର୍ବଶ୍ରେଷ୍ଠ ପଶୁଟିଏ କେବଳ ହୋଇ ପାରିଛି । ଗୃହାମାନବ ଗୃହା ପରିବର୍ତ୍ତେ ସୌଧଶିଖରରେ ନିବାସ କଲେ ସୁଦ୍ଧା ସେ ତୃପ୍ତ ନୁହେଁ, ପାନାହାରରେ ସେ ଆବଶ୍ୟକୀୟ ରୁଚି ଅନୁରୂପ ପାକପ୍ରଣାଳୀ କରିଥିଲେ ସୁଦ୍ଧା ତାହାର ସନ୍ତୋଷ ନାହିଁ । ସେ ଯେଉଁ ପଶୁକୁ ସେହି ପଶୁ । ମନୁଷ୍ୟର ଅନ୍ୟ ଏକ ଆକାଂକ୍ଷା ଅଛି ଯାହା ଏହିସବୁ ଭୌତିକ ଉନ୍ନତି ଦ୍ୱାରା ପୂର୍ଣ୍ଣ ହୋଇ ନପାରେ । ସେ ଜାଣେ ମାନସିକ ଶକ୍ତିର ଚରମ ଅଭିପ୍ରାୟ ଏତେ ନୀଚ ଓ ଗୌଣ ହୋଇ ନପାରେ । ମାନବ ମନରେ ଗୋଟିଏ ରୂପଦାନ-ଅକ୍ଷମ-ଅତୃପ୍ତି ସତତ ଜାଗ୍ରତ ରହି ତାକୁ ସବୁବେଳେ ଅସ୍ଥିର କରି ରଖେ । ଗୋଟିଏ ଅଜ୍ଞାତ କାରଣ ଅଶାନ୍ତି ତାକୁ ସର୍ବଦା ଉତ୍ତେଜିତ କରି ରଖେ, ଗୋଟିଏ ଅଭୂତ ପୂର୍ବ ଅପୂର୍ଣ୍ଣ ଆକାଂକ୍ଷା ତାର ଚିତ୍ତକୁ ଆନ୍ଦୋଳିତ କରେ ପୁଣି ଗୋଟିଏ ଚିରାନନ୍ଦମୟୀ ଆଶା ତାହାର ପ୍ରାଣକୁ ସତତ ସରସ ଓ ଜୀବନ୍ତ କରି ରଖିଥାଏ । ଏହି ସବୁର ଫଳରେ ମନୁଷ୍ୟ ସର୍ବଦା ଅସ୍ଥିର, ଅଧୀର, ଅତୃପ୍ତ ଓ ଚପଳ । ଏହି ଅଧୀରତା, ଏହି ତତ୍ପରତା ତାହାକୁ ପଶୁତ୍ୱରୁ ମନୁଷ୍ୟତା ଆଡ଼େ ଆକର୍ଷଣ କରେ । ଏହାର ଫଳରେ ସେ ପଶୁ ପ୍ରକୃତି ତ୍ୟାଗ କରି ଦେବତ୍ୱ ପ୍ରପ୍ତ ହୁଏ । ଦେବତ୍ୱ ପ୍ରାପ୍ତିର କର୍ମପୀଠ ଅଟେ ମାନବର ଏହି ଜନ୍ମ । ମାନବ ଜନ୍ମ ଲାଭ କରେ ଦେବତା ହେବା ପାଇଁ, ଦେବତ୍ୱ ପ୍ରାପ୍ତିରେ ସେ ପାଏ ସତ୍ୟ, ଶିବ ଓ ସୁନ୍ଦର । ଅବଶ୍ୟ ଏହା ସାଧନା ସାପେକ୍ଷ, ଏଥି ପାଇଁ ଦରକାର ଦୀର୍ଘ ସମୟ । ମାତ୍ର ନିରାଶ ହେବାର କୌଣଶି କାରଣ ନାହିଁ । ଲକ୍ଷକୁ ସମ୍ମୁଖରେ ରଖି ଚେଷ୍ଟାରତ ହେବା ମନୁଷ୍ୟର କର୍ତ୍ତବ୍ୟ । ତା ନହେଲେ ମନୁଷ୍ୟ ପ୍ରକୃତିର ଅଲଙ୍ଘନୀୟ ନିୟମ ବଳରେ ପଶୁସ୍ତରକୁ ଯିବାକୁ ବାଧ୍ୟ ହେବ । ମନୁଷ୍ୟ ଜୀବନ ସୃଷ୍ଟିର ନ୍ତ୍ରମବିକାଶ ଗତିରେ ଏକ ବିଶିଷ୍ଟ ସୁଯୋଗ, ଏକ ମାହେନ୍ଦ୍ର ବେଳା, ଏକ ସନ୍ଧିକ୍ଷଣ । ଏହିଠାରେ ଠିଆ ରହି ମନୁଷ୍ୟକୁ ସ୍ଥିର କରିବାକୁ ହେବ, ମନୁଷ୍ୟକୁ ବାଛି ନେବାକୁ ହେବ, ସେ ଦେବତା ହୋଇ ଉପରକୁ ଉଠିବ, ନା ତଳକୁ ଖସି ପଶୁ ହେବ । Status quo ଯେମିତି ସେମିତି ହୋଇ ରହିବା ଚିର ଗତିଶୀଳ ଈଶ୍ୱର ସୃଷ୍ଟିରେ ସମ୍ଭବ ନୁହେଁ । ଏକେ ହେଲେ ଉପରକୁ ଯାଅ, ନହେଲେ ତଳକୁ ଖସ ।

 

ମନୁଷ୍ୟର ମନ (Mind) ଗୋଟିଏ ଅତି ଉପାଦେୟ ବିଷୟ । ଏହାକୁ ତିନି ପ୍ରକାର ବ୍ୟବହାର କରାଯାଇ ପାରେ । ଏହାକୁ ମୋଟେ ବ୍ୟବହାର କରା ନଯିବା ମଧ୍ୟ ଏହାର ଏକ ପ୍ରକାର ବ୍ୟବହାର । ଉତ୍ତମ ବ୍ୟବହାର ଦ୍ୱିତୀୟ । ତୃତୀୟ ପ୍ରକାର ହେଇଛି ତାହାର ଅସଦ୍‌ ବ୍ୟବହାର । ଶାରୀରିକ ସୁଖ ସୁବିଧା ପାଇଁ ମନର ବ୍ୟବହାର ଦ୍ୱାରା ମାନବ ଜାତିର ଭୌତିକ ସଭ୍ୟତା ଢେର୍‍ ଉନ୍ନତି ଲାଭ କରିଚି ସତ୍ୟ, ମାତ୍ର ଏହି ଅଗ୍ରଗତି ଏକ ଦେଶଦର୍ଶୀ ହୋଇ ପଡ଼ିବାରୁ ମନୁଷ୍ୟ ସମାଜରେ କୌଣସି ସମସ୍ୟାର ସମାଧାନ ହୋଇ ପାରୁ ନାହିଁ । ମାନସିକ ଶକ୍ତିର ବ୍ୟବହାର ବେଳେ ମନୁଷ୍ୟ ପ୍ରାଣରେ ଗୋଟିଏ ସଂଘର୍ଷ ଉପସ୍ଥିତ ହୁଏ । ଏହା ହେଉଛି ମନ ସଙ୍ଗେ ଦେହର ସଂଘର୍ଷ । ଜୀବନରେ ରକ୍ତ ମାଂସର ଟାଣ, ଇନ୍ଦ୍ରିୟର ଆକର୍ଷଣ ଅତିଶୟ ପ୍ରବଳ ଅଟେ । ମନକୁ ଏହି ଆକର୍ଷଣ ବିରୁଦ୍ଧରେ ଯୁଦ୍ଧ କରିବାକୁ ହୁଏ, ଇନ୍ଦ୍ରିୟ ଲାଳସାରୁ ମୁକ୍ତ ରଖିବାକୁ ହୁଏ । ପୁଣି ପାର୍ଥିବ ଆକାଂକ୍ଷାର ମୁଖ ଫେରାଇ ଈଶ୍ୱରମୁଖୀ କରିବାକୁ ହୁଏ । ଏହା ମୁଖନିଃସୃତ ଉପଦେଶାବଳୀ ପରି ସହଜସାଧ୍ୟ ନୁହେଁ । ଏଥି ପାଇଁ ଆବଶ୍ୟକ ଅଧ୍ୟବସାୟ, ସାଧନା ଓ ଅଭ୍ୟାସ-। ଦିନେ ଦୁଇଦିନରେ ହୋଇଯିବା ବିଷୟ ଏହା ନୁହେଁ । ଯୁଗ ଯୁଗ ଧରି ଏହି ପ୍ରଚେଷ୍ଟା ଚାଲିଥାଏ । ବେନ ଜନସନ୍‌ କହିଲାପରି, ‘‘ତୁମ୍ଭର ଶତାବ୍ଦୀନିଚୟ ଗୋଟିଏ ଛୋଟ ଫୁଲଟିକୁ ସମ୍ପୂର୍ଣ୍ଣ କରିବାରେ ଚାଲିଛନ୍ତି । ‘‘Thy centuries roll on perfecting a little flower.’’ ଏପରି ଚେଷ୍ଟାର ଆଦି ନାହିଁ ଅନ୍ତ ନାହିଁ । ଏହାହିଁ ଈଶ୍ୱରଙ୍କ ଲୀଳା ଓ ବିଳାସ । ଏହାଛଡ଼ା ତାଙ୍କର ଆଉ କି କାର୍ଯ୍ୟ ଅଛି ? ଏହା ନ କଲେ ସେ ଆଉ କରିବେ କ’ଣ ? ସୃଷ୍ଟିର ଏହି ରହସ୍ୟ ବୁଦ୍ଧତ୍ୱ ପ୍ରାପ୍ତିରେ ଜଣାଯାଏ । ଆତ୍ମା ଓ ପରମାତ୍ମାର ମିଳନ ହେଲେ ଏହି ତତ୍ତ୍ୱ ସମ୍ୟକ୍‌ ଉପଲବ୍‌ଧ ହୁଏ । ଏକା ଦିନରେ କେହି ବୁଦ୍ଧଦେବ ହୋଇ ନ ପାରନ୍ତି । ଏକା ଦିନରେ ମନୁଷ୍ୟ ମୁକ୍ତ ହୋଇଯାଏ ନାହିଁ-। ତାକୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ହୁଏ ଏହି ଫଳ ଭୋଗ ପାଇଁ । ଏପରି ପରୀକ୍ଷା ଆବଶ୍ୟକ କେତେଗୁଡ଼ିଏ ଦେବ ଗୁଣ । ଏହି ଗୁଣ ସମ୍ବନ୍ଧେ ଗୀତାର ଷୋଡ଼ଶ ଅଧ୍ୟାୟ ଆମ୍ଭମାନଙ୍କର ପଥପ୍ରଦର୍ଶକ ଅଟେ । ଏହି ଅଧ୍ୟାୟରେ ଆମୁରୀ ଓ ଦୈବୀ ସମ୍ପତ୍‌ର ଆଲୋଚନା କରାଯାଇ ଅଛି । ଦେବଦତ୍ତ ମାନସିକ ଶକ୍ତିର ଅପବ୍ୟବହାର ଦ୍ୱାରା ମନୁଷ୍ୟ ଆସୁରୀ ସମ୍ପଦ ଲାଭକରେ । ସେପରି ଲୋକେ ଅସୁର ନାମରେ ଅଭିହିତ । ବାବା ପ୍ରେମାନନ୍ଦ ଭାରତୀ ତାଙ୍କ ‘‘ଶ୍ରୀକୃଷ୍ଣ’’ ବହିରେ ଲେଖିଛନ୍ତି, ‘‘ଯେଉଁମାନେ ମାନସିକ ଶକ୍ତିକୁ ଭୌତିକ ଭୋଗ ନିମନ୍ତେ ଅତିଶୟ ବ୍ୟବହାର କରି ସଂସାରର ଅକଲ୍ୟାଣ କରନ୍ତି ସେମାନେହିଁ ଅସୁର ଅଟନ୍ତି ।’’ ଗୀତା ଭାଷାରେ ସେମାନଙ୍କଠାରେ ଦମ୍ଭ, ଦର୍ପ, ଅଭିମାନ, କ୍ରୋଧ ନିଷ୍ଠୁରତା ଓ ଅବିବେକିତା ପୂର୍ଣ୍ଣମାତ୍ରାରେ ଥାଏ । ସେମାନଙ୍କର ଯଥେଷ୍ଟ ମାନସିକଶକ୍ତି ରହିଥାଏ ସତ୍ୟ, ମାତ୍ର ତାହା ଉଚିତ୍‌ ମାର୍ଗରେ ବ୍ୟବହୃତ ନ ହୋଇ ଅସତ୍ ମାର୍ଗରେ ବ୍ୟବହୃତ ହୁଏ । ସେମାନେ ବିକେକର ବାଣୀରେ ବଧିର ହୁଅନ୍ତି; ଶାସ୍ତ୍ରର ଉପଦେଶକୁ ତୁଚ୍ଛ ଜ୍ଞାନ କରନ୍ତି; ପ୍ରକୃତିଜୟୀ ହୋଇ ସେମାନେ ପ୍ରାକୃତିକ ଶକ୍ତିକୁ ନିଜର ଇନ୍ଦ୍ରିୟ ଲାଳସା ଚରିତାର୍ଥ କରିବାକୁ ବ୍ୟବହାର କରନ୍ତି । ପ୍ରବୃତ୍ତି କ’ଣ, ନିବୃତ୍ତି କ’ଣ ସେମାନେ ଜାଣନ୍ତି ନାହିଁ । ଏଣୁ ସେମାନଙ୍କ ଠାରେ ଶୌଚ ଆଚାର ସତ୍ୟ କିଛି ନ ଥାଏ । ସେମାନଙ୍କର ମନ ବିପରୀତ ମାର୍ଗରେ ଗତି କରେ । ସେମାନେ ସଂସାରକୁ ଅସତ୍ୟ, ବ୍ୟବସ୍ଥାହୀନ, ଈଶ୍ୱର ଶୂନ୍ୟ ନାରୀ ପୁରୁଷ ସଂଯୋଗଜାତ ଓ କାମମୂଳକ ବୋଲି କହନ୍ତି । ସେମାନଙ୍କ ମତରେ ସୃଷ୍ଟିର ଅନ୍ୟ କୌଣସି କାରଣ ହୋଇ ନ ପାରେ । ଏପରି ନାସ୍ତିକତା ବା ଜଡ଼ବାଦରେ ଯେଉଁମାନଙ୍କର ବିଶ୍ୱାସ ସେମାନେ ଦୁସ୍ପୃହଣୀୟ କାମନାର ଅଧୀନ ହୋଇ, ଦମ୍ଭ ଅଭିମାନ ଓ ଗର୍ବପୂର୍ଣ୍ଣ ହୃଦୟରେ ମୋହ ବଶରୁ ଅସତ୍‌ ଆଗ୍ରହର ଆଶ୍ରୟ ଗ୍ରହଣପୂର୍ବକ ଅଶୁଚି ବ୍ରତରେ ପ୍ରବୃତ୍ତ ହୁଅନ୍ତି । ସେମାନେ ସାରା ଜୀବନକୁ କଳଙ୍କିତ କରି ଚତୁର୍ଦ୍ଦିଗରେ ଗୋଟିଏ ଅପବିତ୍ର ନିରାନନ୍ଦମୟ ପାପପୂର୍ଣ୍ଣ ବାତାବରଣ ସୃଷ୍ଟି କରନ୍ତି । ସେମାନେ ମୃତ୍ୟୁକାଳ ପର୍ଯ୍ୟନ୍ତ ଅପରିମିତ ଚିନ୍ତାଶୀଳ ହୋଇ କାମ ଉପଭୋଗହିଁ ପରମ ପୁରୁଷାର୍ଥ ଜ୍ଞାନକରି, ଆଶାପାଶରେ ଆବଦ୍ଧ ଓ କାମକ୍ରୋଧର ବଶୀଭୂତ ହୋଇ କାମ ସମ୍ଭୋଗ ନିମିତ୍ତ ଅନ୍ୟାୟରେ ଅର୍ଥ ଉପାର୍ଜନ କରିବାକୁ ଚେଷ୍ଟା କରନ୍ତି । ଚାର୍ବାକ ନୀତିହିଁ ଏମାନଙ୍କର ଧର୍ମ ହୁଏ, ଋଣକରି ଘୃତ ପାନ କରିବାକୁ ଏମାନେ କୁଣ୍ଠିତ ହୁଅନ୍ତି ନାହିଁ । ‘‘ସଂସାରେ ଥିବ ଯେତେ ଦିନ, ଆନନ୍ଦ କରୁଥିବ ମନ’’- ଏହି ବାଣୀର କଦର୍ଥ କରି ଇନ୍ଦ୍ରିୟ ସୁଖକୁ ଆନନ୍ଦରୂପେ ଗ୍ରହଣ କରନ୍ତି । ମାନସିକ ବିକୃତି, ଅହଂଭାବ, ଆତ୍ମା ପ୍ରବଞ୍ଚନା, ଓ ଅଜ୍ଞାନତା ବଶତଃ ସେମାନେ କହିଥାନ୍ତି, ‘‘ମୁଁ ଆଜି ଏହି ଦ୍ରବ୍ୟ ପାଇଲି, ଏହି ଇପ୍‌ସିତ ଦ୍ରବ୍ୟ ମଧ୍ୟ ନିକଟରେ ପାଇବି, ଏହି ଧନ ମୋର ଅଛି, ଏହି ଧନ ପୁଣି ପାଇବି, ମୁଁ ଏହି ଶତ୍ରୁକୁ ବଧ କରିଛି; ପୁଣି ଅନ୍ୟାନ୍ୟ ଶତ୍ରୁଙ୍କୁ ମଧ୍ୟ ବଧ କରିବି, ମୁଁ ଈଶ୍ୱର, ମୁଁ ଭୋଗୀ, ମୁଁ ସିଦ୍ଧ, ବଳବାନ୍‌ ଓ ସୁଖୀ, ମୁଁ ଧନାଢ଼୍ୟ ଓ କୁଳୀନ, ମୋ ଭଳି ଆଉ କିଏ ଅଛି; ମୁଁ ଯଜ୍ଞ କରିବି, ଦାନ କରିବି ଓ ପରମ ଆମୋଦ ଲାଭ କରିବି ।’’ ପ୍ରତ୍ୟେକ ମନୁଷ୍ୟ ନିଜକୁ ପଚାରିବା ଉଚିତ, ‘‘ଏହି ସବୁ ଦୋଷରେ ମୁଁ କେତେ ଦୂର ଦୁଷ୍ଟ ? ଏହି ଦୋଷଗୁଡ଼ିକର ନିରାକରଣ ନିମନ୍ତେ ମୁଁ କି ଚେଷ୍ଟା କରୁଛି ? ଅସୁରମାନଙ୍କ ଅପେକ୍ଷା ମୁଁ କେତେ ଦୂର ଉତ୍ତମ ? ସେମାନଙ୍କ ସଙ୍ଗେ ମୁଁ କେଉଁ କେଉଁ ଦୋଷରେ ସମାନ ?’’ ଆସୁରିକ ପ୍ରବୃତ୍ତିପୂର୍ଣ୍ଣ ବ୍ୟକ୍ତିର ଯଜ୍ଞର କିମ୍ବା ଦାନରେ କିଛି ପାରମାର୍ଥିକ ଲାଭ ହୁଏ ନାହିଁ । ଅହଙ୍କାରପୂର୍ଣ୍ଣ ଚିତ୍ତରେ, ଦର୍ପାଭିମାନଜଡ଼ିତ ମନରେ, ଅନ୍ୟାୟ ଅର୍ଥ ଉପାର୍ଜନପୂର୍ଣ୍ଣ କର୍ମରେ ଭଗବାନଙ୍କୁ ଶତ ସହସ୍ର ବାର ଡାକିଲେ ସୁଦ୍ଧା ସେ ଶୁଣିବେ ନାହିଁ । ତେଣୁ ଶ୍ରୀକୃଷ୍ଣ କହିଛନ୍ତି, ‘‘ଅହଙ୍କାର, ବଳ, ଦର୍ପ, କାମ ଓ କ୍ରୋଧର ବଶବର୍ତ୍ତୀ ହୋଇ ସେମାନେ ସ୍ୱଦେହ ଓ ପର ଦେହରେ ଅବସ୍ଥିତ ମୋତେ ଦ୍ୱେଷ କରି ସାଧୁମାନଙ୍କର ନିନ୍ଦା କରନ୍ତି । ସେହି ବିଦ୍ୱେଷୀ କ୍ରୂର ସ୍ୱଭାବ ନରାଧମମାନଙ୍କୁ ମୁଁ ସଂସାରରେ ଆସୁରୀ ଯୋନିରେ ବରାବର ନିକ୍ଷେପ କରିଥାଏ ।’’ ମନୁଷ୍ୟର ଜୀବନ ଏହି ସୁରାସୁର ସନ୍ଧି ସ୍ଥଳରେ ରହିଲାବେଳେ ବଡ଼ ଅସ୍ଥିର ଅବସ୍ଥାରେ ପଡ଼େ । ତାହା ସର୍ବଦା ଗତିଶୀଳ । ଏକେହେଲେ ଉର୍ଦ୍ଧ୍ୱକୁ ଉନ୍ନୀତ ହୁଏ, ନତୁବା ତଳକୁ ସ୍ଖଳିତ ହୁଏ । କ୍ରମାରୋହଣଦ୍ୱାରା ସେ ଦେବତ୍ୱ ପ୍ରାପ୍ତ ହୁଏ, ନତୁବା କ୍ଷିପ୍ର ଅବରୋହଣ ଦ୍ୱାରା ଆସୁରୀ ଗତି ଲାଭ କରେ । ଯେଉଁଠି ସେଇଠି ଠିଆରହି ‘ମାର୍କ ଟାଇମ’ କରିବା ମନୁଷ୍ୟର ସାଧ୍ୟାତୀତ । ସେ ଯେତେଦିନ ଯାଏଁ ଉପରକୁ ଗତି ନ କରିଛି ବୁଝିବାକୁ ହେବ ସେହି ଦିନତକ ସେ ତଳକୁ ଯିବାରେ ଲାଗିଛି । ନିର୍ବେଦ ଚିତ୍ତରେ, ପଥରପରି ମୌନବ୍ରତ ଅବଲମ୍ବନ ନିମନ୍ତେ ମାନବର ଏହି ମହାର୍ଘ ଜୀବନ ଅଭିପ୍ରେତ ନୁହେଁ । ଅହରହ ତାହାର ଚେଷ୍ଟା ଲାଗିଛି । ଅହରହ ସେ ଘାତ ପ୍ରତିଘାତ ସହୁଛି ଓ ଥରକୁଥର ସେ ଉନ୍ନତି ଲାଭ ପାଇଁ ଯତ୍ନ କରୁଛି । ଏହି ଚେଷ୍ଟା ନ ହେଲେ ତାହାର ଉନ୍ନତି, ତାହାର ଉତ୍ତୀର୍ଣ୍ଣତା ଅସମ୍ଭବ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ସୁଯୋଗକୁ ଭାଗ୍ୟହୀନହିଁ ହରାଇ ଦିଏ-। ଗୀତାଭାଷାରେ ‘ସେହି ମୂଢ଼ଗଣ ଆସୁରୀ ଯୋନି ପ୍ରାପ୍ତ ହେଲେ, ମୋତେ ଲାଭକରି ନ ପାରି ତଦପେକ୍ଷା ଆହୁରି ଅଧମ ଗତି, ଅର୍ଥାତ୍ ନୀଚ ଯୋନିରେ ପତିତ ହୁଅନ୍ତି ।’’

 

କେତେ ଜଣ ଅସୁର ଭାବାପନ୍ନ ବ୍ୟକ୍ତିଙ୍କ ପ୍ରଭାବରେ କୌଣସି କାଳରେ ଧର୍ମ ସମ୍ପୂର୍ଣ୍ଣ ଧ୍ୱଂସପ୍ରାପ୍ତ ହୋଇ ନାହିଁ । ଏହାର ସାକ୍ଷୀ ଇତିହାସ ଓ ପୁରାଣ । ହିରଣ୍ୟକଶିପୁ ପରି କେତେ ଜଣ ଶୟତାନ ଏହି ଧରାବକ୍ଷରେ ଅବତୀର୍ଣ୍ଣ ହୋଇ ନ ଥିଲେ ? ମାତ୍ର ପ୍ରତ୍ୟେକ ରୋଗର ପ୍ରତିକାର ପରି ପ୍ରତ୍ୟେକ ଆସୁରିକ ବ୍ୟକ୍ତିର ଅସାରକାର୍ଯ୍ୟ ପରିଶେଷରେ ପ୍ରତିହତ ହୋଇଅଛି । ଏପରି କେତେ ରୋଗ ଅଛି, ଯହିଁରେ ଆପେ ଆପେ ତାହାର ବିରୋଧୀ କୀଟାଣୁ ଜାତ ହୋଇ ରୋଗର ମୂଳକୁ ବିନଷ୍ଟ କରନ୍ତି । ଅଧର୍ମ ରୋଗରୁ ମଧ୍ୟ ସେପରି କୀଟାଣୁ ଜାତ ହୁଅନ୍ତି । ଏହା ପ୍ରକୃତିର ଆତ୍ମରକ୍ଷଣ ସ୍ୱଭାବ, ଭଗବାନଙ୍କର ଶାସନ କୌଶଳ । ରାକ୍ଷସପୁରୀ ଲଙ୍କାରେ ବିଭୀଷଣଙ୍କ ଜନ୍ମ ଓ ହିରଣ୍ୟକଶିପୁଙ୍କ ଔରସରେ ପ୍ରହ୍ଳାଦଙ୍କ ଆବର୍ଭାବର କାରଣ ଆଉ କ’ଣ ହୋଇ ପାରେ ? କଂସ କାରାଗୃହରେ ଭାଗିନେୟ ଶ୍ରୀକୃଷ୍ଣଙ୍କ ଜନ୍ମ ମଧ୍ୟ ସେହି ଏକ ନୀତିର ଅନ୍ୟତମ ଦୃଷ୍ଟାନ୍ତ ଅଟେ ।

 

କେତେ ଧର୍ମ ଗ୍ରନ୍ଥରେ ମନୁଷ୍ୟର ଶରୀର, ସୃଷ୍ଟିର ଗୋଟିଏ କ୍ଷୁଦ୍ର ସଂସ୍କରଣ ରୂପେ ଚିତ୍ରିତ ହୋଇଅଛି । ଏହିତ ଚିତ୍ରଣ ଦେବାସୁର ସଙ୍ଗ୍ରାମ ଦିଗରୁ ଅତି ସଙ୍ଗତ ବୋଲି ମନେ ହୁଏ । ଦେବ ଓ ଅସୁର ପ୍ରକୃତିର ଲୋକ ସବୁ ଯୁଗ ଓ ସବୁ ଦେଶରେ ବିଦ୍ୟମାନ । ରାବଣ, କୁମ୍ଭକର୍ଣ୍ଣ, ଜରାସନ୍ଧ, ଶିଶୁପାଳ ପରି ଦୁର୍ବୃତ୍ତ ପ୍ରକୃତିର ଲୋକେ ସୃଷ୍ଟିର ସବୁ ଯୁଗରେ ସେମାନଙ୍କର ଆସୁରୀ ପ୍ରଭାବ ଦେଖାଇ ଅଛନ୍ତି । କିନ୍ତୁ ସେମାନଙ୍କର ଦମନ ନିମନ୍ତେ, ସେମାନଙ୍କର ପ୍ରଭାବର ନିରାକରଣ ସକାଶେ ଯୁଗେ ଯୁଗେ ଶ୍ରୀରାମ ଶ୍ରୀକୃଷ୍ଣଙ୍କର ଆବିର୍ଭାବ ବରାବର ହୋଇଅଛି । ସବୁ ଯୁଗରେ ଧର୍ମ ସଙ୍ଗେ ଅଧର୍ମ, ସତ୍ୟ ସଙ୍ଗେ ଅସତ୍ୟ ଓ ପୁଣ୍ୟ ସଙ୍ଗେ ପାପର ଯୁଦ୍ଧ ଲାଗି ରହିଛି । ଏହି ଯୁଦ୍ଧ ସକାଶେ ସବୁବେଳେ ଆବଶ୍ୟକ ହୋଇଛି ଧରାତଳ ଭଗବାନଙ୍କର ଅବତରଣ । ଦ୍ୱାପର ଯୁଗରେ ଶେଷରେ ଶ୍ରୀକୃଷ୍ଣଙ୍କର ତିରୋଧାନ ହୋଇଥିଲା ସତ୍ୟ, ମାତ୍ର ସଞ୍ଜୟଙ୍କର ସେହି ଅମରବାଣୀ ଏବେ ମଧ୍ୟ ଘୋଷଣା କରୁଛି, ଯେଉଁଠାରେ ଯୋଗେଶ୍ୱର କୃଷ୍ଣ ଓ ଧନୁର୍ଦ୍ଧର ପାର୍ଥ ସେହିଠାରେ ଶ୍ରୀ ଓ ବିଜୟ ଧ୍ରୁବନିଶ୍ଚିତ ।

 

ମାନବ ହୃଦୟ ମଧ୍ୟ ଧର୍ମାଧର୍ମ ବା ଦେବାସୁର ଆହବର ଅନ୍ୟ ଏକ କୁରୁକ୍ଷେତ୍ର । ସେଠାରେ ମନୁଷ୍ୟତ୍ୱ ଓ ପଶୁତ୍ୱ, ଦେବତ୍ୱ ଓ ଅସୁରତ୍ୱ ମଧ୍ୟରେ ଯୁଦ୍ଧ ଚାଲେ । ଏହି ପରି ଯୁଦ୍ଧର ଅନ୍ତ ଥିଲା ପରି ଜଣାଯାଉଁ ନାହିଁ । ଅତି ପ୍ରଚ୍ଛନ୍ନଭାବେ ଶୟତାନ ଜଗିଥାଏ ମାନବକୁ ଆୟତ୍ତ କରିବ ବୋଲି । ଇଡ଼ନ ଉପବନରେ ସୃଷ୍ଟିର ପ୍ରାକ୍‌କାଳରେ ଏହି ସର୍ପର କରାଳ କବଳରେ ପତିତ ହୋଇ ଆଦିମ ମାନବ ଆଦାମ ପାପ ଅର୍ଜନ କରି ସେହି ପାପର ବୋଝ ତାହାର ବଂଶଧରମାନଙ୍କ ପାଇଁ ଛାଡ଼ି ଯାଇଛି । ମାତ୍ର ସମ୍ପୂର୍ଣ୍ଣ ବିକଶିତ ଯୀଶୁଙ୍କ ସମ୍ମୁଖରେ ସେହି ଶୟତାନ ପରାସ୍ତ ହେଲା । କେତେ ପ୍ରଲୋଭନ ଆଣି ସେ ମାନବ ଶିଶୁ ନିକଟରେ ସ୍ଥାପନ କଲା । କ୍ଷୁଧାତୁର ଯୀଶୁ କିନ୍ତୁ ସେଥିରେ ଆକୃଷ୍ଟ ନ ହୋଇ ଦେବୋପମ ଗୁଣରେ କହିଲେ, ‘‘Man lives not by bread alone ।’’ ମନୁଷ୍ୟ କେବଳ ରୁଟି ଖାଇ ବଞ୍ଚେନାହିଁ । ଅନ୍ନରେ କେବଳ ବଞ୍ଚିଗଲେ ମନୁଷ୍ୟର ଜୀବନଧାରଣ ସମ୍ପୂର୍ଣ୍ଣ ହୁଏ ନାହିଁ । ଅନ୍ନମୟ ପ୍ରାଣ ଅପେକ୍ଷା ମନୁଷ୍ୟର ଅନ୍ୟ ଏକ ମହତ୍ତର ପ୍ରାଣ ଅଛି, ଯାହାକୁ ସ୍ଥୂଳ ଅନ୍ନ ବଞ୍ଚାଇ ରଖି ନପାରେ । ସେହି ପ୍ରାଣର ଖାଦ୍ୟ ଆଧ୍ୟାତ୍ମିକ ଉପାଦାନରେ ପ୍ରସ୍ତୁତ ଅଟେ । ତାହାହିଁ ଅମୃତ । ମନ୍ଥନ ନ କଲେ ଦୁଧରୁ ଲହୁଣୀ ବାହାରେ ନାହିଁ । ସେହିପରି ମାନବ ପ୍ରାଣରେ ଦେବ ଓ ଅସୁରର ମନ୍ଥନ ନ ହେଲେ ଅମୃତତ୍ୱ ସେ ପାଇ ପାରେ ନାହିଁ । ମନ୍ଥନର ଏକ ସମୟରେ ବିଷର ଉଦ୍‌ଗୀରଣ ନିଶ୍ଚିତ ଅଟେ । ମାତ୍ର ଏହି ବିଷହରଣ ସକାଶେ ସର୍ବଦା ମଙ୍ଗଳମୟ ଶିବ ଜାଗ୍ରତ । ବିଷପାନର ଦାୟିତ୍ୱ ନୀଳକଣ୍ଠ ନିଜେ ବହନ କରିଛନ୍ତି । ମୋହିନୀରୂପେ ଅମୃତବଣ୍ଟନ ବ୍ୟବସ୍ଥା ମଧ୍ୟ ଭଗବାନଙ୍କର ଅନ୍ୟ ଏକ ଦାୟିତ୍ୱ । ମନୁଷ୍ୟର ଏକମାତ୍ର କର୍ତ୍ତବ୍ୟ ବାସୁକୀ ସାହାଯ୍ୟରେ ସମୁଦ୍ର ମନ୍ଥନ ।

 

ବୁଦ୍ଧଦେବଙ୍କ ବୋଧି ଲାଭର ପୂର୍ବ ଅବସ୍ଥା ଠିକ୍‌ ଏହି ଦେବାସୁର ଯୁଦ୍ଧ ପରି । ମର ଆସି ତାଙ୍କ ତପସ୍ୟା ଭାଙ୍ଗିବା ପାଇଁ ବହୁତ ଚେଷ୍ଟା କଲା, ମାତ୍ର ବୁଦ୍ଧଦେବ ଅଟଳ ଓ ସ୍ଥିର ରହି ତାହାର ସକଳ ଚେଷ୍ଟାକୁ ପଣ୍ଡ କରିଦେଲେ । ଅହରହ ମନୁଷ୍ୟକୁ ତାହାର ଅନ୍ତରର ଓ ବାହାରର ଶତ୍ରୁମାନଙ୍କ ସହ ଲଢ଼େଇ କରିବାକୁ ହୋଇଥାଏ । ସେହି ଲଢ଼େଇରେ ଜିତିଲେ ସେ ହୁଏ ଦେବତା, ହାରିଲେ ସେ ହୁଏ ରାକ୍ଷସ ବା ପଶୁ ।

 

ମନୁଷ୍ୟ ଯଦି ଦେବତା ହେବା ସମ୍ଭବ, ତେବେ ଏହି ମାନବ ଅଧ୍ୟୁଷିତ ଜଗତ ଦେବଭୂମି ହେବା ଅସମ୍ଭବ ନୁହେଁ । ଏହି ମାନବୀୟ ଜଗତହିଁ ଭଗବତ୍ ଲୀଳାର ଉତ୍କୃଷ୍ଟ କ୍ଷେତ୍ର । ମାନବ ହୃଦୟହିଁ ଅନ୍ତର୍ଯ୍ୟାମୀଙ୍କର ଶ୍ରେଷ୍ଠ ଆସନ । ଏହି ଆସନରେ ବସାଇ ସେ ଭଗବାନଙ୍କୁ କହିଛି, ‘‘ତୁମ୍ଭେ ଏହି ହୃଦୟରେ ସ୍ଥିତ ହୋଇ ମୋତେ ଯେଉଁଆଡ଼େ ଚଳାଇବ ମୁଁ ସେଇଆଡ଼େ ଚଳିବ ।’’ ସ୍ୱର୍ଗ, ବୈକୁଣ୍ଠ, ଗୋଲକ ବୋଲି କୌଣସି ଏକ ନିର୍ଦ୍ଦିଷ୍ଟ ଭୌଗଳିକ ଦେଶ ସୃଷ୍ଟିର କେଉଁ କୋଣରେ ବିଦ୍ୟମାନ ବୋଲି ମନେ ହୁଏ ନାହିଁ । ଭଗବତ୍‌ ଧାମର ସୃଷ୍ଟି ଏହି ଆକାଶ ତଳେ, ଏହି ଧରାବକ୍ଷରେହିଁ ହୋଇଥାଏ । ଇହ ସଂସାରରେ ହିଁ ଧର୍ମପ୍ରତିଷ୍ଠା ସକାଶେ ଭଗବଦାବତାରର ଆବଶ୍ୟକ ହୋଇ ଥାଏ । ଏହି ଧର୍ମପ୍ରତିଷ୍ଠା କାର୍ଯ୍ୟ ଅହରହ ଅବିରାମ ଭାବେ ପ୍ରତି ମୁହୂର୍ତ୍ତ ଚାଲିଥାଏ । ଐହିକ ସଂସାର ପ୍ରତି ବୀତଶ୍ରଦ୍ଧ ହେବା ଏହି କାର୍ଯ୍ୟରେ ଆବଶ୍ୟକ ହୁଏ ନାହିଁ; ବରଂ ନିଜ କର୍ତ୍ତବ୍ୟରେ ଅବହେଳା ଦ୍ୱାରା କାର୍ଯ୍ୟରେ ବିଘ୍ନ ଘଟେ । ସଂସାରରେ ଧର୍ମ ପ୍ରତିଷ୍ଠା ରୂପ ଯୁଦ୍ଧର ସେନାପତି ଅଟନ୍ତି ସ୍ୱୟଂ ଭଗବାନ ଓ ମନୁଷ୍ୟ ମାତ୍ରେ ତାଙ୍କ ବାହିନୀର ସୈନିକ । ସେନାପତିଙ୍କ ଆଦେଶପାଳନ ସୈନିକର ଏକ ମାତ୍ର କର୍ତ୍ତବ୍ୟ । ଧର୍ମକ୍ଷେତ୍ର କୁରୁକ୍ଷେତ୍ର ଯୁଦ୍ଧରେ ଅର୍ଜ୍ଜୁନଙ୍କୁ ଏହି ଶେଷ ଉପଦେଶ ଦିଆଯାଇଥିଲା, ‘‘ସବୁ ଧର୍ମ ତ୍ୟାଗ କରି ମୋଠାରେ ଶରଣ ନିଅ ।’’ ସଂଗ୍ରାମରୁ ବିରତ ହେବା ସୈନିକର କର୍ତ୍ତବ୍ୟ ନୁହେଁ ।

 

ଶ୍ରୀମଦ୍‌ ଭଗବତ୍‌ ଗୀତା ଉପନିଷଦ ଗ୍ରନ୍ଥର ସାର ଅଟେ । କେବଳ ଗୋଟିଏ କୁରୁ ପାଣ୍ଡବ ଯୁଦ୍ଧ ସକାଶେ ଏହା ଉଦ୍ଦିଷ୍ଟ ହୋଇନାହିଁ । ଚିରନ୍ତନ ଦେବାସୁର ଯୁଦ୍ଧରେ ଯୋଗଦେବା ପାଇଁ ଗୀତା ଅଟେ ମନୁଷ୍ୟର ସର୍ବୋତ୍କୃଷ୍ଟ ଉପଦେଶ । ଗୀତା ଅଟେ ଏହି ଚିରନ୍ତନ ସତ୍ୟର ଚିରନ୍ତନ ଅଭିବ୍ୟକ୍ତ-। ଏପରି ସତ୍ୟର ଆକାର ପ୍ରକାର ଅବସ୍ଥା ବିଶେଷରେ ପରିବର୍ତ୍ତନଶୀଳ । ସବୁ ଯୁଗରେ ଅର୍ଜ୍ଜୁନଙ୍କର ସନ୍ଦେହ ଶ୍ରୀକୃଷ୍ଣଙ୍କ ଦ୍ୱାରା ଦୂରୀଭୂତ ହୁଏ । ମାତ୍ର ନାମ ଓ ରୂପ ବଦଳି ଥାଏ । କାରଣ ସତ୍ୟ ଏକ ହେଲେ ସୁଦ୍ଧା ତାହାର ଅଭିବ୍ୟକ୍ତି ହୁଏ ଦେଶ କାଳ ପାତ୍ରାନୁସାରେ ବିଭିନ୍ନ ରୂପରେ । ତାହା କେଉଁ ଠାରେ Sermon on the Mount ରୂପରେ ପ୍ରକାଶ ପାଏ, କେଉଁଠାରେ ରାମାନନ୍ଦ ଚୈତନ୍ୟଙ୍କ ମିଳନ ଓ କଥୋପକଥନରୂପେ ଦେଖାଦିଏ, ଅନ୍ୟ କେଉଁଠାରେ ଗାନ୍ଧିକୃତୀ ବା ରବୀନ୍ଦ୍ର ରଚନାରେ ରୂପାନ୍ତର ପାଏ । ଆକାରଗତ ପାର୍ଥକ୍ୟ ମୂଳ ସତ୍ୟର ଅପଳାପ କରେ ନାହିଁ । ଏହି ତତ୍ତ୍ୱ ବୁଝିଲେ ମାନବର ସାମ୍ପ୍ରଦାୟିକ ସଂକୀର୍ଣ୍ଣତା ଦୂର ହୁଏ । ଏହି ସତ୍ୟ ଉପଲବ୍‌ଧି କରି ମନୁଷ୍ୟ ତାହାର ଦୀର୍ଘ ସଂଚିତ ସଂକୀର୍ଣ୍ଣ ମାନସିକତାରୁ ଉଦ୍ଧାର ପାଏ । ସତ୍ୟ ଏକ । ଏହି ସତ୍ୟ ନିଖିଳ ସତ୍ୟ ସହିତ ମିଳିତ ହୁଏ । ଯାହା ଏପରି ହୋଇ ନପାରେ ତାହା ସତ୍ୟ ନୁହେଁ, ମିଥ୍ୟା । ବିଶ୍ୱମାନବିକତା ସଙ୍ଗେ ପ୍ରକୃତ ସତ୍ୟ ସମତୁଲ୍ୟ ଅଟେ ।

 

ଜଗତ ଭଗବାନଙ୍କର କର୍ମାଗାର (Work shop) । ତାଙ୍କର ସମସ୍ତ କାର୍ଯ୍ୟକଳାପ ଏହି ଜଗତରେ କେବଳ ହୁଏ । ସେହି କର୍ମାଗାରର ପ୍ରଧାନ ସଚିବ ଅଟେ ମନୁଷ୍ୟ । ଭଗବାନଙ୍କର ଇଙ୍ଗିତରେ ସେ ତାଙ୍କରି କାର୍ଯ୍ୟ କରିଯାଏ । ଭଗବାନ ଏହି ବିଚିତ୍ର ବିଶ୍ୱର ବିନ୍ଧାଣୀ । ତାଙ୍କର ଶକ୍ତିର କୌଣସି ଅଭାବ ନାହିଁ, ତଥାଚ ମନୁଷ୍ୟକୁ ବାଦ୍‌ ଦେଇ ସେ ତାଙ୍କର ସୃଷ୍ଟିକ୍ରିୟା ଚଳାଇଲା ପରି ଜଣାଯାଏ ନାହିଁ । ମନୁଷ୍ୟ ବିନା ସେ ତାଙ୍କର କାର୍ଯ୍ୟକଳାପ କରିବାକୁ ଯେପରି ପ୍ରସ୍ତୁତ ନୁହନ୍ତି । ଏହା ତାଙ୍କର ମନୁଷ୍ୟଠାରେ ଅସୀମ ଦୟା । ପରମ କାରୁଣିକ ସେ । ତାଙ୍କ କରୁଣାର ଭାଜନ ହେବା ପାଇଁ ମନୁଷ୍ୟର ଅନବରତ ଚେଷ୍ଟା ନିତାନ୍ତ ଆବଶ୍ୟକ । ମନୁଷ୍ୟ ନିଜେ ଜାଣେ ତାହାର ଦୁର୍ବଳତା ଓ ଅଭାବ । ଏହି ଅଜ୍ଞାନତାର ଜ୍ଞାନ ମାନବ ଜାତିର ଗୋଟିଏ ବିଷିଷ୍ଟ ଗୁଣ । କଥିତ ଅଛି, ପ୍ରଥିତଯଶା ବୈଜ୍ଞାନିକ ସାର ଆଇଜାକ୍‌ ନ୍ୟୂଟନ କହିଥିଲେ ଯେ ସେ ଜ୍ଞାନ ସମୁଦ୍ର ତୀରରେ କେତେ ଉପଳ ଖଣ୍ଡ ମାତ୍ର ସଂଗ୍ରହ କରିଅଛନ୍ତି । ମନୁଷ୍ୟର ଜୈବ ପ୍ରକୃତି ଓ ଆଧ୍ୟତ୍ମିକ ପ୍ରକୃତି (Biological and spiritual) ଉଭୟେ ଏକା ସମୟରେ ତାହାର ମନକୁ ଅଧିକାର କରବାକୁ ଚେଷ୍ଟା କରନ୍ତି । କାରଣ ତାହାର ଜୀବନ ପାଶବିକ ଓ ଆଧ୍ୟାତ୍ମିକ ଦୁଇଟି ଉପାଦାନରେ ଗଠିତ । ମ୍ୟାଡ଼ାମ ସୋଫିଆ ଉଆଦିଆ କହିଲା ପରି Man has a lower animal nature. Imperfection is therefore stamped on the clay of which man's body is formed." ଏହି ସତ୍ୟଟିକୁ ମନୁଷ୍ୟ ଭୁଲି ପାରେ ନାହିଁ । ମାତ୍ରତା ସଙ୍ଗେ ସଙ୍ଗେ ନିଜ ଜୀବନରେ ଦେବତ୍ୱ ପ୍ରତିଷ୍ଠା କରିବାରେ ସେ ଅବହେଳା କରେ ନାହିଁ । ‘‘The first necessary step is to recognise the existence of the latent perfection as well as the activity of the enveloping imperfection.

 

ଐଶ୍ୱରିକ ସଙ୍ଗୀତର ମୂର୍ଚ୍ଛନା ମାନବ ପ୍ରାଣର ସର୍ବଦା ବିଦ୍ୟମାନ । ମାତ୍ର ଏହି ଶରୀର ରୂପ ମୃତ୍ତିକା ଆଧାର ହେତୁ ଆମ୍ଭେମାନେ ଏହା ବିଷଦ ଭାବେ ଶୁଣି ପାରି ନଥାଉଁ । ଭୌତିକତାର ପ୍ରାଧାନ୍ୟକୁ କମାଇ ପାରିଲେ ମାନବ ଜୀବନ ସେହି ଅମୃତମୟ ସଙ୍ଗୀତର ଝଙ୍କାରରେ ଝଂକୃତ ହୁଏ । ସେକ୍‌ସପିୟର ତାଙ୍କର ଗୋଟିଏ ନାଟକରେ ଏହି ଭାବଟିକୁ ବୁଝାଇବାକୁ ଯାଇ କହି ଅଛନ୍ତି–

 

Such harmony is in immortal souls’

But while this muddy vesture of delay

Doth grossly close it in, we cannot hear it.

 

ଗାନ୍ଧିଜୀଙ୍କ ଚରିତ୍ରଗତ ପବିତ୍ରତା ସର୍ବଜନସମ୍ମତ । ତାଙ୍କ ପରି ଜଣେ ମହାତ୍ମା ପୁରୁଷ ମଧ୍ୟ ଜୈବ ଆବରଣରୁ ମୁକ୍ତ ନୁହନ୍ତି । ସେ ନିଜେ ତାହା ସ୍ୱୀକାର କରିଛନ୍ତି ଓ ସେପରି ସ୍ୱୀକୃତିହିଁ ତାଙ୍କର ଆଧ୍ୟାତ୍ମିକ ଶକ୍ତିର ପରିଚୟ ଦେଉଛି । ସେ ଥରେ କହିଥିଲେ–

 

I am painfully conscious of my imperfection and there in lies all the strength I possess, because it is a rarehing for man to know his own limitations.

 

ଆମ୍ଭର ବଳରେ ଆମ୍ଭେମାନେ ଦୁର୍ବଳ ମାତ୍ର, ଭଗବାନଙ୍କ ଶକ୍ତି ଆମ୍ଭମାନଙ୍କୁ ସବଳ କରି ରଖିଅଛି ।

 

ଏହି ଜଗତରେ, ଏହି ଜୀବନରେ ଭଗବତ୍‌ କାର୍ଯ୍ୟ ନକରି, ଆଧ୍ୟତ୍ମିକ ସାଧନାରେ ବ୍ରତୀ ନହୋଇ ପରବର୍ତ୍ତୀ ଜୀବନରେ ସେପରି କାର୍ଯ୍ୟ କରିବାକୁ ଯେ’ ଭାବେ ସେ ଗୋଟିଏ ମସ୍ତବଡ଼ ଭୁଲ କରେ ଓ ପରିଶେଷରେ ସେ ନିରାଶ ହୋଇ ତାହାର ଭୁଲ ପାଇଁ ଅନୁତାପ କରେ । ଧର୍ମ-ସଂଚୟ ଏହି ଜଗତରେ, ଏହି ଜୀବନରେହିଁ ହୁଏ । କୁରୁକ୍ଷେତ୍ରକୁ ଏହି ଅର୍ଥରେ ଧର୍ମ କ୍ଷେତ୍ର ଆଖ୍ୟା ଦିଆଯାଇଛି । କବୀର କହିଛନ୍ତି, ‘‘ଜୀବିତ ଅବସ୍ଥାରେ ତୁମ୍ଭର ବନ୍ଧନ ମୁକ୍ତ ନହେଲେ, ମୃତ୍ୟୁ ପରେ ତୁମ୍ଭେ ମୁକ୍ତି ପାଇବାକୁ କିପରି ଆଶା କରିବ ? ଶରୀରରୁ ଆତ୍ମା ଚାଲିଯିବା ମାତ୍ରେ ଭଗବାନଙ୍କ ସଙ୍ଗେ ମିଳିତ ହୋଇଯାଏ ନାହିଁ । ଏପରି ଭାବନା ଓ ଆଶା ସ୍ୱପ୍ନ ସମ ଅଳୀକ । ଏତେବେଳେ ଯଦି ତୁମ୍ଭେ ଭଗବାନଙ୍କୁ ପାଇଛ, ସେତେବେଳେ ମଧ୍ୟ ତୁମ୍ଭେ ତାଙ୍କୁ ପାଇପାରିବ । ନଚେତ୍‌ ମୃତ୍ୟୁ ନଗରହିଁ ତୁମ୍ଭର ଏକମାତ୍ର ଗନ୍ତବ୍ୟ ସ୍ଥଳ ହେବ । ଏହି ଜୀବନହିଁ ଧର୍ମ ସଂଗ୍ରାମର ପ୍ରକୃଷ୍ଟ କ୍ଷେତ୍ର । ସେହି ଯୁଦ୍ଧର ସେନାପତି ଅଟନ୍ତି ସ୍ୱୟଂ ଭଗବାନ ଓ ମନୁଷ୍ୟ ମାତ୍ରେ ଅଟେ ତାଙ୍କର ସୈନିକ ।’’

 

ଭଗବଦ୍‌ ଆଲୋକହିଁ ମାନବ ହୃଦୟକୁ ଉଜ୍ଜ୍ୱଳ କରେ । ସାଂସାରିକ ଅନ୍ଧକାର ଦୂର କରିବା ମନୁଷ୍ୟର ଗୋଟିଏ ପ୍ରଧାନ କର୍ତ୍ତବ୍ୟ । ନିଜେ ଭଗବାନଙ୍କଠାରୁ ସେହି ଦିବ୍ୟ ଆଲୋକ ଲାଭ କରି ଅନ୍ୟକୁ ଦେବାକୁ ସେ ସର୍ବଦା ତତ୍‌ପର । ବୁଦ୍ଧଦେବଙ୍କ ଧର୍ମ-ପ୍ରଚାର ଏହାର ପ୍ରକୃଷ୍ଟ ଉଦାହରଣ ଅଟେ ।

 

ମନୁଷ୍ୟତାର ଲକ୍ଷ୍ୟ ଦେବତ୍ୱପ୍ରାପ୍ତି । ଏହା ହୋଇପାରେ ସତ୍ୟ ଓ ପ୍ରେମର ସାହାଯ୍ୟରେ-। ବିଶ୍ୱପ୍ରୀତି ଦ୍ୱାରା ମନୁଷ୍ୟ ପରିଶେଷରେ କହିବାକୁ ସମର୍ଥ ହୁଏ–‘‘ମୁଁ ଓ ଭଗବାନ ଏକ ।’’ ଯୀଶୁ ସେହି କଥାହିଁ କହିଥିଲେ, ‘‘I and my father are one’’ । ଭକ୍ତିପୂର୍ଣ୍ଣ ଦ୍ୱୈତବାଦ ଓ ଜ୍ଞାନପୂର୍ଣ୍ଣ ଅଦ୍ୱୈତବାଦର ସେହି ଏକଲକ୍ଷ୍ୟ ‘‘ସୋଽହମ୍‌’’ ଅଟେ ମନୁଷ୍ୟର ପରମ ଉପଲବ୍‌ଧି । ତାହାହିଁ ମାନବ ଧର୍ମ, ତାହାହିଁ ମନୁଷ୍ୟତା ।

Image

 

ଅବତାର

 

ଅନାଦି ଅନନ୍ତ ନିରାକାର ଭଗବାନ ଅବତାର ରୂପରେ କିପରି ଆବଦ୍ଧ ହୁଅନ୍ତି ଏହା ଗଭୀର ଗବେଷଣାର ବିଷୟ । କେବଳ ମାନବ ରୂପେ ନୁହେଁ, ପଶ୍ୱାଦି ଆକାରରେ ମଧ୍ୟ ଭଗବାନ ରୂପ ପରିଗ୍ରହ କରିଥିବା ବିଷୟ ପୁରାଣାଦି ଶାସ୍ତ୍ରରେ ଉକ୍ତ ହୋଇଅଛି । ମତ୍ସ୍ୟ, କୂର୍ମ, ବରାହ, ନୃସିଂହ ଏହାର କେତେ ଗୋଟି ଦୃଷ୍ଟାନ୍ତ ଅଟେ । ସୃଷ୍ଟି-ତତ୍ତ୍ୱ ସହିତ ଅବତାର ଗୁଡ଼ିକୁ ମିଳାଇ ଦେଖିଲେ ସେଗୁଡ଼ିକର ନିଗୂଢ଼ ସତ୍ୟ ଓ ନିହିତ ଅର୍ଥ ଉପଲବ୍‌ଧି ହୁଏ । ଜୀବ ବିଜ୍ଞାନ ଅନୁସାରେ ପ୍ରାଣୀର ପ୍ରଥମ ସୃଷ୍ଟି ଜଳରେ, ତାପରେ ଜଳ ଓ ସ୍ଥଳ ଉଭୟ ସ୍ଥାନରେ ଓ ପରିଶେଷରେ ସ୍ଥଳରେ । ଏହି ଦୃଷ୍ଟି-ପ୍ରକ୍ରିୟା ସଙ୍ଗେ ମତ୍ସ୍ୟ, କୂର୍ମ ବରାହାଦି ଅବତାର ବିଚାର କଲେ ଅବତାରବାଦର, ବୈଜ୍ଞାନିକ ସତ୍ୟ ସହଜେ ପ୍ରମାଣିତ ହୁଏ । ସୃଷ୍ଟିର ପ୍ରଥମ ମତ୍ସ୍ୟ, ପ୍ରଥମ କୂର୍ମ ଓ ପ୍ରଥମ ବରାହକୁ ମନୁଷ୍ୟ ଭଗବାନଙ୍କର ଆଖ୍ୟା ପ୍ରଦାନ କରି ବିଜ୍ଞାନବିରୁଦ୍ଧ ଧାରଣା କରି ନାହିଁ । ସୃଷ୍ଟି ଇତିହାସରୁ ଅର୍ବାଚୀନ ଜୀବ ମନୁଷ୍ୟ, ତା ଦେହର ପୂର୍ଣ୍ଣ ବିକାଶ ପୂର୍ବରୁ ଅର୍ଦ୍ଧମନୁଷ୍ୟ ଓ ଅର୍ଦ୍ଧସିଂହ ଆକାର ଧାରଣ କରିଥିଲା । ପରେ ସେ ସଂପୂର୍ଣ୍ଣ ବିକଶିତ ମାନବର ଗୋଟିଏ ଛୋଟ ରୂପ ଧରି ବାମନ ଆକାରରେ ପୃଥିବୀ ବକ୍ଷରେ ବିଚରଣ କରିବାକୁ ଲାଗିଲା । ଏପରି ବିଚାର ପ୍ରକୃତି ବିଜ୍ଞାନର ଅନୁକୂଳ ଅଟେ । ଏହା ବିବର୍ତ୍ତନବାଦର ଅନ୍ୟ ଏକ ସ୍ୱରୂପ । ପୁରାଣବର୍ଣ୍ଣିତ ଅବତାର କାହାଣୀଗୁଡ଼ିକ ପ୍ରଥମେ ପ୍ରକୃତି ବିଜ୍ଞାନ-ସମ୍ମତ । ମାତ୍ର ସେଗୁଡ଼ିକ କାଳକ୍ରମେ କପୋଳକଳ୍ପନା ବଳରେ ଏତେଦୂର ଅତିରଞ୍ଜିତ ହୋଇ ପଡ଼ୁଛି ଯେ ସେଗୁଡ଼ିକର ବୈଜ୍ଞାନିକ ମୂଳ ଏକ ପ୍ରକାର ଲୁପ୍ତପ୍ରାୟ ଓ ସେଗୁଡ଼ିକୁ ସତ୍ୟ ଘଟଣା ବୋଲି ବିଶ୍ୱାସ କରିବା କଷ୍ଟସାଧ୍ୟ । କିନ୍ତୁ ଅତିରଞ୍ଜିତ କବିକଳ୍ପନାକୁ ବାଦ୍‌ ଦେଲେ ଅବତାରବାଦର ବୈଜ୍ଞାନିକ ପୀଠ ସହଜେ ଜାଣିହୁଏ । ମାନବେତର ଜୀବ ରାଜ୍ୟରେ ଧର୍ମର ବିକାଶ କିପରି ହୁଏ, ଜାଣିବା ସହଜ ନୁହେଁ । ସେମାନଙ୍କ ମଧ୍ୟରେ ଜୀବନ ସଂଗ୍ରାମ ଓ ସବଳର ବିଜୟ ନୀତି ଏତେ ଦୂର ପ୍ରବଳ ଯେ କେତେ ଦୂର ଧର୍ମ ଭାବ, ନୈତିକ ବ୍ୟବହାର ଓ ଆଧ୍ୟାତ୍ମିକ ବିଚାର ପଶୁ ସମାଜକୁ ପ୍ରଭାବାନ୍ୱିତ କରେ ଜାଣିବାର ଉପାୟ ନାହିଁ । ତେଣୁ ପୁରାଣବର୍ଣ୍ଣିତ ଶଙ୍ଖାସୁର ନିଧନ, ହିରଣ୍ୟକଶିପୁ ବିଦାରଣ ଓ ହିରଣାକ୍ଷ ମରଣରେ କେତେ ଦୂର ସୃଷ୍ଟିରେ ଧର୍ମ ସଂସ୍ଥାପନ କାର୍ଯ୍ୟ ସମାହିତ ହୋଇଅଛି ତାହା ଠିକ୍‌ ଭାବେ କହି ହୁଏ ନାହିଁ । ମାତ୍ର ଏହି ସବୁ ପ୍ରକ୍ରିୟାରେ ଯେ ଭଗବାନଙ୍କର ହାତ ଅଛି ଏହା ନିଃସନ୍ଦେହ ।

 

ସୃଷ୍ଟିରେ ମାନବ ଜାତିର ଆବର୍ଭାବ ପୂର୍ବରୁ ଯେଉଁ ସବୁ ବିଭିନ୍ନ ଯୁଗ ଅତିବାହିତ ହୋଇଅଛି, ତାହାର କ୍ଷୀଣ ସାକ୍ଷ୍ୟ ଦିଅନ୍ତି ଏହି ସବୁ ବିଭିନ୍ନ ଅବତାର । ପ୍ରତ୍ୟେକ ଅବତାର ଯୁଗୋପଯୋଗୀ ଅଟେ । ବଙ୍ଗୀୟ କବି ନବୀନଚନ୍ଦ୍ର ଲେଖିଛନ୍ତି–

 

ମାନବେର ଦୁଇ ଯୁଗ;କିନ୍ତୁ ଜଗତେର

ଏହିରୂପେ କତଯୁଗ ଗିୟାଛେ ବହିୟା

କେ ବଲବେ ଭଗବାନ ? ଯୁଗ ଉପଯୋଗୀ

ଚରମ ଉନ୍ନତି ଅବତାରଣ ଯଖନ

ଘଟିୟାଛେ, ସେଇ ଯୁଗେର ସେଇ ଅବତାର ।

ପ୍ରଥମ ସଲିଳେ ମତ୍ସ୍ୟ, ଏଇ ନୀତି ବଲେ

ସଲିଳ ପଙ୍କିଲ ଯବେ, କର୍ମ ଅବତାର ।

ପଙ୍କ ଦୃଢ଼ତର ଯବେ ଆଚ୍ଛନ୍ନ ଉଦ୍‌ଭିଦେ

ହଇଲ ବରାହ ସୃଷ୍ଟି., ପ୍ରାଣୀର ଶୃଂଖଲ

କ୍ରମଶଃ ଉନ୍ନତି ଚକ୍ରେ ହୟ ଦୀର୍ଘତର ।

ନରସିଂହ ଅବତାର, ବିସ୍ମୟ ମୂରତି

ଅର୍ଦ୍ଧ ପଶୁ ଅର୍ଦ୍ଧ ନର ! କ୍ରମେ ପଶୁଭାଗ

ତିଲତିଲ ଯୁଗେ ଯୁଗେ ହଇୟା ଅନ୍ତର

ବିକୃତ ମାନବ ମୂର୍ତ୍ତି ଜନ୍ମିଲ ବାମନ,

ତିନି ପାଦ ଭୂମି ନାହିଁ ମିଲିଲ ତାହାରେ,

ଜଗତ ଅରଣ୍ୟମୟ, ହିଂସ୍ରଜନ୍ତୁ ବାସ ।

 

ସୃଷ୍ଟିତତ୍ତ୍ୱ ସମ୍ବନ୍ଧେ ଅର୍ବାଚୀନତମ ଜୈବିକ ସିଦ୍ଧାନ୍ତ ସହିତ ଉଲ୍ଲିଖିତ ପଂକ୍ତିଚୟର ସାମଞ୍ଜସ୍ୟ ପାଠକେ ହୃଦୟଙ୍ଗମ କରିବା ଆବଶ୍ୟକ । ହିନ୍ଦୁମାନେ ମାଛକୁ, କଇଁଚକୁ ପୂଜା କରି ଭଗବାନଙ୍କୁ ପୂଜା କରନ୍ତି ନାହିଁ–ଏପରି ସମାଲୋଚନା ବିଜ୍ଞାନସମ୍ମତ କିମ୍ବା ତତ୍ତ୍ୱନିହିତ ନୁହେଁ । ତାହା ଗଭୀର ଆଲୋଚନାର ପରିଚୟ ଦିଏ ନାହିଁ । ଛବିଳ ସୃଷ୍ଟିର ଅଳୀକ କାହାଣୀ ପ୍ରକୃତି-ବିଜ୍ଞାନ ପଣ୍ଡିତ ଡାରଉଇନ ବହୁ ବର୍ଷ ପୂର୍ବେ ଅବୈଜ୍ଞାନିକ ବୋଲି ପ୍ରତିପାଦିତ କରିଅଛନ୍ତି । ତାଙ୍କ ଆବିଷ୍କୃତ କ୍ରମବିକାଶ ନୀତି ସଙ୍ଗେ ଅବତାରବାଦ ଅନେକ ଅଂଶରେ ସମାନ ଅଟେ । ଏହି ବିଭିନ୍ନ ଅବତାର ଚୟ, ସୃଷ୍ଟିରେ ମାନବ ଜାତିର ଆବିର୍ଭାବ ପୂର୍ବରୁ ସୃଷ୍ଟି-ଇତିହାସର ଅତି କ୍ଷୁଦ୍ର ଓ ଅତି ନୂତନ । ସର୍ବଶ୍ରେଷ୍ଠ ଜୀବ ହେଲେ ମଧ୍ୟ ମାନବ ସର୍ବଶେଷ ଜୀବ ଅଟେ । ସେ ନିଜକୁ ଐତିହାସିକ ବୋଲି ଗର୍ବ କରେ । ମାତ୍ର ତାହାର ଇତିହାସ ସୃଷ୍ଟି-ଇତିହାସ ତୁଳନାରେ ଅଣୁ ପରମାଣୁ ସଙ୍ଗେ ସମାନ ହେବକି ନାହିଁ ସନ୍ଦେହଜନକ ଅଟେ । ଗର୍ବାନ୍ଧ ମାନବ ଏହି ସୃଷ୍ଟି ପ୍ରବାହର ଅନାଦିଧାରା ପ୍ରତି ଦୃଷ୍ଟି ନିକ୍ଷେପ ନ କରି ନିଶ୍ଚିନ୍ତ ହୁଏ । ମାତ୍ର ଏହି ନିଶ୍ଚିନ୍ତ ମାନସିକତା ତାହାର ମୂଢ଼ତାର କେବଳ ପରିଚୟ ଦିଏ । ପୃଥିବୀର ବିବର୍ତ୍ତନ ଇତିହାସ କଥା ଚିନ୍ତା କଲେ ଜଗତର ପ୍ରୟୋଜନାନୁସାରେ ବିଭିନ୍ନ ଯୁଗରେ ବିଭିନ୍ନ ଅବତାରର ଆବଶ୍ୟକତା ଜଣାଯାଏ । ମତ୍ସ୍ୟାଦି ଅବତାର ଦ୍ୱାରା ସେହି ବିବର୍ଦ୍ଧମାନ ପ୍ରାଣଧାରାର ଗୋଟିଏ ଗୋଟିଏ ଭାଗ ବା ଯୁଗ ସୂଚିତ ହୁଏ । ଏହି ପୃଥିବୀର ସୃଷ୍ଟି ଓ ପ୍ରଳୟର ଇୟତ୍ତା ନାହିଁ । ସୃଷ୍ଟି ପରେ ପ୍ରଳୟ ଓ ପ୍ରଳୟ ପରେ ସୃଷ୍ଟି ଯୁଗ ଯୁଗ ଧରି ଅବିରାମ ଧାରାରେ ଚାଲିଅଛି । ପ୍ରଳୟରୁ ଉଦ୍ଧାର କରି ପୁନର୍ବାର ସୃଷ୍ଟି କରିବା ଭାର ସ୍ୱୟଂ ସୃଷ୍ଟିକର୍ତ୍ତାଙ୍କର ଅଟେ । ଏହି ସୃଷ୍ଟି ପ୍ରଳୟର ଇତିହାସ ଅଟେ ଅବତାରତତ୍ତ୍ୱର ମୂଳଭିତ୍ତି ।

 

ଏହି ମାନବେତର ଅବତାର ସହିତ ସମ୍ୱନ୍ଧ ରଖି ଜୀବତତ୍ତ୍ୱ ଓ ଭୂତତ୍ତ୍ୱ ବ୍ୟାଖ୍ୟାନ କରାଯାଇ ପାରେ । ଯଥା–

 

‘‘ପୃଥିବୀ ପ୍ରଳୟ ଜଳରେ ନିମଗ୍ନ । ଏହାକୁ ମତ୍ସ୍ୟଯୁଗ ବୋଲାଯାଏ । ସେହେତୁ ଏହି ଯୁଗର ଅବତାର ମତ୍ସ୍ୟ । ମତ୍ସ୍ୟ ଯୁଗ ପରେ ସରୀସୃପ ଯୁଗ । ପ୍ରଳୟ ସଲିଳରେ ସ୍ଥାନେ ସ୍ଥାନେ ସ୍ଥଳ ଉପରକୁ ଉଠିଅଛି ଏବଂ ପ୍ରାଣ ଧାରାମତ୍ସ୍ୟ ଶରୀର ଉତ୍ତୀର୍ଣ୍ଣ ହୋଇ ସରୀସୃପରେ ବିବର୍ତ୍ତିତ ହୋଇଅଛି । ସରୀସୃପ ଉଭୟଚର ଜୀବ; ତାହାର ପ୍ରତିଭୂ କୂର୍ମ ।’’

 

କୂର୍ମ ଅବତାର ସଙ୍ଗେ ସମୁଦ୍ର ମନ୍ଥନ କାହାଣୀ ବିଜଡ଼ିତ ଅଟେ । ସରୀସୃପ ଯୁଗ ପରେ ସ୍ତନ୍ୟପାୟୀ ଯୁଗ । ଏହି ଯୁଗରେ ସୃଷ୍ଟି-କାରିଗରଙ୍କ ଦ୍ୱାରା ବରାହ ମୂର୍ତ୍ତି ଗଠିତ । ବରାହ ପୃଥିବୀର ପ୍ରଥମ ସ୍ତନ୍ୟପାୟୀ ଜୀବ ଅଟେ ।

 

ବରାହ ଅବତାର ପରେ ଅର୍ଦ୍ଧ ମନୁଷ୍ୟ ଓ ଅର୍ଦ୍ଧ ପଶୁର ଅବତାର । ସର୍ବଶେଷରେ ପଶୁରୂପ ତ୍ୟାଗକରି ପୂର୍ଣ୍ଣ ମନୁଷ୍ୟ ଆକାରରେ ବାମନର ଆବିର୍ଭାବ । ଏହିଠାରେ ମାନବ ଇତିହାସର ପ୍ରଥମ ଯୁଗର ଆରମ୍ଭ । ଏହିପର୍ଯ୍ୟନ୍ତ ପୃଥିବୀ ବକ୍ଷରେ ମାନବର ପାଦ ପଡ଼ି ନଥିଲା । ତେଣୁ ଭଗବାନଙ୍କ ଅଭିବ୍ୟକ୍ତ ମାନବେତର ଜନ୍ତୁରୂପରେ ହେଉଥିଲା । କ୍ରମବିକାଶ ନିୟମର ବଶବର୍ତ୍ତୀ ହୋଇ ପ୍ରାଣଧାରା ମନୁଷ୍ୟରୂପ ଗ୍ରହଣ କଲା; ପୁଣି ସେହି ଦିନଠାରୁ ଭଗବତ୍‌ ଅଭିବ୍ୟକ୍ତି ନିମନ୍ତେ ନିକୃଷ୍ଟ ପ୍ରାଣୀର ଆବଶ୍ୟକତା ରହିଲା ନାହିଁ । ମାନବ ଯୁଗରେ ମନୁଷ୍ୟ ରୂପରେହିଁ ପୃଥିବୀ ବକ୍ଷରେ ଭଗବାନଙ୍କ ଅବତରଣ ସାଧିତ ହେଲା ।

 

ଏହି ମାନବ ପ୍ରାଣର ଆରମ୍ଭ ସଙ୍ଗେ ସଙ୍ଗେ ଦୁଇ ଦିଗରେ ତାହାର ବିକାଶର ଚେଷ୍ଟା ଚାଲିଲା, ଗୋଟିଏ ଭୌତିକ ଓ ଅନ୍ୟଟି ଆଧ୍ୟାତ୍ମିକ । ଏହି ଚେଷ୍ଟାହିଁ ମାନବ ସଭ୍ୟତାର ମୂଳରେ ନିହିତ ଓ ଏହି ଚେଷ୍ଟାହିଁ ଆଜି ମନୁଷ୍ୟକୁ ପଶୁଠାରୁ ପୃଥକ୍‌ କରି ରଖି ପାରିଅଛି । କ୍ଷୁଧା ତୃଷା ମେଣ୍ଟାଇବାକୁ ଯାଇ ଯେତେବେଳେ ମନୁଷ୍ୟ ତାହାର ଭୌତିକ ଶରୀର ଧାରଣର ଆବଶ୍ୟକୀୟ ଉପାୟ କରିସାରିଲା, ସେତେବେଳେ ସେ ତାହାର ପ୍ରାଣରେ ଆଧ୍ୟାତ୍ମିକ ଅଭାବ ଅନୁଭବ କରିବା ଆରମ୍ଭ କଲା । ଏହି ଅନୁଭବ ଫଳରେ ସେ ଆତ୍ମାର ଅନୁସନ୍ଧାନରେ ବ୍ରତୀ ହେବାକୁ ଲାଗିଲା । ସେତେବେଳେ ସେ ଉପଲବ୍‌ଧି କଲା, ରକ୍ତ ମାଂସର ଶରୀର ବ୍ୟତୀତ ଦୃଷ୍ଟିର ଅନ୍ତରାଳରେ ତାହାର ଅନ୍ୟ ଏକ ଶରୀର ବିଦ୍ୟମାନ, ଯାହାର ଭରଣପୋଷଣ ନିମନ୍ତେ ଭୌତିକ ଅନୁପଯୋଗୀ-। ତେଣୁ ସେ ଆଧ୍ୟାତ୍ମିକ ଖାଦ୍ୟାନୁସନ୍ଧାନରେ ବ୍ରତୀ ହେଲା । ଏହିଠାରେ ମନୁଷ୍ୟ ଜୀବନର ସାର୍ଥକତା ରହିଅଛି । ମାନବ ଜୀବନ କେବଳ କେତେ ଜଡ଼ ପଦାର୍ଥର ସମଷ୍ଟି ନୁହେଁ କିମ୍ବା ଇନ୍ଦ୍ରିୟଯୁକ୍ତ ଶରୀରରେ ଆବଦ୍ଧ ନୁହେଁ । ସେ ତାହାର ଭୌତିକ ରୂପ ଓ ଆକାରରେ ବହୁ ଊର୍ଦ୍ଧ୍ୱରେ ଅବସ୍ଥିତ । ଭଗବାନ ଯେତେବେଳେ ମାନବ ହୃଦୟରେ ସଂସ୍ଥାନ କରନ୍ତି ସେତେବେଳେ ସେ ତାଙ୍କର ଅବତାର । ତେବେ ତାଙ୍କର ବିଶିଷ୍ଟ ଅବତାରର ଆବଶ୍ୟକତା କେଉଁଠାରେ ? ସେ ସୃଷ୍ଟିର କର୍ତ୍ତା, ଜଗତର ମୂଳାଧାର, ସେ ସର୍ବଅନ୍ତର୍ଯ୍ୟାମୀ ଓ ସର୍ବକାଳ ସ୍ଥିତ । ତେବେ ସେ ଗୋଟିଏ ଶରୀରରେ ଆବଦ୍ଧ ହୋଇ ପାରନ୍ତି କିପରି ? ଜନ୍ମରହିତ ଅନାଦିଙ୍କର ଜନ୍ମ ଓ ମୃତ୍ୟୁଞ୍ଜୟଙ୍କର ମରଣ ହୁଏ କିପରି ? ‘‘ଯେ ସୃଷ୍ଟି, ସ୍ଥିତି ପ୍ରଳୟର ଅଧିନାୟକ, ଯେ ବିରାଟ ବିଶ୍ୱ ମଧ୍ୟବର୍ତ୍ତୀ ଅନନ୍ତକୋଟି ବ୍ରହ୍ମାଣ୍ଡର ଅଧିପତି, ଯେ ହର୍ତ୍ତା, କର୍ତ୍ତା, ବିଧାତା, ସେହି ସର୍ବେଶ୍ୱର ମହେଶ୍ୱର ଯେ ଗୋଟିଏ କ୍ଷୁଦ୍ର ଗ୍ରହମଣ୍ଡଳ ମାଟିରେ ତାଙ୍କର ସମଗ୍ରତାକୁ ନିମଜ୍ଜିତ କରି, ତୁଚ୍ଛ ମନୁଷ୍ୟର ବିଦ୍ରୂପ ଓ ବିଡ଼ମ୍ବନା, ତାଡ଼ନା ଓ ଲାଞ୍ଛନାର ଭାଗ ହେବେ ଏହା ଆମ୍ଭମାନଙ୍କ ଧାରଣାର ଅତୀତ ।’’ (ହୀରେନ୍ଦ୍ରନାଥ ଦତ୍ତ)

 

ଦୟାନନ୍ଦ ସରସ୍ୱତୀକୃତ ସତ୍ୟର୍ଥପ୍ରକାଶରେ ଲେଖା ଅଛି, ‘‘ଯେଉଁ ଈଶ୍ୱର ବିନା ଶରୀରରେ ଜଗତର ଉତ୍ପତ୍ତି, ସ୍ଥିତି ଏବଂ ପ୍ରଳୟ କରିପାରନ୍ତି, ତାଙ୍କ ସମ୍ମୁଖରେ କଂସ ରାବଣାଦି ଅସୁରମାନେ ଗୋଟିଏ ଗୋଟିଏ କୀଟସଦୃଶ ମଧ୍ୟ ନୁହନ୍ତି । ଈଶ୍ୱର ସର୍ବବ୍ୟାପକ ହେବା ହେତୁ କଂସ ରାବଣାଦି ଶରୀରରେ ମଧ୍ୟ ରହିଅଛନ୍ତି । ସୁତରାଂ ଯେତେବେଳେ ସେ ଇଚ୍ଛାକରନ୍ତି ସେତେବେଳେ ସେମାନଙ୍କୁ ବିନାଶ କରିପାରନ୍ତି । ଅନନ୍ତ ଗୁଣ, କର୍ମ ଓ ସ୍ୱଭାବଯୁକ୍ତ ପରମାତ୍ମା ଏକ କ୍ଷୁଦ୍ର ଜୀବକୁ ମାରିବା ସକାଶେ ନିଜେ ଗୋଟିଏ ଜନ୍ମମରଣ ଶରୀରଧାରଣ କରନ୍ତି–ଏହି କଥା ଯେଉଁମାନେ କହି ପାରନ୍ତି ସେମାନଙ୍କ ମୂର୍ଖତାର ପଟାନ୍ତର ନାହିଁ ।’’ ବେଦରେ ଅବତାର କଥା କେଉଁଠାରେ କୁହାଯାଇ ନାହିଁ । କିନ୍ତୁ ଉପନିଷଦ ସାର ଗୀତାରେ ‘‘ଯଦା ଯଦାହି ଧର୍ମସ୍ୟ’’ ଇତ୍ୟାଦି ଶ୍ଳୋକରେ ଅବତାରବାଦ ପ୍ରତିପାଦିତ ହୋଇଅଛି । ତେବେ କ’ଣ ଏହା ବେଦ ବିରୁଦ୍ଧ ? ଏହି ଶ୍ଳୋକଟିର ଆକ୍ଷରିକ ଅର୍ଥ ବେଦସମ୍ମତ ହୋଇ ନ ପାରେ । ମାତ୍ର ତାହାର ଗୂଢ଼ ଅର୍ଥ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ରାମକୃଷ୍ଣାଦି ଅବତାରମାନେ ଦୁଷ୍ଟ ଦଳନ ଓ ସନ୍ଥପାଳନ କରି ଧର୍ମ ସଂସ୍ଥାପନ କାର୍ଯ୍ୟ କରିଥିବା କଥା ପୁରାଣବର୍ଣ୍ଣିତ । ଏହି ଯୁଗ ପ୍ରବର୍ତ୍ତକ ବୀରପୁରୁଷଙ୍କ କାର୍ଯ୍ୟ ଯେ ଭଗବାନଙ୍କର ଅଭିପ୍ରେତ ଓ ନିର୍ଦ୍ଦିଷ୍ଟ ଏହା ବିଶ୍ୱାସ ନ କରିବା ପାଇଁ କୌଣସି କାରଣ ନାହିଁ । ପ୍ରତି ଯୁଗରେ ଯେତେବେଳେ ଧର୍ମର ପତନ ଘଟିଅଛି, ସେତେବେଳେ କୌଣସି ଏକ ମାନବର ନେତୃତ୍ୱରେ ଧର୍ମୋଦ୍ଧାର କାର୍ଯ୍ୟ ସମ୍ପାଦିତ ହୋଇଅଛି । ରବୀନ୍ଦ୍ରନାଥ ଠାକୁର ଏ ସମ୍ବନ୍ଧେ କହିଅଛନ୍ତି, ‘‘ଯେଉଁ ମହାପୁରୁଷଗଣ ମନୁଷ୍ୟର କାମନା କରିଅଛନ୍ତି, ସେମାନଙ୍କର ବାଣୀ ସମ୍ଭବାମି ଯୁଗେ ଯୁଗେ’’ । ସେମାନେ ଯୁଗେ ଯୁଗେ ଜନ୍ମ ଲାଭ କରିଅଛନ୍ତି । ଦେଶେ ଦେଶେ ସେମାନଙ୍କର ଆବର୍ଭାବ ହୋଇଅଛି । ଆଜି ଏହି ମୁହୂର୍ତ୍ତରେ ମଧ୍ୟ ସେମାନଙ୍କର ଜନ୍ମ ସମ୍ଭବି ଅଛି ଓ କାଲି ମଧ୍ୟ ସେମାନେ ଜନ୍ମ ଲାଭ କରିବେ । ଇତିହାସ ମଧ୍ୟ ଦେଇ ମନୁଷ୍ୟ ଯେତେବେଳେ ଅଗ୍ରସର ହୁଏ ଓ କହିବାକୁ ସମର୍ଥ ହୁଏ, ‘‘ସୋଽହମ୍‌’’, ‘‘I and my father are one’’ ସେତେବେଳେ ଜଣାଯାଏ ଅବତାରର ଆବିର୍ଭାବ । ପୂର୍ଣ୍ଣ ଆଦର୍ଶ ପ୍ରଦର୍ଶନ ଅବତାରର କାରଣ ଓ ପ୍ରମାଣ । ଆଦର୍ଶ ପୁରୁଷହିଁ ଅବତାର ରୂପେ ଖ୍ୟାତ । ରାମାୟଣ ଲେଖା ଆରମ୍ଭ କରିବାର ପୂର୍ବେ ବାଲ୍ମୀକି ନାରଦଙ୍କୁ ପ୍ରଶ୍ନ କଲେ, ‘‘ସମ୍ପ୍ରତି ଏହି ଲୋକରେ ଗୁଣବାନ୍‌ କିଏ ? ବୀର୍ଯ୍ୟବାନ କିଏ ? ଧର୍ମଜ୍ଞ କିଏ ? କୃତଜ୍ଞ କିଏ ? ସତ୍ୟବାଦୀ କିଏ ଏବଂ ଦୃଢ଼ବ୍ରତ କିଏ ?’’ ନାରଦ ଉତ୍ତର ଦେଲେ, ‘‘ଈକ୍ଷ୍ୱାକୁ ବଂଶ ସମ୍ଭୂତ ରାମଚନ୍ଦ୍ର ଏହି ସବୁ ଗୁଣରେ ଭୂଷିତ । ସେହି ଏହି ଲୋକରେ ଆଦର୍ଶ ପୁରୁଷ ।’’ ରାମଚନ୍ଦ୍ରଙ୍କୁ ମୁଖ୍ୟ କରି ବାଲ୍ମୀକି ତାଙ୍କର ରାମାୟଣ କାବ୍ୟ ରଚନା କଲେ । ଅବତାର ବର୍ଣ୍ଣନାରେ ଉପରୁ ତଳକୁ ଖସିବା, ଅପ୍ରପଞ୍ଚ ଦେଶରୁ ପ୍ରପଞ୍ଚକୁ ଅବତରଣ କରିବା ଇତ୍ୟାଦି କବିଙ୍କ ଉର୍ବର କଳ୍ପନା ମାତ୍ର । ମନୁଷ୍ୟରହିଁ ଅବତାର ହୁଏ । ଶ୍ରେଷ୍ଠମାନବହିଁ ପୂର୍ଣ୍ଣ ଦେବତ୍ୱ ପ୍ରାପ୍ତ ହୁଏ । ପୁଣି ରବୀନ୍ଦ୍ରନାଥ କହିଛନ୍ତି, ‘‘ନୀହାରିକାର ମହାକ୍ଷେତ୍ରରେ ଯେଉଁଠାରେ ଜ୍ୟେତିଷ୍କ ସୃଷ୍ଟ ହୁଏ, ସେଠାରେ ସମୟେ ସମୟେ ଗୋଟିଏ ଗୋଟିଏ ତାରା ଦେଖାଯାଏ । ସେଗୁଡ଼ିକ ସ୍ପଷ୍ଟ ଜଣାଇ ଦିଅନ୍ତି, ନୀହାରିକାର ବିରାଟ ଅନ୍ତରରେ ସୃଷ୍ଟିହୋମ ହୁତାଶନର ଉଦ୍ଦୀପନା । ସେପରି ମନୁଷ୍ୟର ଇତିହାସ କ୍ଷେତ୍ରରେ ସମୟେ ସମୟେ ମହାପୁରୁଷମାନେ ଦେଖା ଦିଅନ୍ତି । ସେମାନଙ୍କଠାରୁ ଏହି କଥାହିଁ ଜଣାଯାଏ ଯେ, ସମସ୍ତ ମାନବ ଜାତିର ଅନ୍ତରରେ ରହିଛି ଅଭିବ୍ୟକ୍ତିର ପ୍ରେରଣା । ତାହା ଭୂମାର ଅଭିବ୍ୟକ୍ତି ।’’ ଏହି ଅଭିବ୍ୟକ୍ତି ଯାହାଠାରେ ଥାଏ, ଯାହାଠାରେ ଏହି ଆଦର୍ଶ ଦୃଷ୍ଟ ସେ ସେହି ଯୁଗର ଅବତାର । ଅବତାରବାଦକୁ ମାନବପ୍ରାଣରେ ଦେବାବତରଣ ନ କହି ମନୁଷ୍ୟର ଦେବତ୍ୱାରୋହଣ ବୋଲି କୁହାଯାଇ ପାରେ ।

 

ଭାଗବତାଦି ପୁରାଣରେ ୬୪ ଗୋଟି ଅବତାରର ଉଲ୍ଲେଖ ଥିଲେ ସୁଦ୍ଧା ଜୟଦେବ ଗୋସ୍ୱାମୀଙ୍କ ସମୟକୁ ଏହି ସଂଖ୍ୟା ଦଶ ହୋଇ ଯାଇଥିଲା । ବୁଦ୍ଧଦେବ ବେଦ ବିରୁଦ୍ଧ ଧର୍ମ ପ୍ରଚାର କରିଥିଲେ ସୁଦ୍ଧା, ତାଙ୍କୁ ଏହି ତାଲିକାରେ ସ୍ଥାନ ଦିଆଯାଇ ଥିଲା । ଭବିଷ୍ୟତ୍‌ କଳ୍‌କୀ ଅବତାର ମଧ୍ୟ ଏହି ତାଲିକାର ଅନ୍ତର୍ଭୁକ୍ତ । ଚୈତନ୍ୟ, ଯୀଶୁଖ୍ରୀଷ୍ଟ, ରାମକୃଷ୍ଣ ପରମହଂସ ପ୍ରଭୃତି ମହାପୁରୁଷମାନଙ୍କୁ ସେମାନଙ୍କର ଅନୁଚରମାନେ ଅବତାର ଆଖ୍ୟା ପ୍ରଦାନ କରିଅଛନ୍ତି । ଏହି ସବୁ ଐତିହାସିକ ଅବତାର ପୁରୁଷମାନଙ୍କ ଜୀବନୀ ବିଚାର କଲେ ମନେ ହୁଏ, ପୁରାଣବର୍ଣ୍ଣିତ ଅବତାର ସମ୍ୱନ୍ଧୀୟ କାହାଣୀଗୁଡ଼ିକ କଳ୍ପନାସମ୍ଭୂତ, ଅତିରଞ୍ଜିତ ଓ ଅଳୀକ । ଅନୁମିତ ହୁଏ ଯେ କୌଣସି ଐତିହାସିକ ଆଦର୍ଶ ମନୁଷ୍ୟକୁ କାଳକ୍ରମେ କେତେ ଅପ୍ରାକୃତିକ ଗୁଣରେ ଭୂଷିତ କରି ଅବତାର ଆଖ୍ୟା ପ୍ରଦାନ କରାଯାଇ ଅଛି । ରାମଚନ୍ଦ୍ର ଦଶରଥଙ୍କ ଔରସରେ ଜାତ ହୋଇ ତାଙ୍କ ଜୀବନରେ ଯେଉଁ ସବୁ ଆଦର୍ଶ ଦେଖାଇଥିଲେ, ସେହି ଆଦର୍ଶ ଜୀବନ ପଳରେ ସେ ଅବତାରର ପୂଜା ଲାଭ କଲେ । କଂସ-କାରାଗୃହରେ ଦେବକୀନନ୍ଦନ ଶ୍ରୀକୃଷ୍ଣଙ୍କ ଜନ୍ମ ହୋଇଥିଲା । ତାଙ୍କର ବାଲ୍ୟ ଜୀବନ ବୃନ୍ଦାବନ ଓ ଗୋପରେ, ଯୌବନ ମଥୁରାରେ ଓ ପୌଢ଼ ଜୀବନ ଦ୍ୱାରକାରେ ଅତିବାହିତ ହୋଇଥିଲା । ସେ ଅନେକ ବୀରୋଚିତ କାର୍ଯ୍ୟ କରିଥିଲେ । ସବୁବେଳେ ସେ ଧର୍ମ ସପକ୍ଷରେ ଓ ଅଧର୍ମ ବିରୁଦ୍ଧରେ ଯୁଦ୍ଧ କରିଥିଲେ । ବୀରୋଚିତ କର୍ମବ୍ୟତୀତ ଗୀତା, ଅନୁଗୀତା ଓ ଉଦ୍ଧବ ସଂବାଦ ପରି ଗଭୀର ଧର୍ମତତ୍ତ୍ୱସମ୍ୱଳିତ ଉପଦେଶ ପ୍ରଦାନ କରିଥିଲେ । ଏପରି ଜଣେ ବିରଳ ଚରିତ୍ର ଆଦର୍ଶବାନ୍‌ ପୁରୁଷଙ୍କୁ ସମାଜରେ ପୂର୍ଣ୍ଣାବତାରର ସ୍ଥାନ ଦିଆଗଲା ଓ ଲୋକେ ତାଙ୍କୁ ସ୍ୱୟଂ ଭଗବାନ ବୋଲି ପୂଜା କରିବାକୁ ଲାଗିଲେ । ବିଭିନ୍ନ ଦେଶ ଓ ଯୁଗର ଏପରି ଅନେକ ଦୃଷ୍ଟାନ୍ତ ଦିଆଯାଇପାରେ, ଯାହାଦ୍ୱାରା ପ୍ରମାଣିତ ହୁଏ ଯେ ମନୁଷ୍ୟର ଈଶ୍ୱରଉପଲବ୍‌ଧି ଓ କାର୍ଯ୍ୟକଳାପ ଉପରେ ତାହାର ଅବତାରତ୍ୱ ନିର୍ଭର କରେ । ସବୁ ଅବତାର ଏକ ପ୍ରକାର ନୁହେଁ । କିଏ ବଡ଼, କିଏ ସାନ, କିଏ ଅଧିକ କାର୍ଯ୍ୟ କରିଛନ୍ତି, କିଏ ଊଣା କାର୍ଯ୍ୟ କରିଛନ୍ତି ।

 

ଅବତାର ପୁରୁଷମାନଙ୍କୁ ଉଚିତ ପୂଜା କରିବା ମାନବର କର୍ତ୍ତବ୍ୟ । ପୂଜାର ଅର୍ଥ ସମ୍ମାନ ପ୍ରଦାନ । ପିତାମାତା ଓ ଗୁରୁଙ୍କୁ ପୂଜା କରିବା ଆମ୍ଭମାନଙ୍କର ନିତ୍ୟ ନୈମିତ୍ତିକ କାର୍ଯ୍ୟ । ସେହିପରି ମହାପୁରୁଷମାନଙ୍କର ପୂଜା ମଧ୍ୟ ଆମ୍ଭମାନଙ୍କର ଏକାନ୍ତ କର୍ତ୍ତବ୍ୟ । ମାତ୍ର ଏପରି ପୂଜା ଓ ଭଗବାନଙ୍କ ପୂଜା ଏକା କରିବା ଠିକ୍‌ ନୁହେଁ । ଶ୍ରୀରାମଚନ୍ଦ୍ର ଆଦର୍ଶ ରାଜା, ପୁତ୍ର ଓ ପତିରୂପେ ଆମ୍ଭମାନଙ୍କର ନମସ୍ୟ । ଶ୍ରୀକୃଷ୍ଣ ଧର୍ମ ଓ କର୍ମବୀରରୂପେ ଆମ୍ଭମାନଙ୍କର ଭକ୍ତିଭାଜନ । ବୁଦ୍ଧ ଓ ଯୀଶୁ ମୈତ୍ରୀର ଆଦର୍ଶ ପ୍ରକଟନ ନିମନ୍ତେ ଆମ୍ଭମାନଙ୍କର ପୂଜାର୍ହ । ମାତ୍ର ସେମାନେ ସ୍ୱୟଂ ଭଗବାନ, ସେମାନେ ପ୍ରାକୃତିକ ମନୁଷ୍ୟ ନୁହନ୍ତି, ସେମାନଙ୍କୁ ପୂଜା କରିବା ଯାହା ଭଗବାନଙ୍କୁ ପୂଜା କରିବା ତାହା ଏହି ଧାରଣା ଠିକ୍‌ ନୁହେଁ । ଏହାଦ୍ୱାରା ମନୁଷ୍ୟର ଆଧ୍ୟାତ୍ମିକ ଗତିରେ ପ୍ରତିବନ୍ଧକ ଜାତହୁଏ । ଜଣେ ମନୁଷ୍ୟକୁ ଭଗବାନ ବୋଲି ପୂଜା କରିବାଦ୍ୱାରା ପୂଜାରୀ କିମ୍ୱା ପୂଜ୍ୟର ଲାଭ ହୁଏ ନାହିଁ, ବରଂ କ୍ଷତି ଘଟେ । ଏହାଦ୍ୱାରା ପ୍ରକୃତ ଈଶ୍ୱର ଧାରଣାରେ ଭ୍ରମ ଜାତ ହୁଏ ଓ ସତ୍ୟ ପଥରୁ ବିଚ୍ୟୁତ ଘଟେ । ରାମାୟର କିମ୍ୱା ମହାଭାରତରେ ଶ୍ରୀରାମ କିମ୍ୱା ଶ୍ରୀକୃଷ୍ଣଙ୍କୁ କେହି ଭଗବାନ ବୋଲି ପୂଜା କରି ନଥିଲେ, ସେମାନେ ନିଜେ ଭଗବାନଙ୍କୁ ପୂଜା କରୁଥିଲେ । ରାମ-ପୂଜା ବା କୃଷ୍ଣ-ପୂଜା ସେମାନଙ୍କ ଜୀବିତ କାଳରେ ହେଉ ନଥିଲା । ସେହିପରି ମଧ୍ୟ ଯୀଶୁ-ପୂଜା ସେ କାଳର ଲୋକେ କରୁ ନଥିଲେ । ଭଗବାନଙ୍କ ପୂଜାକୁ ବାଦ୍‌ ଦେଇ ଏହି ଅବତାରମାନଙ୍କର ପୂଜା କରାଯାଉ ନଥିଲା । ବୁଦ୍ଧଦେବ ନିଜେ ଏହି ବ୍ୟକ୍ତିଗତ ପୂଜାର ଘୋର ବିରୋଧୀ ଥିଲେ ଓ ସଂଘର ନିୟମ ପାଳନହିଁ ପ୍ରକୃତ ପୂଜା ବୋଲି ପ୍ରଚାର କରିଥିଲେ । ମହମ୍ମଦ, ଚୈତନ୍ୟ କିମ୍ୱା ରାମକୃଷ୍ଣ ପରମହଂସ କେତେବେଳେ ହେଲେ ଭଗବାନଙ୍କୁ ଏଡ଼ି ଦେଇ ସେମାନଙ୍କୁ ପୂଜା କରିବାକୁ କହି ନାହାନ୍ତି । ବରଂ ସେମାନେ ନିଜେ ଭଗବାନଙ୍କୁ କିପରି ପୂଜା କରିବାକୁ ହୁଏ, ତାହାର ସମ୍ୟକ୍‌ ଆଦର୍ଶ ଦେଖାଇ ଅଛନ୍ତି । ସେମାନଙ୍କର ଆଦର୍ଶର ଅନୁସରଣ ଓ ସେମାନଙ୍କୁ ଫୁଲଚନ୍ଦନ ଦେଇ ପୂଜା କରିବା ପରସ୍ପର ବିରୋଧାତ୍ମକ । ସେମାନଙ୍କର ଆଦର୍ଶ ଅନୁକରଣହିଁ ସେମାନଙ୍କର ଏକମାତ୍ର ପୂଜା । ସେମାନଙ୍କୁ ଭଗବାନଙ୍କ ସ୍ଥାନରେ ନେଇ ବସାଇବା ଅର୍ଥ ଭଗବାନଙ୍କୁ ତାଙ୍କ ଉଚିତ ସ୍ଥାନରୁ ତଡ଼ି ଦେବା । ଏପରି ଭ୍ରମ କରିବାକୁ ଅବତାର ପୁରୁଷମାନେ କେବେ କହି ନାହାନ୍ତି-। ଗୀତାର କେତେ ସ୍ଥାନରେ ଶ୍ରୀକୃଷ୍ଣ ପ୍ରଥମ ପୁରୁଷ ଏକ ବଚନ ବ୍ୟବହାର କରିଛନ୍ତି ବୋଲି ଯେଉଁମାନେ ଯୁକ୍ତି କରନ୍ତି ସେମାନଙ୍କୁ ଜାଣିବାକୁ ହେବ ଯେ ସେହି ଗ୍ରନ୍ଥର ଅନ୍ୟ ସ୍ଥାନରେ ତୃତୀୟ ପୁରୁଷ ଏକବଚନର ମଧ୍ୟ ବ୍ୟବହାର କରାଯାଇ ଅଛି । ଶ୍ରୀଚୈତନ୍ୟ ଜଣେ ଅଦ୍ୱିତୀୟ ଭକ୍ତ । ଭକ୍ତି ରସରେ ସେ ସମାଜକୁ ଆପ୍ଳୁତ କରି ଦେଇଥିଲେ । ତାହା ବୋଲି ସେ କିପରି ଭଗବାନ ହେବେ ? ରାମକୃଷ୍ଣ ପରମହଂସଙ୍କୁ ଭଗବାନ ବୋଲି ପୂଜା କରିବା ବିଧି ସଂଗତ ନୁହେଁ । କାରଣ ସେ ନିଜେ ଭଗବାନଙ୍କର ଜଣେ ଶ୍ରେଷ୍ଠ ପୂଜାରୀ । ଏ ସମ୍ୱନ୍ଧେ ତାଙ୍କ ଜୀବନରେ ଫରାସି ଲେଖକ Romain Rolland ଯାହା ଲେଖିଛନ୍ତି ତାହା ଆମ୍ଭମାନଙ୍କର ପ୍ରଣିଧାନଯୋଗ୍ୟ । ''Ramakrishna lies very near to my heart, because I see in him a man and not an incarnation as he appears to his disciples. In accordance with the Vedantists I need not enclose God with in the bounds of a privileged man in order to admit that the Divine lives within the soul and that the soul dwells in everything and that Atman is Brahman. The very greatest of men is only a clearer reflection of the sun which gleams in each drop of dew."

 

ଅନ୍ତର୍ଯ୍ୟାମୀ ମାନବ ହୃଦୟରେ ସର୍ବଦା ଅଛନ୍ତି । ତାଙ୍କ ଅଭିବ୍ୟକ୍ତିର ମାତ୍ରା ମାନବର ସଂସ୍କାର ଅନୁସାରେ ହୋଇଥାଏ । କ୍ଷେତ୍ରର ତାରତମ୍ୟ ଅନୁସାରେ କ୍ଷେତ୍ରଜ୍ଞର ବିକାଶ ହୁଏ । ଇଂରେଜି କବି ଷେଲି ଏହି ଭାବଟିକୁ ତାଙ୍କର ଅନନୁକରଣୀୟ ମଧୁର ଛନ୍ଦରେ ଗାଇଛନ୍ତି, Life like a dome of many coloured glass stains the white radiance of eternity,

 

ପ୍ରତ୍ୟେକ ପ୍ରାଣୀଠାରେ ଅବତାରର ଅଂଶ ରହିଅଛି । କାହାଠାରେ ବେଶି, କାହାଠାରେ ଅଳ୍ପ । ରବୀନ୍ଦ୍ରନାଥ ଠାକୁର କହିଲାପରି, ‘‘ଜଗତର ବିପୁଳ ଅଭିବ୍ୟକ୍ତିରେ ପ୍ରଥମ ଅର୍ଥ ଦେଖାଗଲା ପ୍ରାଣ କଣାରେ, ତା ପରେ ଜନ୍ତୁଠାରେ, ତା ପରେ ମନୁଷ୍ୟଠାରେ ।’’ ମହାପୁରୁଷ ଅବସ୍ଥାକୁ ଉନ୍ନୀତ ହେବା ପାଇଁ ପ୍ରତ୍ୟେକ ମନୁଷ୍ୟର ଅଧିକାର ଓ ସୁଯୋଗ ରହିଅଛି । ‘ସେ ଯିଏ, ମୁଁ ସିଏ’ ଏହି ଚରମଲକ୍ଷ୍ୟରେ ଉପନୀତ ହେବାପାଇଁ ଆବହମାନ କାଳରୁ ମନୁଷ୍ୟର ଚେଷ୍ଟା ଲାଗିଅଛି । ଏହି ଚେଷ୍ଟା ପଥରେ ଅବତାରଗୁଡ଼ିକ ଜଣେ ଜଣେ ଦୂରନିର୍ଦ୍ଦେଶକ ଚିହ୍ନ । ଲକ୍ଷ୍ୟ ସ୍ଥଳରେ କେବେ ଯେ ମନୁଷ୍ୟର ପଦକ୍ଷେପଣ ହେବ ତାହା ମନୁଷ୍ୟର ଗୋଚରାତୀତ । ବାଟ ଚାଲିବାହିଁ ତାହାର ଏକମାତ୍ର କାର୍ଯ୍ୟ ।

Image

 

Unknown

ବ୍ୟକ୍ତିଗତ ଧର୍ମ

 

ଆଧୁନିକ ଯୁଗରେ ବିଜ୍ଞାନର ବିକାଶ, ନୂତନ ତଥ୍ୟ ସମୂହର ପ୍ରକାଶ ଓ ଭୌତିକ ଜୀବନର ବିଳାସ ଫଳରେ ଲୋକଙ୍କ ମନରେ ଧର୍ମ ସମ୍ୱନ୍ଧରେ ବିବିଧ ଧାରଣା ଓ ସନ୍ଦେହ ଜାତ ହେବା ଅତିଶୟ ସ୍ୱାଭାବିକ । ଜଗତରେ ଏତେଗୁଡ଼ିଏ ଧର୍ମର ଆବିର୍ଭାବ ଦେଖି ଭାବୁକ ମନରେ କେତେଗୁଡ଼ିଏ ପ୍ରଶ୍ନ ସହଜେ ଉଦିତ ହୁଏ । କେଉଁଟି ଉତ୍ତମ, କେଉଁଟି ଅଧମ ? ସବୁ ଧର୍ମ ଯଦି ସମାନ ତେବେ ବିଭିନ୍ନ ଧର୍ମ ଉତ୍ପତ୍ତିର କାରଣ ଓ ଆବଶ୍ୟକତା କ’ଣ ? ଯଦି କୌଣସି ଗୋଟିଏ ଧର୍ମ ସବୁ ଧର୍ମ ତୁଳନାରେ ଶ୍ରେଷ୍ଠତମ, ତେବେ ସବୁ ଧର୍ମ ତ୍ୟାଗକରି ସମସ୍ତେ ସେହି ଏକ ଧର୍ମର ଆଶ୍ରୟ ଗ୍ରହଣ କରୁନାହାନ୍ତି କାହିଁକି ? ଆଧୁନିକ ଯୁଗରେ ମାନବର ସଂସ୍କୃତି ଯେଉଁ ଗତି ଲାଭ କରିଛି ସେଥିରେ କୌଣସି ଅନୁଷ୍ଠାନିକ ଧର୍ମ ସାହାଯ୍ୟରେ ଏହି ଧର୍ମ-ସମସ୍ୟାର ସମାଧାନ ଅସମ୍ଭବ । ଏହାର ଏକମାତ୍ର ମାର୍ଗ ବ୍ୟକ୍ତିଗତ ଧର୍ମର ପ୍ରତିଷ୍ଠା । ଏହି ଧର୍ମର ଆକାର ଓ ପ୍ରକାର, ରୂପ ଓ ରେଖ, ଲକ୍ଷ୍ୟ ଓ ଗତି ପ୍ରତ୍ୟେକ ବ୍ୟକ୍ତି ଆଲୋଚନା କରିବା ଶ୍ରେୟସ୍କର ।

 

ବ୍ୟକ୍ତିତ୍ୱର ବୈଶିଷ୍ଟ୍ୟ ସର୍ବବାଦୀସମ୍ମତ । ତେଣୁ ଜଣେ ଅନ୍ୟ ଜଣକଠାରୁ ଅଲଗା ଅଟେ-। କେବଳ ଭୌତିକ ପଦାର୍ଥରେ ବ୍ୟକ୍ତିତ୍ୱର ପ୍ରଭାବ ଆବଦ୍ଧ ନୁହେଁ, ମାନସିକ ରାଜ୍ୟରେ ମଧ୍ୟ ଏହାର ପ୍ରତିଷ୍ଠା ବିଦ୍ୟମାନ । ଦେହ, ମନ ଓ ଆତ୍ମାକୁ ନେଇ ମାନବର ବ୍ୟକ୍ତିତ୍ୱ ଗଠିତ । ଏହାର ପ୍ରକାଶହିଁ ତାହାର ଧର୍ମ ।

 

ଧର୍ମର ଅନେକ ଅର୍ଥ । ଦାନ କରିବା ଧର୍ମ । କର୍ତ୍ତବ୍ୟ ସାଧନ ଧର୍ମ । ସ୍ୱଭାବ ମଧ୍ୟ ଧର୍ମ-। ଆତ୍ମା ଓ ପରମାତ୍ମାର ମିଳନ ଚେଷ୍ଟା ଧର୍ମ । ଏହି ଚେଷ୍ଟା ମାନବ ସମାଜର ଗୋଟିଏ ବିଶିଷ୍ଟ ଲକ୍ଷଣ । ଏହି ଧର୍ମସାଧନା ମାନବ ସଭ୍ୟତାର ଗତି ସଙ୍ଗେ ଗତି କରି ଆଜି ପର୍ଯ୍ୟନ୍ତ ଚାଲି ଆସିଛି । ଏହି ଆଧ୍ୟାତ୍ମିକ ସାଧନାର ସ୍ରୋତକୁ ଲକ୍ଷ୍ୟ କରି କବି ଗାଇଛନ୍ତି–

 

ଜାନି ଜାନି କୋନ ଆଦି କାଲ ହତେ

ଭାସାଲେ ଆମାରେ ଜଗତେର ସ୍ରୋତେ

ସହସା ହେ ପ୍ରିୟ କତ ଗୃହ ପଥେ

ରେଖେ ଗେଛ ପ୍ରାଣେ କତ ହରଷଣ ।

 

ମନୁଷ୍ୟର ଏହି ଧର୍ମସାଧନା ଅତୀତ ଯୁଗରୁ ଆଜି ପର୍ଯ୍ୟନ୍ତ ଚାଲି ଆସିଛି । ତଥାଚ ତାହା ସମ୍ପୂର୍ଣ୍ଣ ହୋଇ ପାରିନାହିଁ । ଧର୍ମସାଧନା ଯଦି କେତୋଟି ଧର୍ମପୁସ୍ତକ ପାଠ କିମ୍ୱା କେତୋଟି ମନ୍ତ୍ରୋଚ୍ଚାରଣ ଦ୍ୱାରା ହୋଇ ପରନ୍ତା, ତେବେ ତାହା ପୂର୍ଣ୍ଣହେବାକୁ ମୋଟେ ସମୟ ଲାଗନ୍ତା ନାହିଁ । ମାତ୍ର ଧର୍ମ-ସାଧନ ଓ ଧର୍ମ-ପୁସ୍ତକ ପଠନ ଏକ କଥା ନୁହେଁ । ଖ୍ରୀଷ୍ଟାନୁସରଣ (Imitation of Christ) ଲେଖକ କେମ୍ପିସ କହିଛନ୍ତି, ‘‘ଯଦି ସମସ୍ତ ଧର୍ମ ପୁସ୍ତକ ତୁମ୍ଭର କଣ୍ଠସ୍ଥ ହୁଏ, ସବୁ ଦାର୍ଶନିକଙ୍କ ନୀତି ତୁମ୍ଭର ଅଧିଗତ ହୁଏ, ତଦ୍ଦ୍ୱାରା ତୁମ୍ଭର କି ଲାଭ ହେବ ? ଭଗବତ୍‌ କରୁଣା ଓ ପ୍ରୀତି ବିନା ସକଳ ଜ୍ଞାନ ନିସ୍ଫଳ ଅଟେ । ପୃଥିବୀର ସମସ୍ତ ବିଷୟରେ ଜ୍ଞାନଲାଭ କରି ଯଦି ଆମ୍ଭର ଭଗବତ୍‌ ପ୍ରୀତି ନ ରହେ, ତେବେ ସେହି ଜ୍ଞାନର କୌଣସି ମୂଲ୍ୟ ନାହିଁ । ଭଗବାନ ଆମ୍ଭର କର୍ମ ଅନୁସାରେ ଆମ୍ଭମାନଙ୍କର ବିଚାର କରିବେ’’

 

ଶିକ୍ଷା ଓ ଧର୍ମ ସମ୍ୱନ୍ଧରେ ଗୋଟିଏ ଭୁଲଧାରଣା ଆମ୍ଭମାନଙ୍କ ମନରେ ରହିଅଛି । ଆମ୍ଭେମାନେ ମନେ କରୁଁ ଯେ, ଶିକ୍ଷକ ଛାତ୍ରର ଶୂନ୍ୟ ମସ୍ତିଷ୍କରେ ଜ୍ଞାନରାଶି ପୂରାଇ ଦିଅନ୍ତି । ସେହିପରି ମନୁଷ୍ୟର ଶୂନ୍ୟ ହୃଦୟରେ କୌଣସି ବ୍ୟକ୍ତି ଧର୍ମକୁ ମଧ୍ୟ ଭରତି କରନ୍ତି । ଏପରି ବିଚାର ନିତାନ୍ତ ଭ୍ରମସଙ୍କୁଳ । ଶୂନ୍ୟତା ଜଗତର କେଉଁଠାରେ ବିଦ୍ୟମାନ ନୁହେଁ । ଭଗବାନ ଯେପରି ଶୂନ୍ୟ ନୁହନ୍ତି, ତାଙ୍କସୃଷ୍ଟ ଜଗତ ମଧ୍ୟ ସେପରି ଶୂନ୍ୟତାହୀନ । ଗଣିତ ଶାସ୍ତ୍ରରେ ଶୂନ୍ୟକୁ ମଧ୍ୟ ଗାଣିତିକ ମୂଲ୍ୟ ଦିଆଯାଇଛି । ବୃକ୍ଷ ଯେପରି ବୀଜ ଭିତରେ ନିହିତ, ସେପରି ପିଲାର ମସ୍ତିଷ୍କରେ ଜ୍ଞାନ ଲୁକ୍‌କାୟିତ । ପାରିପାର୍ଶ୍ୱିକତା ସାହାଯ୍ୟରେ ଯେପରି ବୀଜ ମୃତ୍ତିକା ଭେଦ କରି ବୃକ୍ଷ ଆକାରରେ ପ୍ରକାଶିତ ହୁଏ, ସେହି ଅନୁରୂପେ ବିକଶିତ ହୁଏ ଛାତ୍ରର ଲୁକ୍‌କାୟିତ ଜ୍ଞାନଭଣ୍ଡାର । ଛାତ୍ରର ବ୍ୟକ୍ତିତ୍ୱ ପ୍ରକାଶ ପାଇଁ ଶିକ୍ଷକର ଚେଷ୍ଟା ହେବା ଆବଶ୍ୟକ । ସେ ଛାଞ୍ଚରେ ପକାଇ ଜିନିସ ଗଢ଼ିଲା ପରି ଛାତ୍ରକୁ ଗଢ଼ି ନ ପାରେ । ଛାତ୍ରର ବ୍ୟକ୍ତିତ୍ୱ ଲୋପ କରିବା ଶିକ୍ଷକର ଅଧିକାର ବହିର୍ଭୂତ କେବଳ ନୁହେଁ, ତାହା କରିବା ତା ପକ୍ଷେ ଅସମ୍ଭବ । ତେଣୁ ଛାତ୍ରର ବ୍ୟକ୍ତିତ୍ୱ ପ୍ରକାଶହିଁ ଶିକ୍ଷାର ଏକମାତ୍ର ଲକ୍ଷ୍ୟ । ରାଜନୀତି କ୍ଷେତ୍ରରେ ନାଗରିକର ବ୍ୟକ୍ତିତ୍ୱକୁ ପ୍ରତିରୋଧ କରିବାକୁ ଯେଉଁ ଚେଷ୍ଟାହୁଏ ସେହି ଚେଷ୍ଟା ମଧ୍ୟ ବିଫଳ ହୁଏ । ବ୍ୟକ୍ତିତ୍ୱର ପ୍ରତିଷ୍ଠା ରାଜନୀତିର ମଧ୍ୟ ଲକ୍ଷ୍ୟ ହେବା ଉଚିତ । ଏହି କାର୍ଯ୍ୟରେ ଯେଉଁ ରାଷ୍ଟ୍ର ଯେତେ ଦୂର ଅଗ୍ରଗାମୀ, ସେହି ରାଷ୍ଟ୍ରର ଅବସ୍ଥା ସେତେ ଦୂର ତୃପ୍ତିକର ଓ ଆଦର୍ଶପୂର୍ଣ୍ଣ ।

 

ଧର୍ମରାଜ୍ୟରେ ମଧ୍ୟ, ଧର୍ମ ସାଧନାର କ୍ଷେତ୍ରରେ ସୁଦ୍ଧା ସେହି ବ୍ୟକ୍ତିତ୍ୱ ପ୍ରତିଷ୍ଠାର ପ୍ରାଧାନ୍ୟ ପ୍ରତି ଅବହେଳା ପ୍ରଦର୍ଶନି ଅନୁଚିତ । ଅନେକ ସମୟରେ ଏହାର ବିସ୍ମରଣ ହେତୁ ସମାଜରେ ଧର୍ମବିଭ୍ରାଟ ଉପସ୍ଥିତ ହୁଏ । ଏହି ଧର୍ମ ଗ୍ଳାନିରୁ ସମାଜକୁ ଉଦ୍ଧାର କରିବା ପାଇଁ ଯୁଗେ ଯୁଗେ ବିଭିନ୍ନ ଅବତାରର ଆବିର୍ଭାବ ହୁଏ । ରୋଗୀର ରୋଗ ଅନୁସାରେ ଚିକିତ୍ସାର ବ୍ୟବସ୍ଥା କରାଯାଏ । ସେପରି ଯୁଗର ଗ୍ଳାନି, ଅଧର୍ମର ମାତ୍ରା ଓ ଧର୍ମ ସଂସ୍ଥାପନ କାର୍ଯ୍ୟର ପରିସରକୁ ଧରି ଯୁଗାବତାରର ଆବିର୍ଭାବ ହୁଏ । ଯୁଗ ଗୁଣରେ ଅବତାରର ଲକ୍ଷଣ । ରାମ ଯୁଗରେ କୃଷ୍ଣଲକ୍ଷଣ, ବୁଦ୍ଧ ଯୁଗରେ ରାମ ଲକ୍ଷଣ କିମ୍ୱା ଗାନ୍ଧି ଯୁଗରେ ଚୈତନ୍ୟ ଲକ୍ଷଣ କାମରେ ଆସେ ନାହିଁ । ବିଭିନ୍ନ ଯୁଗରେ ଯେଉଁ ସବୁ ଧର୍ମ, ମତ, ସମ୍ପ୍ରଦାୟ ଓ ଅନୁଷ୍ଠାନ ଗଠିତ ହୁଏ ସେ ସବୁର ଯୁଗୋପଯୋଗୀ ଆବଶ୍ୟକତା ଓ ବୈଶିଷ୍ଟ୍ୟ ରହିଅଛି । ଏହାହିଁ ସେହି ଧର୍ମର ବ୍ୟକ୍ତିତ୍ୱ ଓ ସେହି ବ୍ୟକ୍ତିତ୍ୱ ନିର୍ଭର କରେ, ସେହି ଧର୍ମର ସ୍ଥାପୟିତାଙ୍କ ବ୍ୟକ୍ତିତ୍ୱ ଉପରେ । ତେଣୁ ସବୁ ଧର୍ମ, ସବୁ ସମ୍ପ୍ରଦାୟର ନୀତିରେ କିଛି ଅସାମଞ୍ଜସ୍ୟ ନଥିଲେ ସୁଦ୍ଧା, ଗୋଟିଏ ଯୁଗର ମତ ବା ନୀତି ବା ଭାବ ଅନ୍ୟ ଯୁଗର ମତ ଇତ୍ୟାଦି ସଙ୍ଗେ ସମାନ ହୁଏ ନାହିଁ । ତେଣୁ ଧର୍ମ ଯୁଗରେ ଅନୁରୂପ ଓ ଯୁଗାନୁରୂପ ଧର୍ମହିଁ ଏକମାତ୍ର ଧର୍ମ ।

 

ଏ ବିଭିନ୍ନ ଧର୍ମ ବା ମତର ସତ୍ୟ ଏକ । ମାତ୍ର ତାହାର ଅଭିବ୍ୟକ୍ତି ହୁଏ ବିଭିନ୍ନ ନେତାଙ୍କ ବିଭିନ୍ନ ରୂବରେ । ଧର୍ମ ଏକ, ମାତ୍ର ତାହା ସାଧିତ ବିଭିନ୍ନ ନେତାଙ୍କ ନେତୃତ୍ୱରେ । ଏହି ନେତା ବା ବ୍ୟକ୍ତି ବିଶେଷଙ୍କ ବ୍ୟକ୍ତିତ୍ୱକୁ ବାଦ ଦେଇ ତାଙ୍କ ଧର୍ମ ସମ୍ୱନ୍ଧେ ବିଚାର କଲେ ଠିକ୍‌ ବିଚାର ହୁଏ ନାହିଁ-। ଧର୍ମ ପ୍ରବର୍ତ୍ତକମାନଙ୍କର ସେହି ବ୍ୟକ୍ତିତ୍ୱ ବିଚାର ପ୍ରତ୍ୟେକ ଧର୍ମାବଲମ୍ୱୀ ଭାବିବା ଉଚିତ । ପୁଣି ସେହି ବ୍ୟକ୍ତିତ୍ୱର ସାହାଯ୍ୟରେ ସ୍ୱକୀୟ ବ୍ୟକ୍ତିତ୍ୱର ପ୍ରସ୍ଫୁଟୀକରଣହିଁ ପ୍ରକୃତ ଧର୍ମ ସାଧନା । ଭଗବାନଙ୍କ ସଙ୍ଗେ ବ୍ୟକ୍ତିର ଯେଉଁ ସମ୍ୱନ୍ଧ ତାହାହିଁ ଯେ କୌଣସି ଧର୍ମର ମେରୁଦଣ୍ଡ । ଏହି ବ୍ୟକ୍ତଗତ ଭଗବତ୍ ପରିଚୟ, ଏହି ଆତ୍ମା ପରମାତ୍ମାର ଭାବ ବିନିମୟ, ଏହି ସର୍ବ ଧର୍ମ ପରିତ୍ୟାଗ ସମ୍ୱଳିତ ଆତ୍ମ ପ୍ରଦାନ ଓ ଶରଣ ଗ୍ରହଣ କଥାରେ କହିବା ଭଳି ସହଜ ନୁହେଁ । ମାତ୍ର ତାହାହିଁ ପ୍ରକୃତ ଧର୍ମ । ଭଗବାନଙ୍କ ପରିଚୟ ବ୍ୟକ୍ତିଗତ ଭାବେ ନହେଲେ ଧର୍ମଚର୍ଯ୍ୟା ପୋଥିର ପାଠ ହୋଇ ରହେ । ତାହା କୌଣସି କାର୍ଯ୍ୟରେ ଆସେ ନାହିଁ । ଚିତ୍ରିତ ଆହାର ଯେପରି କ୍ଷୁଧା ମେଣ୍ଟାଇ ପାରେ ନାହିଁ, ସେହିପରି ଭଗବଦ୍ ପରିଚୟ ହୀନ ଧର୍ମଜ୍ଞାନ ଆତ୍ମାର ଆଧ୍ୟାତ୍ମିକ କ୍ଷୁଧାକୁ ମେଣ୍ଟାଇ ପାରେ ନାହିଁ । ଏହି ବ୍ୟକ୍ତିଗତ ପରିଚୟ ହିଁ ମାନବର ସର୍ବଶ୍ରେଷ୍ଠ ଧର୍ମ । ଏହି ପରସ୍ପର ବ୍ୟକ୍ତିତ୍ୱ ସମ୍ୱନ୍ଧ ଦୃଢ଼ୀଭୂତ ହେଲେ ଭଗବାନ ଶୁଷ୍କ ଦର୍ଶନର ସୂକ୍ଷ୍ମ ତତ୍ତ୍ୱ ନ ହୋଇ ସରସ ସମ୍ୱନ୍ଧକୃତ ନିକଟତମ ବନ୍ଧୁ ହୁଅନ୍ତି । ପୁଣି ଜୀବନ କେତେ ପ୍ରାଣହୀନ ଲିପିଦ୍ୱାରା ଶୃଙ୍ଖଳିତ ନହୋଇ ଭଗବାନଙ୍କର ସାକ୍ଷାତ, ନେତୃତ୍ୱରେ ଚାଳିତ ହୁଏ । ଏହି ବ୍ୟକ୍ତିଗତ ସମ୍ୱନ୍ଧ ବିନା ଜ୍ଞାନ ବା ଧର୍ମ ନିରର୍ଥକ । ଗୁରୁ ଓ ତାଙ୍କ ବଚନ, ଶାସ୍ତ୍ର ଓ ତତ୍‌ ଲିଖିତ ଉପଦେଶ ଆମ୍ଭମାନଙ୍କର ପଥପ୍ରଦର୍ଶକ ସତ୍ୟ, ମାତ୍ର ଚାଲିବା ଦାୟିତ୍ୱ ଆମ୍ଭମାନଙ୍କର-। ଭଗବାନଙ୍କ ସଙ୍ଗେ ପରିଚୟ ଲାଭ ହୁଏ ନିଜ ଚେଷ୍ଟାରେ । ନିଜେ ନ ଘୁଞ୍ଚିଲେ ଆମ୍ଭମାନଙ୍କୁ ଘୁଞ୍ଚାଇବାର ଶକ୍ତି ଅନ୍ୟ କାହାର ନାହିଁ । ଏହି ବ୍ୟକ୍ତିଗତ ଧର୍ମ-ସାଧନା ସମ୍ୱନ୍ଧେ ବୁଦ୍ଧଦେବ ବହୁବାର ବୁଝାଇ ଥିଲେ ତାଙ୍କର ଶିଷ୍ୟମାନଙ୍କୁ । କାରଣ ତାଙ୍କର ବରାବର ସଂଶୟ ହେଉଥିଲା ଯେ ସେମାନେ ଗୁରୁଙ୍କୁ କେବଳ ଆଶ୍ରୟ କରି ନିଜର ବ୍ୟକ୍ତିଗତ ସାଧନାର ମାର୍ଗ ଭୁଲିଯିବେ । ସେ କହିଥିଲେ, ‘‘କୌଣସି ପୁରୋହିତ କିମ୍ୱା କୌଣସି ଦେବତା ମନୁଷ୍ୟକୁ ତ୍ରାଣ କରି ନପାରେ । ମନୁଷ୍ୟ ନିଜେ ଅସାର କାର୍ଯ୍ୟ କରେ ଓ ନିଜେ ସେହି କାର୍ଯ୍ୟର ଫଳ, ବେଦନା ଓ ଲଜ୍ଜା ଲାଭ କରେ । ନିଜେ ନିଜର ବୁଦ୍ଧି ବଳରେ, ନିଜର ଚେଷ୍ଟାରେ ସେ ପବିତ୍ର ଓ ପାପାଶୂନ୍ୟ ହୁଏ । ସେ ନିଜେ ତାହାର ବାଟରେ ଚାଲିବାକୁ ହେବ, ତଥାଗତ ତାକୁ ବାଟଟି ଦେଖାଇ ଦେବେ ମାତ୍ର । ତେଣୁ କେଉଁଠାରେ ବା କିପରି ତୁମ୍ଭେ ପୁରୋହିତଠାରୁ ସାହାଯ୍ୟ ପାଇବ ?’’ ଭଗବାନଙ୍କର ଆତ୍ମୀୟ ହେବା ବ୍ୟକ୍ତିତ୍ୱ-ପ୍ରତିଷ୍ଠା ଆବଶ୍ୟକ । ଏହା ତପସ୍ୟାରେ ହୁଏ ନାହିଁ । ଏଥିପାଇଁ ଆବଶ୍ୟକ ପ୍ରେମ ଓ ଭକ୍ତି । ପୁରାଣରେ ବିଭିନ୍ନ ଭକ୍ତଙ୍କର ଭଗବାନଙ୍କ ସଙ୍ଗେ ବ୍ୟକ୍ତିଗତ ପରିଚୟ ଆମ୍ଭମାନଙ୍କର ଜଣାଶୁଣା କଥା । ବ୍ୟକ୍ତିଗତ ଧର୍ମରେ ସ୍ୱାଧୀନ ଆଚରଣର ସ୍ଥାନ ଅଛି; ଆଇନ କାନୁନର କଟକଣା ନାହିଁ । ଏହି ଧର୍ମର ବାତାବରଣ ରୁକ୍ଷ ଓ ଶୁଷ୍କ ନହୋଇ ସରସ ଓ ପ୍ରେମମୟ ହୋଇଥାଏ । ଏହି ସାଧନା ଆନୁଷ୍ଠାନିକ ନିୟମର ଅପେକ୍ଷା କରେ ନାହିଁ । ଶିଶୁ ବିନାଅନୁମତିରେ ମାତାକୋଳକୁ ଯାଇ ବସିବାକୁ ଦ୍ୱିଧା କରେ ନାହିଁ । ଅଭିସାର ମନ୍ତ୍ରୋଚ୍ଚାରଣର ପ୍ରତୀକ୍ଷା କରି ଅଟକେ ନାହିଁ । ସଖା ସଖା ମଧ୍ୟରେ, ପ୍ରିୟପ୍ରିୟା ମଧ୍ୟରେ, ପିତା ପୁତ୍ର ମଧ୍ୟରେ ସାମାଜିକ ସଦାଚରଣର ବ୍ୟବଧାନ ଆପେ ଆପେ ଘୁଞ୍ଚିଯାଏ । ସେପରି ସାଧକ ସାଧନା କହାକୁ ବୋଲନ୍ତି ନିଜେ ଜାଣେ ନାହିଁ । ଜ୍ଞାନୀମାନେ ତାକୁ ଠିକ୍‌ ପଥରେ ଆସି ନାହୁଁ ବୋଲି ତିରସ୍କାର କରନ୍ତି । କିନ୍ତୁ ଭଗବାନ ସେ ସବୁ ବିଚାର ନକରି ଭକ୍ତକୁ କୋଳାଗ୍ରତ କରି ନିଜ ନିକଟକୁ ନେଇଯାନ୍ତି । ରବୀନ୍ଦ୍ରନାଥଙ୍କ ଗୋଟିଏ ଅତି ସୁନ୍ଦର ଗୀତରେ ଏହି ଭାବଟି ବ୍ୟକ୍ତ ହୋଇଛି–

 

ଜାନି ନାହିଁ ସାଧନ ତୋମାର ବୋଲେ କାରେ

ଆମିଧୂଲାୟେ ବସେ ଖେଲେଛି ଏଇ ତୋମାରଦ୍ୱାରେ

ଅବୋଧ ଆମି ଛିଲେମ ବଲେ ଯେମନ ଖୁସି ଏଲେମଚଲେ

ଭୟ କରିନି ତୋମାୟା ଆମି ଅନ୍ଧକାରେ ।

ତୋମାର ଜ୍ଞାନୀ ଆମାୟ ବଲେ କଠିନ ତିରସ୍କାରେ

‘‘ପଥ ଦେଇ ତୁଇ ଆସିସ, ନା, ଯେ, ଫିରେ ଯାରେ’’

ଫେରାର ପନ୍ଥା ବନ୍ଦ କରେ ଆପନ ବାନ୍ଧ ବାହୁର ଡୋରେ

ଓରା ଆମାୟ ମିଥ୍ୟା ଡାକେ ବାରେ ବାରେ ।

 

ତଥାଚ ମନୁଷ୍ୟକୁ କୌଣସି ଗୋଟିଏ ଧର୍ମ ବା ସମ୍ପ୍ରଦାୟର ଗଣ୍ଡି ମଧ୍ୟରେ ଆବଦ୍ଧ ହେବାକୁ ପଡ଼େ । ତା ନହେଲେ ସେ ସମାଜରେ ରହି ଘରଦ୍ୱାର କରି ଚଳି ପାରେ ନାହିଁ । ସମ୍ପ୍ରଦାୟରୁ ମୁକ୍ତ ହେବା ଚେଷ୍ଟାରେ ସେ କୃତକାର୍ଯ୍ୟ ହୁଏ ନାହିଁ । ଥରେ ଆକବର ସେପରି ଚେଷ୍ଟା କରିଥିଲେ । ମାତ୍ର ଦୀନ ଇଲ୍ଲାହି ବିଶ୍ୱଧର୍ମ ନହୋଇ ଗୋଟିଏ ସମ୍ପ୍ରଦାୟରେ ପରିଣତ ହେଲା ଓ ସେହି ଅନୁଷ୍ଠାନର ପୁରୋହିତ ହେଲେ ନିଜେ ଆକବର । ଥିଓସଫିଷ୍ଟମାନେ ପୁଣି ବ୍ରାହ୍ମସମାଜୀମାନେ ମଧ୍ୟ ଏପରି ଚେଷ୍ଟା କରି କୃତକାର୍ଯ୍ୟ ହୋଇ ନାହାନ୍ତି । ବାହ୍ୟତଃ କୌଣସି ନା କୌଣସି ଅନୁଷ୍ଠାନଭୁକ୍ତ ହେବା ସାମାଜିକ ମନୁଷ୍ୟ ପକ୍ଷେ ଆବଶ୍ୟକ । ତଥାଚ ଆନୁଷ୍ଠାନିକ ଧର୍ମ ହେତୁ ବ୍ୟକ୍ତିଗତ ଧର୍ମ ଛାଡ଼ିବାର ଆବଶ୍ୟକତା ନାହିଁ । ବାହ୍ୟଧର୍ମ ଅପେକ୍ଷା ଅନ୍ତଧର୍ମ ଅଧିକ ପ୍ରଧାନ । ତେଣୁ ଆନୁଷ୍ଠାନିକ ରୀତି ନୀତିରେ ବେଶି କଳି ନ କରି, ନିଜର ବ୍ୟକ୍ତିଗତ ଧର୍ମ ପ୍ରତି ଅଧିକ ଦୃଷ୍ଟି ଦେବାହିଁ ମନୁଷ୍ୟ ପକ୍ଷେ ହିତକର ।

 

ଏହି ଅନ୍ତଧର୍ମର ଦେବତା ସ୍ୱୟଂ ଅନ୍ତର୍ଯ୍ୟାମୀ । ଏହି ଦେବତାଙ୍କର ମନ୍ଦିର ନାହିଁ । ତାଙ୍କ ପାଇଁ ଆବଶ୍ୟକ ହୁଏ ନାହିଁ ଧୂପ, ଦୀପ, ନୈବେଦ୍ୟ । ଏହି ସବୁ ବାହ୍ୟ ଅନୁଷ୍ଠାନର ସାହାଯ୍ୟ କେତେ ଦୂର ଅନ୍ତଧର୍ମ ପାଳନରେ ହୋଇପାରେ । ମାତ୍ର ସାଧନ ମାର୍ଗରେ ଅଗ୍ରସର ହେଲେ ଏହି ସବୁ ନିୟମକାନୁନ, ଏହି ସବୁ ଆନୁଷ୍ଠାନିକ ବିଧିବିଧାନ, ଫଳ ମୁଣ୍ଡିରୁ ଶୁଖିଲା ଫୁଲ ଝଡ଼ିଲାପରି, ଆରୋହୀର ପଦତଳେ ନିମ୍ନତର ପାଉଛଗୁଡ଼ିକ ରହିଗଲା ପରି ଅତି ନଗଣ୍ୟ ଓ ଗୌଣ ସ୍ଥାନ ଅଧିକାର କରି ପରିଶେଷରେ ଅଦୃଶ୍ୟ ହୁଅନ୍ତି । ଜଣେ ଭାବୁକ ଲେଖିଥିଲେ–"The religious life begins with external ritual. It is prone to search for hints of divinity in nature, and it will seek self-expression in the company of fellow devotees. But as it develops it is naturally thrown back on it self and seeks solitude. It tries to seek self knowledge and searches for hints of divinity. But the acqme of the spiritual life is reached only when the realm without and the realm within are seen to be both expressions of the one and the searcher attains unity with the object of his search. At that stage the striver is full of bliss. He becomes an auditory nerve of the eternal."

 

ଶ୍ରୀଚୈତନ୍ୟ ଶ୍ରୀକୃଷ୍ଣଙ୍କ ବିଗ୍ରହରେ ଲୀନହେଲେ, ଯୀଶୁଖ୍ରୀଷ୍ଟ ପୁତ୍ର ପିତା ସମାନ ବୋଲି ଉପଲବ୍‌ଧି କଲେ, ଏପରି ବ୍ୟାଖ୍ୟାନରେ ଆମ୍ଭେମାନେ ରତ ହୋଇ ନିଜର ଅବସ୍ଥା କେଉଁଠାରେ ସେଥିପ୍ରତି ଦୃଷ୍ଟି ଦେଇ ନଥାଉଁ । ମନେକରୁଁ ଯୀଶୁଖ୍ରୀଷ୍ଟ କିମ୍ୱା ଚୈତନ୍ୟଙ୍କ ଅନୁଚର ବୋଲାଇଦେଲା ମାତ୍ରେ ଆମ୍ଭମାନଙ୍କ ଜୀବନର ମୁକ୍ତି ନିଃସନ୍ଦେହ । ମାତ୍ର ଏହିପରି ଧାରଣା ନିତାନ୍ତ ଭ୍ରମସଙ୍କୁଳ ଅଟେ । ଭଗବାନଙ୍କ ସହିତ ଆମ୍ଭେମାନେ ମଧ୍ୟ ନିଜ ନିଜର ସମ୍ୱନ୍ଧ ସ୍ଥାପନ କରିବା ଆବଶ୍ୟକ । ସେମାନଙ୍କ ସମ୍ୱନ୍ଧ ଗାଇବୁଲିବାରେ କିଛିଲାଭ ନାହିଁ । ସେମାନଙ୍କର ଜୀବନ ଓ କାର୍ଯ୍ୟ ପ୍ରଣାଳୀ ନିଶ୍ଚୟ ଆମ୍ଭମାନଙ୍କର ଅନ୍ଧକାର ପଥରେ ନାବିକର ଧ୍ରୁବ ତାରା ସଦୃଶ । ସେମାନେ ଅବଶ୍ୟ ଆମ୍ଭମାନଙ୍କର ପଥ ପ୍ରଦର୍ଶକ, ନେତା, ଗୁରୁ । ମାତ୍ର ପଥରେ ଚାଲିବା କାର୍ଯ୍ୟ, ନୌକାଟି ବାହିବା କାର୍ଯ୍ୟ ଆମ୍ଭମାନଙ୍କଦ୍ୱାରା ସାଧିତ ହେବା ଦରକାର । ସେମାନଙ୍କର ଗତିକୁ, ସେମାନଙ୍କର ନେତୃତ୍ୱକୁ କେବଳ ଚାହିଁ ରହିଲେ ଆମ୍ଭେମାନେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବା ନାହିଁ ।

 

ଧର୍ମ-ସାଧନା ହୃଦୟର ଜିନିସ । ସେଥି ପାଇଁ ଆବଶ୍ୟକ ସମ ପରିମାଣରେ ଜ୍ଞାନ ଓ ଭକ୍ତି । ଯେଉଁମାନଙ୍କର ନେତୃତ୍ୱରେ ଆମ୍ଭେମାନେ ଧର୍ମସାଧନା ପଥରେ ଗତି କରୁଁ ସେମାନଙ୍କର ଆଦର୍ଶ ଆମ୍ଭମାନଙ୍କର ବ୍ୟକ୍ତିତ୍ୱ ଉପରେ ଯେତେ ଦୂର ପ୍ରଭାବ ପକାଏ ସେତେ ଦୂର କେବଳ, ସେତିକି ପରିମାଣରେ ହିଁ ଆମ୍ଭମାନଙ୍କ ସାଧନ ଫଳବତୀ ହୁଏ । ନେତାଙ୍କ ଉପରେ ଏକାନ୍ତ ନିର୍ଭର କରି ବ୍ୟକ୍ତିତ୍ୱକୁ ତ୍ୟାଗକଲେ ବ୍ୟକ୍ତିତ୍ୱ ବିକାଶଲାଭ କରେ ନାହିଁ କି ସାଧନା ସଫଳ ହୁଏ ନାହିଁ । ଧର୍ମକୁ ପୋଷାକ ଭଳି ବ୍ୟବହାର କରାଯାଇ ନ ପାରେ । ପୋଷାକ ବାହାରର ଜିନିଷ, ଯାହା ଭିତରକୁ ଘୋଡ଼ାଇ ରଖେ । କିନ୍ତୁ ଧର୍ମ ଭିତରର ଜିନିଷ । ତାହା ବ୍ୟକ୍ତିତ୍ୱ ଉପରେ ଏକାନ୍ତଭାବରେ ନିର୍ଭର କରେ । ଏକାଭଳି ପୋଷାକ ସମସ୍ତେ ପରିଧାନ କରି ପାରନ୍ତି । ପୋଷାକଟି ରୂପରେ ଏକାପରି ଦିଶେ । ମାତ୍ର ପରିଧାନକାରୀର ଶରୀରର କଣ୍ଟ ଅନୁସାରେ ପୋଷାକ ତିଆରି ହେବା ଆବଶ୍ୟକ । ପ୍ରୌଢ଼ର ପୋଷାକ କିଶୋରର ଶରୀରରେ ଗଳାଇଲେ ଯେପରି ସୁନ୍ଦର ଦିଶେ ନାହିଁ, ସେହିପରି ବ୍ୟକ୍ତିତ୍ୱକୁ ଛାଡ଼ିଦେଲେ ଜଣକର ଧର୍ମ ସାଧନ ଆଉ ଜଣକ କାମରେ ଆସେ ନାହିଁ । ଧର୍ମ ଚର୍ଚ୍ଚାରେ ମଧ୍ୟ ଅଧିକାରଭେଦ ରହିଅଛି । ଏହି ଅଧିକାର ନିଜର ବ୍ୟକ୍ତିତ୍ୱର ବିକାଶ ମାତ୍ରା ଉପରେ ନିର୍ଭର କରେ ।

 

ଏହି ଧର୍ମ-ସାଧନ ଅଙ୍ଗାଙ୍ଗୀ ଭାବେ ଜୀବନ ସହିତ ସଂଶ୍ଳିଷ୍ଟ । ଜୀବନକୁ ଯେପରି ପ୍ରତି ମୁହୂର୍ତ୍ତ ଧରିବାକୁ ହୁଏ ଧର୍ମକୁ ମଧ୍ୟ ସେହିପରି ପ୍ରତି ମୁହୂର୍ତ୍ତ ପାଳିବାକୁ ହୁଏ । ରବିବାର ଦିନ ପାଇଁ, ବୃଦ୍ଧ ବୟସ ପାଇଁ କିମ୍ୱା କୌଣସି ତୀର୍ଥ ସ୍ଥାନ ଅପେକ୍ଷାରେ ଧର୍ମକୁ ସାଇତି ରଖିଲେ ଚଳିବ ନାହିଁ । ଶରୀରର ପ୍ରତ୍ୟେକ କାର୍ଯ୍ୟ, ମନର ପ୍ରତ୍ୟେକ ଚିନ୍ତା ଓ ହୃଦୟର ପ୍ରତ୍ୟେକ ଅନୁଭୂତିରେ ଏହି ଧର୍ମ ପାଳିତ ହେବା ଆବଶ୍ୟକ । ସଭାସ୍ଥଳ ପାଇଁ ଗୋଟିଏ ଧର୍ମ, ଭାଇଭଉଣୀଙ୍କ ପାଇଁ ଅନ୍ୟ ଏକ ଧର୍ମ, ଦେବାଳୟରେ ଗୋଟିଏ ଧର୍ମ, କାର୍ଯ୍ୟକ୍ଷେତ୍ରରେ ଅନ୍ୟ ଏକ ଧର୍ମ ପାଳନ କରି ଧର୍ମକୁ ବିଭିନ୍ନ କୋଠରିରେ (Water tight compartment) ରଖିଲେ ତାହା ଧର୍ମ ନହୋଇ ଆଉ କିଛି ହେବ । କି କର୍ମ, କି ଜ୍ଞାନ, କି ଭକ୍ତି, କି ବାହାର, କି ଭିତର ସବୁ ଯେପରି ଭଗବାନଙ୍କ ଭୋଗରେ ଲାଗେ ତାହାର ବିଧାନ ହିଁ ଧର୍ମ-ବିଧାନ । ସେପରି ଧର୍ମ-ସାଧନାର ମନ୍ଦିର ମାନବର ହୃଦୟ । ମନ୍ଦିରଟିକୁ ପବିତ୍ର ଓ ନିର୍ମଳ ରଖିବାକୁ ହେବ । ହୃଦୟର ପବିତ୍ରତା ମନ ଓ ଦେହର ପବିତ୍ରତା ଉପରେ, କର୍ମ ଓ ଚିନ୍ତାର ପବିତ୍ରତା ଉପରେ ନିର୍ଭର କରେ । ଏହା କରିବା ପାଇଁ ଭଗବତ୍‌ ଆରାଧନା, ଅନବରତ, ନିୟମିତ ଓ ଐକାନ୍ତିକ ଉପାସନା ଆବଶ୍ୟକ । ଜାଣିରଖିବାକୁ ହେବ ଆମ୍ଭମାନଙ୍କର ମନ, ଦେହ ଓ ଆତ୍ମା ଯେତେ ସମୟ ପବିତ୍ର ସେତିକି ସମୟ କେବଳ, ଠିକ୍‌ ସେତିକି ନିମଷ କେବଳ ଭଗବାନଙ୍କର ଅଧିଷ୍ଠାନ ଆମ୍ଭମାନଙ୍କ ହୃଦସିଂହାସନରେ ସମ୍ଭବପର । ଠିକ୍‌ ସେହି ମୁହୂର୍ତ୍ତ କେବଳ ଭଗବାନ ଆମ୍ଭମାନଙ୍କର ରାଜା, ଚାଳକ ଓ ନେତା । ଯେଉଁ ସମୟତକ ଆମ୍ଭେମାନେ ମିଥ୍ୟା, ପ୍ରବଞ୍ଚନା ଓ ମୋହରେ ଜଡ଼ିତ ସେ ସମୟତକ ସେ ମାନବ-ହୃଦୟର ବାହାରେ ରହନ୍ତି । ପ୍ରତି ମୁହୂର୍ତ୍ତରେ ଭଗବାନଙ୍କୁ ନିଜ ଅନ୍ତରର ରାଜା କରି ରଖିବାହିଁ ପ୍ରତ୍ୟେକ ଧର୍ମ ଏକମାତ୍ର ଲକ୍ଷ୍ୟ । ଏହା କରିବାକୁ ହେଲେ ବ୍ୟକ୍ତିତ୍ୱକୁ ଆବଶ୍ୟକୀୟ ଅଭ୍ୟାସ ସାହାଯ୍ୟରେ ଯୋଗ୍ୟ କରିବାହିଁ ଏକମାତ୍ର ଉପାୟ ।

 

ଏହି ବ୍ୟକ୍ତିଗତ ଧର୍ମର ପୁରୋହିତ, ଏହି ବ୍ୟକ୍ତିଗତ ଦୀକ୍ଷାର ଗୁରୁ ନିଜର ବ୍ୟକ୍ତିତ୍ୱ । ଏହି ଧର୍ମର ଶାସ୍ତ୍ର ସକଳ ଧର୍ମର ଶାସ୍ତ୍ର, ଏହି ଧର୍ମର ଗୁରୁ ଓ ପ୍ରବର୍ତ୍ତକ ସକଳ ଧର୍ମର ଗୁରୁ ଓ ପ୍ରବର୍ତ୍ତକ । ସବୁ ଧର୍ମ ଯଦି ସମାନ, ବିଭିନ୍ନ ଧର୍ମ ଉତ୍ପତ୍ତିର କାରଣ କ’ଣ ? ପ୍ରକୃତରେ ଏହି ସକଳ ଧର୍ମ ଉତ୍ପନ୍ନ ହୋଇ ନାହାନ୍ତି । ବେଦରେ ଯଦି ସମସ୍ତ ସତ୍ୟ କୁହାଯାଇ ଥିଲା, ଉପନିଷଦ୍‌ ପ୍ରଚାରର ଆବଶ୍ୟକତା କେଉଁଠାରେ ? ଉପନିଷଦର ଆବିର୍ଭାବ ନୂତନ ସତ୍ୟ ପ୍ରକଟନ ପାଇଁ ନୁହେଁ । ବେଦୋତ୍ତର ଯଜ୍ଞାନୁଷ୍ଠାନିକତା ଓ ପ୍ରାଣହୀନ ନୃଶଂସ କର୍ମକାଣ୍ଡର ସଂସ୍କାର ଏହାର ଉଦ୍ଦେଶ୍ୟ । ସେହିପରି ବୁଦ୍ଧଦେବ ବେଦୋକ୍ତ ସତ୍ୟର ଅପଳାପ କରିବାକୁ ଉଦ୍ୟତ ନଥିଲେ, ସେ ଚାହିଁଥିଲେ କେବଳ ବେଦଜନିତ କ୍ରୂର ପଶୁଘାତକୁ ଦୂର କରିବାକୁ । ଶଙ୍କରଙ୍କ ପ୍ରଚାର ବୁଦ୍ଧଦେବଙ୍କ ସରଳ ଓ କରୁଣାପୂର୍ଣ୍ଣ ଧର୍ମ ବିରୁଦ୍ଧରେ ହୋଇ ନଥିଲା । ବୌଦ୍ଧୋତ୍ତର କୁସଂସ୍କାର ଓ ନାସ୍ତିକତା ଖଣ୍ଡନ ତାଙ୍କ ପଚାରର ଉଦ୍ଦେଶ୍ୟ ଥିଲା । ଶ୍ରୀଚୈତନ୍ୟ ଶ୍ରକୃଷ୍ଣୋକ୍ତ ଗୀତାର ଜ୍ଞାନଯୋଗକୁ ଖଣ୍ଡନ କରି ନଥିଲେ-। ସେ ମଧ୍ୟ-ଯୁଗୀୟ ବଙ୍ଗୀୟ ପଣ୍ଡିତମାନଙ୍କର ଭକ୍ତିହୀନ ଶୁଷ୍କ ଜ୍ଞାନ ଗରିମାକୁ ଭାଙ୍ଗି ଦେଇଥିଲେ କେବଳ । ଇହୂଦି ଧର୍ମର ମୂଳତତ୍ତ୍ୱ ଯୀଶୁଙ୍କ ପ୍ରଚାର ସହିତ ଅମେଳ ନଥିଲା । ସେ କିନ୍ତୁ ତତ୍‌କାଳୀନ ଧର୍ମକୁ କୁଚକ୍ରପୂର୍ଣ୍ଣ ପୌରୋହିତ୍ୟର ଅତ୍ୟାଚାରରୁ ରକ୍ଷା କରିଥିଲେ । ଧର୍ମର ଏହି ଉତ୍‌ଥାନପତନକୁ ଲକ୍ଷ୍ୟ କରି ମେଡ଼େମ ସଫିଆ ଉଆଦିଆ ଲେଖିଛନ୍ତି-

 

"The seeds which thy sow sprout, but all too soon are throttled by the treacherous embrace of weeds-petty greeds, mean angers, small vanities, all put together and making possible the existence of priests, bigotry and intolerance. Tolerance will be a reality, not when we view all religions on an equal basis, but when we see them as one. We must trace the evolution of each from the corruption experienced by its immediate predecessor, till hthe conviction is forced upon us that there must exist a body of knowledge possessed by all the sages and Prophets which must be the one source of indivisible truth."

 

ଧର୍ମର ଏହି ସତ୍ୟ ଓ ପ୍ରକୃଷ୍ଟ ଧାରଣାହିଁ ଆମ୍ଭମାନଙ୍କ ବ୍ୟକ୍ତି ଧର୍ମର ଏକମାତ୍ର ସହାୟକ-। ଏହାହିଁ ସାମ୍ପ୍ରଦାୟିକ ସଂକୀର୍ଣ୍ଣତା ଓ ଜାତିଗତ ବିଦ୍ୱେଷ, ଭିତର ବାହାରର ଦ୍ୱିଧର୍ମ ରୂପ ଆତ୍ମ ଓ ପର ପ୍ରବଂଚନା ଓ ମିଥ୍ୟାଚାରରୁ ନିଷ୍କୃତ ଲାଭ କରିବାର ଏକମାତ୍ର ଉପାୟ । ଏପରି ସ୍ପଷ୍ଟ ଧାରଣା ଓ ବିଶ୍ୱାସହିଁ ଆତ୍ମପରୀକ୍ଷାର ଏକମାତ୍ର ମାପକାଠି, ଯାହାର ସାହାଯ୍ୟରେ ଆମ୍ଭେମାନେ ନିଜକୁ ନିଜେ ମାପି ଆବଶ୍ୟକୀୟ ଉନ୍ନତିବିଧାନରେ ସମର୍ଥ ହୋଇପାରୁଁ ।

 

ବ୍ୟକ୍ତିଗତ ଧର୍ମକୁ ସ୍ୱେଚ୍ଛାଚାର ଧର୍ମ ବୋଲି ବୁଝିବାର ଗୋଟିଏ ଗୁରୁତର ଆଶଙ୍କା ରହିଅଛି । ଅନୈଷ୍ଠିକ ହେଲେ, ଅସଦାଚାରୀ ହେଲେ, ଅସାମାଜିକ ହେଲେ ବ୍ୟକ୍ତିଗତ ଧର୍ମ ପାଳିତ ହୁଏ ନାହିଁ । ଏହାଦ୍ୱାରା ଉଭୟ ଭ୍ରଷ୍ଟ ହୋଇ ମନୋଧର୍ମକୁ ବ୍ୟକ୍ତିଗତ ଧର୍ମ ଆଖ୍ୟା ପ୍ରଦାନ କରି ଭୟାବହ, ରସାତଳଗମନ ସହାୟକ ଆତ୍ମସନ୍ତୁଷ୍ଟି ଲାଭ କରେ । ଏପରି ସନ୍ତୋଷହିଁ ତାହାର ପତନର କାରଣ ହୁଏ । ବ୍ୟକ୍ତିଗତ ଧର୍ମର ଦୁଇଆଡ଼େ ଦୁଇଟି ପ୍ରଧାନ ବିପଦ, ଗୋଟିଏ ନିଜର ମନଗଢ଼ା ଧର୍ମ-ପାଳନ, ଅନ୍ୟଟି ସାମାଜିକ ଅନୁଷ୍ଠାନର ଅନ୍ଧ ଅନୁସରଣ । ଏହି ଦୁଇଟି ପର୍ବତ ମଝିରେ ଏକମାତ୍ର ସୁଗମ ପଥ ଅଟେ ଶାସ୍ତ୍ର ପାଠ, ସତ୍‌ସଙ୍ଗ ଲାଭ ଓ ସଦ୍‌ଗୁରୁ ସେବା । ଏଥି ପାଇଁ ଆବଶ୍ୟକ ଅନବରତ ଚେଷ୍ଟା, ଅକ୍ଳାନ୍ତ ଅଧ୍ୟବସାୟ ଓ ନିରନ୍ତର ଆତ୍ମାବଲୋକନ ଓ ଆତ୍ମବିଶ୍ଳେଷଣ-। ଏହାଦ୍ୱାରା ପଥ କ୍ରମେ କ୍ରମେ ପରିଷ୍କାର ହୋଇଯାଏ, ଆଲୋକ ଧୀରେ ଧୀରେ ପ୍ରସରେ ଓ ସତ୍ୟର ଝଙ୍କାର ଜୀବନ ତାରରେ ବାଜି ଉଠେ । ଭଗବାନଙ୍କ କରୁଣା ଓ ମାନବର ଚେଷ୍ଟା, ମାତାର ପ୍ରେମ ଓ ଶିଶୁର ଯତ୍ନ ପରି ସମପରିମାଣରେ ଧର୍ମସିଦ୍ଧି ପାଇଁ ଆବଶ୍ୟକ ହୁଏ । ଦର୍ଶନଶାସ୍ତ୍ରରେ ଏହାକୁ ମାର୍ଜାର-ମର୍କଟ-ନ୍ୟାୟ କୁହାଯାଏ । ଏହି ଦୁଇଟି କିନ୍ତୁ ଏକ ଉପାଦାନରେ ଗଠିତ, ତାହା ଅଟେ ଭଗବତ୍‌ ପ୍ରୀତି । ତେଣୁ ମୀରାବାଈ ଗାଇଥିଲେ–

 

ବିନା ପ୍ରେମ ସେ ନା ମିଲେ ନନ୍ଦଲାଲା ।

 

ବ୍ୟକ୍ତିଗତ ଧର୍ମ ପଥରେ ସ୍ଖଳନର ଆଶାଙ୍କା ବରାବର ରହିଅଛି । ଏଥିରୁ ଉଦ୍ଧାର ପାଇବାକୁ ମନୁଷ୍ୟକୁ ପ୍ରତି ମୁହୂର୍ତ୍ତ ଜାଗ୍ରତ ରହିବାକୁ ହୁଏ । ଧର୍ମଚରଣ ପ୍ରବୃତ୍ତିକୁ ଜାଗ୍ରତ ରଖିଲେ, ସେହି ପ୍ରବୃତ୍ତଟି ଏହି ସ୍ଖଳନର ପ୍ରତିବନ୍ଧକରୂପେ କାର୍ଯ୍ୟ କରେ । ଜଣେ ଲେଖକ ଏଥି ସମ୍ୱନ୍ଧେ ଲେଖିଛନ୍ତି–

 

"A person is truly religious when he is sincere in his yearning for the kind of goodness that appeals to him to be noble. Concious insincerity and a worthy religious experience are incompatible. If one desires the feeling of harmonious relationship with God, he will reveal the sincerity of his desire by the keenness with whic he seeks harmonious relationship with his family and with the members of his community."

 

ମୂର୍ଖ ଅପରାଧ କଲେ ତାହାର କ୍ଷମା ଅଛି । କାରଣ ସେ ଦୋଷ କରେ ନଜାଣି । କିନ୍ତୁ ଜ୍ଞାନୀର ଅପରାଧ ଅକ୍ଷମଣୀୟ । ଆମ୍ଭେମାନେ ବୁଝି ସୁଝି, ଜାଣି ଶୁଣି ନିତି ଯେଉଁ ଶତଶତ ଅପରାଧ କରିଥାଉଁ, ସେ ସବୁ ବ୍ୟକ୍ତିଗତ ଧର୍ମପଥର ଗୋଟିଏ ଗୋଟିଏ ତୀକ୍ଷ୍‌ଣ କଣ୍ଟକ । ଭଗବତ୍‌ ପ୍ରୀତି ଓ ବ୍ୟକ୍ତିଗତ ଅନୁତାପ ଓ ଚେଷ୍ଟା ବିନା ଏହି କଣ୍ଟକଗୁଡ଼ିକ ଫୁଲରେ ପରିଣତ ହେବାର ଅନ୍ୟ ଉପାୟ ନାହିଁ । ଗୃହରେ ଓ ସମାଜରେ ଆମ୍ଭମାନଙ୍କ କାର୍ଯ୍ୟକଳାପରେ ପ୍ରୀତି ଓ ନୀତି ନିତାନ୍ତ ଆବଶ୍ୟକ । ପାରିବାରିକ ଓ ସମାଜିକ ଜୀବନକୁ ପାପ-ପଙ୍କିଳ କରି ଶାସ୍ତ୍ର ଚର୍ଚ୍ଚା ଓ ଭଗବତ୍‌ ପୂଜାରେ କିଛି ଅର୍ଥ ନାହିଁ କି ଫଳ ନାହିଁ ।

 

ମାନବ ସେବାହିଁ ଭଗବାନଙ୍କର ସେବା ଅଟେ । ଏହାହିଁ ପ୍ରକୃତ ଭଗବତ୍‌ ଅର୍ଚ୍ଚନା । ପ୍ରବଞ୍ଚନା ଓ ବାହ୍ୟ ଧର୍ମ-ସାଧନା ଏକାଧାରରେ କରାଯାଇପାରେ, ଆନୁଷ୍ଠାନିକ ଧର୍ମ-ପାଳନ ଓ ମିଥ୍ୟାଚରଣ ପରସ୍ପର ବିରୋଧାତ୍ମକ ହୋଇ ନପାରେ, ମାତ୍ର ଭଗବତ୍ ପରିଚୟ ସଙ୍ଗେ ଆତ୍ମ ପ୍ରବଞ୍ଚନା ବା ମିଥ୍ୟାଚାର ରହି ନପାରେ । ଏହି ପରିଚୟହିଁ ବ୍ୟକ୍ତିଗତ ଧର୍ମର ଏକମାତ୍ର ଲକ୍ଷ୍ୟ । ଏପରି ଧର୍ମହିଁ ମାନବର ଶ୍ରେଷ୍ଠ ଧର୍ମ ।

Image

 

ଗଜ ନିସ୍ତାରଣ

 

ଶୁକଦେବ ଭାଗବତରେ ବୈଦିକ ସିଦ୍ଧାନ୍ତଗୁଡ଼ିକୁ ଉପାଖ୍ୟାନ ଆକାରରେ ବୁଝାଇ ଅଛନ୍ତି-। କଥା ବା କାହାଣୀରୂପେ ଭାଗବତ୍ ତତ୍ତ୍ୱ ବୁଝାଇବା ରୀତି ସବୁ ଧର୍ମରେ ଦେଖାଯାଏ । ବୌଦ୍ଧ ଧର୍ମର ଜାତକ, ଯୀଶୁଖ୍ରୀଷ୍ଟଙ୍କକଥିତ କଥାପୁଞ୍ଜ (Parables) ଓ ରାମକୃଷ୍ଣ ପରମହଂସଙ୍କ କଥାବଳୀ କେତେଗୋଟି ଏହାର ଦୃଷ୍ଟାନ୍ତ । ନୀତିଶାସ୍ତ୍ରକୁ ମଧ୍ୟ କାହାଣୀ ସାହାଯ୍ୟରେ ବୁଝାଇବା ପ୍ରୟାସ ପୁରାତନ କାଳରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ସମସ୍ତ ଭାଷାରେ କରାଯିବାର ଦେଖାଯାଏ । ବିଷ୍ଣୁଶର୍ମାଙ୍କ ହିତୋପଦେଶ, ପଞ୍ଚତନ୍ତ୍ର ପୁଣି ଈଶଫ୍‌ଙ୍କ ଗଳ୍ପାବଳୀ ଏହି ଧରଣର ବହି । ଆଧୁନିକ ଦୃଷ୍ଟାନ୍ତ ମଧ୍ୟ ବିରଳ ନୁହେଁ । ରବୀନ୍ଦ୍ରନାଥଙ୍କ ‘ତାସେର ଦେଶ’, ‘ରକ୍ତ କରବୀର’ ପ୍ରଭୃତି ଲେଖା ଏହି ଧରଣର ଅଟେ ।

 

ମନୁଷ୍ୟ ନିଜ ଭାଷା ସାହାଯ୍ୟରେ ତାହାର ଭାବ ବ୍ୟକ୍ତ କରେ । ସେହି ଭାବର ପ୍ରକାଶକୁ ଅଧିକ ପ୍ରାଞ୍ଜଳ ଓ ଶକ୍ତିଶାଳୀ କରିବାକୁ ହେଲେ ଅଳଙ୍କାର ଶାସ୍ତ୍ରର ଆଶ୍ରୟ ନେବାକୁ ହୁଏ-। ସାଧାରଣ ଭାବର ଉଚିତ ପ୍ରକାଶ ନିମନ୍ତେ ସୁଦ୍ଧା ଭାଷାକୁ କେତେ ସମୟରେ ଆଳଙ୍କାରିକ କରିବାକୁ ହୋଇଥାଏ । ଭଗବତ୍ ତତ୍ତ୍ୱକୁ ଭଲଭାବେ ବୁଝାଇବା ପାଇଁ ଭାଷାକୁ ଅତିରଞ୍ଜିତ, ଆଳଙ୍କାରିକ ଓ ରୂପାୟିତ କରିବା ଅତି ସ୍ୱାଭାବିକ ଓ ଆବଶ୍ୟକ । ଆଧ୍ୟାତ୍ମିକ ବିଷୟ ସବୁ ଅତୀନ୍ଦ୍ରିୟ ଅଟେ । ତାହା ମାନସିକ ରାଜ୍ୟର ବହୁ ଉପରେ । ମାତ୍ର ମନୋଜାତ ଭାଷା ସେପରି ନୁହେ । ତେଣୁ ଏହି ରୂପହୀନ ଅତୀନ୍ଦ୍ରିୟ ଭଗବତ୍ ତତ୍ତ୍ୱକୁ ଇନ୍ଦ୍ରିୟୋଦ୍ଭବ ରୂପମୟ ଭାଷା ବ୍ୟତୀତ ଅନ୍ୟ ଉପାୟରେ ବ୍ୟକ୍ତ କରିବା ସମ୍ଭବପର ନୁହେଁ । ଅପୌରୁଷେୟ ଶ୍ରୁତି ସୁଦ୍ଧା ପୁରୁଷ ରଚିତ ଭାଷାଦ୍ୱାରାହିଁ ପ୍ରକାଶିତ । ଭାଷା ବିନା ମାନବ ସମାଜରେ ଆଧ୍ୟାତ୍ମିକ ଜୀବନର ଜନ୍ମ ଓ ବିକାଶ ଅସମ୍ଭବ । ତଥାଚ ସେହି ଜୀବନର ସମ୍ପୂର୍ଣ୍ଣ ଅନୁଭୂତି ପାଇଁ, ସେହି ଅନୁଭୂତିର ସମ୍ୟକ୍ ପ୍ରକାଶ ପାଇଁ ମନୁଷ୍ୟର ଭାଷା ଅତ୍ୟନ୍ତ ଦୁର୍ବଳ । ଛୋଟ ଶିଶୁଟିଏ ଚାଲି ଶିଖିବାକୁ ପଡ଼ି ଉଠିଲା ପରି ଭାଷା ଭଗବାନଙ୍କ ବିଷୟ ବ୍ୟକ୍ତ କରିବାକୁ ନାନା ପ୍ରକାର ଚେଷ୍ଟା କରେ । ରୂପକ କାହାଣୀ ରଚନା ସେପରି ଗୋଟିଏ ଚେଷ୍ଟା-ମାତ୍ର । ରବୀନ୍ଦ୍ରନାଥ କୌଣସି ଏକ ସ୍ଥାନରେ ଗାଇବାର ସ୍ମରଣ ହୁଏ, ‘‘ରୂପ ସାଗରେ ଡୁବ୍ ଦିୟେଛି ଅରୂପ ରତନ ପାବାର ଆଶେ ।’’ ଅରୂପ ରତ୍ନଟି ପାଇବା ନିମନ୍ତେ ରୂପସାଗରରେ ନିମଗ୍ନ ହେବା ବ୍ୟତୀତ ଅନ୍ୟ ଉପାୟ ଶାନ୍ତ ମନୁଷ୍ୟର ସାଧ୍ୟାତୀତ । ତେଣୁ ସେ ଭଗବାନଙ୍କ ଗୂଢ଼ ତତ୍ତ୍ୱକୁ ନାନା ଆକାର, ନାନା ରୂପରେ ବ୍ୟକ୍ତ କରିବାକୁ ଚେଷ୍ଟା କରେ ।

 

ସେହିପରି ଭାଗବତ ପୁରାଣରେ ଅନେକ ଉପାଖ୍ୟାନର ଆଶ୍ରୟ ଗ୍ରହଣ କରାଯାଇଅଛି-। ଉପାଖ୍ୟାନାଟି ସତ୍ୟ ହେଉ ବା କାଳ୍ପନିକ ହେଉ, ତଦ୍ଦ୍ୱାରା ଭଗବାନଙ୍କ ବିଷୟ ଜାଣିବାକୁ ବହୁତ ସାହାଯ୍ୟ ମିଳେ । ମାତ୍ର ଉପାଖ୍ୟାନକୁ ମୁଖ୍ୟ ସ୍ଥାନଦେଇ ମୂଳ ତତ୍ତ୍ୱକୁ ଗୌଣସ୍ଥାନ ଦେଲେ ମୂଳ ଉଦ୍ଦେଶ୍ୟ ବ୍ୟର୍ଥ ହୋଇଯାଏ । ଏହା ଫଳରେ ସମାଜରେ ନାନା ପ୍ରକାର ଅଯୌକ୍ତିକ ଅନ୍ଧବିଶ୍ୱାସ ପ୍ରବେଶ ଲାଭ କରି ମନୁଷ୍ୟର ମନକୁ କୁସଂସ୍କାର ପୂର୍ଣ୍ଣ କରିଦିଏ ।

 

ବିଖ୍ୟାତ ଇଂରାଜି ସାହିତ୍ୟକ ଏଚ. ଜି. ଉଏଲସ୍ ପେର୍ଲ ଅଫ ଲଭ (Pearl of love) ନାମକ ଗୋଟିଏ ଛୋଟ ଗଳ୍ପ ଲେଖିଛନ୍ତି । ଜଣେ ରାଜା ତାଙ୍କ ପ୍ରିୟତମା ପତ୍ନୀଙ୍କୁ ହରାଇ ବାତୁଳପ୍ରାୟ ହୋଇଗଲେ । ସେ ରାଜ୍ୟଭାର ଜଣେ ଦତ୍ତପୁତ୍ରଙ୍କ ହସ୍ତରେ ନ୍ୟସ୍ତ କରି ନିଜର ପତ୍ନୀ ପ୍ରେମକୁ ମୂର୍ତ୍ତିମନ୍ତ କରିବା ଉଦ୍ଦେଶ୍ୟରେ ରାଣୀଙ୍କର ସ୍ମୃତିସ୍ୱରୂପ ଗୋଟିଏ ସୁନ୍ଦର ଅଟ୍ଟାଳିକା ନିର୍ମାଣ କରାଇଲେ । ରାଣୀଙ୍କର ମୃତ ଶରୀର ଗୋଟିଏ କାରୁକାର୍ଯ୍ୟ ଶୋଭିତ କବର ଭିତରେ ରଖାଗଲା । କବରଟିକୁ ଗୃହ ମଧ୍ୟରେ ରଖି ଅଟ୍ଟାଳିକାଟି ନିର୍ମିତ ହେଲା । ରାଜାଙ୍କ ଯତ୍ନରେ ତାହା ଅତି ରମଣୀୟ ହୋଇ ଉଠିଲା । ଶେଷରେ ଦେଖାଗଲା ମଧ୍ୟଭାଗରେ ରଖାଯାଇ ଥିବା ରାଣୀଙ୍କର କବରଟି ହର୍ମ୍ୟର ସୌନ୍ଦର୍ଯ୍ୟ ତୁଳନାରେ କେବଳ ନିକୃଷ୍ଟ ନୁହେଁ, ତଦ୍ଦ୍ୱାରା ସୌଧର ସୌନ୍ଦର୍ଯ୍ୟ ପ୍ରକାଶରେ ବାଧା ଘଟୁଛି । ପ୍ରାସାଦ-ଶୋଭା-ବିମୁଗ୍ଧ ରାଜା ଦିନେ ହଠାତ୍ ଆଦେଶ ଦେଲେ, ‘‘କବରଟିକୁ ସେଠାରୁ ଉଠାଇ ନିଅ ।’’ ଅଟ୍ଟାଳିକାଟି ରହିଲା, କବରଟି କିନ୍ତୁ ନଷ୍ଟ ହେଲା । ସେହିପରି ଭାଗବତ ପ୍ରତିପାଦିତ ମୂଳ ତଥ୍ୟକୁ ଅବହେଳା କରି ଉପାଖ୍ୟାନର ମାଧୁର୍ଯ୍ୟରେ ବିମୁଗ୍ଧ ହେଲେ ମୂଳ ଉଦ୍ଦେଶ୍ୟ ନଷ୍ଟ ହୁଏ ।

 

ଉଲ୍ଲିଖିତ ବିଷୟକୁ ମନେ ରଖି ଭାଗବତ ବର୍ଣ୍ଣିତ ଗଜ ନିସ୍ତାରଣ ଉପାଖ୍ୟାନଟିକୁ ପାଠ କଲେ ତନ୍ନିହିତ ତତ୍ତ୍ୱ ଆମ୍ଭେମାନେ ସହଜରେ ବୁଝିପାରିବା । ସଂସାରକୁ ସମୁଦ୍ର ସଙ୍ଗେ ତୁଳନା କରିବା ସାହିତ୍ୟିକମାନଙ୍କର ଗୋଟିଏ ଚିରନ୍ତନ ଅଭ୍ୟାସ । ସଂସାର ସାଗରରୁ ପାର ହେବା ପାଇଁ ମନୁଷ୍ୟ ସବୁବେଳେ ଚେଷ୍ଟା କରେ । ସାଗରରେ ମନୁଷ୍ୟର ପ୍ରଧାନ ଶତ୍ରୁ କୁମ୍ଭୀର । ତେଣୁ ସଂସାରର ଦୁଃଖଶୋକକୁ ସାଗରର କୁମ୍ଭୀର ସହିତ ତୁଳନା କରାଯାଏ । ମନୁଷ୍ୟ ନିଜକୁ ହସ୍ତୀ ସଦୃଶ ବଳବାନ ମନେ କରେ । ମାତ୍ର ହସ୍ତୀ ଯେପରି ସାଗରରେ କୁମ୍ଭୀରଦ୍ୱାରା ଆକ୍ରାନ୍ତ ହୋଇ ଦୁର୍ବଳ ହୁଏ, ସେହିପରି ମନୁଷ୍ୟ ସାଂସାରିକ ଦୁଃଖ କଷ୍ଟ ଦ୍ୱାରା ଆକ୍ରାନ୍ତ ହୋଇ ନିଜର ସମସ୍ତ ଶକ୍ତି ହରାଇ ଦିଏ । ବିପଦଗ୍ରସ୍ତ ମନୁଷ୍ୟର ଏକମାତ୍ର ସହାୟ ଓ ଭରସା ସ୍ୱୟଂ ଭଗବାନ । ହସ୍ତୀ କୁମ୍ଭୀରର କବଳରୁ ରକ୍ଷା ପାଇବା ପାଇଁ ଭଗବାନଙ୍କ ଆଶ୍ରୟ ନେଲା ପରି, ମନୁଷ୍ୟ ବିପଦ କାଳରେ ଭଗବାନଙ୍କର ସାହାଯ୍ୟ ଲୋଡ଼େ ।

 

ଗଳ୍ପଟିକୁ ଏହିପରି ବୁଝିଲେ ତାହାର ଆଧ୍ୟାତ୍ମିକ ଉଦ୍ଦେଶ୍ୟ ବୁଝିହୁଏ । ମନୁଷ୍ୟ ଅଜ୍ଞାନ ଓ ଅବିଦ୍ୟା ହେତୁ ତାହାର ମନୁଷ୍ୟତ୍ତ୍ୱ ହରାଇ ଗଜପରି ବିପୁଳ ବିଗ୍ରହଧାରୀ କିନ୍ତୁ ହୀନମସ୍ତିଷ୍କ ହୋଇ ଯାଏ । ଏପରି ଲୋକକୁ କୁହାଯାଏ ଗଜମୂର୍ଖ । ସେ ତାହାର ଶାରୀରିକ ବୃଦ୍ଧିରେ ବ୍ୟସ୍ତ ରହି ଆଧ୍ୟାତ୍ମିକ ଜୀବନକୁ ଏକାବେଳକେ ପାସୋରି ଦିଏ । ସାଂସାରିକତା ରୂପ କୁମ୍ଭୀର ତାକୁ କାମୁଡ଼ି ଧରେ । ସେତେବେଳେ ସେ ଏକପ୍ରକାର ଚମକପ୍ରାପ୍ତ ହୋଇ ଭଗବାନଙ୍କର ଶରଣାପନ୍ନ ହୁଏ ଓ ତାଙ୍କରି ସାହାଯ୍ୟରେ ସେହି କୁମ୍ଭୀରଠାରୁ ମୂକ୍ତ ହୁଏ ।

 

କୁମ୍ଭୀର ଜଳ ଭିତରେ ହସ୍ତୀକୁ ଆକ୍ରମଣ କରିବା ଅତି ସ୍ୱାଭାବିକ ଘଟଣା । ତେଣୁ ଏହି ହସ୍ତୀଟିର ରକ୍ଷା ନିମନ୍ତେ ଭଗବାନଙ୍କର ଆଗମନ ଅନାବଶ୍ୟକ ମନେ ହୁଏ । ପ୍ରକୃତି ରାଜ୍ୟର ଜୀବନ ସଂଗ୍ରାମରେ କେତେ ଜୀବ କେତେ ଜୀବକୁ ମାରି ଖାଉ ନାହାନ୍ତି ! ମତ୍ସ୍ୟ-ନ୍ୟାୟ ଅନୁସାରେ ଜୀବ ରାଜ୍ୟରେ ସବଳ ଜୀବ ଦୁର୍ବଳ ଜୀବକୁ ମାରି ଖାଏ ଓ ବଞ୍ଚି ରହେ । ଏହି ପ୍ରାକୃତିକ କାର୍ଯ୍ୟକଳାପରେ ଭଗବାନଙ୍କର ହସ୍ତକ୍ଷେପ ବିଶ୍ୱାସଯୋଗ୍ୟ ନୁହେଁ । ତାହା ତାଙ୍କର ଜ୍ଞାତସାରରେ ହୁଏ, ତାହା ତାଙ୍କରିହିଁ ନିୟମ । ମର ଜୀବନରକ୍ଷଣ ଭଗବାନଙ୍କର କାର୍ଯ୍ୟ ନୁହେଁ । ରାଜସ୍ତୁତିରେ ଏହି ବିଷୟଟି ବିଷଦ କରାଯାଇଅଛି । ହସ୍ତୀ ତାହାର ଆଧ୍ୟାତ୍ମିକ ମୁକ୍ତି ପାଇଁ ଯେଡ଼େ ଆକୁଳ, ଜୀବନ ରକ୍ଷା ନିମନ୍ତେ ସେଡ଼େ ଆକୁଳ ଥିଲାପରି ସେହି ସ୍ତୁତି ପାଠରୁ ଜଣାଯାଏ ନାହିଁ ।

 

ଭୟଙ୍କର କୁମ୍ଭୀରଠାରୁ ମୁକ୍ତ ହୋଇ

ଜୀଇଁବା ନିମିତ୍ତରେ ମୋ ଇଚ୍ଛା ହେଉ ନାହିଁ

ଯେ ଅବିବେକ ରହି ଅଛିଟି ଅବିରତ

ଅନ୍ତରେ ବାହାରେ ସେ ହୋଇଛି ବ୍ୟାପିତ ।

ଏମନ୍ତ ଅଟଇ ଯେ ମୋର ଗଜ ଜନ୍ମ

ତହିଁରେ ମୋର ଅଛି କେବଣ ପ୍ରୟୋଜନ ।

ଏ ସକାଶୁ କାଳରେ ବିନାଶ ଯେ ବା ନୋହି

ଆତ୍ମାର ଯେ ପ୍ରକାଶ ତାହାକୁ ଯେ ଘୋଡ଼ାଇ

ଏମନ୍ତ ସ୍ୱରୂପେ ଅଟଇ ଯେ ଅଜ୍ଞାନ

ସେ ଅଜ୍ଞାନ ମୋକ୍ଷକୁ ବାଞ୍ଛଇ ମୋର ମନ ।

 

ଏହି ଉପାଖ୍ୟାନରେ କବି ହସ୍ତୀର ପୂର୍ବଜନ୍ମ ବୃତ୍ତାନ୍ତ ବର୍ଣ୍ଣନ କରିଅଛନ୍ତି । ସେ ପ୍ରଥମେ ଦ୍ରାବିଡ଼ ନୃପତି ଇନ୍ଦ୍ରଦ୍ୟୁମ୍ନରୂପେ ଜନ୍ମଗ୍ରହଣ କରିଥିଲେ । ଥରେ ସେ ଅଗସ୍ତ୍ୟ ଋଷିଙ୍କୁ ଉଚିତ ସମ୍ମାନ ନ ଦେବାକୁ ଶାପଗ୍ରସ୍ତ ହୋଇ ପରବର୍ତ୍ତୀ ଜୀବନରେ ହସ୍ତୀ ଜନ୍ମ ଲାଭ କଲେ । ବିଦ୍ୟା ଦଦାତି ବିନୟଂ । ବିନୟହୀନ ବିଦ୍ୟା ନରର୍ଥକ । ଇନ୍ଦ୍ରଦ୍ୟୁମ୍ନଙ୍କ ତପସ୍ୟା ବିନୟ ଅଭାବରେ ପଣ୍ଡ ହେଲା । ବିନୟହୀନ ହୋଇ ସେ ପଶୁ ହେଲେ । ବିନୟହୀନ ପଣ୍ଡିତ ସୁଦ୍ଧା ପଶୁ ସମାନ ଅଟେ । ଏହି ନୀତି ଅଗସ୍ତ୍ୟ ଶାପରୁ ମିଳେ । ସେ ଇନ୍ଦ୍ରଦ୍ୟୁମ୍ନଙ୍କୁ ପଶୁରୂପେ ଭାବିଥିଲେ ।

 

ପାପ ପୁଣ୍ୟର ଭିଡ଼ା ଓଟରା ମନୁଷ୍ୟ ଜୀବନରେ କିପରି ଘଟେ, ଏହି ଉପାଖ୍ୟାନର ଗଜକୁମ୍ଭୀର ବିବାଦରେ ରୂପାନ୍ତରିତ ହୋଇଅଛି ।

 

ଗଜଇନ୍ଦ୍ର କୁମ୍ଭୀର ସେକାଳେ ସେ ଦୁଇ

ଅନ୍ୟୋନ୍ୟରେ ସେ ଦୁହେଁ ବିଶେଷ ରୋଷ ବହି

ଜଳକୁ ନେବା ପାଇଁ ଓଟାରନ୍ତେ ଏକ

କୂଳକୁ ଆଣିବାକୁ ଓଟାରେ ଆରେକ ।

 

ମନୁଷ୍ୟକୁ ଏକଆଡ଼େ ପୁଣ୍ୟ ଓଟାରେ, ଅନ୍ୟ ଆଡ଼େ ପାପ ଓଟାରେ । ଏହା ତାହାର ଦୈନନ୍ଦିନ କାହିଁକି, ପ୍ରତି ମୁହୂର୍ତ୍ତର ଅନୁଭୂତି । କେତେବେଳେ କାହାର ଶକ୍ତି ଅଧିକ ହୁଏ । ପାପର ଟାଣ ଅଧିକ ହେଲେ ପୁଣ୍ୟ ଥକିଯାଏ ।

 

ସେ ବଳିଆର ଗ୍ରାହ ଓଟାରୁଁ ଜଳରେ

ଗ୍ଲାନିହୀନ ଭାବକୁ ଯାଇଲା ସେ କ୍ରମରେ

ସେ ଅନ୍ତରେ ସେ ଯୂଥପତି ରାଜରାଜ

ଉତ୍ସାହ ଆଦି କରି ବଳ ଓଜ ତେଜ

ବହୁତ କାଳରେ ସେ ହୋଇ ଅତିଶୟ

କ୍ରମେ କ୍ରମେ ସେମାନେ ହୋଇଗଲେ କ୍ଷୟ ।

ସେ ମହା କୁମ୍ଭୀରର ପୁଣି ଦିନୁଦିନ

ଅଧିକ ହୋଇଲାଟି ବଳ ଓଜମାନ ।

 

ସଂସାରରେ ଅସତ୍ୟ, ହିଂସା ଓ ପାପର ପରାକ୍ରମ ଯେ ଅଙ୍ଗେ ଲିଭେଇଛି, ସେ ଉପରୋକ୍ତ ପଂକ୍ତିଚୟର ଗୂଢ଼ ଅର୍ଥ ଅତି ସହଜରେ ବୁଝି ପାରିବ ।

 

କିନ୍ତୁ ଭଗବାନ ମନୁଷ୍ୟକୁ କେବେ ଛାଡ଼ି ଦେଇ ନଥାନ୍ତି । ବିପଥଗାମିକୁ ସତ୍‍ପଥକୁ ଫେରାଇ ଆଣିବା ତାଙ୍କର ଗୋଟିଏ ଅତି ସାଧାରଣ କର୍ତ୍ତବ୍ୟ । ବିପଥଗାମୀ ପଛରେ କରୁଣାମୟ ପିତା ସବୁବେଳେ ଗୋଡ଼ାଇଥାନ୍ତି । ମନୁଷ୍ୟର ବିବେକ ଶକ୍ତି କ୍ଳାନ୍ତ ହେବା ଉପାଦାନରେ ଗଠିତ ନୁହେଁ । ଟିକିଏ ଦମ୍ଭଧରି ବସି ତାହାର ବିବେକ ଆଡ଼େ ମନ ଫେରାଇଲେ, ସେ ନିର୍ମଳ ଆଲୋକ ପାଇପାଏ । ତାକୁ ସତ୍‍ପଥଟି ଦିଶିଯାଏ । ସେ ଜାଣେ ପଥପରିଚାଳକଙ୍କ କରୁଣା ବିନା ସୁପଥଗାମୀ ହେବା ତାହା ପକ୍ଷେ ସମ୍ଭବ ନୁହେଁ । ତେଣୁ ସେ ସବୁ ଧର୍ମ, ସବୁ କର୍ତ୍ତବ୍ୟ, ସବୁ ଆଶା ଓ ଭରସାକୁ ପଛରେ ପକାଇ ତାଙ୍କରି ଶରଣ ଗ୍ରହଣ କରେ । ଗୀତା ପ୍ରତିପାଦିତ ସର୍ବୋତ୍କୃଷ୍ଟ କୃଷ୍ଣ ଧର୍ମ, ‘‘ସର୍ବ ଧର୍ମାନ ପରିତ୍ୟଜ୍ୟ, ମାମେକଂ ଶରଣଂ ବ୍ରଜ’’ ତାହାର ଭରସା ଓ ଆଶାର ଏକମାତ୍ର ସ୍ଥଳ ହୁଏ । ଗଜର ସେହି ଅବସ୍ଥା ବର୍ଣ୍ଣିତ ହୋଇଅଛି ଏହି କେତୋଟି ପଦରେ ।

 

ଆପଣାର ଯେବଣ ଆତ୍ମାର ବିମୋକ୍ଷଣ

ବଳ ଦେଖାଇ କରି ନପାରନ୍ତେ ପୁଣ

ଆକୁଳରେ ବହୁତ କାଳ ଧ୍ୟାନ କଲା

ସେ ଅନ୍ତେ କଷ୍ଟେ କଷ୍ଟେ ବୁଦ୍ଧିକି ସେ ଲଭିଲା ।

 

ସେହି ବୁଦ୍ଧିହିଁ ବିବେକର ବୁଦ୍ଧି । ହସ୍ତୀ ବୁଝିଲା କୁମ୍ଭୀର ଆକ୍ରମଣରୁ ତ୍ରାହି ପାଇବାକୁ ତାହାର କିମ୍ବା ତାହାର ବନ୍ଧୁ ବାନ୍ଧବଙ୍କର ବଳ ଫଳପ୍ରଦ ନୁହେଁ । ସେ ଜାଣିଲା, ‘‘ଗ୍ରାହ ପାଶରୁ ନିଜ ଗଳାଦେଶକୁ’’ ଉଦ୍ଧାର କରିବା ଶକ୍ତି ଭଗବାନଙ୍କ ଛଡ଼ା ଆଉ କାହାର ନାହିଁ । ସେ ଦେଖିଲା–

 

ଭାଇ ବୋଲ ବନ୍ଧୁ ବୋଲ ସମ୍ପତ୍ତିର ସାଥୀ

ଏ ଜୀବ ଯିବାର ବେଳେ ଗୋବିନ୍ଦ ସାରଥୀ ।

 

ଗଜରସାଥୀ ସାଙ୍ଗ, ବନ୍ଧୁ ବାନ୍ଧବ କେହି ହେଲେ ତାକୁ କୁମ୍ଭୀର କବଳରୁ ରକ୍ଷା କରିବାକୁ ସମର୍ଥ ହେଲେ ନାହିଁ ।

 

ସେଠାରେ ଯେତେ ଦୀନ ଗଜମାନେ ଥିଲେ

ବିଚାରି ଚିତ୍ତେ ପୃଷ୍ଠ ସହାୟ ସେ ହେଲେ

ହେଲେହେଁ ସେ ଗଜକୁ ତାରିବା ନିମିତ୍ତେ

କେଉଁରୂପେ ସମର୍ଥ ନୋହିଲେ ସମସ୍ତେ ।

 

ତେଣୁ ହସ୍ତୀ ଦେଖିଲା ସକଳ ଆଶା ଓ ଭରସା ନିରର୍ଥକ । ଶେଷରେ ସେ ଠିକ୍ କଲା–

 

ତାହାଙ୍କ ଚରଣରେ ମୁଁ ପଶିବି ଶରଣ

ସେ ମୋତେ ବିପତ୍ତିରୁ କରିବେ ଯେ ମୋକ୍ଷଣ ।

 

ଭାଗବତର ଗଜସ୍ତୁତି ଭକ୍ତିରସରେ ପରିପୂର୍ଣ୍ଣ । ତାହା ପାଠ କଲେ ହୃଦୟ ଭକ୍ତିରସରେ ଆପ୍ଳୁତ ହୁଏ ଓ ପାପ ପଙ୍କିଳ ମନ ପୁଣ୍ୟ ସଲିଳରେ ଧୌତ ହୋଇ ନିର୍ମଳ ହୋଇଯାଏ । ଏପରି ସ୍ତୁତି ସବୁଠାରେ ମିଳେ ନାହିଁ । ତାହା ଅତି ନିର୍ମଳ, ବିନୟପୂର୍ଣ୍ଣ ଓ ଭକ୍ତିପୂର୍ଣ୍ଣ । ସେଥିରେ ଦ୍ୱୈତାଦ୍ୱୈତ ବିବାଦର ତିକ୍ତତା ନାହିଁ, କିମ୍ବା ଭକ୍ତି ଜ୍ଞାନ ଓ କର୍ମ ଯୋଗ ସମ୍ବନ୍ଧୀୟ ତୁଳନାତ୍ମକ ବୃଥା ବିଚାର ନାହିଁ । ସ୍ତୁତିଟି ଏକାଧାରରେ ମଧୁର, ଗମ୍ଭୀର ଓ ଭକ୍ତିରସ ପରିପ୍ଳୁତ ଅଟେ । ତାହା ପାଠ କଲେ ଭଗବଦ୍‍ ମାଧୁର୍ଯ୍ୟରେ ଭକ୍ତପ୍ରାଣ ସରସ ହୁଏ । ବେଦବେଦାନ୍ତର ସାର ଏଥିରେ ସନ୍ନିବେଶିତ ଅଟେ । ଉପନିଷଦ ଓ ଗୀତାର ତତ୍ତ୍ୱ ଏଥିରେ ରହିଅଛି । ବ୍ୟକ୍ତ ଅବ୍ୟକ୍ତ, କାର୍ଯ୍ୟ କାରଣ, ରୂପ ଅରୂପ, ସଗୃଣ ନିର୍ଗୁଣ ସବୁ ଉପାଧିରେ ଭଗବାନ ଭୂଷିତ ହୋଇ ଅଛନ୍ତି । ସାମ୍ପ୍ରଦାୟିକ ସଂକୀର୍ଣ୍ଣଭାବ ଏହି ସ୍ତୁତିରେ ଖୋଜିଲେ ମିଳେ ନାହିଁ । ବେଦାନ୍ତର ନେତି ନେତି ଭାବ, ଗୀତାର କ୍ଷେତ୍ର କ୍ଷେତ୍ରଜ୍ଞ ବିଚାର, ମହାଭାରତର ସାକ୍ଷୀରୂପ ଧାରଣା, ଏହି ସମସ୍ତ ବିଷୟର ଅପୂର୍ବ ସମନ୍ୱୟରେ ଏହି ସ୍ତୁତି କରାଯାଇଛି ।

 

ଯେଉଁ ମହାପୁରୁଷ ସାକ୍ଷୀ ରୂପ ହୋଇ

କାର୍ଯ୍ୟକୁ କାରଣକୁ ଦେଖୁଥାନ୍ତି ରହି

ଯେବା ଅଟନ୍ତି ସାକ୍ଷୀ ସର୍ବ ଅଧୀଶ୍ୱର

କ୍ଷେତଙ୍କ ପୁରୁଷ ସେ ଈଶ୍ୱର ନିରନ୍ତର

 

ସେମାନଙ୍କୁ ସେ ନୋହେ ସେ ନୋହେ ବୋଲିଣ

ନିଷେଧ କରିବାର ଅନ୍ତରେ ଯେବା ପୁଣ

ରହନ୍ତି ନିଶ୍ଚୟରେ ଅବଶେଷ ହୋଇ

ମାୟାରେ ନାନାରୂପୀ ଅଟନ୍ତିଟି ସେହି ।

 

ଭଗବାନ ସର୍ବଦା ଭକ୍ତକୁ ପାପତାପରୁ ଉଦ୍ଧାର କରିବାକୁ ଉଦ୍‍ଗ୍ରୀବ । ତାକୁ ଆଶ୍ରୟ ଦେବାକୁ ସେ ସବୁବେଳେ ତତ୍ପର ।

 

ତେଣୁ–

 

ସେଠାରେ ସେ କାଳରେ ହେଲେ ଆବିର୍ଭୂତ

ସେ ପଶୁକୁ ସଙ୍କଟୁ ତାରିବା ନିମିତ୍ତ

ଅତ୍ୟନ୍ତରେ ପୀଡ଼ାକୁ ଲଭିଅଛି ଗଜ

ଏହି ରୂପେ ତାହାକୁ ଅନାଇ ଦେବରାଜ

ଅତି ବେଗେ ଗରୁଡ଼ ପୃଷ୍ଠରୁ ସେ ଉତ୍ତରି

ଚକ୍ର ମାରି ନକ୍ରକୁ କଲେଟି ସେ ଖଣ୍ଡନ

ସେହିକ୍ଷଣି ସେ ନକ୍ର ଗଳାଟି ଯମ ସ୍ଥାନ ।

 

ଗଜ ନିସ୍ତାରଣ ପରି ଭାଗବତ ଓ ଅନ୍ୟାନ୍ୟ ପୁରାଣର ଉପାଖ୍ୟାନଗୁଡ଼ିକୁ ରୂପକ ଅର୍ଥ କରି ବୁଝିଲେ ସେହି ସବୁ ଉପାଖ୍ୟାନର ପ୍ରକୃତ ଓ ମୂଳ ଉଦ୍ଦେଶ୍ୟ ହୃଦୟଙ୍ଗମ ହୁଏ । ଆକ୍ଷରିକ ଅର୍ଥଦ୍ୱାରା ବାହ୍ୟ କାହାଣୀଟି ବ୍ୟତୀତ ଆଉ କିଛି ତତ୍ତ୍ୱ ଜଣାଯାଏ ନାହିଁ । ଗଜ ନିସ୍ତାରଣ ଉପାଖ୍ୟାନଟି ଭକ୍ତିରସ ପ୍ରକାଶର ଗୋଟିଏ ଅତି ଉତ୍କୃଷ୍ଟ ରୂପକ ଅଟେ । ଏହି ପ୍ରବନ୍ଧର ପଦ୍ୟଚୟ କୃଷ୍ଣଚରଣ ପଟ୍ଟନାୟକଙ୍କ ଅନୁବାଦିତ ଭାଗବତରୁ ଉଦ୍ଧାର କରାଯାଇଅଛି ।

Image

 

କବିସୂର୍ଯ୍ୟଙ୍କ ଭକ୍ତି

 

ସାହିତ୍ୟ ସହିତ ଧର୍ମର ସମ୍ବନ୍ଧ ଅବିଛେଦ୍ୟ । ଏହି ସମ୍ବନ୍ଧ ଆବହମାନ କାଳରୁ ଚାଲି ଆସିଛି ଓ ଚାଲିଥିବ । କାରଣ ଏହି ଦୁଇଟି ବିଷୟ ଏକାପରି ମାନବ ଜୀବନକୁ ସାର୍ଥକ କରନ୍ତି । ପାଶବିକ ସ୍ତରକୁ ଭେଦ କରି ମନୁଷ୍ୟ ଯେଉଁ ଦିନଠାରୁ ତାହାର ସଭ୍ୟତାମୟ ଜୀବନ ଆରମ୍ଭ କଲା, ସେହି ଦିବସାବଧି ମାନବ ସମାଜରେ ସାହିତ୍ୟ ଓ ଧର୍ମର ପରସ୍ପର ନିର୍ଭରଶୀଳତା ବରାବର ରହିଅଛି । ମାନବ ସମାଜରେ ଧର୍ମ ବିକାଶର ସୋପାନ ତିନୋଟି- ଭୀତି, ଭକ୍ତି ଓ ପ୍ରୀତି । ଏହା ବୁଝାଇବାକୁ ଯାଇ ଦାର୍ଶନିକ ରାଧାକୃଷ୍ଣ ଲେଖିଅଛନ୍ତି, Religious worship starts with fear, passes through reverence, love and communion with the eternal and culminates in ecstatic life, where God and the soul meet with each other." ଭୀତି ନିର୍ଭରଶୀଳ ଧର୍ମ ଅତି ନୀଚ ଧରଣର । ତେଣୁ ତାହାର ଅଭିବ୍ୟକ୍ତି ନିମନ୍ତେ ସାହିତ୍ୟ ତୃପ୍ତିକରଭାବେ ଆଗ୍ରହଶୀଳ କିମ୍ବା ଯତ୍ନଶୀଳ ନୁହେଁ । ମାତ୍ର ଭକ୍ତି ଓ ପ୍ରୀତି ଧର୍ମଲତାର ପ୍ରସ୍ଫୁଟିତ କୁସୁମ । ତାହାର ସୌରଭରେ ଜନ ସମାଜ ସୁବାସିତ ଓ ତାହାର ସୌନ୍ଦର୍ଯ୍ୟରେ ସାହିତ୍ୟ ମନ୍ଦିର ବିମଣ୍ଡିତ ।

 

କେଶବ କୋଇଲିରେ କବି ମାର୍କଣ୍ଡ ବାତ୍ସଲ୍ୟ ରସକୁ ଅତି ମନୋହର ଛନ୍ଦରେ ପ୍ରକାଶ କରି ତାହା ଆମ୍ଭମାନଙ୍କର ଗୋଟିଏ ଜାତୀୟ ସମ୍ପଦ କରିଥିବା କଥା କାହାରିକି ଅବିଦିତ ନାହିଁ । ଗୁଣସାଗର ଓ ଗୋପୀଭାଷାରେ ଭକ୍ତିରସର ସ୍ରୋତ ଅନ୍ୟ ଏକ ପ୍ରଣାଳୀରେ ବୁହାଇ ଦିଆଯାଇଛି । ରସକଲ୍ଲୋଳ କୃଷ୍ଣ ପ୍ରେମର ରସପୂର୍ଣ୍ଣ ପ୍ରସ୍ରବଣ । ଏହି କାବ୍ୟରେ ଭକ୍ତିର ବିଭିନ୍ନ ବିଭାବ କବି ବିଭିନ୍ନ ରୂପରେ ଫୁଟାଇ ଅଛନ୍ତି । ଶ୍ରୀକୃଷ୍ଣଙ୍କ ଗୋପ ଲୀଳା ଓ ବୃନ୍ଦାବନ ବିହାର ମଧ୍ୟଯୁଗୀୟ ଉତ୍କଳ ସାହିତ୍ୟ ବିକାଶର ଗୋଟିଏ ମୁଖ୍ୟ ଉପାଦାନ ଅଟେ । କବିସୂର୍ଯ୍ୟ ବଳନ୍ଦେବ ରଥ ମଧ୍ୟ ଗତାନୁଗତିକ ପନ୍ଥା ଅନୁଧାବନ କରି ତାଙ୍କର ରସପ୍ରବଣ କବିତାଗୁଡ଼ିକୁ କୃଷ୍ଣାର୍ପଣ କରିବାକୁ ଭୁଲି ନାହାନ୍ତି । ମାତ୍ର ଧର୍ମର ଗୂଢ଼ତତ୍ତ୍ୱ ପ୍ରକାଶ କରିବାକୁ ଯାଇ ସୁଦ୍ଧା ସେ ତାଙ୍କ କବିତାର ଭାଷାକୁ ମାଧୁର୍ଯ୍ୟହୀନ କିମ୍ବା କର୍କଶ କରି ନାହାନ୍ତି । ସାହିତ୍ୟର ଉପଯୋଗିତା ଏହିଠାରେ । ଧର୍ମ-ତତ୍ତ୍ୱକୁ ମାଧୁର୍ଯ୍ୟ ପ୍ରଦାନ କରି, ଧର୍ମସାଧନାର କଠୋରତାକୁ କୋମଳ ରୂପ ପ୍ରଦାନ କରି, ତପସ୍ୟାର ରୁକ୍ଷ ଅଭ୍ୟାସକୁ ରସବନ୍ତ କରି ସାହିତ୍ୟ ସବୁ କାଳରେ ଧର୍ମକୁ ଜନପ୍ରିୟ କରିବାରେ ସମର୍ଥ ହୋଇଅଛି । କବିସୂର୍ଯ୍ୟ ତାଙ୍କର ମଧୁମୟ ସାହିତ୍ୟ ସାହାଯ୍ୟରେ ସେହିପରି ଧର୍ମ ଓ ଭକ୍ତିକୁ ସାଧାରଣ ଲୋକର ଆଗ୍ରହ ପୂର୍ଣ୍ଣ ଓ ବୋଧଗମ୍ୟ କରି ତତ୍କାଳୀନ ଓ ପରବର୍ତ୍ତୀ ସମାଜର ବହୁ ଉପକାର କରିଅଛନ୍ତି ।

 

କବିସୂର୍ଯ୍ୟଙ୍କ ଭକ୍ତି ଓ ନିଷ୍ଠା, ତାଙ୍କର ଈଶ୍ୱର-ବିଶ୍ୱାସ ଓ ଭଗବଦ୍‍ପରାୟଣତା ଦୁଇଟି ଗୀତରେ ଅତି ସ୍ପଷ୍ଟ ଓ ପ୍ରାଞ୍ଜଳ ଆକାର ଧାରଣ କରିଛି । ସେ ଦୁଇଟି ‘ସର୍ପ ଜଣାଣ’ ଓ ‘ଜଗନ୍ନାଥ ଜଣାଣ’ । ଉଭୟ କବିତା ପୁରୀ ମନ୍ଦିରର ପ୍ରଖ୍ୟାତ ଦେବତା ଜଗନ୍ନାଥଙ୍କ ପ୍ରତି ଉଦ୍ଦିଷ୍ଟ, ତାଙ୍କ ନିକଟରେ ରଚିତ ଓ ପ୍ରକାଶିତ । ଏହି ଦୁଇଟି ଜଣାଣ ସେ ତାଙ୍କ ପୁରୀ ଅଧିବାସ ସମୟରେ ପ୍ରତି ଦିନ ଦେବଦର୍ଶନକୁ ଯାଇ ବୋଲୁଥାନ୍ତି । ବୌଦ୍ଧ ପ୍ରଚାର ପାର ହୋଇ, ଅହୈତ ବାଦର ଶୁଷ୍କ ବାକ୍‌ବିତଣ୍ଡା ଗ୍ରାସରୁ ଉଦ୍ଧାର ଲାଭ କରି ଉତ୍କଳ ଦେଶର ଜଗନ୍ନାଥ ପୂଜା ପ୍ରତ୍ୟେକ ଓଡ଼ିଆ ପ୍ରାଣକୁ ଭକ୍ତି ରସରେ ଆପ୍ଳୁତ କରିଥିଲା । ଓଡ଼ିଆର ଦୈନନ୍ଦିନ ଜୀବନରେ ଜଗନ୍ନାଥଙ୍କ ପ୍ରଭାବ ଅତି ପ୍ରଗାଢ଼ ଭାବେ ପଡ଼ିଅଛି । ଅସୀମ ଭଗବାନଙ୍କୁ ମନୁଷ୍ୟ ନିଜର ଭକ୍ତି ବଳରେ ଏତେ ଦୂର ଆପଣାର କରି ଆଣିପାରେ, ଭଗବତ୍ ତତ୍ତ୍ୱକୁ କେବଳ ଗୋଟିଏ ରୂପରେଖହୀନ ରୁକ୍ଷ ବିଚାରରେ ନରଖି, ବ୍ୟକ୍ତିତ୍ୱ ପ୍ରଦାନ ପୂର୍ବକ କିପରି ଜୀବନ୍ତ କରିବାକୁ ସମର୍ଥ ହୁଏ, ଏହାର ପ୍ରତ୍ୟକ୍ଷ ସାକ୍ଷୀ ଉତ୍କଳର ଜଗନ୍ନାଥପୂଜାରୀ ଓଡ଼ିଆ ଜାତି । ବିଷ୍ଣୁପୁରାଣରେ ଲେଖାଅଛି ସ୍ୱର୍ଗର ଦେବତାମାନେ ସୁଦ୍ଧା ମାନବ ଜୀବନଧାରଣସକାଶେ ଆଗ୍ରହାନ୍ୱିତ ଅଟନ୍ତି । ‘‘ଦେବେ ବୋଲନ୍ତି ଆମ୍ଭେ ପାପୀ, ମନୁଷ୍ୟ ଜନ୍ମବନ୍ତ ତପୀ’’ ଜଗନ୍ନାଥ ଓଡ଼ିଆ ପରିବାରର ଜଣେ ବ୍ୟକ୍ତି । ଗୃହରେ ପିତା, ମାତା, ଭାଇ ଭଉଣୀଙ୍କର ଯେପରି ଗୋଟିଏ ଗୋଟିଏ ସ୍ଥାନ, ସେହିପରି ଅନ୍ୟ ଏକ ସ୍ଥାନ ଜଗନ୍ନାଥଙ୍କର । ପିତା ଦୂରରେ ରହିଲେ ପୁତ୍ର ଯେପରି ତାଙ୍କୁ ଦେଖିବାକୁ ଯାଏ, ଜଗନ୍ନାଥ ପୁରୀରେ ରହିବାରୁ ପ୍ରତ୍ୟେକ ଓଡ଼ିଆ ତାଙ୍କୁ ଦେଖିବାକୁ ସେଠାକୁ ଯାଇଥାଏ । ହତଭଗା ପୁରୀର କୁମ୍ଭାର ବ୍ୟତୀତ ଏପରି ଜଣେ ଓଡ଼ିଆ ନାହିଁ ଯେ ଜୀବନରେ ଥରେ ହେଲେ ପୁରୀ ଜଗନ୍ନାଥଙ୍କ ଦର୍ଶନ କରେ ନାହିଁ । ପ୍ରତି ବର୍ଷ ଜଗନ୍ନାଥ ସହସ୍ରାଧିକ ଲୋକଙ୍କୁ ଦେଖା ଦେବେ ବୋଲି ଗୁଣ୍ଡିଚା ଯାତ୍ରା କରି ରଥରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବଡ଼ ଦାଣ୍ଡରେ ବାହାରି ପଡ଼ନ୍ତି-। ଜଗନ୍ନାଥଙ୍କ ଉପରେ ଆମ୍ଭମାନଙ୍କର ବହୁତ ଦାବୀ ଅଛି । ଆମ ପୁରୁଷୋତ୍ତମ ଦେବଙ୍କୁ କାଞ୍ଚି କାବେରୀ ଯୁଦ୍ଧରେ ଜୟଯୁକ୍ତ କରାଇଥିଲେ ସେହି ପୁରୀ ମନ୍ଦିରର ଦେବତା ଜଗନ୍ନାଥ । ଦୁଃଖରେ ସୁଖରେ ସେ ଆମ୍ଭମାନଙ୍କର ସାଥୀ, ସହାୟ, ଏକ ମାତ୍ର ସମ୍ବଳ ଓ ଭରସାର ସ୍ଥଳ । ଆମର ଯଦି କୌଣସି ବିପଦ ପଡ଼େ, ତାଙ୍କୁ ଜଣାଇଲେ ସେହି ବିପତ୍ତି ସବୁ ଆପେ ଆପେ ଘୁଞ୍ଚିଯାଏ । ଆମ୍ଭମାନଙ୍କର କୌଣସି କାରଣରୁ ଯଦି ଦୁଃଖ ହେଲା ସେଥି ପାଇଁ ଦାୟୀ ରହିଲେ ସେହି ଜଗନ୍ନାଥ-। ବିପଦଭଞ୍ଜନ ଆମର ବିପଦକୁ ଯଦି ନ ଘୁଞ୍ଚାନ୍ତି, ତେବେ ଆମେ ତାଙ୍କ ଉପରେ ଅଭିମାନ କରୁ, ମୁହଁ ଫୁଲାଉ ଓ ଅସହ୍ୟ ହେଲେ ଭର୍ତ୍ସନା କରୁଁ । ପ୍ରତ୍ୟେକ ଓଡ଼ିଆ ସେ କାଳରେ ଯାହା କରୁଥିଲା, ଜାତିର ମୁକୁର କବିସୂର୍ଯ୍ୟ କବିତାରେ ତାହା ପ୍ରତିବିମ୍ବିତ ହେବା ଅତିଶୟ ସ୍ୱାଭାବିକ । ତେଣୁ କବି ଉତ୍କଟ ବିପଦ ଭୋଗ କରିବାରେ ଅସମର୍ଥ ହୋଇ ଶେଷ ସୋପାନ ଅବଲମ୍ବନ କରିଅଛନ୍ତି । ସର୍ପ ଜଣାଣରେ କବି ଜଗନ୍ନାଥଙ୍କୁ ସର୍ପ ଆଖ୍ୟା ପ୍ରଦାନ କରିଅଛନ୍ତି । ଏପରି ଅପମାନ ଦେଲେ ଅବା ସେ ତାଙ୍କର ଅନୁଗ୍ରହ ପାଇବେ ଏହି ଆଶା ତାଙ୍କର ଥିଲା । ଭକ୍ତି-ପ୍ରୀତି ରାଜ୍ୟର ଏହା ଗୋଟିଏ ଅଭିନବ ପନ୍ଥା । ଭଗବାନ ଭକ୍ତର ଏକାନ୍ତ ଆପଣାର; ସେ କେବେ ତାହାର ପର ନୁହନ୍ତି । ତାଙ୍କ ଉପରେ ଭକ୍ତର ଯଥେଷ୍ଟ ଦାବୀ ଅଛି, ଯେପରି କି ପୁତ୍ରର ପିତାଙ୍କ ଉପରେ । କବିସୂର୍ଯ୍ୟ ଏକାଧାରରେ କବି ଓ ରାଜନୀତିଜ୍ଞ ଥିଲେ । ଜଳନ୍ତର ରାଜ୍ୟର ଦେବାନଗିରି ତାଙ୍କୁ ଯଥେଷ୍ଟ ଓକିଲ ବୁଦ୍ଧିରେ ତାଲିମ ଦେଇଥିବ । ତେଣୁ କବିସୂର୍ଯ୍ୟ ତାଙ୍କର ଏହି ସର୍ପ ଜଣାଣ କବିତାରେ ଅକାଟ୍ୟ ଯୁକ୍ତି ଓ ତର୍କର ଅବତାରଣା କରି ପ୍ରମାଣିତ କରିବାକୁ ଚେଷ୍ଟିତ ଯେ ତାଙ୍କ ପ୍ରଦତ୍ତ ସର୍ପ ଆଖ୍ୟା ଅଯୌକ୍ତିକ ନୁହେଁ କି ଅସଙ୍ଗତ ନୁହେଁ-। ସର୍ପର ଯେଉଁ ସବୁ ଗୁଣ, ଯେଉଁ ସବୁ ସ୍ୱଭାବ, ଯେଉଁ ସବୁ ଆଚରଣ, ତାହା ସବୁ ପ୍ରକାରାନ୍ତରେ ଭଗବାନଙ୍କଠାରେ ଆରୋପ କରି କବି ତାଙ୍କର ପକ୍ଷ ସମର୍ଥନ କରିଅଛନ୍ତି । କବିତାଟିର ଅନ୍ୟ ଏକ ବିଶେଷତ୍ୱ ଭୁଲିବାର ନୁହେଁ । ମୂଳରୁ ଶେଷ ଯାଏଁ ଏହି ଜଣାଣଟି ଭଗବାନଙ୍କ ପ୍ରତି ଭର୍ତ୍ସନାରେ ପୂର୍ଣ୍ଣ; ତଥାଚ ପ୍ରତ୍ୟେକ ଭର୍ତ୍ସନା ଭିତରେ ଭକ୍ତି ପୂର୍ଣ୍ଣ ମାତ୍ରାରେ ନିହିତ-। ପୁଣି ଭର୍ତ୍ସନାର ପ୍ରତ୍ୟେକ ପଂକ୍ତି ପ୍ରକାରାନ୍ତରେ ଭଗବାନଙ୍କ ସ୍ତୁତିରେ ପୂର୍ଣ୍ଣ । ବାହ୍ୟରେ ଭର୍ତ୍ସନା ରୂପ ପ୍ରଦାନ କରି ଭିତରେ ଭଗବାନଙ୍କ ଅପୂର୍ବ ଲୀଳାର ପ୍ରକଟନ ବ୍ୟତୀତ କବି ଆଉ କିଛି କରିବାକୁ ପ୍ରୟାସୀ ନୁହନ୍ତି । କବିଙ୍କର ଆଜୀବନ ପ୍ରଭୁପରାୟଣତା ଓ ରାଜସେବା ବୋଧହୁଏ ନିଜର ଏହି ଭର୍ତ୍ସନାବୃତ ସ୍ତୁତିଗାନକୁ କୃତକାର୍ଯ୍ୟ କରିପାରିଛି ।

 

ଭଗବାନଙ୍କୁ କରୁଣା ସିନ୍ଧୁ ଆଖ୍ୟା ପ୍ରଦାନ କରିବା ଠିକ୍ ନୁହେଁ । ଏହା ଜଳନ୍ତରାଗତ ଓକିଲଙ୍କ ଓକିଲାତିର ସାରମର୍ମ । କବିଙ୍କ ମତରେ ସେ କରୁଣାସିନ୍ଧୁ ନାମରେ ଯୋଗ୍ୟ ନୁହନ୍ତି । ପଣ୍ଡିତମାନେ ତାଙ୍କୁ ଡରି କେବଳ ଏପରି ଡାକି ଦିଅନ୍ତି । କବିସୂର୍ଯ୍ୟ ବିପକ୍ଷ ଦଳର ନେତା ସାଜି ନିର୍ଭୀକ ବଜ୍ରଗମ୍ଭୀର ସ୍ୱରରେ କହିଛନ୍ତି, ‘‘ତୁମ୍ଭେ କରୁଣାସିନ୍ଧୁ ହେବା ଦୂରେ ଥାଉ, ତୁମ୍ଭେ ଜଣେ କାଳ ସର୍ପ ।’’ ଏପରି ଅପ୍ରୀତିକର ନିନ୍ଦା କରିବାରେ ତାଙ୍କର ତିଳେହେଲେ ଭୟ ନାହିଁ । ସେ ଚାହାନ୍ତି ଏକେହେଲେ ସମ୍ପୂର୍ଣ୍ଣ କ୍ଷମା, ନ ହେଲେ ସମ୍ପୂର୍ଣ୍ଣ ଦଣ୍ଡ । ଯଦି ତାଙ୍କର ନିନ୍ଦାବାଦ ବେଠିକ୍ ପ୍ରମାଣିତ ହୁଏ, ସେ ଦଣ୍ଡନୀୟ ହେବାକୁ ପ୍ରସ୍ତୁତ । ଭଗବାନଙ୍କୁ ସର୍ପ ବୋଲି କହିବାକୁ ତାଙ୍କଠାରେ ଯଥେଷ୍ଟ ପ୍ରମାଣ ଅଛି ।

 

ଭୁଜଙ୍ଗ ସାମ୍ୟ ଆମ୍ଭ ତୁଲେ

ବତାଅ ବୋଲି ଆଜ୍ଞା ହେଲେ

ମୁଁ ନୁହେଁ ଘରବୁଡ଼ା,

ବତାଇବାକୁ ଛିଡ଼ା

ହୋଇଛି ବତାଇବି ଭଲେ ହେ ମହାପ୍ରଭୁ ।

 

ସର୍ପର କେତେଗୁଡ଼ିଏ ସ୍ୱଭାବ ସମସ୍ତଙ୍କର ଜଣାଶୁଣା । ସେ କର୍ଣ୍ଣହୀନ, ଅଦୃଶ୍ୟପଦବିଶିଷ୍ଟ ଓ କୁଣ୍ଡଳୀ ଆକୃତି । ସେହିପରି ଜଗନ୍ନାଥ ବିଗ୍ରହରେ କର୍ଣ୍ଣ ନାହିଁ, ଭଗବାନଙ୍କ ପଦ ଅତି ଗୂଢ଼ ଓ ଦେବଦୁର୍ଲଭ ପୁଣି ନାରାୟଣ ସର୍ବଦା କୁଣ୍ଡଳ ଶୋଭିତ । ଓକିଲମାନେ ବାଦାନୁବାଦ ସମୟରେ ବିପକ୍ଷ ପକ୍ଷକୁ କେତେ ଅଖାଡ଼ୁଆ ପ୍ରଶ୍ନ ପଚାରି ବଡ଼ ଅଡ଼ୁଆରେ ପକାଇଥାନ୍ତି । ସେହିପରି କବିସୂର୍ଯ୍ୟ ଭଗବାନଙ୍କୁ ପଚାରିଛନ୍ତି, ‘‘ଯେବେ ଭୁଜଙ୍ଗ ନୁହଁ, କାଳୀୟଠାରେ ଏତେ ଦ୍ରୋହ କଲ କାହିଁକି ? କେତେ ନ ଥିଲେ ଗୋପେ, ତୁମ୍ଭେ କାହିଁକି କୋପେ, ତାହାକୁ ଦେଲ ପ୍ରାଣେ ମାରି ?’’ ଏହି ଦୃଷ୍ଟାନ୍ତଟି ସ୍ପଷ୍ଟ ପ୍ରମାଣିତ କରି ଦିଏ, ‘‘ଯେବେ ସ୍ୱଗୋତ୍ର ଦ୍ରୋହ ନ ଥାନ୍ତା ନାଥ, କହ କିପାଇଁ ହୁଅନ୍ତା ଏ କ୍ରମ ?’’ ସର୍ପ ତାହାର ଆହାର ଜୀର୍ଣ୍ଣ କରିବାକୁ କୌଣସି ବୃକ୍ଷ ବା କାଠ ଗଣ୍ଡିରେ ଭାଙ୍ଗି ମୋଡ଼ି ହେବା ଦେଖାଯାଏ । ଶ୍ରୀକୃଷ୍ଣ ଭାଙ୍ଗି ମୋଡ଼ି ହୋଇ ଯମଳାର୍ଜ୍ଜୁନ ବୃକ୍ଷକୁ ଉପାଡ଼ି ଦେଇଥିଲେ । ପୂତନାର ସ୍ତନ୍ୟ ପାନକରି ସେ ତାକୁ ହତ୍ୟା କରିଥିଲେ । ସେ ସାପ ନ ହୋଇ ଶିଶୁ ହୋଇଥିଲେ କି ପୂତନା ମରିଥାନ୍ତା ? ଚାକ୍ଷୁଷ ପ୍ରମାଣ ସବୁ ପ୍ରମାଣ ଅପେକ୍ଷା ଅଧିକ ବିଶ୍ୱାସଯୋଗ୍ୟ । ଜଣେ ଦୁଇଜଣ ଦେଖିବାଠାରୁ ବହୁସଂଖ୍ୟକ ଜନ ଦେଖଥିଲେ ପ୍ରମାଣ ଦୃଢ଼ତର ହୁଏ । ପୂତନାମରଣ ଗୋପପୁରର ସମସ୍ତେ ଦେଖି ନ ଥିଲେ, ଅର୍ଜ୍ଜୁନଗଛ ତଳେ ପଡ଼ିଲା ବେଳେ ସେଠାରେ ବହୁଲୋକଙ୍କର ସମାଗମ ହୋଇ ନ ଥିଲା । ମାତ୍ର ‘‘ବ୍ରଜେ ଭୁଜଙ୍ଗ ଚାଲି, କରି ମୁଁ ନାହିଁ ବୋଲି, ଛୁଅଁତ ଥରେ ଚକା ଆଖି ।’’ ସଞ୍ଜ ସକାଳେ ଶ୍ରୀକୃଷ୍ଣ ବ୍ରଜ ଦାଣ୍ଡରେ ଗଲାବେଳେ କିଏ ନ ଦେଖିଛି ? ସେ ସେତେବେଳେ କ’ଣ ଏଣେତେଣେ ହୋଇ ସାପ ପରି ଚାଲୁ ନ ଥିଲେ ? ଏହାଠାରୁ ଆଉ କି ଅଧିକ ପ୍ରମାଣ ଆବଶ୍ୟକ ? ନାଗେଶ୍ୱର ପଦର ଦୁଇଟି ଅର୍ଥ । ଏହି ଦୁଇଅର୍ଥ ପଦର ସୁବିଧା ନେଇ କବି ଜଗନ୍ନାଥଙ୍କୁ ହଟହଟ କରିବାକୁ ଛାଡ଼ି ନାହାନ୍ତି । Any stick is good enough to strike your foe. ତାହା ନ ହେଲେ ଭଗବାନଙ୍କୁ ଗାଳି ଦେଇ ସେ କିପରି ତାଙ୍କ ମନୋରଥ ସିଦ୍ଧ କରି ଥାନ୍ତେ ? ନାଗମାନଙ୍କର ଈଶ୍ୱର କୁମ୍ଭୀରାକ୍ରାନ୍ତ ହୋଇ ଡାକିଦେବାମାତ୍ରେ କାହିଁ ଦୂରରୁ ଯାଇ ଭଗବାନ ତାକୁ ରକ୍ଷା କରିଥିଲେ । ନାଗେଶ୍ୱର ଗୋଟିଏ ସଙ୍ଗୀତ ଯନ୍ତ୍ର । ତାହାର ସ୍ୱରରେ ସର୍ପ ମୁଗ୍ଧ ହୋଇଯାଏ ଓ ଯେଉଁଠି ଥାଉ ବାହାରି ପଡ଼ି ସେହି ମଧୁର ଧ୍ୱନିର ନିକଟବର୍ତ୍ତୀ ହୁଏ । ନାଗେଶ୍ୱରାକୃଷ୍ଟ ଭଗବାନ ତେବେ ସାପ ନୁହନ୍ତି ? ଏହିପରି ଭୁଜଙ୍ଗ ସାମ୍ୟର ନାନା ଯୁକ୍ତି ଓ ପ୍ରମାଣ ଛଳରେ ଭଗବତ୍ ଲୀଳାର ପୌରାଣିକ ବର୍ଣ୍ଣନା କରି କବିସୂର୍ଯ୍ୟ ସର୍ପଜଣାଣଟିକୁ ସରସ, ଭାବବ୍ୟଞ୍ଜକ, ଜ୍ଞାନଗର୍ଭକ ଓ ଭକ୍ତିସ୍ତୁତିପୂର୍ଣ୍ଣ କରି ଅତି ଚିତ୍ତାକର୍ଷକ କରି ଅଛନ୍ତି ।

 

ବାଦାନୁବାଦରେ ଅପର ପକ୍ଷ ପରାସ୍ତ ହେଲେ ବିଜୟୀ ପକ୍ଷ ଗର୍ବ ନକରି ବିଜିତକୁ ସାନ୍ତ୍ୱନା ପ୍ରଦାନ ଦ୍ୱାରା ସୌଜନ୍ୟର ପରିଚୟ ଦିଏ । ଏପରି ସୌଜନ୍ୟ ଆମ୍ଭେମାନେ ଦେଖୁଁ, ଜଣାଣର ଶେଷ ଭାଗରେ । ମନପୂରା ଭର୍ତ୍ସନା ଶେଷ କରି କବି ସନ୍ତ୍ୱନା ଦେଇଛନ୍ତି, ‘‘କହଇ କବିସୂର୍ଯ୍ୟ, ନାଥ ନୁହେଁ ଅଧୈର୍ଯ୍ୟ, ଏଣିକି ମହତ ନ ଯାଉ; ମୁଁ ତୁମ୍ଭ ପରିଚାର, ଜାଣିଲେ କି ବିଚାର ଇତରେ ନ ଜାଣନ୍ତୁ ଆଉ ।’’ ଭଗବାନଙ୍କ ସହିତ ଏହିପରି ଅକପଟ, ନିର୍ଭୀକ ଓ ନିକଟତମ ପାରିବାରିକତା ନ ରହିଲେ ଭକ୍ତି ନୀରସ ଓ ମାଧୁର୍ଯ୍ୟହୀନ ହୁଏ । ମାତ୍ର କବିସୂର୍ଯ୍ୟଙ୍କ ଭକ୍ତି ଗୀତି ସର୍ବଦା ସରସ ଓ ମଧୁର । ଏତେ ଯୁକ୍ତିତର୍କ, ଏତେ ବାଦାନୁବାଦ ଓ ମସ୍ତିଷ୍କ ବ୍ୟୟର ଶେଷରେ ଭକ୍ତର ଯାଚଜ୍ଞା ଅତି ସାମାନ୍ୟ । ତାହା ଅଟେ ମରଣାନ୍ତେ କୃଷ୍ଣପଦପ୍ରାପ୍ତି । ଏହାହିଁ କବିଙ୍କର ଏକମାତ୍ର ଆକାଂକ୍ଷା ।

 

ଜଗନ୍ନାଥ ଜଣାଣରେ କବିସୂର୍ଯ୍ୟ ଆଶାନୁରୂପ ଅନୁଗ୍ରହ ନ ପାଇ ଅତିଶୟ ଦୁଃଖିତ । କେବଳ ଦୁଃଖ ନୁହେଁ, ମାନବସୁଲଭ ଈର୍ଷା ଓ ଅଭିମାନ ମଧ୍ୟ ଭକ୍ତର ହୃଦୟକୁ ଦଗ୍‌ଧ କରିଅଛି । ସେ ଭାବିଛନ୍ତି ଭକ୍ତି-ରାଜ୍ୟରେ ଭଗବାନ ତାଙ୍କ ପ୍ରତି ଯେଉଁ ଅନ୍ୟାୟ କରିଛନ୍ତି ତାହା ଅସହନୀୟ । ପ୍ରଭୁ ପକ୍ଷପାତୀ ହେଲେ ଦାସ ଅନ୍ୟ କାହା ଆଗରେ ତାହାର ଗୁହାରୀ କହିବ ? ତେଣୁ ସେ ସ୍ୱୟଂ ପ୍ରଭୁଙ୍କୁ ପଚାରିଛି, ‘‘ଟେକି ସମଦୃଷ୍ଟି ପତାକାକୁ ପୁଣି ଏ କି ପକ୍ଷପାତ ରୀତି ?’’ ଭକ୍ତଙ୍କର ଭଗବାନଙ୍କ ପ୍ରତି ଅଭିଯୋଗ ପକ୍ଷପାତ ବିଚାର । ସେହି ଅଭିଯୋଗର ପ୍ରମାଣ ଦୃଷ୍ଟାନ୍ତ ବଳରେ ଅତି ବଳିଷ୍ଠ । ଭଗବାନଙ୍କ ଦୟା, ‘ରଜାଘରର ଘିଅ ପରି ପଣନ୍ତ ପସାରି ନେବାର କଥା ।’’ ତାହା ମୁକ୍ତହସ୍ତରେ ଦିଆଯାଏ ଓ ଅପର୍ଯ୍ୟାପ୍ତ ପରିମାଣରେ ଯୋଗ୍ୟାଯୋଗ୍ୟ ବିଚାର ନଥାଇ ନିଆଯାଏ । ତାହା ପାଇବାର ଅଧିକାର ସମସ୍ତଙ୍କର ଏକାପରି । ଏହି କରୁଣାର ଅଧିକାରୀ ହେବା ପାଇଁ କାହାପକ୍ଷେ କେବେ କୌଣସି ଯୋଗ୍ୟତାର ଆବଶ୍ୟକତା ରଖାଯାଇ ନାହିଁ । ଏହାର ଭୂରିଭୂରି ଦୃଷ୍ଟାନ୍ତ ବେଦ ପୁରାଣରେ ବିଦ୍ୟମାନ । ଏହାର ଜୀବନ୍ତ ସାକ୍ଷୀ ସ୍ୱୟଂ ଭଗବାନ । ଭଗବାନଙ୍କ ଦୟାଲାଭ ସକାଶେ କିଏ କେବେ କିଛି କରିନାହିଁ । ତଥାଚ ସମସ୍ତେ ଦୟାଲାଭର ପାତ୍ର ହୋଇଅଛନ୍ତି । ଏହି ନିୟମରୁ କାଟ ଖାଇଛନ୍ତି କେବଳ ଜଣେ କବିସୂର୍ଯ୍ୟ । ଭଗବାନ ତାଙ୍କୁ କହି ପାରନ୍ତି, ‘‘ତୁମ୍ଭେ ମୋତେ କେବେ କିଛି ଦେଇ ନାହଁ । ମୋଠାରୁ କାହିଁକି କିଛି ଚାହଁ ?’’ କବିଙ୍କ ଉତ୍ତର ଆଉ ଗୋଟିଏ ପ୍ରଶ୍ନ, ‘‘ଲାଞ୍ଚ ଦେଇ ଥିଲେ କାଞ୍ଚନ କେତେ କି ପଞ୍ଚ ପାଣ୍ଡୁରାଜ ସୁତେ-?’’ ଦ୍ରୌପଦୀଙ୍କୁ ବସ୍ତ୍ର ପ୍ରଦାନ, ଗଜନିସ୍ତାରଣ ପୁଣି ସୁଦାମାଙ୍କ ଦୁଃଖହରଣ ଦୃଷ୍ଟାନ୍ତ ଦେଖାଇ ଭଗବାନ ହଦି କହନ୍ତି, ‘‘ମୋ ଅନୁଗତ ତୋ ମନ ନୁହେଁ,’’ କବିଙ୍କର ଉତ୍ତର ହେବ, ‘‘ଅଜାମିଳ ମହୀସୂର କେଉଁ ସାବଧାନ ହୋଇ ନାମ ଗାନ କରିଥିଲେ ତୁମ୍ଭର ?’’ ଏହାର ଉତ୍ତର ଦେବାକୁ ଭଗବାନଙ୍କଠାରେ କିଛି ଯୁକ୍ତି କି ଦୃଷ୍ଟାନ୍ତ ନାହିଁ । ଅପର ପକ୍ଷ ହାରିଯାଇ ନୀରବ ହେବା ଦେଖି କବି ଗର୍ବ ପ୍ରକାଶ କରିବା ପରିବର୍ତ୍ତେ ସୌଜନ୍ୟପୂର୍ଣ୍ଣ ବିନୀତଭାବେ କହୁଛନ୍ତି, ‘‘ଭଲ ମନ୍ଦ ଅବା କରିବାକୁ ତ ମୁଁ ମୋର ଆୟତ୍ତ ନୁହେଁ ।’’ କର୍ତ୍ତୃତ୍ୱାଭିମାନ ତ୍ୟାଗ ଭକ୍ତର ଉତ୍କୃଷ୍ଟ ଲକ୍ଷଣ ।

ଅଜାମିଳ-ମୋକ୍ଷଣ ହେଉ ବା ମୃଗଣୀ-ଉଦ୍ଧାର ହେଉ ଏହି ସବୁ ଦୃଷ୍ଟାନ୍ତରେ ନୂତନତା କିଛି ନାହିଁ । ମାତ୍ର କବିଙ୍କ ତୂଳୀରେ ଏହି ବୃତ୍ତାନ୍ତନିଚୟ ସୁଶୋଭିତ ହୋଇଅଛି । କବିସୂର୍ଯ୍ୟ ଯେତେ ପୁରାତନ ବସ୍ତୁର ବ୍ୟବହାର କରନ୍ତୁନା କାହିଁକି, ସେ ସବୁ ତାଙ୍କ ସରସ ଭାଷାର ନିପୁଣ ଭଙ୍ଗୀରେ ରସାଣିତ ହୋଇ କାନ୍ତିଯୁକ୍ତ ଓ ପ୍ରାଣବନ୍ତ ହୁଏ । କବିତା କଳାର କୁହୁକିନୀ ଶକ୍ତି କିବିଙ୍କଠାରେ ଯଥେଷ୍ଟ ପରିମାଣରେ ଥିଲା ବୋଲି ସେ ଚିରଦିନ ପାଇଁ ଉତ୍କଳ ଦେଶରେ ଅମର ହୋଇ ରହିଅଛନ୍ତି ।

କିଶୋରଚନ୍ଦ୍ରାନନ୍ଦ ଚମ୍ପୂର ‘କ୍ଷ’ ଗୀତଟି ମଧ୍ୟ ଭକ୍ତିରସର ଗୋଟିଏ ନିର୍ମଳ ନିର୍ଝର, ଯାହାର ପୂତ ନୀରରେ ପାପୀ ହୃଦୟର କଳଙ୍କରାଶି ବିଧୌତ ହୋଇଯାଏ । ଏହି ଗୀତଟିରେ କବି ଭଗବାନଙ୍କଠାରେ କ୍ଷମାଭିକ୍ଷା କରି ଅଛନ୍ତି । କାବ୍ୟର ଆରମ୍ଭରେ ସେ ନିଜକୁ ଅତି ଛୋଟ ମନେ କରି ଭଗବାନଙ୍କର ସାହାଯ୍ୟ ମାଗିଥିଲେ । କାବ୍ୟଟି ଶେଷ କରି ସେ କ୍ଷମାଭିକ୍ଷା କରିଅଛନ୍ତି । ଏହି ଗୀତରେ କବି ଭଗବାନଙ୍କୁ ‘କ୍ଷମାନୁକମ୍ପାଧର’ ବୋଲି ସମ୍ୱୋଧନ କରିଅଛନ୍ତି । ‘କ’ ଠାରୁ ‘ହ’ ପର୍ଯ୍ୟନ୍ତ ଅପୂର୍ବ ରାଧାକୃଷ୍ଣ ଲୀଳାର କୀର୍ତ୍ତନ କରି ସୁଦ୍ଧା କବି ମନେ କରୁଛନ୍ତି, ‘‘କ୍ଷଣେ ହେଲେ ନାମକୁ ନ ଭଣେ ମୁଁ ତୁମର ।’’ ଏପରି ବିନୟକୁ ଛଦ୍ମ ବିନୟ ବୋଲି କହିବା ଠିକ୍‌ ହେବ ନାହିଁ । କାରଣ ଭକ୍ତ ସବୁବେଳେ ମନେ କରେ ତାକୁ ଭଗବତ୍‌ ସ୍ମରଣ ଓ ଭଗବଦ୍‍ଧ୍ୟାନ ଆହୁରି କରିବାକୁ ହେବ । ଯେତେ ଦୂର ଅଗ୍ରସର ସେ ହୁଏ, ତାହାର ଲକ୍ଷ୍ୟସ୍ଥଳ ଦୂରରୁ ଦୂରକୁ ଚାଲିଯାଏ । ସେ ଅଗ୍ରସର ହେବାରେହିଁ ଲାଗିଥାଏ ।

ଭକ୍ତିର ଚରମ ସୋପାନ ମଧୁର ପ୍ରୀତି । ଆତ୍ମା ପରମାତ୍ମାର ମିଳନରେ ଏହାର ଉଦ୍ରେକ ହୁଏ । କବି ଏହାର ଚର୍ଚ୍ଚା ସମଗ୍ର ଚମ୍ପୂକାବ୍ୟରେ ଅତି ମଧୁର ଭାବରେ କରିଅଛନ୍ତି । ତାହାର ଆଲୋଚନା ଅନ୍ୟତ୍ର କରାଯାଇ ଅଛି । ଏହି ଚମ୍ପୂର ପ୍ରତ୍ୟେକ ଗୀତର ଭଣତିଗୁଡ଼ିକର ଏକତ୍ର ସମାବେଶରେ ଗୋଟିଏ ଅତି ସୁନ୍ଦର ଭକ୍ତିଗ୍ରନ୍ଥ ସଙ୍କଳନ କରାଯାଇପାରେ । ସେ ଗୁଡ଼ିକରେ କବିସୂର୍ଯ୍ୟଙ୍କର କୃଷ୍ଣଭକ୍ତି ଅତି ସ୍ପଷ୍ଟ ଆକାର ଧାରଣ କରିଅଛି । ମନେ ହୁଏ କବିସୂର୍ଯ୍ୟ ଏଡ଼େ ବଡ଼ କବି ହୋଇ ପାରିଥିଲେ, ତାଙ୍କ ହୃଦୟରେ ଏହି ଭକ୍ତିର ଅବିରତ ନିର୍ମଳଧାରା ବହୁଥିଲା ବୋଲି ଭଗବଦ୍‍ କରୁଣା ଲାଭ ସକାଶେ ତାଙ୍କ ପ୍ରାଣର ଆବେଗ ତାଙ୍କୁ ବଡ଼ ଉଦ୍‌ବିଗ୍ନ କରିଥିଲା । ସେ ତେଣୁ ଭଗବାନଙ୍କ ଅତି ଆତୁର ହୋଇ ଜଣାଉଛନ୍ତି–

ମନା ନ କର ହିତ, ଚୂନା କରୁ ଦୂରିତ, ଅନାହତ

ମୋ ଚିତ୍ତ, ମନାସୁଛି ଆହିତ ।

 

ଲୋକେ ଅନୁଗ୍ରହ ଭିକ୍ଷା ଅନ୍ୟକୁ କହିଥାନ୍ତି, ‘‘ତମର ଏଇଆଡ଼େ ଟିକିଏ ଆଖିଥିଲେ ହେଲା ।’’ ଠିକ୍‌ ଏହିଭଳି ଅତି ସ୍ୱାଭାବିକ ମିନତି କବିସୂର୍ଯ୍ୟ କରିଥିଲେ, ତାଙ୍କର ଅତି ଆପଣାର ଚିର ପରିଚିତ ଭଗବାନଙ୍କଠାରେ ।

 

ଚମ୍ପୂର ‘‘ଭ’’ ଗୀତଟି ପ୍ରୀତିମାଧୁର୍ଯ୍ୟର ନିର୍ମଳ ପ୍ରସ୍ରବଣ । ବୃନ୍ଦାବନର ସେହି ଜ୍ୟୋତ୍ସ୍ନାବିଚ୍ଛୁରିତ ଯମୁନାକୂଳରେ ଗୀତାର ବିଶ୍ୱରୂପ ପ୍ରକଟନ ମନକୁ ଆସିଥାଏ । ଦିବ୍ୟ ଦୃଷ୍ଟି ଲାଭ ସତ୍ୱେ ଅର୍ଜ୍ଜୁନଙ୍କ ପକ୍ଷେ ସେହି ଗୁରୁର୍ଗରୀୟାନ, ମହତୋମହୀୟାନ ବିଶ୍ୱମୂର୍ତ୍ତି ଦେଖିବା କଷ୍ଟସାଧ୍ୟ ହୋଇଥିଲା । ଅର୍ଜ୍ଜୁନ ବୀର, କୃଷ୍ଣଙ୍କର ଭଗିନୀ ପତି ଓ ଆତ୍ମୀୟ ସଖା । ତଥାଚ ତାଙ୍କୁ ସେହି ବିରାଟ ମୂର୍ତ୍ତି ତ୍ରସ୍ତ କରି ଦେଇଥିଲା । ତେଣୁ ସେ ଇଚ୍ଛା କଲେ, ‘‘ମୁଁ ସେହି ଶ୍ୟାମସୁନ୍ଦର ମୂର୍ତ୍ତି ଦେଖିବି ।’’ ସେହି ‘‘ମାନୁଷୀ ରୂପ’’ ଦେଖିବା ପରେ କେବଳ ସେ ପ୍ରାକୃତିସ୍ଥ ହେଲେ । କିନ୍ତୁ ଲଳିତା କିମ୍ୱା ରାଧାରାଣୀଙ୍କୁ ସେହି ବିଶ୍ୱରୂପ ପରୀକ୍ଷାର ଭିତର ଦେଇ ଯିବାକୁ ହୋଇନଥିଲା । ସେମାନେ ସିଧାସଳଖରେ ଭଗବାନଙ୍କର ସେହି ମଦନ ମନୋହର ବେଶ ଦେଖିବାକୁ ସମର୍ଥ ହେଲେ । ‘‘ଭୂରୁ ନୀଳ ଭୁଜଙ୍ଗୀ ଭ୍ରମର’’ ଆଡ଼େ ଦେଖାଇ ଲଳିତା ରାଧାଙ୍କୁ କହିଲେ, ‘ଭାଗ୍ୟ ଏ ଜନ ଆଖି ଜନନରଟି ସଖି ଜାଣରେ ।’’ ସିଦ୍ଧହସ୍ତ କବିଙ୍କ ଶ୍ୟାମସୁନ୍ଦର ରୂପର ଚିତ୍ରଣ ଅଦ୍ୱିତୀୟ ଅଟେ । ଗୀତଟି ଗାଇଲେ ଏହି ମରଚକ୍ଷୁ ସମ୍ମୁଖରେ ସୁଦ୍ଧା ସେହି ଦିବ୍ୟ ଶୋଭାମୟ ଶ୍ରୀକୃଷ୍ଣ ବିଗ୍ରହ ଝଲସି ଉଠେ ।

ଭଲା ମାନୁଛି ଦେଖ ମୁଖସୁଧା ମୟୂଖ

ଅଳକ ତଳ ଅଖଣ୍ଡିତ ରୋଚନା ରେଖ

ତିଳକେ ଦୃଷ୍ଟି ରଖ ସଖିରେ

କି ଦିଶେ ଚଳାଚଳ ଚାରୁ ଚନ୍ଦ୍ରକ ଚୂଳ

ଭର୍ଚ୍ଛିତ ନବ ରବି, କୁଣ୍ଡଳ ଯୁଗ ଛବି, ଗଣ୍ଡରେ

ଭବ୍ୟ ଦାୟକ ମାଣିକ୍ୟ ବର,

ଭ୍ରମ ଜାତ କରୁଅଛି ମଧୁରା ଧର ।

ଏତ ଗଲା ଶ୍ରକୃଷ୍ଣଙ୍କର ରୂପ ଲାବଣ୍ୟ । ତା ପରେ ତାଙ୍କର ଠିଆ ହେବା ଭଙ୍ଗୀ ।

ଭଙ୍ଗୀ ତ୍ରୟରେ ଉଭା ହେବାର କେଡ଼େ ଶୋଗଭା ପ୍ରକାଶେ ଭରାଜିକି ହାରକି ବକ୍ଷ ଆକାଶେ ।

ଯେଉଁ ଶ୍ୟାମସୁନ୍ଦର ମୂର୍ତ୍ତି ଦର୍ଶନରେ କୁରୁକ୍ଷେତ୍ରରେ ଅର୍ଜ୍ଜୁନଙ୍କର ଭୟବିହ୍ୱଳ ଚିତ୍ତ ଆଶ୍ୱସ୍ତି ଲାଭ କରିଥିଲା, ସେହି ମୂର୍ତ୍ତି ଯୁବତୀ ଦୁହିଙ୍କୁ ପ୍ରଥମେ ଭୟରେ ଆକୁଳ କରି ଦେଲା । ଯାହାକୁ ଦେଖିବାକୁ ଓ ପାଇବାକୁ ପ୍ରାଣ ଉଦ୍‌ବେଳିତ ହୋଇ ଉଠୁଥିଲା, ତାକୁ ଅତି ନିକଟରେ ପାଇ ଉଭୟେ କାତର ହୋଇଗଲେ । ତେଣୁ ଲଳିତା ରାଧାଙ୍କୁ ଉପଦେଶ ଦେଲେ ଦମ୍ଭ ଧରିବାକୁ ଓ ଭୂମିରେ ପାଦଦ୍ୱୟକୁ ସଦମ୍ଭରେ ରଖି ବିପଦର ସମ୍ମୁଖୀନ ହେବାକୁ ।

ଭରମି ନ ଯାତୁ ମନ୍ମଥ ବାଣରେ

ଭୁଜ ପାଶକୁ ଛନ୍ଦି ମୋ ଗଳେ

ଭିଡ଼େ ପଦକଞ୍ଜ ଖଞ୍ଜ ଧରଣୀ ତଳେ ।

‘‘ମ’’ ଗୀତଟିରେ ଆତ୍ମା ପରମାତ୍ମାର ମିଳନ-ଶୋଭା ବର୍ଣ୍ଣନା ମଧୁର ଭକ୍ତିର ଚରମ ଅଭିବ୍ୟକ୍ତି । ତେଣୁ କବି ଗାଇଛନ୍ତି–

ମୁକତ ପ୍ରାୟ ହେଲା ତ୍ରିଲୋକ

ମାନସୁ ମ୍ଳାନ କଲେ ପାତକ

ଶ୍ରୀ ଜଗଦେବ ହରିଚନ୍ଦନ ସେ ମହୋତ୍ସବ ଧ୍ୟାନେ ।

Image

 

ରବୀନ୍ଦ୍ରନାଥଙ୍କ ଈଶ୍ୱରବାଦ

 

ପୁରାତନ ଭାରତର ତପୋବନ ସଭ୍ୟତା ଭାରତୀୟ ସଂସ୍କୃତି ଗ୍ରାହକ ମାତ୍ରେ ଜାଣନ୍ତି । ବାଲ୍ମୀକି, ବଶିଷ୍ଠ, ଋଷ୍ୟଶୃଙ୍ଗ, ବିଶ୍ୱାମିତ୍ର ପ୍ରଭୃତି ୠଷିମାନେ ପୁରାଣବର୍ଣ୍ଣିତ ହୋଇ କଳ୍ପିତ ପୁରୁଷରୂପେ ନବ୍ୟ ସଭ୍ୟ ଯୁବକମାନଙ୍କୁ ପ୍ରତୀତ ହେଲେ ସୁଦ୍ଧା, ସେମାନେ ନିଶ୍ଚୟ ରକ୍ତ ମାଂସ ଦେହଧାରୀ ଜଣେ ଜଣେ ଐତିହାସିକ ବ୍ୟକ୍ତି ଓ ପ୍ରତ୍ୟେକେ ଗୋଟିଏ ଗୋଟିଏ ତପୋବନର ଅଧିକାରୀ ତପୋବନର ଶାନ୍ତିପୂର୍ଣ୍ଣ ବାତାବରଣ ଭିତରେ, ଶ୍ୟାମଳ ସୁନ୍ଦର ସଜୀବ ବୃକ୍ଷରାଜିର ଶୀତଳ ଛାୟା ତଳେ କୁହାଯାଇ ଥିଲା ଉପନିଷଦ, ଆରଣ୍ୟକ, ମହାଭାରତ, ରାମାୟଣ ଓ ଭାଗବତ । ତମସା ତୀରବର୍ତ୍ତୀ ବାଲ୍ମୀକି ଆଶ୍ରମ, ଗଙ୍ଗା ଉପକୂଳ ନିକଟସ୍ଥ ନୈମିଷାରଣ୍ୟ, ଦଣ୍ଡକାରଣ୍ୟ ମଧ୍ୟସ୍ଥ ଅଗସ୍ତ୍ୟ ତପୋବନ ପ୍ରଭୃତି ଜ୍ଞାନାଲୋକର କେନ୍ଦ୍ରଗୁଡ଼ିକ ପରବର୍ତ୍ତୀ ଯୁଗର ବିଶ୍ୱବିଦ୍ୟାଳୟ ପରି ଗୋଟିଏ ଗୋଟିଏ ବିଦ୍ୟାଚର୍ଚ୍ଚାର ପୀଠ ହୋଇଥିଲା । ପ୍ରାଚୀନ ଭାରତର ସ୍ରୋତସ୍ୱତୀ ପରିପ୍ଳୁତ ଋଷି ଆଶ୍ରମରେ ଆଧୁନିକ ଯୁଗର କଳକବ୍‌ଜାଜାତ ପାର୍ଥିବ ରୁକ୍ଷ କର୍କଶତା, ଧନ ଦୌଲତର ନିର୍ମମ ହିସାବ ବୁଦ୍ଧି ପୁଣି ଜୀବନ ସଂଗ୍ରାମର କଦର୍ଯ୍ୟ ପ୍ରତିଦ୍ୱନ୍ଦିତା ନଥିଲା । ତପୋବନଗୁଡ଼ିକ ଆଧ୍ୟାତ୍ମ ଜ୍ଞାନର ନିର୍ଝରରୂପେ ପାର୍ଶ୍ୱବର୍ତ୍ତୀ ଜନବସତିଗୁଡ଼ିକୁ ଶାନ୍ତି ଓ ଆନନ୍ଦର ସଲିଳ ଦାନ କରୁଥିଲେ । ମୁନି କୁମାର, ମୁନି କନ୍ୟା ଓ ଶିଷ୍ୟବର୍ଗ ଧର୍ମ ଓ ଜ୍ଞାନର ଗୋଟିଏ ଗୋଟିଏ ନିର୍ମଳ ବାତାବରଣରେ ସେମାନଙ୍କ ଜୀବନର ପ୍ରଥମ ଅବସ୍ଥା ନିର୍ବାହ କରୁଥିଲେ ଓ ପରବର୍ତ୍ତୀ ସାଂସାରିକ ଜୀବନ କଟାଇବାର ଆବଶ୍ୟକୀୟ ଶିକ୍ଷା ଲାଭ କରୁଥିଲେ । କଣ୍ୱାଶ୍ରମରେ ମୃଗବଧ କରିବାକୁ ସ୍ୱଂୟ ମହାରାଜା ଦୁଷ୍ମନ୍ତ ମଧ୍ୟ ଭୟ କରୁଥିଲେ; ପୁଣି ମହାରାଜା ଦଶରଥ ବଶିଷ୍ଠାଶ୍ରମରୁ ପରାମର୍ଶ ନଆସିବା ଯାଏଁ କୌଣସି ରାଜକୀୟ ଅନୁଷ୍ଠାନ କରିବାକୁ ସାହସ କରୁ ନଥିଲେ । ଏହି ପୁରାତନ ଯୁଗର ସେହି ପବିତ୍ର ତପୋବନ ପୁନର୍ବାର ପ୍ରତିଷ୍ଠା କରିଥିଲେ ରବୀନ୍ଦ୍ରନାଥଠାକୁର ।

 

ରବୀନ୍ଦ୍ରଙ୍କ ପିତା ମହର୍ଷି ଦେବେନ୍ଦ୍ରନାଥଙ୍କ ଉପାସନା ସ୍ଥଳ ଶାନ୍ତି ନିକେତନର ଆବିର୍ଭାବ, କ୍ରମବୃଦ୍ଧି ଓ ବିପୁଳ ପ୍ରସାର ସଙ୍ଗେ ରବୀନ୍ଦ୍ରନାଥଙ୍କ ସାରା ଜୀବନ ଏତେ ଦୂର ଓ ଏତେ ନିବିଷ୍ଟ ଭାବେ ଜଡ଼ିତ ଯେ ଶାନ୍ତିନିକେତନର ଆମୂଳଚୂଳ ଇତିହାସ ନ ଜାଣିଲେ ରବୀନ୍ଦ୍ରନାଥଙ୍କ ଜୀବନୀ ଅପୂର୍ଣ୍ଣ ଓ ଅବୋଧ୍ୟ ହୋଇ ରହିଯିବ ।

 

ମହର୍ଷି ଦେବେନ୍ଦ୍ରନାଥ ଯେତେବେଳେ ତାଙ୍କ ଜମିଦାରୀରୁ କର ଆଦାୟ ଉଦ୍ଦେଶ୍ୟରେ ଯାଉଥିଲେ ସେତେବେଳେ ତାଙ୍କୁ ବୋଲପୁର ଅଞ୍ଚଳରେ କେତେ ଦିନ କଟାଇବାକୁ ହେଉଥିଲା । ସେ ଈଶ୍ୱରପରାୟଣ ଓ ଉପାସନାପ୍ରିୟ ଥିଲେ । ନିରୋଳ ସ୍ଥାନରେ ବସିରହି ଭଗବାନଙ୍କୁ ଧ୍ୟାନ କରିବା ତାଙ୍କ ଜୀବନର ଗୋଟିଏ ନିତ୍ୟ ନୈମିତ୍ତିକ ଅଭ୍ୟାସ ଥିଲା । ସେ ଏହି ସ୍ଥାନଟିରେ ବସି ନୀରବ ଉପାସନା କରୁଥିବା ରବୀନ୍ଦ୍ରନାଥ ଜାଣିଥିଲେ । ଏହି ସ୍ଥାନଟିରେ ତେଣୁ ସେ ସର୍ବପ୍ରଥମେ ତାଙ୍କର ଛୋଟ ସ୍କୁଲଟି ସ୍ଥାପନ କରି କେତେ ଜଣ ସହଯୋଗୀଙ୍କ ସହିତ ଆଦର୍ଶ ଶିକ୍ଷାଦାନ ବ୍ରତରେ ବ୍ରତୀ ହେବାର ଠିକ୍‍ କଲେ । ଏହିଭାବେ ଶାନ୍ତିନିକେତନର ଉଦ୍‌ଭବ ବୋଲପୁର ନିକଟସ୍ଥ ଏହି ଶାନ୍ତମୟ ସ୍ଥାନରେ ହୋଇଥିଲା । କ୍ରମେ କ୍ରମେ ଅନୁଷ୍ଠାନଟି ବଙ୍ଗ ତଥା ଭାରତର ଗୋଟିଏ ଆଦର୍ଶ ଅନୁଷ୍ଠାନ ହେବାକୁ ଲାଗିଲା । ମାତ୍ର ଏହାର ମହତ୍‌ ଓ ବିଶ୍ୱବ୍ୟାପୀ ଉଦ୍ଦେଶ୍ୟ ଗୋଟିଏ ଦେଶ କିମ୍ୱା ଜାତିର ଗଣ୍ଡିରେ ଆବଦ୍ଧ ହୋଇ ବେଶି ଦିନ ରହି ପାରିଲା ନାହିଁ । ଶାନ୍ତିନିକେତନ କାଳକ୍ରମେ ବିଶ୍ୱଭାରତୀ ଆକାର ଧାରଣ କଲା । ଏହା ବର୍ତ୍ତମାନ ସମଗ୍ର ବିଶ୍ୱର ଗୋଟିଏ ସଂସ୍କୃତି ଓ ଜ୍ଞାନ ବିନିମୟର ପ୍ରଧାନ କେନ୍ଦ୍ର । ଏହା ବିଶ୍ୱପ୍ରଖ୍ୟାତ ଓ ବିଶ୍ୱବିସ୍ତୃତ ।

 

ରବୀନ୍ଦ୍ରନାଥଙ୍କ କେଉଁ ବିଶେଷ ଗୁଣ ହେତୁ ଆଜି ବିଶ୍ୱଭାରତୀ ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟ ଅପେକ୍ଷା ଉତ୍କୃଷ୍ଟତର ହୋଇ ଅଛି, ବିଶ୍ୱଭାରତୀର କେଉଁ ବିଶିଷ୍ଟତା ବିଶ୍ୱମାନବକୁ ଆଜି ଏହି ଆଶ୍ରମକୁ ଟାଣି ଆଣୁଛି ? କେଉଁ ଗୁଣର ପ୍ରଭାବରେ ଏହି ସ୍ଥାନରେ ଦେଶ ଜାତି ଧର୍ମ ବର୍ଣ୍ଣ ଭାଷାର ପାର୍ଥକ୍ୟକୁ ନଜର ନ ଦେଇ ଶ୍ରଦ୍ଧାଳୁ ମାନବ ବିଶ୍ୱଐକ୍ୟର ପୁଷ୍ଟିସାଧନରେ ସାହାଯ୍ୟ କରୁଛି ? ଏହାର ଏକମାତ୍ର କାରଣ ରବୀନ୍ଦ୍ରନାଥଙ୍କ ପରମ ଆସ୍ତିକତା । ଯେଉଁ ଦିନ ହଠାତ୍‌ ରବୀନ୍ଦ୍ରନାଥଙ୍କ ପ୍ରାଣରେ ଭଗବତ୍‌ ଅସ୍ତିତ୍ୱର ଧାରଣା ସଜାଗ ହେଲା, ସେହିଦିନଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଭଗବାନଙ୍କ ସ୍ଥିତି ତାଙ୍କ ଜୀବନରେ ପ୍ରତିମୁହୂର୍ତ୍ତ ଅନୁଭୂତ ହେବାକୁ ଲାଗିଲା । ସେ ଯାହା କଲେ, ସେ ସବୁର ଏକମାତ୍ର ଉଦ୍ଦେଶ୍ୟ ରହିଲା ଭଗବତ୍‌ ପ୍ରୀତିସ୍ଥାପନ । ଏହି ପ୍ରୀତି ମନୁଷ୍ୟର ଜୀବନ ସହିତ ଆମୂଳଚୂଳ ସଂଶ୍ଳିଷ୍ଟ । ଏହି ଭାବର ପୂର୍ଣ୍ଣ ଅନୁଭୂତି ତାଙ୍କୁ ସାରାଜୀବନ ଭଗବଦ୍‌ କାର୍ଯ୍ୟରେ ଲଗାଇବା ପାଇଁ ଆବଶ୍ୟକୀୟ ଉତ୍ତେଜନା ଓ ଶକ୍ତି ଯୋଗାଇ ଥିଲା ।

 

ରବୀନ୍ଦ୍ରନାଥ କୌଣସି ଗୋଟିଏ ଧର୍ମ, ମତ ବା ସମ୍ପ୍ରଦାୟ ପ୍ରତିଷ୍ଠା କରିବାକୁ କେବେ ହେଲେ ଚେଷ୍ଟା କରି ନାହାନ୍ତି । ସେପରି କାର୍ଯ୍ୟରେ ତାଙ୍କର ମୋଟେ ଶ୍ରଦ୍ଧା କିମ୍ୱା ବିଶ୍ୱାସ ନଥିଲା । ସୂର୍ଯ୍ୟ ଆଲୋକ ପ୍ରଦାନ କଲାବେଳେ ଯେପରି ତୈଳର ଅପେକ୍ଷା ରଖନ୍ତି ନାହିଁ, ସେହିପରି ରବୀନ୍ଦ୍ରନାଥ ତାଙ୍କର ହୃଦସ୍ଥିତ ଭଗବଦ୍‌ ଭାବର ପ୍ରକାଶ କଲାବେଳେ ସାମ୍ପ୍ରଦାୟିକ ଆଧାରର ଆବଶ୍ୟକତା ବୋଧ କରି ନଥିଲେ । ଧର୍ମ ତାଙ୍କ ଜୀବନର ପଥ ଥିଲା, ସେ ସେହି ପଥରେ ଚାଲିଥିଲେ ମାତ୍ର । ଥରେ ସେ ବିଶ୍ୱବିଦ୍ୟାଳୟରେ କି ପ୍ରକାର ଧର୍ମ ରହିବା ଆବଶ୍ୟକ ତାହା ବୁଝାଇବାକୁ ଯାଇ ଲେଖିଥିଲେ–

 

This religion of spiritual hamony is not a theological doctrine to be taught as a subject for half an hour each day.

 

କାଳ ପ୍ରବାହରେ ଗତିକରି ଭାରତୀୟ ଧର୍ମ ତାହାର ସ୍ୱାଭାବିକ ସୌନ୍ଦର୍ଯ୍ୟ ଓ ପ୍ରାକୃତିକ ନିର୍ମଳତା ହରାଇବା ଉପରେ ଥିଲା । ରାଜା ରାମମୋହନ ରାୟ ଓ ଦେବେନ୍ଦ୍ରନାଥ ଠାକୁର ସଂସ୍କାରକଗଣ ଭାରତୀୟ ଚେତନାକୁ ପୁନର୍ବାର ତାହାର ଉପନିଷଦ୍‌ ଆଲୋକ ଆଡ଼େ ଫେରାଇବାକୁ ଚେଷ୍ଟା କରିଥିଲେ । ମାତ୍ର ସେମାନଙ୍କ କାର୍ଯ୍ୟକ୍ରମରେ ଯଥେଷ୍ଟ ପରିମାଣରେ ନଥିଲା ଦେଶାତ୍ମବୋଧ ବା ଆତ୍ମବିଶ୍ୱାସ । ସେମାନଙ୍କର ଆଦର୍ଶ ଥିଲା ବେଣ୍ଟିକ ସାହେବ ଆନୀତ ପାଶ୍ଚାତ୍ୟ ସଭ୍ୟତାର ଚାକଚକ୍ୟ । ତେଣୁ ସେମାନଙ୍କ ପ୍ରତିଷ୍ଠିତ ବ୍ରାହ୍ମସମାଜର ଚେର ଜାତୀୟତା ମାଟିକୁ ସ୍ପର୍ଶ କରି ପାରିଲା ନାହିଁ । ଆଧୁନିକ ଭାରତୀୟଙ୍କର ଏହି ଅଭାବଟି ଦେଖାଇ ଦେଲେ ସ୍ୱାମୀ ବିବେକାନନ୍ଦ ଓ ପୂର୍ଣ୍ଣ କଲେ ରବିନ୍ଦ୍ରନାଥ । ବୌଦ୍ଧମାନଙ୍କର ନିର୍ବାଣସମ୍ୱଳିତ ଶୂନ୍ୟବାଦ, ଶଙ୍କରପ୍ରଚାରିତ ମାୟାବାଦ ଓ ବୈଷ୍ଣବମାନଙ୍କର ଆନୁଷ୍ଠାନିକ ନିଷ୍ଠା ଓ ସାଂସାରିକ ଜୀବନ ପ୍ରତି ଅବହେଳା ଭାରତୀୟ ମନରେ ଜୀବନ ପ୍ରତି ଏକ ପ୍ରକାର ଶ୍ରଦ୍ଧାହୀନତା ଜନ୍ମାଇ ଦେଇଥିଲା । ଏପରି ଅବସ୍ଥାରେ ପାଶ୍ଚାତ୍ୟାଗତ ପଦାର୍ଥ ବିଜ୍ଞାନର ଆବିର୍ଭାବ ହେଲା । ଏହାର ପ୍ରତିକ୍ରିୟାରୂପେ ଭାରତୀୟମାନେ ଭାବିବାକୁ ଲାଗିଲେ, ଜାଗତିକତା ସହିତ ଈଶ୍ୱରନିଷ୍ଠଜୀବନର ସାମଞ୍ଜସ୍ୟ ଅସମ୍ଭବ । ଏହି ପ୍ରତିକ୍ରିୟା ସ୍ରୋତର ଠିକ୍‌ ବିପରୀତ ଦିଗରୁ ରବୀନ୍ଦ୍ରନାଥ ତାଙ୍କର ଧର୍ମ ଓ ବାର୍ତ୍ତା ଭାରତ ତଥା ଜଗତକୁ ବୁଝାଇବାକୁ ଲାଗିଲେ । ପାର୍ଥିବ ପ୍ରକୃତିରେ ଭଗବାନଙ୍କୁ ଦେଖିବା ହେଲା ତାଙ୍କ କବିଜୀବନର ପ୍ରଧାନ କର୍ମ । ସେ ଏହି ପୃଥିବୀର ମାଟି, ଜଳ ଓ ପବନରେ ମଧ୍ୟ ଈଶ୍ୱରସତ୍ତା ଦେଖିବାକୁ ପାଇଲେ । ସାନ୍ଧ୍ୟ ସମୀରଣର ମୃଦୁ ମନ୍ଦ ପ୍ରବାହରେ, ସରସୀ ବୁକୁର କୁମୁଦିନୀ ମୁକରେ, ଆକାଶଚାରୀ ଚାନ୍ଦର ଜ୍ୟୋତ୍ସ୍ନା ରାଶିରେ, ଶଶଧରହାସ୍ୟଶୋଭିତ ଏହି ଭବଭବନର ବିପୁଳ ସୌନ୍ଦର୍ଯ୍ୟରେ ପୁଣି ତଟିନୀର କୁଳୁଧ୍ୱନିରେ ପରମାତ୍ମାଙ୍କ ସନ୍ଧାନ ପାଇବାକୁ ସେ ସମର୍ଥ ହେଲେ ପ୍ରକୃତି ରାଣୀର ସୁଧାଭରା ଶ୍ୟାମଳତାରେ ଧରଣୀକୁ ବ୍ୟାକୁଳ ହେବା ଦେଖି ସେ ଯେଉଁ ବ୍ୟଥା ପାଇଲେ ସେ ବ୍ୟଥାରେ ସୁଦ୍ଧା ଭଗବାନଙ୍କ ପ୍ରୀତିପୂର୍ଣ୍ଣ ନୟନ ଦେଖିବାକୁ ଆକାଂକ୍ଷିତ ହୋଇ ରହିଲେ ।

ବର୍ଷା ଋତୁର ଶ୍ରାବଣ ଧାରାରେ, ତରୁ ପଲ୍ଲବର କୋମଳ ସୌନ୍ଦର୍ଯ୍ୟର, ଗିରି କାନନ ଓ ସାଗର ବକ୍ଷରେ ସେ ଭଗବାନଙ୍କ ବିରହ ଅନୁଭବ କଲେ । ପ୍ରକୃତିକୁ ଛିନ୍ନଭିନ୍ନ କରି ସେ ଭଗବତ୍ କରୁଣା ଆବିଷ୍କାର କରିବାରେ କୃତକାର୍ଯ୍ୟ ହୋଇଥିଲେ । ସେ ପ୍ରକୃତିରେ ଭଗବତ୍ ପ୍ରେମରେ ବିଭୋର ହୋଇ ଗାଇବାକୁ ଲାଗିଲେ–

ଏଇ ତ ତୋମାର ପ୍ରେମ ଓଗୋ ହୃଦୟରଣ

ଏଇ ଯେ ପାତାୟ ଆଲୋ ନାଚେ ସୋନାର ବରଣ ।

ଏଇ ଯେ ମଧୁର ଆଲସଭରେ ମେଘ ଭେସେଯାଏ ଆକାଶ ପରେ ।

ଏଇ ଯେ ବାତାସ ଦେହେ କରେ ଅମୃତ କ୍ଷରଣ ।

ଏଗୁଡ଼ିକ ପାର୍ଥିବ, ତୁଚ୍ଛ, ଅଳୀକ ପଦାର୍ଥ ବୋଲି ରବୀନ୍ଦ୍ରନାଥ ଛାଡ଼ି ଦେଇ ନାହାନ୍ତି । ଏଗୁଡ଼ିକ ସତ୍ୟ ନୁହେଁ, ମାୟା; ଏଗୁଡ଼ିକ ଦ୍ୱାରା ଆଧ୍ୟାତ୍ମିକ ଜୀବନରେ ବାଧା ଘଟେ; ଏହି ପରି ତିଳେ ହେଲେ ଭୟ କିମ୍ବା ଆଶଙ୍କା ତାଙ୍କର ନ ଥିଲା । ସବୁଜ ପତ୍ର ଉପରେ ସୂର୍ଯ୍ୟର ସୁବର୍ଣ୍ଣକିରଣ ଭଗବତ୍ ପ୍ରେମରେ ତାଙ୍କ ହୃଦୟକୁ ହରଣ କରି ଦେଉଛି । ଗଗନ ମାର୍ଗରେ ମେଘର ସାଳସ ଗତି ଦେଖି ଓ ଶୀତଳ ମଳୟାନିଳର ମୃଦୁମନ୍ଦ ସ୍ପର୍ଶ ନିଜ ତାପିତ ଗାତ୍ରରେ ଅନୁଭବ କରି ସେ ଅମୃତତ୍ୱ ଲାଭ କରୁଅଛନ୍ତି । ସେ ଅନ୍ୟ ଏକ ଗୀତରେ ଭଗବଦ୍ ଦତ୍ତ ଦାନର ତାଲିକାରେ ଜୀବନ, ମନ, ପ୍ରାଣପ୍ରିୟ ପରିଜନ ସହିତ ସୁଧାସ୍ନିଗ୍‌ଧ ସମୀରଣ, ନୀଳକାନ୍ତ ଅମ୍ବର, ଶ୍ୟାମ ଶୋଭାଧରଣୀକୁ ଅନ୍ତର୍ଭୁକ୍ତ କରିଅଛନ୍ତି । ନିସର୍ଗ ସୁନ୍ଦରୀର କ୍ରୋଡ଼ରେ ବସି ରବୀନ୍ଦ୍ରନାଥ ଭଗବତ୍ ପ୍ରେମକୁ ଦେଖି ପାରୁଥିଲେ ପୁଣି ସେହି ପ୍ରେମରେ ସ୍ୱକୀୟ ଜୀବନକୁ ଉଲ୍ଲସିତ କରୁଥିଲେ । ଏହା ତାଙ୍କ ସେଶ୍ୱରତାର ବିଶିଷ୍ଟ ଲକ୍ଷଣ । ସେ ପ୍ରକୃତି ରାଜ୍ୟର ଶାସନରୀତିକୁ ନିରୀକ୍ଷଣ କରି, ଋତୁ ପରମ୍ପରାର ନିୟମିତ ଗତିକୁ ଲକ୍ଷ୍ୟ କରି, ମାସ ବର୍ଷ ରୂପ କାଳପ୍ରବାହର ସ୍ରୋତକୁ ପର୍ଯ୍ୟବେକ୍ଷଣ କରି ସୌନ୍ଦର୍ଯ୍ୟ ବିଭୋର ପ୍ରାଣରେ ସାଂସାରିକ ଅଳୀକତା ଓ ମାନବର ଅସାରତା ପ୍ରତି ଆଦୌ ଦୃଷ୍ଟି ନିକ୍ଷେପ କରୁନଥିଲେ । ବରଂ ଭଗବାନଙ୍କ ପାଦର ଧ୍ୱନି ପ୍ରକୃତିର ପ୍ରତ୍ୟେକ ସ୍ପନ୍ଦନରେ, ଆକାଶର ପ୍ରତ୍ୟେକ ସ୍ଥାନରେ ପୁଣି ଜୀବନର ପ୍ରତ୍ୟେକ କୋଣରେ ତାଙ୍କର ଶ୍ରୁତିଗୋଚର ହେଉଥିଲା । ତେଣୁ ସେ ଅତିଶୟ ଆଶାୟୀ ହୋଇ ପଚାରିଛନ୍ତି–

ତୋର ଶୁନିସ ନିକି ଶୁନିସ ନିକି ତାର ପାୟେର ଧ୍ୱନି

ସେ ଯେ ଆସେ ଆସେ ଆସେ ।

କତ କାଲେର ଫାଗୁନ ଦିନେ, ବନେର ପଥେ

ସେ ଯେ ଆସେ ଆସେ ଆସେ ।

କତ ଶ୍ରାବଣ ଅନ୍ଧକାରେ, ମେଘେର ରଥେ

ସେ ଯେ ଆସେ ଆସେ ଆସେ ।

ଏ ପ୍ରକାର ଭଗବତ୍ ଦର୍ଶନ ଭାବପ୍ରବଣତା ନୁହେଁ । ଏହା ସୌନ୍ଦର୍ଯ୍ୟ ରସିକ କବିଙ୍କର ଗଭୀର ଅନୁଭୂତି । ଏହା ଅନ୍ତରର ନିଗୂଢ଼ ଭକ୍ତି ଓ ରସମୟ ପ୍ରୀତି ।

ଭଗବାନଙ୍କୁ କବି ଅତ୍ୟନ୍ତ ଆପଣାର ବୋଲି ମନେ କରିଥିଲେ । ତାଙ୍କର ଈଶ୍ୱର ଅତିଶୟ ବ୍ୟକ୍ତିଗତ । ଭଗବାନଙ୍କ ବ୍ୟକ୍ତିତ୍ୱରେ ବ୍ରାହ୍ମ ସମ୍ପ୍ରଦାୟର ଅତିଶୟ ବିଶ୍ୱାସ । ରବୀନ୍ଦ୍ରନାଥ ବାଲ୍ୟ ବୟସରୁ ପିତାଙ୍କ ସହିତ ଉପାସନାରତ ରହି ଭଗବାନଙ୍କ ସହିତ ବ୍ୟକ୍ତିଗତ ସମ୍ବନ୍ଧ ସ୍ଥାପନ କରିଥିଲେ । ତାଙ୍କର ଏହି ବ୍ୟକ୍ତିଗତ ଈଶ୍ୱରାରାଧନା, ତାଙ୍କ ପ୍ରଦତ୍ତ ପ୍ରାର୍ଥନାବଳୀ ଓ ତାଙ୍କ ରଚିତ ଗୀତ ସମୂହରୁ ଅତି ସ୍ପଷ୍ଟ ହୁଏ । ମଧ୍ୟ ଯୁଗର ବୈଷ୍ଣବ ସାହିତ୍ୟ ପଠନ ଦ୍ୱାରା ତାଙ୍କର ଏହି ଧାରଣା ବହୁଦୂର ବଦ୍ଧମୂଳ ହୋଇ ଥିଲା । ସେ ତାଙ୍କ ବିବିଧ ବକ୍ତୃତା ଓ ପ୍ରବନ୍ଧରେ ଦର୍ଶନ ଶାସ୍ତ୍ରକୁ ବିଶ୍ଳେଷଣ କଲାବେଳେ ଯେତେ ଯେତେ ଅଦ୍ୱୈତ ସିଦ୍ଧାନ୍ତର ଅବତାରଣା କରନ୍ତୁ ନା କାହିଁକି, ସେ ଥିଲେ ଜଣେ ଭକ୍ତିପୂର୍ଣ୍ଣ ପରମ ଦ୍ୱୈତ ଉପାସକ ଓ ଏହି ଦ୍ୱୈତ ସିଦ୍ଧାନ୍ତରୁ ତାଙ୍କର ରସପୂର୍ଣ୍ଣ ଗୀତସମୂହ ପ୍ରବାହିତ ହୋଇଥିଲା । ବୈଷ୍ଣବ ଧର୍ମର ଚରମ ସିଦ୍ଧାନ୍ତ ରାଗାନୁଗା ଭକ୍ତି ରବୀନ୍ଦ୍ରନାଥ ତାଙ୍କ ଜୀବନରେ ଅନୁଭବ କରିଥିଲେ । ତେଣୁ ସେ ଭଗବାନଙ୍କୁ ଅତି ସାହସ ସହକାରେ କହୁଛନ୍ତି, ‘‘ତୋମାୟ ଆମାୟ ମିଲନ ହବେ ବଲେ ଫୁଲ୍ଲ ଶ୍ୟାମଲ ଧରା ।’’ ଏହି ମଧୁର ମିଳନରେ ସ୍ୱୟଂ ଭଗବାନ ବରବେଶ ଧାରଣ କରି ଆଗତ ଓ କବିଙ୍କର ରସମୟ ଜୀବନ ସ୍ୱୟମ୍ବର ସକାଶେ ପ୍ରସ୍ତୁତ-। ତେଣୁ ସେ କହୁଛନ୍ତି, ‘‘ତୋମାୟ ଆମାୟ ମିଲନ ହବେ ବଲେ, ଯୁଗେ ଯୁଗେ ବିଶ୍ୱଭୁବନ ତଲେ, ପରାଣ ଆମାର ବଧୂର ବେଶେ ଚଲେ ଚିର ସ୍ୱୟମ୍ବର ।’’ ବିଶ୍ୱସମ୍ରାଟ ଭଗବାନଙ୍କର ବିପୁଳ ଐଶ୍ୱର୍ଯ୍ୟରେ ବିଭୋର ହୋଇ ତାଙ୍କ ବ୍ୟକ୍ତିଗତ ମାଧୁର୍ଯ୍ୟପୂର୍ଣ୍ଣ ସଂବନ୍ଧ ଭୁଲିବାକୁ ସେ ପ୍ରସ୍ତୁତ ନୁହନ୍ତି, ଯେପରି ସେହିପରି ଭୁଲି ଯିବାକୁ ସମ୍ମତ ନଥିଲେ ଗୋପପୁରର ଗୋପିକା କିମ୍ବା ବୃନ୍ଦାବନର ରାଧିକା । ତିନିଭୁବନର ଈଶ୍ୱର ହେଲେ ସୁଦ୍ଧା ଭଗବାନ ଯଦି ତାଙ୍କର ଉଚ୍ଚ ଆସନ ତ୍ୟାଗ କରି ତଳକୁ ଅବତରଣ ନକରନ୍ତି, ତେବେ ଏହି ବ୍ୟକ୍ତିଗତ ସମ୍ବନ୍ଧ, ଏହି ଆତ୍ମା ପରାମାତ୍ମାର ମଧୁର ମିଳନ ସମ୍ଭବ ହେବ କିପରି ? ରବୀନ୍ଦ୍ରନାଥ ଠିକ୍ ରାଧାରାଣୀଙ୍କ ପରି ଆଧୁନିକ ଯୁଗରେ ସୁଦ୍ଧା ଭଗବାନଙ୍କର ଏହି ବ୍ୟକ୍ତିଗତ ପ୍ରେମକୁ ବର୍ଣ୍ଣନା କରିଅଛନ୍ତି–

ତାଇ ତୋମାର ଆନନ୍ଦ ଆମାର ପର

ତୁମି ତାଇ ଏସେଛ ନୀଚେ ।

ଆମାୟ ନଇଲେ ତ୍ରିଭୁବନେଶ୍ୱର ତୋମାର ପ୍ରେମ

ହୋତ ଯେ ମିଛେ ।

ଗୀତା ଅନୁସାରେ ଭଗବାନଙ୍କର ଭକ୍ତ ଚାରି ପ୍ରକାର-ଆର୍ତ୍ତ, ଅର୍ଥାର୍ଥୀ, ଜିଜ୍ଞାସୁ ଓ ଜ୍ଞାନୀ-। ଆର୍ତ୍ତତ୍ରାଣ କହି ଜୀବ ଉପଦ୍ରବରୁ ରକ୍ଷାପାଏ । ବାଞ୍ଛା କଳ୍ପତରୁ ଅର୍ଥାର୍ଥୀର ମନୋରଥ ସିଦ୍ଧ କରନ୍ତି-। ଜିଜ୍ଞାସୁ ଓ ଜ୍ଞାନୀମାନେ ଆଶ୍ରୟ କରନ୍ତି ଦୁରୂହ ଜ୍ଞାନ ପନ୍ଥାକୁ, ଯାହା ଅତିକ୍ରମ କରି ସେମାନେ ଲାଭକରନ୍ତି ମୁକ୍ତି । ମାତ୍ର ରବୀନ୍ଦ୍ରନାଥଙ୍କ ଭକ୍ତି ଏହି ‘ଚାରି ପାଞ୍ଜିରୁ’ ବାହାର । ଭଗବାନଙ୍କ ନିକଟରେ ତାଙ୍କ ଯାଚଜ୍ଞା ଅତି ବିଚିତ୍ର ଧରଣର । ସଂସାରର ଆଘାତରେ ବିବ୍ରତ ନ ହୋଇ ସେ ଚାହୁଁଛନ୍ତି, ‘‘ଆରୋ ଆଘାତ ସଇବେ ଆମାରୋ, ସଇବେ ଆମାରୋ । ଆରୋ କଠିନ ସୁରେ ଜୀବନ ତାରେ ଝଙ୍କରୋ’’ ସେ ମୃଦୁ ସ୍ୱର ଚାହାନ୍ତି ନାହିଁ । ‘‘ମୃଦୁ ସ୍ୱରେର ଖେଲାୟ ଏ ପ୍ରାଣ ବ୍ୟର୍ଥ କରୋନା ।’’ ଏ ବିଂଶ ଶତବ୍ଦୀର ରବୀନ୍ଦ୍ରନାଥ, ନା କୁରୁକ୍ଷେତ୍ରର ଗାଣ୍ଡୀବଧାରୀ ମଧ୍ୟମ ପାଣ୍ଡବ । ଭକ୍ତିରୁ ଭୀରୁତା ଲୁପ୍ତହେଲେ, ଭକ୍ତ କାପୁରୁଷତା ତ୍ୟାଗ କରି ବୀରତ୍ୱ ମଣ୍ଡିତ ହେଲେ ଏପରି ପ୍ରାର୍ଥନା ତାହା ମୁଖରୁ ନିଃସୃତ ହୁଏ । ସେତିକିରେ ବୀରଭକ୍ତ ନୀରବ ନୁହେଁ–

ଜ୍ୱଲେ ଉଠୁକ, ସକଲ ହୁତାଶ

ଗର୍ଜି ଉଠୁକ, ସକଲ ବାତାସ

ଜାଗିଏ ଦିୟେ ସକଲ ଆକାଶ ପୂର୍ଣ୍ଣତା ବିସ୍ତାରୋ ।

 

 

ଅନ୍ୟ ଏକ ସ୍ଥାନରେ ବିବାଦକୁ ବରଣ କରି ସେ କହିଛନ୍ତି–

 

ଆମାର ଏ ଧୂପ, ନ ପୋଡ଼ାଲେ

ଗନ୍ଧ କିଛୁଇ ନାଇ ଡାଲେ ।

 

ଭୀଷଣ ଏ ଯାଚଜ୍ଞା, ଅଦ୍‌ଭୁତ ଏ ଭକ୍ତି, ଅସାଧାରଣ ଏ ଈଶ୍ୱର ବିଶ୍ୱାସ ।

 

ଭଗବାନଙ୍କୁ ବାଞ୍ଛାନିଧି ବା ବାଞ୍ଛା କଳ୍ପତରୁ ବୋଲି କହନ୍ତି, ସେ ଭକ୍ତର ମନୋରଥ ସିଦ୍ଧ କରନ୍ତି ବୋଲି । ଭଗବାନଙ୍କୁ କେଉଁ ଭକ୍ତ କଣ ମାଗେ ଓ ପାଏ । ଧ୍ରୁବ ମାଗେ ରାଜସିଂହାସନ, ପୁଣି ସୁଦାମା ମାଗେ ଅନ୍ନସଂସ୍ଥାନ । ମାତ୍ର ରବୀନ୍ଦ୍ରନାଥଙ୍କ ଅନୁନୟ ବିଚିତ୍ର । ଭଗବାନ ଭକ୍ତକୁ ବର ଦେଇ ତାହାଠାରୁ ପାଇଥାନ୍ତି ଧନ୍ୟବାଦ ବା କୃତଜ୍ଞତା । ମାତ୍ର ରବୀନ୍ଦ୍ରନାଥ କହୁଛନ୍ତି, ‘‘ଆମି ବହୁ ବାସନାୟ ପ୍ରାଣପଣେ ଚାଇ, ବଞ୍ଚିତ କରେ ବାଞ୍ଚାଲେ ମୋରେ’’ ମୁଁ ଯାହା ବାଞ୍ଛା କରିଥିଲି ତାହା ନ ଦେଇ ମୋତେ ବଞ୍ଚାଇ ଦେଲ । ଏହା ତୁମ୍ଭର ମୋ ପ୍ରତି ଅଶେଷ କୃପା । ରବୀନ୍ଦ୍ରନାଥଙ୍କ ଭାଷାରେ ଏହି କୃପାକୁ କୁହାଯାଇଛି କଠୋର କୃପା ।

 

‘ଏହି କୃପା କଠୋର ସଞ୍ଚିତ ମୋର ଜୀବନ ତରେ ।

 

ସଙ୍ଗୀତମୁଖର, ଭାବପ୍ରବଣ ଓ ରସମୂଗ୍‌ଧ ହୋଇ କେବଳ ରହିବା ଭକ୍ତପକ୍ଷେ ଉଚିତ ନୁହେଁ । ଭକ୍ତି ଲାଗି ଜଗତକୁ ପଛରେ ପକାଇ ରଖିବାକୁ କବି ପସନ୍ଦ କରୁ ନଥିଲେ । ତାଙ୍କ ଭକ୍ତି କର୍ମରେ ରସାଣିତ ହୋଇଥିଲା । ଜୀବନର କଷଟି ପଥରରେ ସେ ତାଙ୍କର ଭକ୍ତି ଓ ପ୍ରୀତି ସବୁବେଳେ କଷିବାକୁ ସୁଖ ପାଉଥିଲେ । ବତ୍କୃତାବହୁଳ ଦେଶସେବା ଯେପରି ମୂଲ୍ୟହୀନ, ସଂଘର୍ଷ ବିହୀନ ଈଶ୍ୱରଭକ୍ତି ସେପରି ଅର୍ଥଶୂନ୍ୟ । ଭକ୍ତିକୁ ଜୀବନର କଷଟି ପଥରରେ ନ କଷିଲେ ତାହା ସାର୍ଥକ ହୁଏ ନାହିଁ । ଜୀବନରେ ଆମ୍ଭେ କେତେ ସହସ୍ର ଥର ଭଗବାନଙ୍କୁ ତ୍ୟାଗ କରି ନ ଥାଉଁ ? ଆମ୍ଭମାନଙ୍କ କଥା ଓ କର୍ମରେ କେତେଥର ସ୍ୱର୍ଗ ପାତାଳ ପ୍ରଭେଦ ଦେଖା ନଦିଏ, ତାହାର ଫଳରେ-? ରବୀନ୍ଦ୍ରନାଥ ସବୁଠାରେ, ସବୁ ସମୟରେ ଓ ସମସ୍ତ ପ୍ରକାର କାର୍ଯ୍ୟରେ ଈଶ୍ୱରଙ୍କ ସମ୍ମୁଖୀନ ହେବାକୁ ପ୍ରସ୍ତୁତ । ସୁବିଧାବାଦୀଙ୍କ ପରି ସ୍ୱଇଛା ସାଧନ ସକାଶେ ସେ ଈଶ୍ୱର ବିସ୍ମୃତ ହେବାକୁ ସମ୍ମତ ନୁହନ୍ତି । ନୀରବ ସାଧନାର କାରଣ ଦେଖାଇ ସାଂସାରିକ କର୍ମରୁ ଅପସରି ଯିବାକୁ ସେ କଦାଚ ଇଚ୍ଛୁକ ନୁହନ୍ତି । ଜନ୍ମରୁ ମରଣ ପର୍ଯ୍ୟନ୍ତ ସମଗ୍ର ଜୀବନର ଏକମାତ୍ର ଚାଳକ ସ୍ୱୟଂ ଭଗବାନ ହୁଅନ୍ତୁ, ଏହା ତାଙ୍କର ବଳବତୀ ପିପାସା । ‘‘ସବାର ମାଝାର ତୋମାରେ ସ୍ୱୀକାର କରିବ ହେ’’ ସୂଚକ ଗୀତଟିରେ ସେ ଏହି ଭାବଟିକୁ ସ୍ପଷ୍ଟ କରି ବୁଝାଇ ଦେଇ ଅଛନ୍ତି–

 

ସବାର ମାଝାରେ ତୋମାର ହୃଦୟେ ବରିବ ହେ

ଶୁଧୁ ଆପନାର ମନେ ନୟ, ଆପନା ଘରେର କୋନେ ନୟ

ଶୁଧୁ ଆପନାର ରଚନାର ମାଝେ ନହେ

ତୋମାର ମହିମା ଯେଥାଉ ଉଜ୍ଜ୍ୱଳ ରହେ । ଇତ୍ୟାଦି

 

ଏହି ଗୀତଟିରେ ଭକ୍ତକବି ଦେଖାଇଛନ୍ତି କିପରି ସ୍ଥାନ, କାଳ ଓ ଅବସ୍ଥା ନର୍ବିଶେଷରେ ଭଗବାନଙ୍କୁ ନିଜ ଜୀବନରେ ସ୍ୱୀକାର କରିବା ଆବଶ୍ୟକ ! ସେ ଅଟନ୍ତି ସର୍ବାନ୍ତର୍ଯ୍ୟାମୀ । ତେଣୁ ତାଙ୍କୁ ଠକିବା ଅସମ୍ଭବ । ରବୀନ୍ଦ୍ରନାଥ କାୟ ମନୋବାକ୍ୟରେ ଈଶ୍ୱର ନିର୍ଭରଶୀଳ ଜୀବନ ନିର୍ବାହ କରୁଥିଲେ । ଭଗବାନଙ୍କ ଇଛା ସହିତ ନିଜ ଇଛାକୁ ମିଳାଇବା ସୌଭାଗ୍ୟ ସମସ୍ତଙ୍କ ପକ୍ଷେ ଘଟେ ନାହିଁ । ଏଥିପାଇଁ ରବୀନ୍ଦ୍ରନାଥ ତାଙ୍କର କେତୋଟି ସୁନ୍ଦର କବିତାରେ ନିଜର ହୀନତା ଓ ଭଗବାନଙ୍କର ଆଧିକ୍ୟ ପୁଣି ତାଙ୍କ ପ୍ରୀତି ସାଧନ ଉଦ୍ଦେଶ୍ୟରେ ନିଜ ଜୀବନ ବିନିଯୋଗ କରିବାର ପ୍ରବଳ ଇଛା ପ୍ରକାଶ କରି ଅଛନ୍ତି । ଅହଙ୍କାରୀ ମାନବର ସାଧାରଣ ଦୁର୍ବଳତାଗୁଡ଼ିକ ସେ ଏପରି ସ୍ପଷ୍ଟ ଅଙ୍କନ କରିଅଛନ୍ତି ଯେ, ସେହି ଗୀତଗୁଡ଼ିକ ଗାଇଲେ ବା ଶୁଣିଲେ ମନେହୁଏ ଯେପରି ଗୁଡ଼ିଏ ନିଜର ଭାବ, ଏତେ ଦିନ ଯାଏଁ ଆମ ମନ ଭିତରେ ରହି ବ୍ୟକ୍ତ ହୋଇ ପାରୁ ନଥିଲା, ଏବେ ଆମ ପାଇଁ କବି ବ୍ୟକ୍ତ କରିଦେଇ ଅଛନ୍ତି । ଭଗବାନଙ୍କୁ ଉପାସନା କଲାବେଳେ କିଏ ନିଜକୁ ଭକ୍ତ ବୋଲି ପ୍ରଚାର କରିବାର ଲୁପ୍ତ ଆକାଂକ୍ଷାକୁ ମନ ଭିତରେ ସ୍ଥାନ ନଦିଏ ? ସେହି କଥାଟିକୁ କବି ପଦାରେ ପକାଇ ଦେଇଛନ୍ତି–

 

ଭୟହୟ ପାଛେ ତବନାମେ ଆମ୍ଭ

ଆମାରେ କରି ପ୍ରଚାର ହେ

ମୋହବଶେ ପାଛେ ଫିରେ ଆମାୟ

ତବ ନାମ ଗାନ ଅହଙ୍କାରେ ହେ ?

 

ନାମ ଗାନ ଅହଙ୍କାର, ପ୍ରତିଷ୍ଠାଲିପ୍‍ସା, ଭକ୍ତିଅଭିମାନ ଏଗୁଡ଼ିକ କେତେ ଗୁଡ଼ିଏ ଅତି ସାଧାରଣ ଦୁର୍ବଳତା, ଯହିଁରୁ ଉଚ୍ଚ ସ୍ତରର ଭକ୍ତମାନେ ମଧ୍ୟ ଉଦ୍ଧାର ପାଇନାହାନ୍ତି । ତେଣୁ ରବୀନ୍ଦ୍ର ଅନ୍ତର୍ଯ୍ୟମୀଙ୍କଠାରେ ବିନୀତ ହୋଇ କହୁଛନ୍ତି–

 

‘‘ତୋମାର କାଛେ କିଛୁ ନାହିଁ ତ ଲୁକାନୋ,

ଅନ୍ତରେର କଥା ତୁମି ସବ୍ ଜାନୋ,

ଆମି କତ ଦୀନ, ଆମି କତହୀନ, କେହି ନାହିଁ ଜାନି ଆର ହେ ।’’

 

ମନୁଷ୍ୟର ଏହି ଲୁପ୍ତ ଦୁର୍ବଳତାରୁ ରକ୍ଷା କରିବାକୁ କବି ଅନୁନୟ କରିଛନ୍ତି, ‘‘ରାଖ ମୋହ ହତେ, ରାଖତ ମହତେ, ରାଖ, ରାଖ ବାର ବାର ହେ ।’’ ଦୀନବନ୍ଧୁଙ୍କଠାରେ ଦୀନତା ସ୍ୱୀକାର କରି ତାଙ୍କ ଚରଣ ସାନ୍ନିଧ୍ୟ ଲାଭ ଆଶାରେ କବି ଗାଇଛନ୍ତି, ‘‘ଆମାର ମାଥା ନତ କରେ ଦାଓ ହେ ତୋମାର ଚରନ ଧୂଲାର ତଲେ ।’’ ଆତ୍ମ-ଗୌରବ ଲାଳସାରେ ଜୀବନ ପାପ-ପଙ୍କିଳ ହୋଇଯାଏ । ତେଣୁ କବିଙ୍କ ଇଛା, ଆମାର ନା ଯେନ କରି ପ୍ରଚାର ଆମାର ଆପନ କାଜେ, ତୋମାରି ଇଛା କର ହେ ପୂର୍ଣ୍ଣ ଆମାର ଜୀବନ ମାଝେ ।’’ ଭକ୍ତର ଗୁହାରି ଭଗବାନ ଶୁଣିଛନ୍ତି । ତେଣୁ ଶାନ୍ତିନିକେତନ ଆଜି ଶାନ୍ତି ଦାନରେ ସକ୍ଷମ, ବିଶ୍ୱଭାରତୀ ଆଜି ବିଶ୍ୱମୈତ୍ରୀରେ ପରିପୂର୍ଣ୍ଣ, ଶ୍ରୀନିକେତନ ଆଜି ଅନ୍ନଦାନରେ ନିପୁଣ । ରବୀନ୍ଦ୍ରନାଥ ଯଦି ନିଜ କାର୍ଯ୍ୟରେ ନିଜକୁ ପ୍ରଚାର କରିବାକୁ ବାହାରି ଥାନ୍ତେ, ତାଙ୍କଠାରୁ ପାଇବା ପାଇଁ ଆମର କିଛି ନଥାନ୍ତା । ସେ ଜଣେ ବଙ୍ଗୀୟ ଜମିଦାର ହୋଇ କାଳ କଟାଇ ଥାନ୍ତେ ।

 

ରବୀନ୍ଦ୍ରନାଥଙ୍କ ଭଗବତ୍ ସମ୍ବନ୍ଧ ଅତି ସାକ୍ଷାତ୍ ଓ ଅନୁଭୂତିପୂର୍ଣ୍ଣ । ସେ ଏଥି ନିମନ୍ତେ କୌଣସି ବିଧାନ, ନିଷ୍ଠା ବା ଅନୁଷ୍ଠାନର ଅପେକ୍ଷା ରଖି ନଥିଲେ । ତାଙ୍କର ବାହ୍ୟ ଧର୍ମଆଚାର ଯେଉଁ ସମ୍ପ୍ରଦାୟ ଶ୍ରେଣୀର ହେଉ, ତାଙ୍କ ଶାନ୍ତିନିକେତନର ଆଇନକାନୁନ ଯେଉଁ ଧର୍ମର ଅନୁଶୀଳନକରୁ, ତାଙ୍କର ଓ ଭଗବାନଙ୍କର ସମ୍ବନ୍ଧ ସଂପୂର୍ଣ୍ଣ ବୈଧାନିକତାଶୂନ୍ୟ । ଶୁଷ୍କ ମତବାଦ ତୀକ୍ଷ୍‍ଣ ବିଚକ୍ଷଣତା କିମ୍ବା ନୀରସ ବିଶ୍ଳେଷଣଦ୍ୱାରା ଭଗବଦ୍‌ନୁଭୂତିର ମାଧୁର୍ଯ୍ୟ ହରାଇବାକୁ ସେ ତିଳେହେଲେ ଇଛୁକ ନଥିଲେ । ଶାସ୍ତ୍ର ପାଠ ପ୍ରତି ତାଙ୍କର କୌଣସି ପ୍ରକାର ହତାଦର ନଥିଲା, ପାଣ୍ଡିତ୍ୟ ପ୍ରତି ତାଙ୍କର ଦ୍ୱେଷ ନଥିଲା କିମ୍ବା ବୈଜ୍ଞାନିକ ଗବେଷଣାରେ ତାଙ୍କର ଅବିଶ୍ୱାସ ନଥିଲା । ମାତ୍ର ଏଗୁଡ଼ିକ ପାଇଁ ଅମୂଲ୍ୟ ଈଶ୍ୱରାନୁଭୂତି ଓ ଭଗବାନଙ୍କ ସହିତ ଅନ୍ତରଙ୍ଗ ବନ୍ଧୁତା ହରାଇବାକୁ ସେ ପ୍ରସ୍ତୁତ ନଥିଲେ । ଧର୍ମର ସରଳ ପଥହିଁ ତାଙ୍କର ପଥ ଥିଲା । ଧର୍ମ ଓ ମତର ଜଟିଳତାର ମରୁଭୂମି ଭିତରେ ପଶି ଆଧ୍ୟାତ୍ମିକତାର ଶୀତଳ ଜଳ ସ୍ରୋତଟିକୁ ସେ ଶୁଖାଇ ନଥିଲେ । ତେଣୁ ସେ କହିଛନ୍ତି–

 

ଆମାୟ ଛ ଜନାୟ ମିଲେ ପଥ ଦେଖାଅ ବଲେ

ପଦେ ପଦେ ପଥ ଭୁଲି ହେ

ନାନା କଥାର ଛଲେ ନାନା ମୁନି ବଲେ,

ସଂଶୟେ ତାଇ ଦୁଲି ହେ ।

ତୋମାର କାଛେ ଯାବ ଏଇଛିଲ ସାଧ,

ତୋମାର ବାନୀ ଶୁନେ ଘୁଚାବ ପ୍ରମାଦ ।

କାନେର କାଛେ ସବାଇ କରେଛେ ବିବାଦ

ଶତ ଲୋକେର ଶତ ବୁଲି ହେ ।

 

ସରଳ ପ୍ରାଣ ଭକ୍ତ ସମ୍ମୁଖରେ ଏପରି ଜଟିଳତା ଆସି ଅନେକ ସମୟରେ ହାଜର ହୁଏ । କିନ୍ତୁ ସେ ଭଗବାନଙ୍କଠାରେ ଏକାନ୍ତ ଭାବେ ଶରଣାପନ୍ନ ହୋଇ କହେ–

 

ଆମାୟ ଏକ କର ତୋମାୟ ପ୍ରେମେ ବେନ୍ଧେ

ଏକପଥ ଆମାୟ ଦେଖାଅ ଅବିଛେଦେ

ବାନ୍ଧାର ମାଝେ ପଡ଼େ କତ ମରି କେନ୍ଦେ

ଚରଣେତେ ଲହ ତୁଲି ହେ ।

Image

 

Unknown

ଅନୁତାପ

 

ମନୁଷ୍ୟ ସମ୍ପୂର୍ଣ୍ଣ ପୁଣ୍ୟବାନ୍ ହେବା ଏକପ୍ରକାର ଅସମ୍ଭବ । ତଥାଚ ଏହି ଅସମ୍ଭବକୁ ସମ୍ଭବ କରିବା ମାନବ ଜୀବନର ଚରମ ଲକ୍ଷ୍ୟ । ଏହି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ନିମନ୍ତେ ମନୁଷ୍ୟ ଆବହମାନକାଳରୁ ଯତ୍ନ କରି ଆସୁଅଛି, ପୁଣି ଅନନ୍ତକାଳ ତା ପକ୍ଷେ ଏହି ଚେଷ୍ଟା ତ୍ୟାଗ କରିବା ସ୍ୱାଭାବିକ ନୁହେଁ । ଜୀବନ ଗୋଟିଏ ସଂଗ୍ରାମ କ୍ଷେତ୍ର । ଜୀବନରେ ପ୍ରତ୍ୟେକ ବିଷୟର ଦୁଇଟି ବିରୋଧ ଭାବ ବା ଦ୍ୱନ୍ଦ୍ୱ ରହିଅଛି । ଏହି ଦ୍ୱୈତ ଶାସନରେ ରହି ମନୁଷ୍ୟ ଅତି ବ୍ୟତିବ୍ୟସ୍ତ ହୁଏ । ନିଜର ଜ୍ଞାନ ବଳରେ ଏହି ଦ୍ୱନ୍ଦ୍ୱରୁ ମୁକ୍ତ ହେବା ପାଇଁ ତାହାର ଅହରହ ଚେଷ୍ଟା ଚାଲିଅଛି ।

 

ମନେହୁଏ, ସୃଷ୍ଟି ବୈଚିତ୍ର୍ୟର ଚରମ ଉପାଦାନ ଏହି ମାନବ ଜୀବନ । ଏହା ଅପେକ୍ଷା ଉତ୍କୃଷ୍ଟତର ପ୍ରାଣୀ ଭୂପୃଷ୍ଠରେ ନାହିଁ । ପ୍ରକୃତରେ ନରତ୍ୱ ଗୋଟିଏ ଦୁର୍ଲ୍ଲଭ ଜିନିଷ । ମାନବର ଉତ୍କର୍ଷ ଅଛି ତାହାର ମାନସିକ ଶକ୍ତିରେ । ଏହି ଶକ୍ତିର ଉତ୍ତରୋତ୍ତର ବିନିଯୋଗର ମନୁଷ୍ୟ ତାହାର ପ୍ରାଚୀନ ଗୁହାଭ୍ୟନ୍ତର ନିବାସ, ନଗ୍ନଦେହରେ ବନବିହାର ଓ ଅପକ୍ୱ ଆହାରଭକ୍ଷଣ ତ୍ୟାଗକରି ବିଚିତ୍ର ସଭ୍ୟତା-ସୌଧ ନିର୍ମାଣ କରି ପାରିଛି । ପୁଣି ଏହି ଶକ୍ତିକୁ ଉପଭୋଗ କରି ସେ ନିଜ ଭୌତିକ ଶରୀରର ଭୌତିକ ଜ୍ଞାନ ବ୍ୟତୀତ ଆଧ୍ୟାତ୍ମିକ ଜୀବନର ଅମିତାନନ୍ଦ ଭୋଗ କରିବାକୁ ସକ୍ଷମ ହୋଇଅଛି ।

 

ଆସ୍ତିକ ମାନବ ଭଗବାନଙ୍କର ଏହି ଅପୂର୍ବ ଦାନ ନିମନ୍ତେ ତାଙ୍କ ନିକଟରେ ଚିରକୃତଜ୍ଞ-। କେବଳ କୃତଜ୍ଞତା ଜ୍ଞାପନ କରି ସେ ତାହାର କର୍ତ୍ତବ୍ୟ ଶେଷ କରି ନାହିଁ । ସେହି ଦାନର ଉଚିତ ବ୍ୟବହାରଦ୍ୱାରା ଭଗବତ୍ ସୃଷ୍ଟିର ଲକ୍ଷ୍ୟସିଦ୍ଧି ନିମନ୍ତେ ସେ ସର୍ବଦା ଯତ୍ନଶୀଳ । ଭଗବାନଙ୍କ ରାଜ୍ୟର ଜଣେ ଯୋଗ୍ୟ ପ୍ରଜା ହେବା ପାଇଁ ସେ ସବୁବେଳେ ସଚେଷ୍ଟ । ଏହି ଯୋଗ୍ୟତାର ମୂଲ୍ୟ ପୁଣ୍ୟାର୍ଜନ । ଇହ ସଂସାରରେ ଜୀବନଯାପନ କରିବାକୁ ଯେପରି ଆର୍ଥିକ ସମ୍ପତ୍ତି ଆବଶ୍ୟକ, ଭଗବାନଙ୍କ ରାଜ୍ୟର ପ୍ରଜାହେବା ସକାଶେ ଆବଶ୍ୟକ ପୁଣ୍ୟ ସଞ୍ଚୟ । ଯାହାର ପୁଣ୍ୟ ଯେତେ ଅଧିକ, ସେ ସେହି ମାତ୍ରାରେ ଭଗବାନଙ୍କ ରାଜ୍ୟର ଯୋଗ୍ୟ ଅଟେ ।

 

ପାପ ଓ ପୁଣ୍ୟ ଜୀବନର ଗୁଣ ବିଶେଷ । ଗୋଟିଏ ଦୁର୍ଗୁଣ, ଅନ୍ୟଟି ସୁଗୁଣ । ପାପ କ’ଣ ଓ ପୁଣ୍ୟ କ’ଣ ଏହା ସମସ୍ତେ ବିଷଦଭାବେ ବର୍ଣ୍ଣନା କରି ନ ପାରିଲେ ମଧ୍ୟ ପ୍ରତ୍ୟେକ ବ୍ୟକ୍ତି ସେହି ଦୁଇଟିର ମୋଟାମୋଟି ଲକ୍ଷଣ ଜାଣନ୍ତି । ସାଧାରଣ ଜୀବନରେ ଅଜ୍ଞାନତା ବଶରୁ ପାପାଚରଣର ଦୃଷ୍ଟାନ୍ତ ସଂଖ୍ୟା ଅନେକ ହେଲେ ସୁଦ୍ଧା, ତାହା ଅପେକ୍ଷା ଅଧିକ ସଂଖ୍ୟକ ଦୃଷ୍ଟାନ୍ତ ଜ୍ଞାତସାରରେ ପାପାଚରଣ । ଜ୍ଞାତ ପାପାଚରଣ ଅଜ୍ଞାତ ପାପାଚରଣ ଅପେକ୍ଷା ଅଧିକ ଗର୍ହିତ ଓ ନିନ୍ଦନୀୟ । ମନୁଷ୍ୟ ଜାଣି ଜାଣି କାହିଁକି ପାପ କରେ ? ଇନ୍ଦ୍ରୟବଶତାହିଁ ପାପାଚରଣର ପ୍ରଧାନ କାରଣ । ଯେ ଜିତେନ୍ଦ୍ରିୟ, ଯାହାର ଇନ୍ଦ୍ରିୟ ନିଚୟ ସ୍ୱାୟତ୍ତ ସେ ସର୍ବଦା ପୁଣ୍ୟାଚରଣ କରେ । ପାପାଚରଣ କରିବା ଆବଶ୍ୟକତା ତାହାର ରହେ ନାହିଁ । ଇନ୍ଦ୍ରୟଗଣଙ୍କୁ ସ୍ୱାୟତ୍ତ କରିବା ସହଜସାଧ୍ୟ ନୁହେଁ । ତାହା ସ୍ୱକୀୟ ସାଧନା, ପାରିପାର୍ଶ୍ୱିକ ପ୍ରଭାବ ଓ ସତ୍‌ଶିକ୍ଷାର ସାପେକ୍ଷ ଅଟେ । ଏପରି ଅନେକ ଘଟଣା ଘଟେ, ଯାହା ନିମନ୍ତେ ଜଣେ ନିଜେ ସମ୍ପୂର୍ଣ୍ଣଭାବେ ଦାୟୀ ନୁହେଁ । ସେହି କାରଣରୁ, କେବଳ ନିଜର ଦୋଷରୁ ନୁହେଁ, ସେ ନିଜର ଇନ୍ଦ୍ରିୟକୁ ଦମନ କରିପାରେ ନାହିଁ । ଅବଶ୍ୟ ପଙ୍କରୁ ପଙ୍କଜ ଫୁଟିବା ଦୃଷ୍ଟାନ୍ତ ମାନବ ସମାଜରେ ଅଛି । ମାତ୍ର ତାହା ଅତିଶୟ ବିରଳ । ଆତ୍ମସଂଯମ ସତ୍‌ଶିକ୍ଷା ଓ ସତ୍‌ସଙ୍ଗ ଉପରେ ବହୁଳଭାବେ ନିର୍ଭର କରେ ।

 

ପାପ ଓ ପୁଣ୍ୟ ଅନ୍ଧକାର ଓ ଆଲୋକ ପରି । ଅନ୍ଧକାର ଓ ଆଲୋକ ଯେପରି ଆଦିକାଳରୁ ବିଦ୍ୟମାନ, ସେହିପରି ପାପ ଓ ପୁଣ୍ୟ । କୌଣସି ଗୋଟିଏ ଯୁଗରେ ଶତକରା ଶହେ ମନୁଷ୍ୟ ପୁଣ୍ୟବାନ୍ ହେବା କଥା କେବଳ କବିର କଳ୍ପନା ।

 

ସବୁବେଳେ ସବୁ କାଳରେ ପାପ ପୁଣ୍ୟର ସଙ୍ଗ୍ରାମ ଚାଲିଛି । ମାନବ ହୃଦୟରେ ପାପର ସଞ୍ଚାର କିପରି ହୋଇଥିଲା ବୁଝାଇବାକୁ ବିଭିନ୍ନ ଧର୍ମରେ ବିଭିନ୍ନ ପ୍ରକାର ଗଳ୍ପ ଦେଖିବାକୁ ମିଳେ । ଶୟତାନ ଆଦିମାତା ଈଭଙ୍କୁ ଭୁଲାଇ ଜ୍ଞାନବୃକ୍ଷର ଫଳ ଖୁଆଇବା କାହାଣୀ ଖ୍ରୀଷ୍ଟିଆନ୍‍ ଧର୍ମ ଗ୍ରନ୍ଥରେ ଲିଖିତ ହୋଇଅଛି । ପ୍ରମୀଥିଏସ, ସର୍ବପ୍ରଥମେ ସଂସାରକୁ ଅଗ୍ନି ଆଣି ମାନବର ପାର୍ଥିବ ସଭ୍ୟତା ଆରମ୍ଭ କରିଥିବା କଥା ଗ୍ରୀକ୍‍ ପୁରାଣରେ ଅଛି । ଏହି ଦୁଇଟି ଗଳ୍ପ ଗୋଟିଏ ଆଧ୍ୟାତ୍ମିକ ତତ୍ତ୍ୱର ରୂପକମାତ୍ର । ଏଥିରୁ ମନେହୁଏ ମାନବର ହୃଦୟ ଓ ମାନସିକ ଶକ୍ତିର ଉଦୟ ସଙ୍ଗେ ସଙ୍ଗେ ପାପପୁଣ୍ୟର ଆବିର୍ଭାବ ହୋଇଅଛି । ହୋଇପାରେ, ଯେତେବେଳେ ମନୁଷ୍ୟ ଓ ପଶୁ ମଧ୍ୟରେ ଜମା ପ୍ରଭେଦ ନଥିଲା, ଯେତେବେଳେ ସେ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ପରି ବୁଲାଚଲା କରୁଥିଲା, ସେତେବେଳେ ତାହାର ପାପପୁଣ୍ୟର କୌଣସି ପ୍ରଶ୍ନ ଉଠି ନଥିଲା । ଏହି ଭାବର ଉଦ୍ରେକ ହେଲା ତାହାର ସଭ୍ୟତା ଆରମ୍ଭ ହେବା ସଙ୍ଗେସଙ୍ଗେ ।

 

ଷଡ଼ରିପୁର ଅଧୀନ ହୋଇ ମନୁଷ୍ୟକୁ ନାନାପ୍ରକାର ପାପ କରିବାକୁ ହୋଇଥାଏ । ଏହି ରିପୁମାନଙ୍କ କବଳରୁ ମୁକ୍ତ ହେବାକୁ ତାହା ପକ୍ଷେ ସାଧନା ଆବଶ୍ୟକ, ସଂଯମ ଆବଶ୍ୟକ, ପୁଣି ସର୍ବୋପରି ଭଗବଦ୍‌ ଭକ୍ତି ଓ ବିଶ୍ୱାସ ଆବଶ୍ୟକ । ଗୀତା କହେ କାମ, କ୍ରୋଧ ଓ ଲୋଭ ନରକର ଦ୍ୱାର ଅଟନ୍ତି । ଏହି ରିପୁ ଗୁଡ଼ିକର ଦମନହିଁ ସୁଖଶାନ୍ତି ଲାଭର ଏକମାତ୍ର ଉପାୟ । ଯେ ଦମନ କରେ ସେ ଆତ୍ମସଂଯମୀ । କର୍ମକୁଶଳୀ କାରିଗର ହସ୍ତରେ ତାହାର ଅସ୍ତ୍ରଶସ୍ତ୍ର ଭଲ କାମ ଦିଅନ୍ତି । କାରିଗର କର୍ମକୁଶଳ ନ ହେଲେ ଅସ୍ତ୍ରଶସ୍ତ୍ର ତାହାର ବୋଲ ମାନନ୍ତି ନାହିଁ । ସେହିପରି ଆତ୍ମସଂଯମୀର ବଶରେ ଇନ୍ଦ୍ରିୟନିଚୟ ରହି ତାହାର ଆଦେଶରେ ଚାଳିତ ହୁଅନ୍ତି । ସେପରି ବ୍ୟକ୍ତିକୁ କୌଣସି ପାପକାର୍ଯ୍ୟ କରିବାକୁ ହୁଏ ନାହିଁ । ସେ ମିତାହାରୀ, ମିତବ୍ୟୟୀ ହୋଇ ସ୍ଥିତପ୍ରଜ୍ଞ ହେବାକୁ ସମର୍ଥ ହୁଏ । ସେ ଅକାରଣରେ ଇନ୍ଦ୍ରିୟଗଣଙ୍କୁ କଷ୍ଟ ନ ଦେଇ ସେମାନଙ୍କ ପୂର୍ଣ୍ଣ ସହଯୋଗରେ ଜୀବନ ଚାଳନ କରେ ।

 

ଆତ୍ମସଂଯମ କଥାରେ କହିଲାଭଳି ଏଡ଼େ ସହଜ ଶକ୍ତି ନୁହେଁ । ଇନ୍ଦ୍ରିୟାୟତ୍ତ କରିବା ପାଇଁ ପ୍ରଗାଢ଼ ସାଧନା ଓ ନିରନ୍ତର ଅଭ୍ୟାସ ଆବଶ୍ୟକ । ଏହା ଲାଭ କରିବାକୁ ହେଲେ ମନୁଷ୍ୟକୁ ବହୁ ବାଧାବିଘ୍ନ, ବହୁ ଲୋଭ, ମୋହ, ବହୁ କଷ୍ଟ ଯନ୍ତ୍ରଣା ଓ ବହୁ ଉତ୍‌ଥାନ ପତନ ଅତିକ୍ରମ କରିବାକୁ ହୁଏ । ଦିନକର ବା ସପ୍ତାହର ଅଭ୍ୟାସରେ କେହି ଆତ୍ମସଂଯମୀ ହୁଏ ନାହିଁ । ଯୁଗଯୁଗାନ୍ତର ଧରି ମାନବର ଏହି ସାଧନା ଲାଗିଅଛି ।

 

ଏହି ସାଧନାର ମାର୍ଗ ଅତି ବନ୍ଧୁର । କେଉଁଠାରେ ଗଭୀର ଗହ୍ୱର, କେଉଁଠାରେ ଉତ୍ତଙ୍ଗ ଶିଖର । ଗହ୍ୱରରେ ପଡ଼ି ହତାଶ ହେଲେ ସେଠାରେ ସାଧକର ସାଧନା ଅଟକି ରହେ । ଏହି ପତନହିଁ ପାପନାମରେ ଅଭିହିତ । ସାଧନମାର୍ଗରେ ଏପରି ପତନ ଓ ସ୍ଖଳନ ଅତି ସ୍ୱାଭାବିକ ଓ ଅନେକ । ଧ୍ରୁବ ଯେତେବେଳେ ଏକାକୀ ବନ ମଧ୍ୟରେ ତପସ୍ୟାରତ ସେତେବଳେ ଭୟ, ଲୋଭ ଓ ମୋହ ତାଙ୍କର ବହୁବିଘ୍ନ କରିବାକୁ ଚେଷ୍ଟା କରିଥିଲେ । ବିଶ୍ୱାମିତ୍ରଙ୍କ କଠୋର ତପସ୍ୟା ମେନକାର ଅପାଙ୍ଗ ଦୃଷ୍ଟିରେ ଭ୍ରଷ୍ଟ ହୋଇଗଲା । ସାଧନା ମାର୍ଗରୁ ସ୍ଖଳିତ ହେବା ସାଧାରଣ ମନୁଷ୍ୟ ପକ୍ଷେ ସ୍ୱାଭାବିକ । ମାତ୍ର ଏହା ବୋଲି ଯଦି ତାକୁ ଏକାବେଳେକେ ନରକଗାମୀ ହେବାକୁ ହୁଏ ତେବେ ବୈକୁଣ୍ଠ ଯିବାକୁ ଅବଶିଷ୍ଟ ରହିବେ କେତେ ?

 

ପ୍ରତ୍ୟେକ ଧର୍ମରେ, ରୋଗରେ ଔଷଧପରି, ମନୁଷ୍ୟକୁ ତାହାର ସ୍ଖଳନ ଓ ଦୁର୍ବଳତାରୁ ଉଦ୍ଧାର କରିବାକୁ ବ୍ୟବସ୍ଥା ରହିଅଛି, ତାହା ଅଟେ କ୍ଷମା । ପାପ ଯଦି ଅଛି, ତାହାର ପଛରେ ପ୍ରାୟଶ୍ଚିତ୍ତକୁ ମଧ୍ୟ ରଖାଯାଇଅଛି । ସେହି ହେତୁ ଭଗବାନଙ୍କର ନାମ ପତିତପାବନ । ହିନ୍ଦୁ ଧର୍ମର ସମସ୍ତ ଅବତାରର ଉଦ୍ଦେଶ୍ୟ ପତିତମାନଙ୍କର ପରିତ୍ରାଣ । ଖ୍ରୀଷ୍ଟ ଧର୍ମରେ ଏହି ଭାବର ସ୍ପଷ୍ଟ ଅଭିବ୍ୟକ୍ତି କରାଯାଇଛି ଯୀଶୁଙ୍କ କ୍ରସ୍‌ରେ । ଭଗବାନଙ୍କର ଦୁଇଟି ପ୍ରଧାନ ଗୁଣ ହେଉଛି ଅସୀମ କରୁଣା ଓ ଅସାଧାରଣ ନ୍ୟାୟପରାୟଣତା । ଏହି ଦୁଇଟି ଗୁଣ ସମାନ୍ତରାଳ ରେଖା ସଦୃଶ ପରସ୍ପର କେଉଁଠାରେ ସ୍ପର୍ଶ ନକରି ଚାଲିଥାନ୍ତି । ମନୁଷ୍ୟ ଯେତେବେଳେ ପାପାଚରଣ କରେ ଭଗବାନଙ୍କ ନ୍ୟାୟ ଚାହେଁ ତାହାର ଦଣ୍ଡବିଧାନ । ମାତ୍ର ତାଙ୍କର କରୁଣା ଚାହେଁ କ୍ଷମା ପ୍ରଦାନ । କ୍ଷମା ଦେଲେ ନ୍ୟାୟ ଦିଆଯାଇ ନପାରେ । ତେଣୁ ଭଗବାନ ନିଜେ ମନୁଷ୍ୟର ପାପ ନିମନ୍ତେ ଦଣ୍ଡ ଗ୍ରହଣ କରନ୍ତି ଓ ମନୁଷ୍ୟକୁ କ୍ଷମାଦାନ କରନ୍ତି । ପୁଣି ତଦ୍ୱାରା ସେ ତାକୁ ସାଧନ ମାର୍ଗରେ ଅଗ୍ରସର ହେବାକୁ ପୁନର୍ବାର ଏକ ସୁଯୋଗ ଦିଅନ୍ତି । ଭଗବାନଙ୍କର କ୍ଷମା, କରୁଣା ଓ ନ୍ୟାୟର ସମାନ୍ତରାଳ ରେଖାକୁ କର୍ତ୍ତନ କରେ । ଏହାହିଁ ଖ୍ରୀଷ୍ଟଙ୍କର କ୍ରସ୍ ।

 

ଭଗବାନଙ୍କ କରୁଣା ସର୍ବତ୍ର ବିଦ୍ୟମାନ । ସେ ମନୁଷ୍ୟକୁ ସହଜରେ ନରକଗାମୀ ହେବାକୁ ଛାଡ଼ି ଦିଅନ୍ତି ନାହିଁ । କଳେ ବଳେ କୌଶଳେ ମାନବ ହୃଦୟରେ ତାଙ୍କ ରାଜ୍ୟସ୍ଥାପନ କରିବାକୁ ତାଙ୍କର ସତତ ଚେଷ୍ଟା । ତେଣୁ ଭକ୍ତି ଗାଇଛନ୍ତି–

 

ଆମିତ ତୋମାର ଚାହିଁନି ଜୀବନେ

ତୁମି ଅଭାଗାରେ ଚେୟେଛ;

ଆମି ନା ଡାକିତେ ହୃଦୟ ମାଝାରେ

ନିଜେ ଏ ସେ ଦେଖା ଦିୟେଛ

ଚିର ଆଦରେର ବିନିମୟେ ସଖା

ଚିର ଅବହେଳା ପେୟେଛ

ଆମି ଦୁରେ ଛୁଟେ ଯେତେ ଦୁହାତ ପସାରି

ଧରେ କୋଲେ ଟେନେ ନେୟେଛ ।

‘‘ଓପଥେ ଯେଓନା, ଫିରେ ଏସ’’ ବୋଲେ

କାନେ କାନେ କ’ତ କୟେଛ ।

ଆମି ତବୁ ଚଲେ ଗେଛି, ଫିରାୟେ ଅନିତେ

ପାଛେ ପାଛେ ଛୁଟେ ଗିୟେଛ ।

ଏହି ବିର ଅପରାଧୀ ପାତକୀର ବୋଝା

ହାସି ମୁଖେ ତୁମି ବୟେଛ

ଆମାର ନିଜ ହାତେ ଗଢ଼ା ବିପଦେର ମାଝେ

ବୁକେ କରେ ନିୟେ ରୟେଛ ।

 

ଭଗବତ୍‌ଗୀତାରେ ପାପୀର ପରିତ୍ରାଣ ସମ୍ବନ୍ଧେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ‘‘ଅତ୍ୟନ୍ତ ଦୁରାଚାର ଯେବେ ଅନନ୍ୟଭକ୍ତିପରାୟଣ ହୋଇ ମୋତେ ଭଜନ କରେ, ତାହାକୁ ସାଧୁ ବୋଲି ମନେ କରିବାକୁ ହେବ । ସେହି ବ୍ୟକ୍ତି ସମ୍ୟକ୍ ବ୍ୟବସିତ ଅଟେ । ସେହି ବ୍ୟକ୍ତି ଶୀଘ୍ର ଧର୍ମାତ୍ମା ହୁଏ ଓ ସର୍ବଦା ଶାନ୍ତି ଲାଭ କରେ । ଯେଉଁ ପାପ ଯୋନି ସମ୍ଭୂତ ବ୍ୟକ୍ତିମାନେ ମୋତେ ଆଶ୍ରୟ କରନ୍ତି ସେମାନେ ପରମ ଗତି ଲାଭ କରନ୍ତି ।’’ ବିଲ୍ୱମଙ୍ଗଳଙ୍କୁ ବାରାଙ୍ଗନାର ମଧୁର ଅଧର ଚୁମ୍ବନରୁ ବିରତକରି ତପସ୍ୟ ମାର୍ଗରେ ବ୍ରତୀ କରାଇଲା କିଏ ? ସେହି ପତିତପାବନ । ତାଙ୍କରି କରୁଣା ହେତୁ ଦସ୍ୟୁ ରତ୍ନାକର ବାଲ୍ମୀକି ହୋଇ ପ୍ରଥମ କାବ୍ୟ ରଚନା କଲେ । ପାପୀର ଆଶା ଅଛି, ଜୀବନ ପରିବର୍ତ୍ତନର ଯଥେଷ୍ଟ ସୁଯୋଗ ଅଛି । ଏହାର କାରଣ ଭଗବାନଙ୍କର କ୍ଷମା ।

 

ଏହି କ୍ଷମା ମନୁଷ୍ୟ ପାଏ କିପରି ? ପାପ କଲେ ତାହାର ଫଳ ଭୋଗିବା ଅବଶ୍ୟମ୍ଭାବୀ-। ପ୍ରତ୍ୟେକ କର୍ମର ଫଳ ଅଛି । ପାପ ମଧ୍ୟ ଗୋଟିଏ କର୍ମ । ଏହାହିଁ କର୍ମବାଦ ବା କାର୍ଯ୍ୟ କାରଣବାଦ । ପ୍ରତ୍ୟେକ ବୃକ୍ଷ ବୀଜ ରୋପଣର ପରିଣାମ ଅଟେ । ତେଣୁ ପାପର ପରିଣାମ ପାପୀ ଭୋଗ କରିବାକୁ ବାଧ୍ୟ । ମାତ୍ର ଦଣ୍ଡଭୋଗାନନ୍ତର ସେ ଉଚିତ ମାର୍ଗର ଅନୁଗାମୀ ହୋଇ ପାପ ତ୍ୟାଗ କରିପାରେ । ଦଣ୍ଡବିଧାନ ଦ୍ୱାରା ତାହା ପୂରବୀ ମତିର ପରିବର୍ତ୍ତନ ଘଟିପାରେ ଓ ସେ ପୁଣ୍ୟ ମାର୍ଗର ଯାତ୍ରୀ ହୋଇପାରେ । ତେଣୁ ଦଣ୍ଡବିଧାନ ଦ୍ୱାରା ପାପୀର ମଙ୍ଗଳ ହୁଏ । ଏହି ହିସାବରେ ଦଣ୍ଡଦାତା ଭଗବାନ ମନୁଷ୍ୟର ହିତାକାଂକ୍ଷୀ ଅଟନ୍ତି । କରୁଣାମୟ ପିତା ତାଙ୍କର ପାପୀ ସନ୍ତାନମାନଙ୍କୁ ନାନା ଉପାୟରେ ତାଙ୍କ ନିକଟକୁ ଟାଣି ନିଅନ୍ତି । ରାବଣ, ଶିଶୁପାଳ, କଂସ ଯଦି ଏହି ଜନ୍ମରେ ସେହି ମାର୍ଗର ଅନୁଗାମୀ ହେବାକୁ ସମର୍ଥନ ହୁଅନ୍ତି, ପରବର୍ତ୍ତୀ ଜୀବନରେ ସେମାନଙ୍କ ପାଇଁ ତାହାର ଉପାୟ କରାଯାଏ । ସାଧୁର ପରିତ୍ରାଣ ଓ ଦୁଷ୍କୃତର ବିନାଶ ଉଭୟ କାର୍ଯ୍ୟ କରାଯାଏ ଜଗତର କଲ୍ୟାଣ ଉଦ୍ଦେଶ୍ୟରେ । କେହି କେହି ଏହି ଜୀବନରେହିଁ ଆବଶ୍ୟକୀୟ ଦଣ୍ଡଗ୍ରହଣ କରି ପାପମୟ ଜୀବନକୁ ପୁଣ୍ୟମୟ ଜୀବନରେ ପରିବର୍ତ୍ତନ କରିବାକୁ ସମର୍ଥ ହୁଅନ୍ତି । ଯାଗାଇ ମାଧାଇ ଚୈତନ୍ୟ ଭକ୍ତ ହେବା ପୁଣି ପାପୀ ସାଉଲ ପୁଣ୍ୟବନ୍ତ ପାଉଲରେ ପରିଣତ ହୋଇ ଯୀଶୁଙ୍କ ପଟ୍ଟଶିଷ୍ୟ ହେବା ପ୍ରଭୃତି ଦୃଷ୍ଟାନ୍ତ ଦେଖିଲେ ପାପୀର ମୁକ୍ତିରେ ଆଶା ରହେ ।

 

ଏହି ନଜୀବନ ଲାଭ, ଏହି ଜୀବନ-ସଂସ୍କାର, ଜୀବନର ଏହି ବିସ୍ମୟକର ପରିବର୍ତ୍ତନ କରିବାକୁ ହେଲେ ପୂର୍ବବର୍ତ୍ତୀ ଅସାର ଜୀବନର ଆମୂଳଚୂଳ ଧ୍ୱଂସସାଧନ ସର୍ବାଦୌ ଆବଶ୍ୟକ । ଏକ ଶରୀରରେ ଦୁଇପ୍ରକାର ଜୀବନଧାରଣ କରାଯାଇ ନ ପାରେ । ପୂର୍ବବର୍ତ୍ତୀ ଜୀବନର ଧ୍ୱଂସସାଧନ ଅନୁତାପଦ୍ୱାରା କରାଯାଏ । ଅନୁତାପାଗ୍ନି ପୂର୍ବକୃତ ସମସ୍ତ ପାପକୁ ସଂପୂର୍ଣ୍ଣ ଦୁଗ୍‌ଧ କରିଦିଏ । ତେବେ ଯାଇ ମାନବର ହୃଦୟକ୍ଷେତ୍ର ନବଜୀବନର ବୀଜବପନ ନିମନ୍ତେ ଉପଯୁକ୍ତ ହୁଏ-। ଅନୁତାପାନଳ ଦଗ୍‌ଧ ଧ୍ୱଂସାବଶେଷ ହୃଦୟ କ୍ଷେତ୍ରକୁ ଉର୍ବର କରେ । ଏହି କ୍ଷେତ୍ରରେ ଈଶ୍ୱରଙ୍କ କରୁଣାବାରି ପତିତ ହେଲେ ନବଜୀବନର ଅଙ୍କୁରୋଦ୍‌ଗମ ହୁଏ ।

 

ପ୍ରକୃତ ଅନୁତାପୀ ପୁନର୍ବାର ସେହି ପାପ କରି ନ ପାରେ । ସେହି ପାପର ଯଦି ପୁନରାବୃତ୍ତି ଘଟେ, ତେବେ ଜାଣିବାକୁ ହେବ ଯେ ତାହାର ଅନୁତାପ ସତ୍ୟ ନୁହେଁ । ଜାଣିବାକୁ ହେବ ଯେ ତାହାର ମନରେ ସେହି ପାପାଚରଣର ଆସକ୍ତି ଆହୁରି ରହିଅଛି । କେତେ ସମୟରେ ମନୁଷ୍ୟ କୌଣସି ଗୋଟିଏ ପାପ ନିମନ୍ତେ ଦୁଃଖ କରେ ଓ ସେପରି କରିବ ନାହିଁ ବୋଲି ଠିକ୍ କରେ । ମାତ୍ର ସେହି ପାପ କରିବାର ସମୟ ଓ ସୁଯୋଗ ପୁନର୍ବାର ଘଟିଲେ ସେ ତାହାର ପୂର୍ବ ଅନୁତାପ ବିସ୍ମୃତ ହୁଏ ଓ ସେହି ପାପର ପୁନରାବୃତ୍ତି କରେ । ଏହା ବୋଲି ତାହାର ଅନୁତାପର ସୁଯୋଗ ଏକାବେଳେକେ ଚାଲିଗଲା ବୋଲି ଭାବିବା ଠିକ୍ ନୁହେଁ । ଅନୁତାପ କାହା ହୃଦୟରେ ଶୀଘ୍ର ଜାଗରିତ ହୋଇ ବଦ୍ଧମୂଳ ହୁଏ, କାହା ହୃଦୟରେ ବିଳମ୍ୱରେ ଆସେ, ପୁଣି ଶୀଘ୍ର ଚାଲିଯାଏ, ବଦ୍ଧମୂଳ ହୋଇ ରହିବା ପାଇଁ ଦୀର୍ଘ ସମୟ ଆବଶ୍ୟକ ହୁଏ, ପାପ ସଙ୍ଗେ ସର୍ବଦା ହୃଦୟରେ ଯୁଦ୍ଧ କରିବାକୁ ଅହରହ ଚେଷ୍ଟା ଯାହାର ଅଛି, ଯାହାର ମନରେ ନିଜେ କରିବା କାର୍ଯ୍ୟ ସମ୍ପନ୍ଧେ ପର୍ଯ୍ୟବେକ୍ଷଣ ରହିଅଛି, ସେ ନିଶ୍ଚୟ ଆଜି ନହେଲେ କାଲି କୃତକାର୍ଯ୍ୟ ହୋଇପାରିବ । ମାତ୍ର ଯାହାଠାରେ ଏହି ନୈତିକ ସଂଗ୍ରାମ ନାହିଁ, ଯେ ପାପୀ ହୋଇ ମଧ୍ୟ ତୃପ୍ତ ଓ ନିଶ୍ଚେଷ୍ଟ, ଯେ ପାପାପାପ ଭାବ ନିମନ୍ତେ ହୃଦୟରେ ସ୍ଥାନ ରଖେ ନାହିଁ, ତାହାର ନୈତିକ ଜୀବନ ଅଗ୍ରସର ହୋଇ ନ ପାରେ ।

 

ଭଗବାନଙ୍କ ରାଜ୍ୟରେ ସବୁ କଥା ଅସୀମ, ତାଙ୍କର କ୍ଷମାର ପରିମାଣ ମଧ୍ୟ ସେହିପରି ଅନ୍ତହୀନ । ତାଙ୍କର ପ୍ରେମ ଓ କରୁଣା ଯେପରି ଅପାର, କ୍ଷମା ସେହିପରି ଅଗାଧ । ସେହି ଗଭୀର କ୍ଷମାସାଗରରେ ମନୁଷ୍ୟର ପାପମେରୁ ନିମଗ୍ନ ହୋଇଯାଏ । ତେଣୁ ଭକ୍ତ କବି ମଧୁସୂଦନ ଗାଇଛନ୍ତି–

 

ମାନବର ମାନଦଣ୍ଡ କଳିବ କି ଜୀବ

ଚରମ ସୀମାନ୍ତ ମୋର ପ୍ରେମ କରୁଣାର

ନିଃଶବ୍ଦେ ମୋ କ୍ଷମା ସିନ୍ଧୁ ତଳେ ବୁଡ଼ିଯିବ

ଫିଙ୍ଗି ଦେଲେ ମେରୁ ସମ ତୋର ପାପ ଭାର ।

 

ଏହି ଅନନ୍ତ କୃପାର ସଦ୍‌ବ୍ୟବହାର-ଭାର ମନୁଷ୍ୟ ଉପରେ ନ୍ୟସ୍ତ । ଭଗବାନ ଅନ୍ତର୍ଯ୍ୟାମୀ । ପାପୀ ହୃଦୟରେ ପ୍ରକୃତ ଅନୁତାପ ଜାତ ହେଲା କି ନାହିଁ ଜାଣିବାକୁ ତାଙ୍କ ଅପେକ୍ଷା ଅନ୍ୟ କେହି ଅଧିକ ସକ୍ଷମ ନୁହେଁ । ଅନୁତପ୍ତ ମାନବ ଭଗବଦ୍‌କ୍ଷମାର ଅଧିକାରୀ ଅଟେ । ସେ ତାହା ସହଜେ ଲାଭ କରି ଭଗବାନଙ୍କ ରାଜ୍ୟରେ ତାହାର ନୂତନ ଜୀବନ ଆରମ୍ଭ କରିଦିଏ । ମାତ୍ର ଯେ ଅନୁତପ୍ତ, ତାହା ପକ୍ଷେ ଭଗବାନ କିମ୍ବା ତାଙ୍କ କ୍ଷମାହିଁ ଆବଶ୍ୟକ ନୁହେଁ । ସେ ନିଜ ଉପରେ ପାପ ବୋଝ ଲଦି ହୋଇ, କ୍ରମେ କ୍ରମେ ଆଧ୍ୟାତ୍ମିକ ରାଜ୍ୟରୁ ଅପସାରିତ ହୁଏ । ତାହା ହୃଦୟରେ ଭଗବତ୍‌ ରାଜ୍ୟ ପରିବର୍ତ୍ତେ ଶୟତାନୀ ରାଜ୍ୟ ସ୍ଥାପିତ ହୁଏ । ଏପରି ପାପାଚାରୀମାନଙ୍କର ଅନ୍ତିମ ପରିଣତି ଅତି ଭୟାବହ ହୁଏ ।

 

ବ୍ୟକ୍ତିଗତ ନୀତିର ପରିଚାଳନା ନିମନ୍ତେ ଅନୁତାପ ଯେପରି ଆବଶ୍ୟକ, ସାମାଜିକ ଜୀବନକୁ ସଂଯତ କରିବା ପାଇଁ ପ୍ରାୟଶ୍ଚିତ୍ତ ସେହିପରି ଆବଶ୍ୟକ । ପାପ କ୍ଷୟ ନିମନ୍ତେ ଅନୁଷ୍ଠିତ କର୍ମର ନାମ ପ୍ରାୟଶ୍ଚିତ୍ତ । ସବୁ ଧର୍ମ ଶାସ୍ତ୍ରରେ ପ୍ରାୟଶ୍ଚିତ୍ତର ସ୍ଥାନ ରହିଅଛି । ଅଧୁନାତନ ହିନ୍ଦୁ ସମାଜରେ ପ୍ରତୀଚୀ-ସଂସ୍କୃତିର ପ୍ରବେଶ ଓ ବ୍ୟକ୍ତିଗତ ସ୍ୱାଧୀନ ଭାବର ଉଦ୍ରେକ ହେତୁ ପ୍ରାୟଶ୍ଚିତ ବିଧି ଶିଥିଳ ହୋଇ ପଡ଼ିଛି । କିନ୍ତୁ ଏଗୁଡ଼ିକ ଯେ ଦିନେ ସମାଜର ସୁପରିଚାଳନ ନିମନ୍ତେ ଯଥେଷ୍ଟ ସାହାଯ୍ୟ କରୁଥିଲେ ଏଥିରେ ସନ୍ଦେହ ନାହିଁ ।

 

ପ୍ରଥମେ ଅନୁତାପ, ତା ପରେ ପ୍ରାୟଶ୍ଚିତ୍ତ । ଏହି ଦୁଇଟି ପରସ୍ପର ସଂଲଗ୍ନ । ଏହି ଦୁଇଟିକୁ ସଂଯୋଗ କରେ ପାପସ୍ୱୀକାର । ପାପୀ ତାହାର ପାପକୁ ସ୍ୱୀକାର କରି ଅନୁତାପ କରେ-। ପାପକୁ ଲୁଚାଇ ରଖି ଅନୁତାପ କରାଯାଇ ନ ପାରେ, ଯେପରି ବ୍ରଣକୁ ଧୌତ ନକରି ଲେପ ଦିଆଯାଏ ନାହିଁ । କାହା ସମ୍ମୁଖରେ ଏହି ପାପ ସ୍ୱୀକାର କରିବାକୁ ହେବ ? ଅବଶ୍ୟ ସର୍ବ ପ୍ରଥମେ କ୍ଷମାଦାତା ଭଗବାନଙ୍କଠାରେ । ମାତ୍ର ପାପ ପ୍ରକାଶ ଗୁପ୍ତଭାବେ କରାଯାଏ ନାହିଁ । ଯାହା ପ୍ରତି ଅବିଚାର କରାଯାଇଛି, ତାହାଠାରେ ଦୋଷ ସ୍ୱୀକାର ଆବଶ୍ୟକ, ପୁଣି ସେଥି ସଙ୍ଗେ ସଙ୍ଗେ ସମଗ୍ର ସମାଜ ସମକ୍ଷରେ ମଧ୍ୟ ଏହି ପାପ ସ୍ୱୀକାର କରିବା ଆବଶ୍ୟକ । ମୁଁ ଯଦି ମୋର ବନ୍ଧୁଙ୍କୁ କଟୁବଚନ ଦ୍ୱାରା ବାଧା ଦେଇଛି ବା ବିପକ୍ଷ କାର୍ଯ୍ୟ ଦ୍ୱାରା ତାଙ୍କର ଅନିଷ୍ଟ ଘଟାଇଛି ବା ଅବିଶ୍ୱାସୀ ହୋଇ ତାଙ୍କର ଅହିତ କରିଛି, ମୋତେ ତାଙ୍କ ନିକଟରେ ମୋର ଦୋଷ ସ୍ୱୀକାର କରିବାକୁ ହେବ, ପୁଣି ଆବଶ୍ୟକ ପ୍ରାୟଶ୍ଚିତ୍ତ କରି କ୍ଷମା ଭିକ୍ଷା କରିବାକୁ ହେବ । ପାପ ସ୍ୱୀକାର ଓ ପ୍ରାୟଶ୍ଚିତ୍ତ ସହଜ କାର୍ଯ୍ୟ ନୁହେଁ । ଏଥି ପାଇଁ ଆବଶ୍ୟକ ହୃଦୟ ନୈର୍ମଲ୍ୟ, ମାନସିକ ଦୈନ୍ୟ ଓ ତ୍ୟାଗ ସ୍ୱୀକାର ବୁଦ୍ଧି-। ଏକାନ୍ତ ସ୍ଥାନରେ ବସି ଭଗବାନଙ୍କଠାରେ ନିଜର ପାପ ସ୍ୱୀକାର କରିଦେବା ମାତ୍ରେ ଅନୁତାପ ସମ୍ପୂର୍ଣ୍ଣ ହୁଏ ନାହିଁ । ଏହି ଦୋଷ ସ୍ୱୀକାର ଜଗତ ସମକ୍ଷରେ ହେବା ଆବଶ୍ୟକ । ଏହି ଅନୁତାପ ଯଜ୍ଞରେ ତାକୁ ଆହୁତି ଦେବାକୁ ହେବ, ତାହାର ଗର୍ବ ଓ ଅଭିମାନକୁ । କେବଳ ଏତିକି ନୁହେଁ, ରୋଗମୁକ୍ତି ପରେ ଯେପରି ବିଶେଷ ପୁଷ୍ଟିକର ଖାଦ୍ୟର ବ୍ୟବସ୍ଥା କରାଯାଏ ପୁନର୍ବାର ପୂର୍ବସ୍ୱାସ୍ଥ୍ୟ ଲାଭ ସକାଶେ, ସେହିପରି ଅନୁତାପୀକୁ ନୈତିକ ଜୀବନ ଚାଳନ ସକାଶେ ଅଧିକ ଶ୍ରଦ୍ଧାବାନ ଓ ଅତି ଯତ୍ନଶୀଳ ହେବାକୁ ହେବ । ଅନୁତାପ କରି ବ୍ୟଭିଚାରୀକୁ ଜିତେନ୍ଦ୍ରିୟ ହେବାକୁ ହେବ, ଦାମ୍ଭିକକୁ ବିନୟୀ ହେବାକୁ ହେବ ଓ ପରସ୍ୱାପହାରୀ ଲୋଭୀକୁ ଦାନଶୀଳ ହେବାକୁ ହେବ । ସର୍ବୋପରି ତାକୁ ପୂର୍ବର ଅସାର କାର୍ଯ୍ୟ ନିମନ୍ତେ ଅତିଶୟ ଦୁଃଖିତ ହେବାକୁ ହେବ ।

 

ଅନୁତପ୍ତର ନୟନାଶ୍ରୁ ତାହାର ସକଳ ପାପରାଶିକୁ ଧୌତ କରେ । ଜଳ ବିନା ଯେପରି କୌଣସି ମଳିନ ପଦାର୍ଥ ନିର୍ମଳ ହୁଏ ନାହିଁ, ସେହିପରି ଚକ୍ଷୁର ଜଳ ବିନା ହୃଦୟରୁ ପାପ ଧୌତ ହୁଏ ନାହିଁ । ନୟନରୁ ସେହି ଅନ୍ତର୍ଜାତ ତପ୍ତଅଶ୍ରୁ ଯେତେଦିନଯାଏଁ ତୁମ୍ଭର ନିର୍ଗତ ହୋଇ ନାହିଁ, ସେତେଦିନଯାଏଁ କୌଣସି ବାହ୍ୟ ପ୍ରାୟଶ୍ଚିତ୍ତ ନିରର୍ଥକ ଓ ମୂଲ୍ୟହୀନ । ଶିଶୁର କ୍ରନ୍ଦନରେ ଯେପରି ମାତାର ମନ ବିଗଳିତ ହୁଏ, ପାପୀର କ୍ରନ୍ଦନରେ ସେପରି ଭଗବାନଙ୍କ ମନ ବିଗଳିତ ହୁଏ ।

 

କ୍ରନ୍ଦନହିଁ ପାପୀର ଏକମାତ୍ର ସମ୍ବଳ ।

Image

 

କିଶୋରଚନ୍ଦ୍ରାନନ ଚମ୍ପୂରେ ଆଧ୍ୟାତ୍ମିକ ପ୍ରେମ

 

ବିନିମୟ ନହେଲେ ପ୍ରେମ ନିରର୍ଥକ । ସେ ଯେଉଁ ରକମର ପ୍ରେମ ହେଉନା କାହିଁକି, ଆଦାନ ପ୍ରଦାନହିଁ ପ୍ରେମର ଅସ୍ତିତ୍ୱ ରକ୍ଷା କରେ । ଏଥି ନିମନ୍ତେ ଏକ ପରେ ଦ୍ୱିତୀୟର ଏକାନ୍ତ ଆବଶ୍ୟକତା ସୃଷ୍ଟି ଆରମ୍ଭରୁ ବିଦ୍ୟମାନ । ଦୁଇଜଣ ନ ଘଟିଲେ କାହାକୁ କିଏ ପ୍ରେମ କରିବ । ନିଜକୁ ନିଜେ ପ୍ରେମ କରିବା ନିରର୍ଥକ ତାହା ଯେପରି ଅସମ୍ଭବ ସେପରି ଆତ୍ମଘାତୀ । ଭଗବାନ ମଧ୍ୟ ନିଜ ପ୍ରେମର ଅଭିବ୍ୟକ୍ତି ସକାଶେ ନିଜକୁ ଦୁଇରେ ବିଭକ୍ତ କରିବାକୁ ବାଧ୍ୟ । କିନ୍ତୁ ବିଭକ୍ତି କେବଳ ସମ୍ପୂର୍ଣ୍ଣ ପ୍ରକାଶ ନୁହେଁ । ବିଭକ୍ତି ଦ୍ୱାରା ବିରହ ଜନ୍ମେ ଓ ବିରହରେ ମିଳନର ତୀବ୍ର ଆକାଂକ୍ଷା ସନ୍ନିହିତ ହୋଇ ରହିଥାଏ । ବିରହ ଶେଷରେ ମିଳନର ଆବିର୍ଭାବ । ଏହା ସୃଷ୍ଟିର ଶେଷ କଥା; ଏହା ପ୍ରକୃତିର ଏକମାତ୍ର ଲକ୍ଷ୍ୟ । ଏହି ଶେଷ ମିଳନ କାହାରି ଜୀବନରେ ଘଟେ ନାହିଁ କହିଲେ ଚଳେ । ମିଳନର ଆକାଂକ୍ଷାହିଁ ଜୀବର ସମ୍ବଳ । ଏହି ଆକାଂକ୍ଷା ରଖି ତାହାର ଭୋଗାତୁରତା ଅନୁଭବ କରିବାହିଁ ମନୁଷ୍ୟ ପକ୍ଷେ ସମ୍ଭବପର । ରାଧାବିନା ଅନ୍ୟ କେହି ରାଧା ହୋଇ ନପାରେ । ସେ କେବଳ କୃଷ୍ଣପ୍ରାପ୍ତିର, ଶ୍ରୀକୃଷ୍ଣମିଳନର ଏକମାତ୍ର ଅଧିକାରିଣୀ । ଏହି ମିଳନହିଁ ସମ୍ପୂର୍ଣ୍ଣ ମିଳନ । ଏହି ମିଳନ ଦର୍ଶନ ଆନନ୍ଦହିଁ ଜୀବର ଏକାନ୍ତ ଆକାଂକ୍ଷା ଓ ଆଶା । ଏହି ଯୁଗଳ ସମ୍ମିଳନହିଁ ଅପ୍ରାକୃତ ପ୍ରେମର ପୂର୍ଣ୍ଣ ପ୍ରକାଶ ।

 

ଏହି ଦୁରୂହ ଅଥଚ ରସପୂର୍ଣ୍ଣ ତଥ୍ୟକୁ କବିତାକାରରେ ଶିକ୍ଷା ଦେବା ପୁଣି ସେହି ରସ ଗ୍ରହଣ କରି ନିଜ ଜୀବନକୁ କୃତାର୍ଥ କରିବା କିଶୋରଚନ୍ଦ୍ରାନନ ଚମ୍ପୂ ରଚନାର ମୂଖ୍ୟ ଉଦ୍ଦେଶ୍ୟ । କବିସୂର୍ଯ୍ୟ ଏପରି ଗୋଟିଏ ମହତ୍‌ ଆଦର୍ଶକୁ ଲୋକ ସମାଜରେ ଉପସ୍ଥାପନ କରିବା ପୂର୍ବରୁ ଅତି ଦୀନ ଭାବରେ ସ୍ୱକୀୟ ଅଯୋଗ୍ୟତା ଜଣାଇ ଅଛନ୍ତି । ଏହି ଦୈନ୍ୟ ଓ ଆତ୍ମଂଭରିତାଶୂନ୍ୟତାହିଁ ତାଙ୍କ ଯୋଗ୍ୟତାର ସ୍ପଷ୍ଟ ପରିମାପକ । ରାଧା ରୁପିଣୀ ପ୍ରକୃତିଙ୍କ ସହିତ କୃଷ୍ଣରୂପେ ପରମାତ୍ମାର ମିଳନସୂଚକ କାବ୍ୟ ଲେଖିବାକୁ ଯାଇ କବି କହୁଛନ୍ତି, ‘‘ଯେ ମହାମହିମଶାଳୀ, ଯାହାଙ୍କ ଦେହକାନ୍ତି ଇନ୍ଦ୍ରନୀଳମଣି ତେଜପରି, ମନୋହର ବସନ୍ତ ୠତୁରେ ଭ୍ରମଣ କଲାବେଳେ ସହଚରୀ ଗୋପବଧୂମାନେ ଯାହାଙ୍କୁ ସର୍ବେଶ୍ୱର ବୋଲି ଜାଣିପାରି ଆତ୍ମସମର୍ପଣ କରିଥିଲେ, ସେହି ନନ୍ଦନନ୍ଦନ ଶ୍ରୀକୃଷ୍ଣଙ୍କର ରାଧାଙ୍କ ସଙ୍ଗେ ଯେଉଁ ଆଲୌକିକ ଲୀଳା ହୋଇଥିଲା, ମୁଁ ସାମାନ୍ୟ ବୁଦ୍ଧିରେ ତାହା କିପରି ବର୍ଣ୍ଣନା କରିବି ?’’

 

ଭଗବାନଙ୍କୁ ଯେ ମନୁଷ୍ୟରୂପେ ଜାଣିପାରେ, ଯେ ତାଙ୍କୁ ଆତ୍ମୀୟରୂପେ ଜାଣିବାକୁ ସକ୍ଷମ ହୁଏ, ଯାହା ସମ୍ମୁଖରେ ଭଗବାନ କୌଣସି ଗୋଟିଏ ଦର୍ଶନ ଶାସ୍ତ୍ରର ତତ୍ତ୍ୱ ନ ହୋଇ ଜୀବନ୍ତ ପୁରୁଷରୂପେ ବିଦ୍ୟମାନ ହୋଇପାରନ୍ତି, ସେ ତାଙ୍କଠାରେ ଭଗବାନତ୍ୱ ଆରୋପ କରିବାକୁ ବିମୁଖ ହୁଏ । କାରଣ ତଦ୍ଦ୍ୱାରା ତାହା ପକ୍ଷେ ରସାସ୍ୱାଦନ ସମ୍ଭବପର ହୁଏ ନାହିଁ ଓ ତାହା ପ୍ରେମୋପଲବ୍‌ଧିର ପ୍ରତିବନ୍ଧକ ହୁଏ । ବିଶ୍ୱରୂପ ଦର୍ଶନ ପରେ ଅର୍ଜ୍ଜୁନ ଶ୍ରୀକୃଷ୍ଣଙ୍କୁ ନିଜର ମନୁଷ୍ୟରୂପ ପରିଗ୍ରହଣ କରିବାକୁ ପ୍ରାର୍ଥନା କରିଥିଲେ ଏହି କାରଣରୁ । କିଶୋର ଚନ୍ଦ୍ରାନନ ଚମ୍ପୂରେ ସେହିପରି ଭଗବାନଙ୍କର ଅପ୍ରାକୃତ ପ୍ରେମଭଣ୍ଡାର ପ୍ରକଟିତ ହୋଇଛି ଶ୍ୟାମସୁନ୍ଦର ରୂପରେ । ପୁଣି ପ୍ରକୃତି ରମଣୀୟ ଅଭିବ୍ୟକ୍ତ ପାଇଛି ‘‘ଜଙ୍ଗମ ହେବାର ଜମ୍ବୁନଦ ସାର ସ୍ଫୁରିବା’’ ଶ୍ରୀମତୀ ରୂପରେ । ରାଧା ଓ କୃଷ୍ଣ ପୁଣି ରାସଲୀଳା ସଂକ୍ରାନ୍ତ ସଖୀମାନେ ରକ୍ତମାଂସର ଶରୀରଧାରଣ କରି,. ମାନବ-ସୁଲଭ ଅନୁଭୂତି ଲାଭ କରି ଓ ମାନବୋଚିତ ଭାବକୁ ସ୍ୱାଭାବିକ ଭାଷାରେ ବ୍ୟକ୍ତ କରି କବିସୂର୍ଯ୍ୟଙ୍କର ଏହି ଗୀତି-ନାଟ୍ୟରେ ଦେଖା ଦେଇଅଛନ୍ତି । ଚମ୍ପୂର ଆରମ୍ଭ ରାଧାଙ୍କ ମୁଖରେ ଦୁଇଟି ପଦ ‘‘କି ହେଲା’’ ଦ୍ୱାରା କରାଯାଇଛି । ଏହି ପଦଦ୍ୱୟ ଦ୍ୱାରା ରାଧାଙ୍କ ଦୁଃଖ ଓ ବେଦନା ପ୍ରକାଶ ପାଉଅଛି । ପ୍ରେମ ଇତିହାସ ଆରମ୍ଭ ହୁଏ ପ୍ରେମିକା କିମ୍ବା ପ୍ରେମିକର ଦର୍ଶନରେ । ତାହା କ୍ରମବୃଦ୍ଧି ଅନୁସାରେ ମିଳନରେ ପରିଣତ ହୁଏ । ପ୍ରଥମ ଦର୍ଶନରେ ପ୍ରେମର ଉଦୟ ସୌଭାଗ୍ୟବତୀ ପ୍ରେମିକାର ସୁଲଭ ସମ୍ପଦ । ମାତ୍ର ତଦ୍ଦ୍ୱାରା ତାକୁ ପଛେ ବହୁତ ଦୁଃଖ ଭୋଗିବାକୁ ହୋଇଥାଏ । ତେଣୁ ରାଧା କହିଛନ୍ତି ଲଳିତାକୁ ‘‘କଲବଲ ଛଟପଟ, ହୋଇ ଯାଉଛି ନିପଟ–ଏକି ଦଣ୍ଡ ବିନା ପୀରତିରେ ।’’

 

ଆବଶ୍ୟକ ସମୟର ସାଥୀହିଁ ପ୍ରକୃତ ସାଥୀ । ଲଳିତା ସେହିପରି ଜଣେ ପ୍ରକୃତ ସଙ୍ଗିନୀ ଅଟନ୍ତି । ମାନବ ସମାଜର ତାଙ୍କପରି ବ୍ୟକ୍ତିଙ୍କ ଅଭାବ ହେତୁ ଆଜି ତାହା ନିପଟ ଲାଲିତ୍ୟହୀନ । ନିଜର ସ୍ୱାର୍ଥଟାକୁ ପରପାଇଁ କିପରି ବିନିଯୋଗ କରାଯାଇ ପାରେ ପୁଣି ଏପରି ବିନିଯୋଗ ଦ୍ୱାରା କିପରି ନିଜର ଆନନ୍ଦ ହାସଲ କରାଯାଇ ପାରେ, ଲଳିତାଙ୍କ ଜୀବନ ଏହାର ପ୍ରକୃଷ୍ଟ ନିଦର୍ଶନ । ରାଧାତୁଷ୍ଟି ଯେପରି ଲଳିତାଙ୍କ ଜୀବନର ଏକମାତ୍ର ବ୍ରତ । ସେ ସବୁବେଳେ ରାଧାପକ୍ଷ ଲୋକ । ରାଧାଙ୍କ ହିତ ପାଇଁ ସେ ଥରେ ଥରେ କେତେ ରୁଷ୍ଟ କଥା କହି ଦିଅନ୍ତି ସତ, ମାତ୍ର ସେହି ରୁକ୍ଷ କର୍କଶ କଥାବଳୀ ଭିତରେ ତାଙ୍କ ପ୍ରେମର ଫଲ୍‌ଗୁ ବରାବର ବହୁଥାଏ । ରାଧା ତେଣୁ ଲଳିତାଙ୍କ ମୁରବି ପଣିଆରେ କେବେହେଲେ ଅସନ୍ତୁଷ୍ଟ କି ଅତୃପ୍ତ ନୁହନ୍ତି । ତେଣୁ ‘‘ଖରାପ ତୁ ହେଲୁ, ଖଳ ଲୋଳ ଖଞ୍ଜନାକ୍ଷୀ ଖାରା ଖଣ୍ଡା ଧାରା ଖଟ ବିଚାର ଶୋଇଲୁରେ’’ ରୂପକ ତୀବ୍ର ଭର୍ତ୍ସନା ପରେ ସୁଦ୍ଧା ରାଧିକାଙ୍କର ସେହି ଅମୀୟ, ମାୟାଶୂନ୍ୟ, ସରଳ ସୁନ୍ଦର ଉକ୍ତି, ‘‘ଗଲାଣିତ ଗଲା କଥାରେ ସଙ୍ଗାତ, ଗୁପତେ ସିନା ମୁଁ ତୋତେ ପଚାରୁଛି, ବଳି ପଡ଼ିବାରୁ ବ୍ୟଥା ।’’ ଏହିଠାରୁ ବଳି ହୃଦୟସ୍ପର୍ଶୀ, ସ୍ନେହ, ବିଶ୍ୱାସ, ନିରଭିମାନପରିପ୍ଳୁତ ଆତ୍ମ ପ୍ରକାଶର ସୁଲଳିତ ଅଭିବ୍ୟକ୍ତି ଆଉ କ’ଣ ହୋଇପାରେ ? ଗୀତ ପରେ ଶ୍ରୀମତୀ ଆହୁରି ବିକଳ ହୋଇ କହୁଛନ୍ତି, ଜ୍ଞାନରେ ବା ଅଜ୍ଞାନରେ ଯେଉଁ ଅପରାଧ କରିଅଛି ପୁନଃ ପୁନଃ ସ୍ମରଣ କରାଇବାରୁ ତାହା ବାଣପରି ମୋ ଶରୀରରେ ପ୍ରବେଶ କରି ତାହାକୁ ଶୀର୍ଣ୍ଣ କରିଦେଲାଣି । ତାହା ଉପରେ ପୁଣି କନ୍ଦର୍ପ ତୀକ୍ଷ୍‌ଣ ଶର ମାରି ମୋର ସବୁ ଶକ୍ତିକୁ ଅପହରଣ କରି ସାରିଛି । ଏପରି ଅବସ୍ଥାରେ ତୁ ଆଉ କାହିଁକି କଦର୍ଥନା କରୁଅଛୁ ?’’ ଆଦି ରସ ସହିତ କରୁଣ ରସ ମିଶ୍ରିତ ହେଲେ ତାହା କିପରି ପବିତ୍ର ହୁଏ ଦେଖାଇବାରେ ଏହା ଏକ ଦୃଷ୍ଟାନ୍ତ । ଉତ୍ତର ରାମ ଚରିତରେ ଦଣ୍ଡକାରଣ୍ୟରେ ରାମ ଓ ସୀତାଙ୍କ ମିଳନ ଓ ସମସାମୟିକ ବିରହ ଚିତ୍ର ଚିତ୍ରଣ କରି ଭବଭୂତି ଏହି ମିଶ୍ରିତ ରସକୁ ପ୍ରକାଶ କରିଥିଲେ । କବିସୂର୍ଯ୍ୟ ତାଙ୍କ ଚମ୍ପୂରେ ସେହିପରି ଚେଷ୍ଟା କରି କମ୍‍ କୃତକାର୍ଯ୍ୟ ହୋଇ ନାହାନ୍ତି । ତଥାଚ ଲଳିତାଙ୍କ ପାଷାଣ ମନ ଟଳିଲା ନାହିଁ । ସେ ରାଧାଙ୍କୁ ତୀବ୍ର ବ୍ୟଙ୍ଗ ଉକ୍ତି ଦ୍ୱାରା ଆହୁରି ବ୍ୟତିବସ୍ତ କଲେ । ରାଧାଙ୍କର ଗୋଟିଏ ଦୋଷ ‘‘ଘେନାଇ ଆମ୍ଭେ ଯେତେ କହିଲୁରେ, ଘେନିଲୁ ନାହିଁ ବାଳା ପହିଲୁରେ ।’’ ଦ୍ୱିତୀୟ ଦୋଷ ହେଉଛି, ‘‘ଘସ୍ରନାଥନନ୍ଦନା ଅନାଉଣିକି ମନା କରୁ ଯେ ଥାଉଁ, ହଟି ଚାହିଁଲୁରେ ।’’ ଦୋଷ କଲେ କ’ଣ ହେବ ? ପୁଅ ଦୋଷ କରି ରୋଗ ଆଣିଲେ କି ମା ସୁଶ୍ରୂଷା ଓ ଚିକିତ୍ସାର ଅବହେଳା କରେ ? ରାଧା କରିବେ ଦୋଷ ଓ ସେହି ଦୋଷର ଯେ ସବୁ ଅନର୍ଥ ସେ ସବୁ ସହିବେ ଲଳିତା । ତାହା ଛଡ଼ା ଅନ୍ୟ ଉପାୟ ଯେ ନାହିଁ । ତେଣୁ ଲଳିତା ଯେତେ ବିରକ୍ତ ହୁଅନ୍ତୁ ନା କାହିଁକି, ରାଧାଙ୍କ ପ୍ରତି ତାଙ୍କ ସ୍ନେହଲାଘବ କଦାଚ ହୋଇ ନପାରେ । ତେଣୁ ସେ ପରିଶେଷରେ ଠିକ୍‌ କଲେ, ‘‘ଘେନି ଘେନାଇ ଯାଇ, କହିବା ସମଜାଇ, ଘଟିଲେ ଆମ୍ଭେ ଏକା ଜିଇଁଲୁରେ; ଘଟଣା ବିରହରେ, ଅବଶତ ଜହରେ ତୋ ଘେନି ଆତ୍ମଘାତୀ ହୋଇଲୁରେ ।’’ ଦୁଇ ଚାରୋଟି ଗୀତ ପଂକ୍ତିରେ ମାନବର ଏହି ସ୍ୱଭାବସୁନ୍ଦର ମନୋରଞ୍ଜନ, ହୃଦୟଭେଦୀ, ବିଭିନ୍ନ ରସମିଶ୍ରିତ ଭାବପୁଂଜକୁ ପ୍ରକାଶ କରିବା ସମସ୍ତଙ୍କ ପକ୍ଷେ ସହଜ ନୁହେଁ । ଏଠାରେହିଁ କବି-ପ୍ରତିଭାର ବିଶେଷତ୍ୱ ଓ କବିତାର ଗୌରବ । କବିତା ଶବ୍ଦ-ଯୋଜନା ନୁହେଁ, କବି ଶବ୍ଦ-ଯୋଜକ ନୁହନ୍ତି । ଲଳିତା ଏପରି କହି ରାଧାଙ୍କ ହୃଦୟ ବେଦନାର ଜ୍ୱାଳା ଅଧିକ କଲେ ସତ, ମାତ୍ର ତାଙ୍କ ହୃଦୟର ଭାବ ଅନ୍ୟ ପ୍ରକାର । ସେ ତାହା ପ୍ରକାଶ କରିବାକୁ ଯାଇ ପ୍ରକୃତ ସଙ୍ଗିନୀର ପରିଚୟ ଦେଇ ଅଛନ୍ତି । ସେ କହିଲେ, ‘‘ଏପରି ଅବସ୍ଥାରେ ତୁମ୍ଭର ଆଦେଶ ପାଳନ କରି ଶ୍ରୀକୃଷ୍ଣଙ୍କ ନିକଟକୁ ପୁନଃ ପୁନଃ ଯିବା ଆସିବା କରିବାହିଁ ମୋର ପ୍ରଧାନ କର୍ତ୍ତବ୍ୟ ।’’ ଏପରି କର୍ତ୍ତବ୍ୟ ଅବରୋଧ ସ୍ନେହକୁ ବିମଳ ଓ ପବିତ୍ର କରେ । ଯେଉଁ ସ୍ନେହରେ କୃତ୍ରିମତା ରହେ, ଯେଉଁ ସ୍ନେହ ଲୋକଙ୍କ ବାହାବାପ୍ରାପ୍ତି ନିମନ୍ତେ ଉଦ୍ଦିଷ୍ଟ ଯେଉଁ ସ୍ନେହ ବିଷକୁମ୍ଭ ପୟୋମୁଖ ସେପରି ମିଥ୍ୟା ସ୍ନେହ ରାସମଣ୍ଡଳୀର ବାତାବରଣରେ ବଞ୍ଚି ରହି ନପାରେ ।

 

ଲଳିତାଙ୍କ ସାହାଯ୍ୟଦାନ ପ୍ରତିଜ୍ଞା ଅନ୍ତେ ଗୀତି ନାଟ୍ୟର ପଟପରିବର୍ତ୍ତନ ହୋଇଅଛି । ଏହି ଦୃଶ୍ୟରେ ‘‘ନିରଳସ ଚନ୍ଦ୍ରମୁଖ ଆଜି ନିପଟ ନିସ୍ତେଜ’’ ଥିବା ଅନୁମାନ କରି ଲଳିତା ‘‘ନୂଆ ନଟପଟଳୀ ମୁକୁଟ’’ଙ୍କୁ ପଚାରିଲେ ‘‘ଶ୍ରୀଅଙ୍ଗ କି ସୁଖ ନାହିଁ ?’’ ଏପରି ପ୍ରଶ୍ନନିଚୟ ଲଳିତାଙ୍କ ସୌଜନ୍ୟର ନିଦର୍ଶନ ଅଟେ । ଲଳିତା ମଧ୍ୟ କୃଷ୍ଣଙ୍କ ଭଗ୍ନସ୍ୱାସ୍ଥ୍ୟ ପ୍ରତି କାତରତା ପ୍ରଦର୍ଶନ ପୂର୍ବକ ଉପଦେଶ ଦେଲେ, ‘‘ତୁମ୍ଭେ ଏହି ଅଞ୍ଚଳରେ ଆଉ ରହନାହିଁ । ଏଠାରୁ ଗୃହକୁ ଚାଲିଗଲେ ତୁମ୍ଭର ସ୍ୱାସ୍ଥ୍ୟ ଭଲ ହେବ ।’’ କିନ୍ତୁ ଠିକ୍‌ଏହାର ବିପରୀତ ଆଶା ଲଳିତାଙ୍କ ମନରେ ଥିଲା । ଚଷୁକୁଟା ସବୁବେଳେ ଲାଭଜନକ ନହେଲେ ସୁଦ୍ଧା ସମୟେ ସମୟେ କାମରେ ଆସେ । ଖେଳ ପ୍ରତିଯୋଗିତାରେ, ଯୁଦ୍ଧରେ ପୁଣି ରାଜନୀତିରେ ଏପରି ଚଷୁକୁଟା ସମୟେ ସମୟେ ହୁଏ । ପରସ୍ପର ବଳ କଷିବା ପାଇଁ ପୁଣି ସୁବିଧା ପଡ଼ିଲେ ବିପକ୍ଷ ପକ୍ଷର ଦୁର୍ବଳତା ଉଣ୍ଡି ତାହାର ସଦ୍‍ବ୍ୟବହାର କରିବା ପାଇଁ ପ୍ରେମ ରାଜ୍ୟରେ ମଧ୍ୟ ସେପରି ଚଷୁକୁଟା ପାଇଁ ସ୍ଥାନ ରହିଛି । ବୃଥା ସଂଳାପରେ ସମୟ ଅତିବାହିତ କରି ପରିଶେଷରେ ଲଳିତା ଜିଣିଗଲେ । ଶ୍ରୀକୃଷ୍ଣ ତାଙ୍କର ମନଟିକୁ ଲୁଚାଇ ରଖିବାକୁ ଅସମର୍ଥ ହୋଇ କହିଲେ, ‘‘ଜମ୍ଭାରାତିମଣି ଗିରୀନ୍ଦ୍ରକୁ ଜିଣିବାର ପୁରେ ହେଲା ମୋ ନଜର ।’’ ଏହି ନଜରହିଁ ମହାଭାରତର ଝିମିଟି ଖେଳ । ପରମାତ୍ମା ମଧ୍ୟ ଜୀବାତ୍ମା ସହିତ ମିଳିତ ହେବା ପାଇଁ କିପରି ସର୍ବଦା ଆକୁଳ, ଏହି ମିଳନ ପାଇଁ ସେ କିପରି ଅପର ପକ୍ଷ ଉପରେ ଏକାନ୍ତ ନିର୍ଭରଶୀଳ, ଏହା ‘‘ଗୋ ଲଳିତେ ଯାହା ଇଚ୍ଛା ତାହା କର’’ ପୁଣି ‘‘ଠିକଠ ବର୍ତ୍ତୁଳ ଚନ୍ଦ୍ରାନନା ତୋ ଚିତ୍ତରେ’’ ଉକ୍ତିରୁ ସ୍ପଷ୍ଟ ପ୍ରତୀୟମାନ । ପ୍ରେମମୟ ଭଗବାନଙ୍କ ପ୍ରେମ ବାଧ୍ୟତାମୂଳକ ଆଇନ ଦ୍ୱାରା ସମ୍ପନ୍ନ ହୋଇ ନପାରେ । ଅଦ୍ଭୁତ କରଣିରେ ତାହା ସମ୍ଭବ ହୁଏ ନାହିଁ । ପ୍ରାକୃତିକ ପନ୍ଥାରେ, କ୍ରମିକ ବିକାଶର ସମସ୍ତ ନିୟମ ଅନୁସାରେ ତାଙ୍କ ପ୍ରେମର ଆରୋହଣ ଓ ଅବରୋହଣ ହୁଏ । ସେ ନିଜେ ପ୍ରେମର ଭଣ୍ଡାର ହେଲେ ସୁଦ୍ଧା, ଜୀବାତ୍ମାର ପ୍ରୀତିସମ୍ଭାର ଅଭାବରେ ତାଙ୍କ ପ୍ରେମର ଗନ୍ତାଘର ଶୂନ୍ୟବୋଧ ହୁଏ । ସେ ସେହି ପ୍ରେମ ନିମନ୍ତେ ସତୃଷ୍ଣ ନୟନରେ ଚାହିଁ ରହିଥାନ୍ତି । ପ୍ରେମିକାର ଡାକକୁ ପ୍ରତୀକ୍ଷା କରି କାନ ଡେରି ଜଗି ବସିଥାନ୍ତି ଓ ସାମାନ୍ୟ ଇଙ୍ଗିତ ମିଳିଲାକ୍ଷଣି ଧାଇଁ ଆସନ୍ତି । ତେଣୁ ଶ୍ରୀକୃଷ୍ଣ କହିଲେ ଲଳିତାଙ୍କୁ, ‘‘ଚାହିଁ ଚାହିଁ ତୋ ସରଣୀ, କକୁଭକୁରେ ତରୁଣି, ଚିତ୍ରାର୍ପିତ ପରିଥିଲି ବସି ।’’ ପରେ ସେ ଆହୁରି ପ୍ରାଞ୍ଜଳ ହୋଇ କହିଲେ, ‘‘ଇନ୍ଦ୍ର ନୀଳମଣି ପ୍ରାସାଦରେ କ୍ରୀଡ଼ା କରୁଥିବା କୌଣସି ବସ୍ତୁକୁ ଦେଖିବା ଦିନଠାରୁ ମୋର ଏହି ରୋଗ ଜାତ ହୋଇଅଛି ।’’ ଏଠାରେ ଅନ୍ୟ ଏକ ବିଷୟ ପ୍ରତି ଆମ୍ଭମାନଙ୍କର ଦୃଷ୍ଟି ଆକୃଷ୍ଟ ହେବା ଆବଶ୍ୟକ । ଶ୍ରୀରାଧା ଶ୍ରୀକୃଷ୍ଣଙ୍କୁ ଦେଖିବାର କୃଷ୍ଣ ଜାଣନ୍ତି ନାହିଁ, ଶ୍ରୀକୃଷ୍ଣ ଶ୍ରୀମତୀ ରାଧାଙ୍କୁ ଦେଖିବାର ରାଧା ଜାଣନ୍ତି ନାହିଁ । ଏହି ଏକପାଖିଆ ଦେଖା (unilateral)ରେ ପରସ୍ପର ପରିଚୟ ନାହିଁ, ଚାରି ଚକ୍ଷୁର ମିଳନ ନାହିଁ, ପୁଣି ଭାବାଦାନ ପ୍ରଦାନର ସୁଯୋଗ ନାହିଁ-। ତଥାଚ ଏହି ପ୍ରକାର ଦେଖା ମଧ୍ୟ ଆରମ୍ଭ କରିଦିଏ ପ୍ରେମ ନାଟକର ପ୍ରଥମଅଙ୍କ, ପ୍ରୀତି ନିର୍ଝରିଣୀର ବିରହ ନିର୍ଝର । ବିରହ କାତରତା ଓ ଉତ୍କଟ ମିଳନାକାଂକ୍ଷା ରାଗାନୁଗା ଭକ୍ତିର ଗୋଟିଏ ବିଶିଷ୍ଟ ଲକ୍ଷଣ । ଏହା ଜୀବାତ୍ମା ଓ ପରମାତ୍ମାଙ୍କୁ ଅଶେଷ ଅମୀୟ ସୁଖ ପ୍ରଦାନ କରେ । ଚିର ବିରହ ଯେପରି ସେମାନଙ୍କ ଲଲାଟର ଲେଖା । ଆମ୍ଭେମାନେ ଜାଣୁ ଶ୍ରୀ ଚୈତନ୍ୟ ଏହି ବିରହ ବିଦଗ୍‌ଧ ଅବସ୍ଥାରେ ନିଜର ଭୌତିକ ଶରୀର ତ୍ୟାଗ କରିଥିଲେ ।

 

ଆଗେ କୁହାଯାଇଛି ଲଳିତା ଯେତେହେଲେ ରାଧାଙ୍କର ପକ୍ଷ । ଶ୍ରୀକୃଷ୍ଣଙ୍କ ଧୈର୍ଯ୍ୟ ଓ ପ୍ରେମର ମାତ୍ରା ବିଡ଼ିବା ତାଙ୍କ ପକ୍ଷେ ଆହୁରି ଦରକାର । ତେଣୁ ସେ କହିଲେ, ‘‘ଝୁମି ଝୁମି ଲୁଠି ପୃଷ୍ଠେ ରସାର, ଝୁରିବାର ଏକା ହୋଇବା ସାର ।’’ ରାଧାଙ୍କ ପ୍ରତି ଅଗାଧ ସ୍ନେହ ଓ ମମତା ଛଡ଼ା, ଏତେ ଗୁଡ଼ିଏ ମିଥ୍ୟାକଥନ ଶ୍ରୀକୃଷ୍ଣଙ୍କ ଠାରେ କରିବା ଦୋଷରୁ ଲଳିତାଙ୍କୁ କ୍ଷମା କରିବାର ଅନ୍ୟ କୌଣସି କାରଣ ଦିଶେ ନାହିଁ । ସେ ନିଜ ସଖୀଙ୍କର ମୂଲ୍ୟ ବଢ଼ାଇବାକୁ ବହୂକ୍ତିର ଶୀର୍ଷ ସୀମାରେ ପହଞ୍ଚି କହିଲେ, ‘‘ମନୁଷ୍ୟ ପକ୍ଷରେ ବରଂ ଆକାଶର ତାରା ପାଇବା ସମ୍ଭବପର, କିନ୍ତୁ ରାଧିକାଙ୍କୁ ପାଇବା ସମ୍ଭବପର ନୁହେ ।’’ ଏହାଠାରୁ ବଳି ଅଧିକ ପକ୍ଷପାତ ବିଚାର ଓ ଅନ୍ୟାୟଚାରଣ ଆଉ କ’ଣ ଥାଇପାରେ ? ଏପରି କଠୋର ମର୍ମନ୍ତୁଦ ଉକ୍ତିରେ ପ୍ରଣୟୀର ହୃଦୟ କ’ଣ ହୁଏ ଅନୁଭବୀ ଛଡ଼ା ଅନ୍ୟ କାହାର ଜାଣିବା ସାଧ୍ୟାତୀତ । ଏପରି ଅବସ୍ଥାରେ ଦୂତିକାକୁ ଅନୁନୟ ବିନୟ କରିବା ବ୍ୟତୀତ ତାହାର କରଣୀୟ ଆଉ କ’ଣ ହୋଇପାରେ ? ରାଧାଙ୍କ ସହିତ ଭେଟାଇବାର ସମସ୍ତ ଭାର ଲଳିତାଙ୍କ ଉପରେ ନ୍ୟସ୍ତ କରି ଶ୍ରୀକୃଷ୍ଣ ତାଙ୍କୁ ହତୋତ୍ସାହ ନ କରିବାକୁ ଅନୁରୋଧ କଲେ ଓ ସ୍ପଷ୍ଟ କହିଦେଲେ ଯେ ସେ ‘‘ସୁଖ ରାହା ନ ବତାଇଲେ’’ ତାଙ୍କର ମରଣ ନିଶ୍ଚିତ । ପରମାତ୍ମାଙ୍କର ଜୀବାତ୍ମା ସହିତ, ପୁରୁଷର ପ୍ରକୃତି ସହିତ ମିଳିତ ହେବାର ଏହି ଆକୁଳ ଆତୁରତା ମାନବ ଭାଷାରେ ପ୍ରକାଶ କରିବାକୁ ହେଲେ ଶୃଙ୍ଗାର ରସର ଅନୁସରଣ ବ୍ୟତୀତ କବିଙ୍କର ଗତ୍ୟନ୍ତର ନାହିଁ-। ତାହାର ଅସାର ପରିଣାମର କାରଣ ରସଗ୍ରାହକର ଅପରିପକ୍ୱତା ପାଇଁ ଲେଖକ ଦାୟୀ ନୁହନ୍ତି । ଚଣ୍ଡୀଦାସ, ବିଦ୍ୟାପତି, ଜୟଦେବ ଓ ରୂପ ଗୋସ୍ୱାମୀ ପ୍ରଭୃତି ବୈଷ୍ଣବ ଭକ୍ତମାନେ ଯେଉଁ ପଥ ଅନୁସରଣ କରି ସଂସ୍କୃତ ଭାଷାରେ ଯାହା କରିଥିଲେ ଯୁଗୋଚିତ ଆବଶ୍ୟକତାକୁ ମନରେ ରଖି ଉତ୍କଳୀୟ କବି ତାହା ଓଡ଼ିଆ ଭାଷାରେ କରିଅଛନ୍ତି । ଏହି ଦୃଷ୍ଟିରେ କବିସୂର୍ଯ୍ୟଙ୍କ ଚମ୍ପୂକୁ ଦେଖି ନ ପାରିଲେ ଚମ୍ପୂ ପାଠ ବନ୍ଦ କରିବା ସର୍ବତୋଭାବେ ବିଧେୟ । ରାଧା ବିନା ଶ୍ରୀକୃଷ୍ଣଙ୍କର ଜୀବନଧାରଣ ଅସମ୍ଭବ, ରାଧା ବିରହହିଁ ସୃଷ୍ଟି ସଙ୍ଗୀତର ମୂଳ କାରଣ । ଏହି ବିରହ ଅଗ୍ନିରେ ଦହ୍ୟମାନ ହେବାହିଁ ଜୀବାତ୍ମାର ପରମ ଉପାଦେୟ ବସ୍ତୁ । ସେହି ବିରହ ଦୁଃଖହିଁ ମନୁଷ୍ୟକୁ ଭଗବଦାକାଂକ୍ଷିତ ପୁରୁଷରୂପେ ରଖିପାରିଛି । ନହେଲେ ସେ ଜଣେ ଆହାର ଜୀର୍ଣ୍ଣକାରୀ ଜନନ ଶକ୍ତିଷମ ପଶୁ ଠାରୁ ଭିନ୍ନ ନୁହେ ।

 

ଲଲିତା ପ୍ରଥମେ ରାଧାଙ୍କ ହୃଦୟ କଳିଥିଲେ । ଏବେ କୃଷ୍ଣଙ୍କ ହୃଦୟ ମାପିବା ସମୟ ଆଗତ । ପରୀକ୍ଷା ନକରି ପ୍ରେମ ରାଜ୍ୟକୁ ଯିବାକୁ ଅନୁମତି ଦେବା ଯେପରି ଲଳିତାଙ୍କ ପ୍ରକୃତିର ବିରୁଦ୍ଧ । ସେପରି ପରୀକ୍ଷା ମଧ୍ୟ ବାଞ୍ଛନୀୟ । ସେ ବିଶ୍ୱ ସମ୍ରାଟ ହୁଅନ୍ତୁ ବା ଜଗନ୍ନାଥ ହୁଅନ୍ତୁ ପ୍ରୀତି ରାଜ୍ୟରେ ସେ ସବୁର ବିଚାର କରାଯାଇ ନପାରେ । ଭଗବାନ ଯେତେବେଳେ ତୁମ ଆମ ପରି ପ୍ରେମିକ, ତାଙ୍କ ପ୍ରେମ ସତ୍ୟକି ପ୍ରତାରଣା ଜାଣିବା ଆବଶ୍ୟକ । ରାଧିକା ଏତେ ଶସ୍ତା ନୁହନ୍ତି ଯେ ଗୋଟିଏ ଗୀତରେ ମୋହିତ ହୋଇ ପାଖକୁ ପଳାଇ ଯିବେ- ରାଧିକା ବା ଯାଇ ପାରନ୍ତି, ମାତ୍ର ସେପରି ସମ୍ମାନହାନିକର କାର୍ଯ୍ୟ କରିବାକୁ ସଖୀ ତାଙ୍କର ପ୍ରସ୍ତୁତ ନୁହନ୍ତି । ଖୋସାମଦରୂପ ପାରିତୋଷକରେ ସନ୍ତୁଷ୍ଟ ହୋଇ ନିଜ ପ୍ରାଣ ସଖୀର ମହତ୍ୱ ହରାଇବାକୁ ସେ ନାରାଜ । ତେଣୁ ସେ ଅତି ଖାଣ୍ଡି ଭାଷାରେ ଠୋ ଠୋ କରି କହିଦେଲେ, ‘‘ଟେକା ଟେକି ମୋତେ କରି ନାନା ମତେ ତୁମ୍ଭ କାମନା ପୂରିବ, ଟାଣ ଖୁଣ୍ଟା ଗୁରୁଜନ ଗଞ୍ଜଣାରୁ ମୋ ପ୍ରାଣ ସଖୀ ସରିବ ।’’ ଏତିକି ନୁହେଁ । କୃଷ୍ଣଙ୍କର ରସିକତାକୁ ବିଦ୍ରୂପ କରି ଲଳିତା କହିଲେ,‘‘ତୁମକୁ ଏକାକି କୁସୁମ ଶର ପୁନଃ ପୁନଃ ମାରୁଛି ? ଗୋପପୁରରେ ଆଉ କିଏକି କୋଠା ଉପରେ ସ୍ୱର୍ଣ୍ଣ ପିତୁଳା ଦେଖୁନାହିଁ ?’’ ଏ ବଡ଼ ଚତୁର ପରୀକ୍ଷା । ଏହା ମନର ପରୀକ୍ଷା ନୁହେଁ, ହୃଦୟର ପରୀକ୍ଷା । ପ୍ରକୃତ ପ୍ରଣୟ ନଥିଲେ ଏହି ଅପମାନ-ବ୍ୟଞ୍ଜକ, ଲାଳିତ୍ୟରହିତ ଲଳିତାଙ୍କ ଉକ୍ତିରେ କ୍ରୁଦ୍ଧ ହେବା ଅତି ସ୍ୱାଭାବିକ । ମାତ୍ର ପ୍ରେମ ରାଜ୍ୟରେ କ୍ରୋଧର ଅସ୍ତିତ୍ୱ ନାହିଁ । ନ ହେଲେ କି ‘‘ଚୋର’’, ‘‘ପରତରୁଣିହରଣ’’, ‘‘ଅପଥ ପଥିକ’’ ପ୍ରଭୃତି ଅପବାଦସୂଚକ ତୀବ୍ର ଭର୍ଜନାର ଜବାବ ହୋଇଥାନ୍ତା । ‘‘ଢାଳେ ତ ଢାଳିଲୁ ନାହିଁ କୃପା ସୁଧା ଝରି କିରେ ? ସ୍ତ୍ରୀ ଜାତି ଯେଉଁ ପରିମାଣରେ କଠୋର, ସେହି ପରିମାଣରେ ବା ତାହା ଠାରୁ ଆଉ ଟିକିଏ ବେଶି କାରୁଣ୍ୟପ୍ରବଣ । ଆଖିର ଲୁହ ନାରୀର ଯେତେ ଅଛି ପୁରୁଷର ସେତେ ଥିଲାପରି ବୋଧହୁଏ ନାହିଁ । ଶ୍ରୀକୃଷ୍ଣଙ୍କର ଚାଟୂକ୍ତି ଓ କାତର ପ୍ରାର୍ଥନାରୁ ଲଳିତା ବୁଝିଲେ ସେ ରାଧିକାର ପ୍ରେମଯୋଗ୍ୟ ଅଟନ୍ତି, ତାଦ୍ଦ୍ୱାରା ପ୍ରାଣସଖୀର ଅନିଷ୍ଟ ପରିବର୍ତ୍ତେ ଇଷ୍ଟ ସାଧିତ ହେବ । ସେତେବେଳେ ସେ, ଛଦ୍ମ, କ୍ରୋଧ ପରିହାର କରି ଶ୍ରୀକୃଷ୍ଣଙ୍କ ଠାରୁ ମେଲାଣି ମାଗିଲେ । କିନ୍ତୁ ସେତେବେଳେ ସୁଦ୍ଧା ତାଙ୍କୁ ସେ ସଠିକ ଜବାବ ଦେଲେ ନାହିଁ । ସେ ଏତିକି ମାତ୍ର କହିଲେ ଯେ ସେ ରାଧିକାଙ୍କ ସମ୍ମୁଖରେ ତାଙ୍କ ପ୍ରେମର ଇତିହାସ ବାଢିବେ, ମାତ୍ର ପରିଣାମ ପାଇଁ ସେ ଦାୟୀ ରହିବେ ନାହିଁ । ଲଳିତା ଜାଣନ୍ତି ପରିଣାମ ଭଲ ହେବ । ତଥାଚ ତାହା ପ୍ରକାଶ କରିବାକୁ ସେ ନାରାଜ । ଏପରି ଛଦ୍ମ ଉକ୍ତି ଦ୍ୱାରା ଲଳିତାଙ୍କ ବୁଦ୍ଧିମତ୍ତାର କେବଳ ପରିଚୟ ମିଳୁନାହିଁ, ନାଟ୍ୟକାରଙ୍କ ଦୂରଦର୍ଶିତା ମଧ୍ୟ ପ୍ରମାଣିତ ହେଉଅଛି । ରାଧାଙ୍କୁ ଲାଭ କରିବି ବୋଲି ଯେବେ ଶ୍ରୀକୃଷ୍ଣ ଠିକ୍‌ ଭାବେ ଜାଣିଦେବେ, ତେବେ ତାଙ୍କଠାରୁ ପାଇବା ପାଇଁ ପାଠକ ବା ଦର୍ଶକର କିଛି ରହିବ ନାହିଁ । ସେଠାରେ ‘‘ଅତସି କୁସୁମ ସମ ଶ୍ୟାମ’’ଙ୍କୁ ନରଖି କଳା କାଠର ଗୋଟିଏ ପିତୁଳା ରଖିଦେଲେ ମଧ୍ୟ ଚଳିଯିବ । ମାତ୍ର ଲଳିତାଙ୍କ ସନ୍ଦେହପୂର୍ଣ୍ଣ ଉକ୍ତି ଦ୍ୱାରା ଶ୍ରୀକୃଷ୍ଣଙ୍କୁ ସନ୍ଦିଗ୍‌ଧ ମନା କରି କବି ଆମ୍ଭମାନଙ୍କୁ ଚିତ୍ତକୁ ଅଜ୍ଞେୟ ଦୂର ପରିଣାମ ନିମନ୍ତେ ତତ୍ପର ରଖି ପାରିଛନ୍ତି । ଏହା ନାଟ୍ୟକାରଙ୍କର ଗୋଟିଏ ଅତି ଚମତ୍କାର ପାରଦର୍ଶିତା । ଲଳିତାଙ୍କ ପ୍ରତ୍ୟାଗମନ ପରେ ଦ୍ୱିତୀୟ ପଟର ପରିବର୍ତ୍ତନ ହେଲା । ସମୟ ମଧୁମୟୀ ନିଶୀଥିନୀ । ନୂତନ ଅଙ୍କରେ ସ୍ଥାନ ରାଧାକୁଞ୍ଜ । କୌତୁକରେ ମିଛ କହିବା ଯଦି ଥରକୁ ଥର ହୁଏ, ତାହା ଗୋଟିଏ ଅଭ୍ୟାସରେ ପରିଣତ ହୋଇଯାଏ । ଏହି ମିଥ୍ୟାରେ କୁଟିଳତା ନାହିଁ କି ମନ୍ଦାଭିପ୍ରାୟ ନାହିଁ । ବରଂ ଏହାର ଉଦ୍ଦେଶ୍ୟ ଲାଭଜନକ ଓ ପ୍ରୀତିପଦ । ତେଣୁ ଶ୍ରୀକୃଷ୍ଣଙ୍କ ଠାରେ ଯାହା ଯାହା ଚଳିଥିଲା ସେ ସବୁ ଏକାବେଳକେ ଲୁଚାଇ ଦେଇ, ଲଳିତା କୃଷ୍ଣଙ୍କର ଗୋଟାକ ଯାକ ହୋଇଗଲେ । ଏହା ଯେ କୌଣସି ଉଭୟ ପକ୍ଷ ମଙ୍ଗଳାଭିଳାଷୀ ମଧବର୍ତ୍ତୀଙ୍କ ପକ୍ଷେ ସ୍ୱାଭାବିକ ପରି ବୋଧହୁଏ । ‘‘ତଳେ ବସନ ପ୍ରସାରି, ତୃଣ ବସନାନ୍ତ ଧରି କହିଲେହିଁ ଅନୁସରି, ରାଜିତ ନ ଦିଶିଲାରେ ।’’ ଏପରି କଞ୍ଚା ମିଛରୁ ଲଳିତା କି ଆନନ୍ଦ ପାଉଥିଲେ ସେ କେବଳ ଜାଣନ୍ତି–ମାତ୍ର ତଦ୍ଦ୍ୱାରା ରାଧାଙ୍କ ମନରେ ଦାରୁଣ ଅଶନିପାତ ହେଲା । ସେ ଧୈର୍ଯ୍ୟଚ୍ୟୁତା ହେଲେ । ମାତ୍ର ମୁମୂର୍ଷ ନାସିକାରେ କ୍ଷୀଣ ନିଶ୍ୱାସ ପରି ତାଙ୍କର ଟିକିଏ ଆଶା ଜାଗ୍ରତ ହେଲା । ଏହାର କାରଣ ଲଳିତାଙ୍କ ସ୍ୱୀଜନସୁଲଭ କଥା ଲୁଚାଇ ରଖି ନ ପାରିବା ସ୍ୱଭାବ । ଲଳିତା ଏଥର କହିଲାବେଳେ ‘‘ଥକାଇ କହିଥିଲେ ।’’ ତେଣୁ ସେ ଆଉଥରେ, ‘‘ଥାପିରେ କହିବାକୁ’’ ରାଣ ପକାଇ ଅନୁରୋଧ କଲେ । ‘‘ମୋରାଣ’’ ଶବ୍ଦରେ ଲଳିତାଙ୍କ ଛଦ୍ମବେଶ ଅପସାରିତ ହେଲା । ସେ ଦୂତି ହେଲେ କ’ଣ ହେଲା, ସେ ମଧ୍ୟ ତ ଜଣେ ନାରୀ ରାଣ ପକାଇଲା ଉତ୍ତାରୁ ମିଥ୍ୟାଭାଷଣ ଉତ୍କଳୀୟ ନାରୀ ପକ୍ଷେ କି ସମ୍ଭବ ? ତେଣୁ ଲଳିତା ଯାହା ସବୁ ଲୁଚାଇ ରଖିଥିଲେ କହି ଦେଲେ । ପୁଣି ‘‘ଦମ୍ଭ ଦେଖିବାକୁ ସିବା କଲି ଛନ’’ କହି ତାଙ୍କର ‘‘ଦୁଃଖିର ଧନକୁ’’ ‘‘ସରସ ମନ ଦୁଃଖମୟ ନ କରିବାକୁ’’ ଆଶ୍ୱାସନା ଦେଲେ । ତା ପରେ ଲଳିତା ଓ ରାଧାଙ୍କର ଯେଉଁ କଥୋପକଥନ ଚଳିଲା ତାହାର ଉପଜୀବ୍ୟ ବିଷୟ ଆସନ୍ନ ମିଳନର ମଧୁର ଛବି-। ମାତ୍ର ଏହି ମାଧୁରୀରେ ସୁଦ୍ଧା ଦୁହିଁଙ୍କ ମନୋମାଳିନ୍ୟ ଓ ମୁହଁ ଫୁଲାଫୁଲିର ଅଭାବ ନଥିଲା- ତାହା ନହେଲେ ଦୀର୍ଘ ମାଧୁରୀ ମହୁଖିଆ ହୋଇଥାନ୍ତା । ଲଳିତା ଯେତେଥର ରାଧାଙ୍କ ସହିତ ଅସହଯୋଗ କରିବାକୁ ଡରାଇଲେ ତାହାର ଫଳରେ ରାଧାଙ୍କ ଠାରୁ ଚାଟୂକ୍ତି ଶ୍ରବଣର ସୁବିଧା ପାଇଲେ । ସଖୀଠାରୁ ‘‘ବିଚକ୍ଷଣ’’ ଉପାଧି ଓ ‘‘ବିନା ତୋ ପ୍ରୀତି କେ ରାତି ଅଛି ଜଗତରେ’’ ପ୍ରଭୃତି ବିଶ୍ୱସ୍ତ ବଚନ ପାଇଲା ପରେ ଦୁହିଙ୍କର ରାଜିନାମା ହୋଇଗଲା । ଲଳିତା ‘‘ଭୂମଣ୍ଡନାକୁ’’ ‘‘ଭୂରୁ ନୀଳ ଭୁଜଙ୍ଗୀ ଭ୍ରମର ଭଙ୍ଗୀ ଚାହିଁବାକୁ’’ କହି ଫୁଲ ତୋଳିବା ବାହାନାରେ ବାହାରି ଗଲେ । ହଠାତ୍‌ ବସନ୍ତର ଆଗମ ହେଲା–ପ୍ରକୃତି ପୁରୁଷର ମିଳନ ହେଲା–

 

 

ମିଶିଲା ଚାରି, ଲୋଚନବାରି- ରୁହମଦନୁ ଲଭିଲା ଚାରି

ମିଳିଲା ଶ୍ୟାମ ଗଉର ଦୁଇ ମହ

ମଧୁପଯୁବା ଲଭିଲା ଅବା ନବସରସୀରୁହ,

ମାନସଅଙ୍କ ଭେଦ ପ୍ରସଙ୍ଗ ଭଙ୍ଗ ରଚିଲା ସ୍ନେହ

ମଉଳିଗଲା ଶେଷ ସାତ୍ୱିକ ମୃଡ଼ ନୟନ ସଂଖ୍ୟକଯାକ

ମଜ୍ଜାଇଦେଲା ଦୁହିଙ୍କ ମନ ମହାମୋଦ ପ୍ରବାହ ।

Image

 

ଭାରତୀୟ ନବଜାଗରଣ

 

ପାଶ୍ଚାତ୍ୟ ଜାତିର ସଂସ୍ପର୍ଶରେ ଆସିବାଦ୍ୱାରା ଆଧୁନିକ ଯୁଗରେ ଭାରତୀୟ ସଂସ୍କୃତିରେ କି ପରିବର୍ତ୍ତନ ଘଟିଅଛି, ଭାରତର ସଭ୍ୟତା, ସାହିତ୍ୟ, ଆଚାର, ବ୍ୟବହାର, ରୀତିନୀତି କି ନୂତନ ଆକାର ଧାରଣ କରିଅଛି, ଦେଶର ବିଭିନ୍ନ ବିଭାଗର ପଥପ୍ରଦର୍ଶକମାନେ ଏ ଜାତିକୁ କେଉଁ ଦିଗରେ ଟାଣି ନେବାକୁ ଚେଷ୍ଟା କରିଅଛନ୍ତି, ଭାରତୀୟ ଚିନ୍ତାଶୀଳ ବିଜ୍ଞବ୍ୟକ୍ତିମାନଙ୍କର ଚିନ୍ତାଧାରା ଜଗତକୁ କ’ଣ ଦାନ କରିଅଛି–ଏ ସବୁର ସଂକ୍ଷିପ୍ତ ବିଚାର ଏହି ପ୍ରବନ୍ଧର ବିଷୟବସ୍ତୁ ଅଟେ ।

 

ରବୀନ୍ଦ୍ରନାଥ ତାଙ୍କର ସୁଲଳିତ କଣ୍ଠରେ ଗାଇଥିଲେ, ‘‘ପୂରୁବ ପଶ୍ଚିମ ଆସେ, ତବ ସିଂହାସନ ପାଶେ ।’’ ପ୍ରାଚ୍ୟ ଓ ପ୍ରତୀଚ୍ୟର ସମ୍ମିଶ୍ରଣରେ ଭାରତରେ ଯେଉଁ ନୂତନ ଭାବ, ନୂତନ ଚିନ୍ତା ଓ ନୂତନ ଜାଗରଣ ଉଦିତ ହେଲା, ତାହା ଯେ କୌଣସି ଜାତିର ଇତିହାସରେ ଗୌରବମୟ ହୋଇ ରହିବ ।

 

ଭାରତୀୟ ସଭ୍ୟତାର ଗୋଟିଏ ବିଶିଷ୍ଟ ଲକ୍ଷଣ Assimilation । ଯୁଗଯୁଗ ଧରି କେତେ ଜାତି କେତେ ସଭ୍ୟତା, କେତେ ଭାଷା କେତେ ଧର୍ମ ଏହି ପୁରାତନ ଦେଶକୁ ଆସିଲାଣି–ସେ ସବୁକୁ ଅଙ୍ଗୀଭୂତ କରି ନେବା ଭାରତବର୍ଷର ବୈଶିଷ୍ଟ୍ୟ । ଆର୍ଯ୍ୟ ଅନାର୍ଯ୍ୟ ସହଯୋଗରୁ ଯେଉଁ ସନାତନ ହିନ୍ଦୁ ଧର୍ମର ଆବିର୍ଭାବ ହେଲା, ଯେଉଁ ଆଧ୍ୟାତ୍ମିକ ଗବେଷଣା ଫଳରେ ଉପନିଷଦ୍‌, ଆରଣ୍ୟକ ଓ ବ୍ରହ୍ମସୂତ୍ର ପ୍ରଣୀତ ହେଲା, ସେ ସବୁ ଆଜିଯାଏଁ ଜଗତକୁ ଜ୍ଞାନାଲୋକ ପ୍ରଦାନ କରୁଅଛି । ଉପନିଷଦ୍‌ରେ ଧର୍ମର ଯେଉଁ ଶେଷତତ୍ତ୍ୱ ଆଧ୍ୟାତ୍ମିକ ଶକ୍ତିଦ୍ୱାରା ବୈଦିକ ଋଷିମାନେ ପ୍ରକାଶ କରିଥିଲେ, ତାହାର ସୀମା ଅତିକ୍ରମ କରିବାକୁ ଆଜି ପର୍ଯ୍ୟନ୍ତ କାହାର ସାଧ୍ୟ ହୋଇପାରି ନାହିଁ । ବୁଦ୍ଧଦେବଙ୍କ ଧାର୍ମିକ ଓ ସାମାଜିକ ସଂସ୍କାରରେ ବୈଦିକ ଭାରତ ବିବ୍ରତ ହେଲା ନାହିଁ, କାରଣ ବୁଦ୍ଧ ଉପନିଷଦର ତତ୍ତ୍ୱ ବ୍ୟତୀତ ଅନ୍ୟ କୌଣସି ନୂଆ କଥା କହି ନଥିଲେ । ପାର୍ଥକ୍ୟ ଏତିକି ଥିଲ, ସେ ସରଳ, ଲୋକବୋଧ୍ୟ ଭାଷାରେ ଜୀବନ୍ତ ଦୃଷ୍ଟାନ୍ତ ଦେଖାଇ ଉପନିଷଦ୍‌ ଧର୍ମକୁ ଲୋକଙ୍କ ଆଗରେ ଉପସ୍ଥାପିତ କରିଥିଲେ । ଭାରତର ଭୌତିକ ସଭ୍ୟତାର କ୍ରମବିକାଶ ସଙ୍ଗେ ସଙ୍ଗେ ବୈଦିକ ଯୁଗର ତପୋବନ ସମୂହ ବୌଦ୍ଧ ଆରାମ ଓ ବିହାରର ପରିବର୍ତ୍ତିତ ହେଲା । ପରିଶେଷରେ ମଧ୍ୟଯୁଗୀୟ ଜୟଦେବ ଗୋସ୍ୱାମୀ ବୁଦ୍ଧଦେବଙ୍କୁ ତାଙ୍କ ଦଶଅବତାର ତାଲିକାରେ ସ୍ଥାନ ଦେବାକୁ କୁଣ୍ଠାବୋଧ କଲେ ନାହିଁ । କାଳକ୍ରମେ ଦନ୍ତପୁରୀ ପୁରା ନାମରେ ନାମିତ ହୋଇ ବୁଦ୍ଧଦେବ ଜଗନ୍ନାଥ ଆକାର ଧାରଣ କଲେ ଓ ବୌଦ୍ଧ ଯାତ୍ରା ଗୁଣ୍ଡିଚା ଯାତ୍ରାରେ ପରିଣତ ହେଲା ।

 

ମଧ୍ୟ ଯୁଗରେ ମାମୁଦ ଘଜନୀ ଗୋଟିଏ ହାତରେ ଖଣ୍ଡା ଓ ଅନ୍ୟ ହାତରେ କୋରାନ ଧରି ଭାରତ ଭୂମିରେ ପଦାର୍ପଣ କଲେ ସତ୍ୟ, ମାତ୍ର ଇସଲାମ ଓ ହିନ୍ଦୁ ଧର୍ମର ପରସ୍ପର ମିଳନରେ ଉଭୟ ଜାତିର ମୈତ୍ରୀ ଦୃଢ଼ୀଭୂତ ହେଲା । ମହାରାଷ୍ଟ୍ର ବୀର ଶିବାଜୀ ଯେ କୌଣସି ଧର୍ମ ପୁସ୍ତକର ମର୍ଯ୍ୟାଦା ଅକ୍ଷୁଣ୍ଣ ରଖିବାକୁ ନିଜର ଅନୁଚରମାନଙ୍କୁ ଉପଦେଶ ଦେଇଥିଲେ । ବଙ୍ଗ ଦେଶରେ ଶ୍ରୀଚୈତନ୍ୟ ଯେଉଁ ଅଭିନବ ହୃଦୟମୁଗ୍‌ଧକାରୀ ପ୍ରେମର ନଦୀ ବୁହାଇଲେ ସେଥିରେ ହିନ୍ଦୁ ମୁସଲମାନ-ବିରୋଧ ଭାବ ଧୋଇ ହୋଇଗଲା । ଭକ୍ତ ହରିଦାସ ଚୈତନ୍ୟଙ୍କର ହେଲେ ପ୍ରଧାନ ଶିଷ୍ୟ ଓ ଭକ୍ତ । ସେ ଥିଲେ ଜାତିରେ ପଠାଣ । ଜଣେ ମୁସଲମାନ ରାମନାମ ବୋଲି ମୁକ୍ତି ପାଇବା କଥା ଦାର୍ଢ଼୍ୟତା ଭକ୍ତିରେ ଲେଖା ଯାଇଅଛି । ଗୁରୁ ନାନକ ପଞ୍ଜାବରେ, କବୀର ଓ ଦାଦୁ ଉତ୍ତର ଭାରତରେ ଉଭୟ ଧର୍ମର ସମନ୍ୱୟ କରି ସେମାନଙ୍କର ଅପୂର୍ବ ଆଧ୍ୟାତ୍ମିକ ଔଦାର୍ଯ୍ୟ ଲୋକମାନଙ୍କୁ ବୁଝାଇଥିଲେ । ସେ ସମୟରେ ଔରଙ୍ଗଜେବଙ୍କ ପରି ଜଣେ ମୁସଲମାନ ଶାସକ ଧର୍ମାନ୍ଧ ଥିଲେ ସତ, ମାତ୍ର ମୁସଲମାନ ସମ୍ରାଟ ଆକବରଙ୍କ ପରି ଲୋକର ମଧ୍ୟ ଅଭାବ ନଥିଲା । ଆକବରଙ୍କ ଧର୍ମ ସମନ୍ୱୟ ଚେଷ୍ଟା, ଉଦାର ନୀତି ଓ ଜାତୀୟ ଏକତାର ଭାବକୁ ଏକତ୍ର କରି ଲର୍ଡ଼ ଟେନିସନ ତାଙ୍କର ଯେଉଁ ‘ଆକବରଙ୍କ ସ୍ୱପ୍ନ’ ନାମକ ପଦ୍ୟଟି ଲେଖି ଅଛନ୍ତି, ତାହା ପାଠ କଲେ ମନରେ ବିପୁଳ ଶାନ୍ତି ଓ ଅପାର ଆଶା ଜନ୍ମେ, ଭାରତଭୂମିର ଉଜ୍ଜ୍ୱଳ ଭବିଷ୍ୟତ୍‍ ଆଖି ଆଗରେ ଝଲସି ଉଠେ ଏବଂ ଆଶା ଓ ଆନନ୍ଦରେ ପ୍ରାଣ ପୁଲକିତ ହୁଏ ।

 

୧୭୫୭ ଖ୍ରୀଷ୍ଟାବ୍ଦର ପଳାଶୀ ଯୁଦ୍ଧ ଜଣାଇ ଦେଲା ଯେ ଭାରତର ମାଲିକ ହେବେ ଇଂରାଜି ଜାତି । ସମାନଙ୍କର ଭାଗ୍ୟ ବଳରୁ ତତ୍‌କାଳୀନ ଭାରତୀୟ ଅବସ୍ଥା ଅତି ଶୋଚନୀୟ ଥିଲା-। ମାରପିଟ, ହାଣକାଟରେ ଭାରତୀୟମାନେ ଏତେ ଦୂର ପଥହାରା ହୋଇଥିଲେ ଯେ ସେମାନଙ୍କର ଜାତୀୟ ଆତ୍ମବୋଧ ଏକାବେଳେକେ ଲୋପପାଇ ଯାଇଥିଲା । ଚନ୍ଦ୍ରଗୁପ୍ତଙ୍କର ଏଡ଼େ ବଡ଼ ସମ୍ରାଜ୍ୟ ଖଣ୍ଡ ଖଣ୍ଡ ହୋଇଗଲା । ଏହି ସୁବଧା ଦ୍ୱାରା ଇଂରାଜିମାନଙ୍କର କ୍ଷମତା ଦିନକୁ ଦିନ ଅଭିବୃଦ୍ଧି ଲାଭକଲା; ବାଣିଜ୍ୟ ଦ୍ୱାରା ଧନ ଲାଭ, କୌଶଳ ଦ୍ୱାରା ରାଜ୍ୟ ଲାଭ; ଏପରି ସୁଦଶାବ୍ରତ ଅନ୍ୟ କୌଣସି ଜାତି ପକ୍ଷେ ପଡ଼ିଥିଲା କି ନାହିଁ ସନ୍ଦେହ । ଅଷ୍ଟାଦଶ ଶତାବ୍ଦୀରେ ଏହି ଭୀଷଣ, ହୀନପ୍ରଭ ବିଭ୍ରାଟମୟ ଅବସ୍ଥାରେ ସୁଦ୍ଧା ଭାରତ ତାହାର ମୌଳିକ ସଂସ୍କୃତି ହରାଇ ନଥିଲା । ମୁସଲମାନ ଓ ହିନ୍ଦୁ ଉଭୟଙ୍କର ପରମ୍ପରାଗତ ବିଦ୍ୟାଭ୍ୟାସ ଓ ଶାସ୍ତ୍ରପ୍ରୀତି ଯେପରି ସେପରି ଅନାହତ ଭାବେ ରହିଥିଲା । ୧୮୩୫ ଖ୍ରୀଷ୍ଟାବ୍ଦରେ ଯେତେବେଳେ ସରକାର ଦେଶବାସୀଙ୍କୁ ଶିକ୍ଷା ଦେବାର ଦାୟିତ୍ୱ ଭାର ବହନ କରିବା ସକାଶେ ଚିନ୍ତାକଲେ, ସେତେବେଳେ ସେମାନେ କେଉଁ ଧରଣର ଶିକ୍ଷା ପ୍ରବର୍ତ୍ତନ କରିବେ, ତାହା ହଠାତ୍‌ ଠିକ୍‌ କରିବାକୁ ସମର୍ଥ ହୋଇପାରି ନଥିଲେ । ସଂସ୍କୃତିପୂର୍ଣ୍ଣ ପାରମ୍ପରିକ ଶିକ୍ଷା-ପ୍ରଣାଳୀକୁ ଠେଲି ଦେଇ ପାଶ୍ଚାତ୍ୟଗତ ଆଧୁନିକ ଶିକ୍ଷା ଯୋଜନାକୁ ହଠାତ୍‌ ଦେଶରେ ପ୍ରବର୍ତ୍ତନ କରିବାକୁ ସେମାନଙ୍କର ସାହସ ହେଲା ନାହିଁ । ସେତେବେଳକୁ Bengal Asiatic Society ସ୍ଥାପିତ ହୋଇ ଯାଇଥାଏ ଓ ଅନେକ ପୁରାତନ ପୁସ୍ତକ ଇଂରାଜିରେ ଅନୁଦିତ ହୋଇ ମୁଦ୍ରିତ ଓ ପ୍ରକାଶିତ ହୋଇସାରି ଥାଏ । କମ୍ପାନୀର ଡାଇରେକ୍ଟରମାନେ ୧୮୩୫ ପୂର୍ବେ ଭାରତର ବିଦ୍ୟାବିଭବ ସମ୍ବନ୍ଧେ ମନ୍ତବ୍ୟ ଦେଇଥିଲେ–

 

We are informed that there are in the Sanskrit language many excellent systems of ethics with codes of laws and compendiums of the duties to every class of the people, the study of which will be useful to those nations who may be destined for the judicial department of Government. There are also many tracts of merits on the virtues of drugs and plants and on the application of them in medicine, the knowledge of which might prove desirable to European practitioners । ମାତ୍ର ଭାରତର ଏହି ଜ୍ଞାନ-ଭଣ୍ଡାରକୁ ରକ୍ଷା କରିବା ନିମନ୍ତେ ସରକାରଙ୍କ ଦ୍ୱାରା କିଛି କରାଗଲା ନାହିଁ । ସରକାରଙ୍କ ଅଧିକ ଶ୍ରଦ୍ଧା ଓ ଦୃଷ୍ଟି ରହିଲା ପାଶ୍ଚାତ୍ୟ ଧରଣର ଶିକ୍ଷା ଉପରେ । ତେଣୁ ମେକାଲେଙ୍କ ମନ୍ତବ୍ୟ ସରକାରଙ୍କୁ ପାଶ୍ଚାତ୍ୟ ଶିକ୍ଷା ପ୍ରତି ଅଧିକ ଭାବେ ଆକୃଷ୍ଟ କଲା । ତାହାରି ଫଳରେ ଭାରତରେ ଇଂରାଜି ଶିକ୍ଷାର ଭିତ୍ତି ସ୍ଥାପିତ ହେଲା ।

 

ମେକାଲେ ଭାବିଥିଲେ, ଭାରତରେ ଇଂରାଜି ଶିକ୍ଷା ପଦ୍ଧତିକୁ ପୂରାଇ ଦେଇ ଭାରତ ବାସୀଙ୍କୁ, "Indians in blood, but English in taste, in opinions, in morals and in intellect" କରିବେ । ସେ ପୁଣି ଆଶା କରିଥିଲେ No Hindu who has received an English education ever remains sincerely attached to his religion । ମେକାଲେଙ୍କର ଏହି ଅସାର ଆଶା କେତେକାଂଶରେ ସଫଳ ହେଲା ସତ, ମାତ୍ର ତାହାର ବିପରୀତ ଫଳ ଏତେ ବେଶୀ ହେଲା ଯେ ତଦ୍ଦ୍ୱାରା ପରବର୍ତ୍ତୀ ସମୟରେ ମେକାଲେଙ୍କ ଅଶରୀରୀ ଆତ୍ମା ନିଶ୍ଚୟ ମ୍ରିୟମାଣ ଓ ବ୍ୟଥିତ ହୋଇଥିବ । ମେକାଲେ ଭାବିଥିଲେ ଯେ ଇଂରାଜି ଶିକ୍ଷା ଲାଭ କରି ଭାରତବାସୀ ସେମାନଙ୍କର ସଂସ୍କୃତି ଓ ପରମ୍ପରାକୁ ଏକାବେଳେକେ ଭୁଲିଯିବେ ଓ ଇଂରାଜି ‘A, B’ ରେ କେବଳ ଭାରତୀୟ ସଭ୍ୟତାର ଅୟମାରମ୍ଭ ହେବ । ମାତ୍ର ଫଳରେ ତାହାର ଓଲଟା ହେଲା । ହୀରେନ୍ଦ୍ର ନାଥଙ୍କ ଭାଷାରେ, "The aim of the East India Company was undoubtedly what Gandhiji had called the ruination of the Indian culture and at first it seemed that they would succeed and that Indian culture would be swamped and lost. But the genius of the Indian culture again asserted itself and what threatened to be a dire disaster was turned into a glorious victory– Inspite of British domination there were born some of the greatest sons of India" (From Calcutta University Kamala Lectures.) ରାମାନନ୍ଦ ଚଟୋପାଧ୍ୟାୟ ମଧ୍ୟ ଏଥି ସମ୍ବନ୍ଧେ କହିଛନ୍ତି । "The ancient literature of India has become known and been recovered in great part during British rule. –Modern Indian literatures and Indian art have their revival and a new creative urge during the British period of Indian history"

 

ତତ୍କଳୀନ ନବଭାରତର ପିତା ରାଜାରାମମୋହନରାୟ ମେକାଲେଙ୍କ ସପକ୍ଷରେ ଥାନ୍ତି-। ମେକାଲେଙ୍କ ମତର ସେ ଥିଲେ ପ୍ରଧାନ ଅବଲମ୍ବନ । ତେଣୁ ମେକାଲେ ତାଙ୍କ ମତର ଅଧିକ ସମର୍ଥନ ସକାଶେ କହିଥିଲେ–

 

Even patriotic and enlightened Indians like Raja Rammohan Roy, admitted that their own languages possessed little that was worth knowing and asked for western education. ମାତ୍ର ସେହି ରାମମୋହନ ଇଂରାଜି ଭାଷା ଶିକ୍ଷା କରି, ବିଲାତରେ ମୃତ୍ୟୁ ପର୍ଯ୍ୟନ୍ତ ଅଧିବାସ କରି ସୁଦ୍ଧା ରକ୍ତରେ ଭାରତୀୟ, ଶ୍ରଦ୍ଧାରେ ଇଂରାଜି ହୋଇ ନ ଥିଲେ । ସେ ଖ୍ରୀଷ୍ଟିଆନ୍‍ ଧର୍ମ ଗ୍ରନ୍ଥର ମୂଳ ତତ୍ତ୍ୱ ବୁଝିବା ଉଦ୍ଦେଶ୍ୟରେ ବାଇବଲ୍‍କୁ ଇଂରାଜି ଓ ହିବ୍ରୁ ଉଭୟ ଭାଷା ମାଧ୍ୟମରେ ଅଧ୍ୟୟନ କଲେ । ମାତ୍ର ତଦ୍ଦ୍ୱାରା ସେ ନିଜ ଧର୍ମ ପ୍ରତି ବିରକ୍ତ କିମ୍ବା ବୀତଶ୍ରଦ୍ଧ ହୋଇ ନଥିଲେ । ବରଂ ସେ ଉପନିଷଦ୍ ଧର୍ମର ସାରତତ୍ତ୍ୱକୁ ପ୍ରଚାର କରି ଉପନିଷଦ୍‍ର ବ୍ରହ୍ମୋପାସନା ଭାରତରେ ପୁନର୍ବାର ପ୍ରତିଷ୍ଠା କରିଥିଲେ । ଗାୟତ୍ରୀର ପ୍ରକୃତ ତାତ୍ପର୍ଯ୍ୟ ଲୋକଙ୍କୁ ବୁଝାଇ, ଅନ୍ଧବିଶ୍ୱାସ, ଅର୍ଥହୀନ ନୈଷ୍ଠିକତା ଆଦି କୁସଂସ୍କାରମାନ ସମାଜରୁ ନିଷ୍କାଶନ କରିବା ସକାଶେ ପ୍ରଗାଢ଼ ଚେଷ୍ଟା ଓ ଅଧ୍ୟବସାୟ କରିଥିଲେ । ସଂସ୍କାରକ ରାମମୋହନଙ୍କ ପ୍ରାଣପଣ ଉଦ୍ୟମ ଯୋଗୁହିଁ ସତୀଦାହ ପ୍ରଥା ଭାରତବର୍ଷରୁ ବିଲୁପ୍ତ ହୋଇଥିଲା । ଆଜି ରାମମୋହନଙ୍କ ପରି କର୍ମୀଙ୍କ ଅଭାବରୁ ସରକାରଙ୍କ ଆଇନ ସତ୍ୱେ ବାଲ୍ୟ ବିବାହ, ଅସ୍ପୃଶ୍ୟତା ଓ ଜାତିଭେଦ ଆଦି କେତୋଟି ସମାଜ ବିରୋଧୀଭାବ ହିନ୍ଦୁ ସମାଜକୁ ଆହୁରି ଭିଡ଼ିଧରି ରଖିଅଛି । ରାଜା ରାମମୋହନଙ୍କ ବୁଦ୍ଧି, ଧର୍ମବିଶ୍ୱାସ, ଭଗବଦ୍‍ଭକ୍ତି ଓ ଉଦାର ଭାବରେ ଇଂଲଣ୍ଡବାସୀ ମୁଗ୍ଧ ହୋଇ ତାଙ୍କୁ ବିଶେଷ ଗୌରବ ପ୍ରଦାନ କରୁଥିଲେ । ସେ ଇଂଲଣ୍ଡରେ ଭାରତୀୟ କୃଷ୍ଟି ଓ ସଭ୍ୟତାର ବେସରକାରୀ ଦୂତ ହୋଇ ରହିଥିଲେ ବୋଲି କୁହାଯାଇ ପାରେ । ଧର୍ମ ବ୍ୟତୀତ ରାମମୋହନ ବଙ୍ଗୀୟ ସାହିତ୍ୟର ମଧ୍ୟ ମହୋପକାର କରିଅଛନ୍ତି । ହିନ୍ଦୁ ଧର୍ମ ଗ୍ରନ୍ଥକୁ ଇଂରାଜି ଭାଷାରେ ଲେଖି ସ୍ୱଧର୍ମର ଗୌରବ ବିଦେଶୀଙ୍କ ସମ୍ମୁଖରେ ଉପସ୍ଥାପିତ କରିଥିଲେ । ବଙ୍ଗ ସାହିତ୍ୟର ଇତିହାସରେ ଗଦ୍ୟ ରଚନାର ପ୍ରବର୍ତ୍ତକ ଅଟନ୍ତି ଏହି ରାଜା ରାମମୋହନ । ସେ ସ୍ୱଦେଶର କୁସଂସ୍କାର ଓ ଅନ୍ଧ ବିଶ୍ୱାସକୁ ଘୃଣା କରି ରକ୍ଷଣଶୀଳମାନଙ୍କୁ ତୀବ୍ର ସମାଲୋଚନା କରୁଥିଲେ ସତ୍ୟ; ତାହା ବୋଲି ନିଜ ମାତୃଭୂମିର ଗୌରବ, ପ୍ରାଚୀନ ଭାରତର ଶିକ୍ଷା, ସଭ୍ୟତା ଓ ଧର୍ମ ପ୍ରତି ଅନୁରାଗ ପୁଣି ତତ୍କାଳୀନ ସମାଜ ସେବାରେ ସେ ଅବହେଳା କରୁ ନଥିଲେ । ସେ ଭାରତରେ ପାଶ୍ଚାତ୍ୟ ଶିକ୍ଷା ପ୍ରବର୍ତ୍ତନର ପକ୍ଷପାତୀ ଥିଲେ ସୁଦ୍ଧା ସେ କିପରି ଭାରତର ପ୍ରାଚୀନ ସଂସ୍କୃତିରେ ବିଶ୍ୱାସୀ ଥିଲେ ତାହା ଜଣେ ଲେଖକଙ୍କ ଉକ୍ତିରୁ ସ୍ପଷ୍ଟ ହୁଏ–

 

While Macaulay aimed at the establishment of an alien culture by supplanting that which belonged to the land, the object which Rammohan Roy cherished in his heart was a harmonious blending of the two. Macaulay wanted the English system to suppress the Indian culture, while Rammohan Roy wanted its help only so far as the removal of ignorance and evil customs were concerned. To Macaulay oriental literature was not worth the paper it was written upon; to Rammohan Roy it was an everlasting source of strength and solace. The whole of Rammohan's life was spent in a critical and earnest study of the ancient sastras and other works in Sanskrit–All he did and preached was inspired by a supreme sense of national self respect". (G L Chandavarkar. Modern Review)

 

ମେକାଲେଙ୍କ ଶିକ୍ଷା ପଦ୍ଧତି କେତେ ଦିନ ପ୍ରଚଳିତ ହେବା ପରେ ଭାରତର ପ୍ରାଚୀନ ଶାସ୍ତ୍ରନିଚୟ ଭାରତବାସୀ ପୁଙ୍ଖାନୁପୁଙ୍ଖ ଭାବେ ସମାଲୋଚନା ଦୃଷ୍ଟିରେ ଅଧ୍ୟୟନ କଲେ । ଏହି ଧରଣର ପାଠକୁ ହିଁ Indian Renaissance ବା ଭାରତର ନବଜାଗରଣ କହନ୍ତି । ବେଦ ପୁରାଣାଦି ଗ୍ରନ୍ଥକୁ ସମାଲୋଚନା ଦୃଷ୍ଟିରେ ପଢ଼ିବା ଫଳରେ ଦେଶରେ ଗୋଟିଏ ନୂତନ ଚେତନା ଜାଗ୍ରତ ହେଲା, ଦେଶବାସୀଙ୍କ ହୃଦୟରେ ଆତ୍ମବିଶ୍ୱାସ ଫେରି ଆସିଲା ଓ ଦେଶରେ ଅତୀତ-ଆତ୍ମଗୌରବ ଓ ଆତ୍ମପ୍ରସାଦର ଭାବ ଜାଗିଉଠିଲା । ଦୟାନନ୍ଦ ସରସ୍ୱତୀ ବୈଦିକ ଧର୍ମକୁ ଆଧୁନିକ ଯୁଗର ବେଷ୍ଟନୀ ସହିତ ସମାବେଶ କରି ଆର୍ଯ୍ୟ ସମାଜ ନାମକ ଗୋଟିଏ ସଂସ୍କାରମୂଳକ ଅନୁଷ୍ଠାନ ପ୍ରତିଷ୍ଠା କଲେ । ସ୍ୱରଚିତ ‘ସତ୍ୟାର୍ଥ ପ୍ରକାଶ’ ନାମକ ପୁସ୍ତକରେ ସେ ବେଦ ଧର୍ମକୁ ଆଧୁନିକ ବୈଜ୍ଞାନିକ ଓ ପ୍ରମାଣମୂଳକ ରୀତିରେ ଲେଖି ବେଦର ପ୍ରକୃତ ଅର୍ଥ ଓ ଭାବ ପ୍ରଚାର କଲେ । ବ୍ରାହ୍ମ ଧର୍ମ ହେତୁ ଯେପରି ବଙ୍ଗ ଦେଶର ଶିକ୍ଷିତ ଯୁବକ ସମ୍ପ୍ରଦାୟ ଇତର ଧର୍ମ ଗ୍ରହଣ ନ କରି ପୁରାତନ ଉପନିଷଦର ଆଶ୍ରୟ ନେଲେ, ସେହିପରି ଉତ୍ତର ଭାରତର ହିନ୍ଦୁ ଯୁବକମାନେ ଆର୍ଯ୍ୟ ସମାଜରେ ଯୋଗଦାନ କରି ବୈଦିକ ଧର୍ମର ପୁନରୁଦ୍ଧାର କଲେ । ଏଥିରୁ ପାଠକେ ସ୍ପଷ୍ଟ ଦେଖି ପାରିବେ, ପାଶ୍ଚାତ୍ୟ ଶିକ୍ଷା ହେତୁ ପ୍ରାଚୀନ ଭାରତୀୟ ସଂସ୍କୃତିର କ୍ଷତି ଘଟିଲା ନାହିଁ, ବରଂ ବେଦ ଉପନିଷଦ୍ ଇତ୍ୟାଦି ପୁରାତନ ଗ୍ରନ୍ଥଗୁଡ଼ିକ ନୂତନ ତେଜରେ, ନୂତନ ସୌନ୍ଦର୍ଯ୍ୟରେ ଓ ନୂତନ ବିଭବରେ ବିଭାସିତ ହେଲା । ଆର୍ଯ୍ୟ ସମାଜର ପ୍ରତିଷ୍ଠା ପରେ ସ୍ୱାମୀ ବିବେକାନନ୍ଦଙ୍କ ବଜ୍ର ଗମ୍ଭୀରବାଣୀ ଜଗତକୁ ଚମତ୍କୃତ କଲା । ଯୀଶୁ ଖ୍ରୀଷ୍ଟଙ୍କ ଧର୍ମ ଜଗତବିଖ୍ୟାତ ହୋଇଥିଲା ସମ୍ରାଟ କନଷ୍ଟଣ୍ଟିନଙ୍କ ହେତୁ । ମହାରାଜା ଅଶୋକ ପ୍ରସାର କରିଥିଲେ ବୁଦ୍ଧଦେବଙ୍କର ଅହିଂସା ଧର୍ମ । ରାମକୃଷ୍ଣଙ୍କ ବେଦାନ୍ତ ଧର୍ମ ପ୍ରକଟିତ ହେଲା ସ୍ୱାମୀ ବିବେକାନନ୍ଦଙ୍କ ମାଧ୍ୟମରେ । ସ୍ୱାମୀଜୀଙ୍କ ଜୀବନୀ ଆଲୋଚନା କଲେ ଶଙ୍କରାଚାର୍ଯ୍ୟଙ୍କ ଧୀ ଶକ୍ତି ଓ ଦିଗ୍‌ବିଜୟ ମନକୁ ସ୍ୱତଃଆସିଯାଏ । ଆଧୁନିକ ଯୁଗର ଶଙ୍କର ପ୍ରବୀଣତାରେ, ଧୀ ଶକ୍ତିରେ, ଦାଶର୍ନିକ ତତ୍ତ୍ୱ ପ୍ରକଟନରେ ଏବଂ ସ୍ୱ ମତ ପ୍ରଚାର ଓ ଅନୁଷ୍ଠାନ ଗଠନରେ ଶଙ୍କରାଚାର୍ଯ୍ୟଙ୍କ ଠାରୁ ନ୍ୟୂନ ନଥିଲେ-। ମାତ୍ର ବୁଝି ରଖିବାକୁ ହେବ ଆଧୁନିକ ଯୁଗର ଏହି ନବୀନ ଶଙ୍କର କଲିକତା ବିଶ୍ୱବିଦ୍ୟାଳୟର ବି.ଏ. ଉପାଧିଧାରୀ ଜଣେ ଛାତ୍ର–ନରେନ୍ଦ୍ରନାଥ । ମେକାଲେଙ୍କ ବିଶ୍ୱବିଦ୍ୟାଳୟରୁ ଜଣେ ବେଦାନ୍ତ ପ୍ରଚାରକ ବିବେକାନନ୍ଦ ଉତ୍ପନ୍ନ ହେବେ ବୋଲି ମେକାଲେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ । ଭାରତରେ, ଇଂଲଣ୍ଡରେ ପୁଣି ଆମେରିକାରେ ବିବେକାନନ୍ଦ ଭାରତର ବେଦାନ୍ତ ଧର୍ମ ପ୍ରଚାର କରି ସାରା ଜାତିର ନିଶ୍ଚେଷ୍ଟ ପ୍ରାଣରେ ଗୋଟିଏ ନୂତନ ଶକ୍ତି, ନୂତନ ଜାଗରଣ, ନୂତନ ଚେତନା ଆଣି ଦେଇଥିଲେ । ପାଶ୍ଚାତ୍ୟ ଶିକ୍ଷାଜନିତ ମୁଢ଼ଧାରଣା ତାଙ୍କ ପ୍ରବଳ ପ୍ରଚାର ବଳରେ ଅପସାରିତ ହେଲା । ଭାରତବାସୀ ଭାରତର ଅତୀତକୁ ଆଉ ବିଲାତୀ ଚଷମାରେ ଦେଖିବା ଦୁରଭ୍ୟାସ ତ୍ୟାଗ କଲେ । ବିବେକାନନ୍ଦ ଭାରତବାସୀଙ୍କୁ ନୂତନ ଚକ୍ଷୁ ପ୍ରଦାନ କଲେ । ସେହି ଦିବ୍ୟଚକ୍ଷୁରେ ସେମାନେ ଦେଖିଲେ ସେମାନଙ୍କ ଜନ୍ମଭୂମିର ଅତୀତ କେଡ଼େ ସୁନ୍ଦର, କେଡ଼େ ମହିମାମୟ ଓ କେଡ଼େ ଉଜ୍ଜ୍ୱଳ । ସୋଽହଁ ଭାବଦ୍ୱାରା ଲୋକେ ଗୃହତ୍ୟାଗ କରି ବନକୁ ଯିବାକୁ ସେ କହିଲେ ନାହିଁ-। ତାଙ୍କର ସନ୍ଦେଶ ଥିଲା କେବଳ ଏହି ସଂସାରର ସଂସାରୀ ହୋଇ ବେଦାନ୍ତ ଧର୍ମକୁ ପାଳିବାକୁ ହେବ । ଶାରୀରିକ ଶକ୍ତିକୁ କ୍ଷୟ କରିବାକୁ, ଧନ ତ୍ୟାଗ କରି ନିଃସ୍ୱ ହେବାକୁ କିମ୍ବା ଭାବବିହ୍ୱଳ ହୋଇ କର୍ମତ୍ୟାଗ କରିବାକୁ ସେ କଦାଚ ଉପଦେଶ ଦେଉ ନଥିଲେ । ସୁପ୍ତ ଭାରତକୁ ଜାଗ୍ରତ କରିବାହିଁ ତାଙ୍କ ଜୀବନର ବ୍ରତ ଥିଲା ।

 

ରାମକୃଷ୍ଣ ପରମହଂସ ଓ ସ୍ୱାମୀ ବିବେକାନନ୍ଦଙ୍କ ଅବିର୍ଭାବ ଅତି ଉପଯୁକ୍ତ ସମୟରେ ହୋଇଥିଲା । ପାଶ୍ଚାତ୍ୟ ଶିକ୍ଷାର ପ୍ରବଳ ସ୍ରୋତରେ ଯେତେବେଳେ ଭାରତବାସୀ ଭାସି ଯାଇ ମେକାଲେଙ୍କ ଲକ୍ଷ୍ୟସ୍ଥଳ Denationalisationର ନିକଟବର୍ତ୍ତୀ ହେଉଥିଲେ, ସେତେବେଳେ ସେହି ସ୍ରୋତର ପ୍ରତିକୂଳ ହୋଇ ଏହି ଦୁଇଜଣ ଯୁଗଜନ୍ମା ପୁରୁଷ ଭାରତୀୟ ସଂସ୍କୃତିକୁ ବଞ୍ଚାଇ ରଖିଲେ । ଜଣେ ଲେଖକ କହିଲାପରି ରାମକୃଷ୍ଣ ବିବେକାନନ୍ଦଙ୍କୁ ଭଗବଦ୍ ପ୍ରେରିତ ଅସ୍ତ୍ର ପରି ପାଇଥିଲେ । ରାମକୃଷ୍ଣଙ୍କ ସନାତନ ଧର୍ମର ସାରତତ୍ତ୍ୱ ସହିତ ପାଶ୍ଚାତ୍ୟ ଶିକ୍ଷାର ଚପଳତା ମିଶାଇ ବିବେକାନନ୍ଦ ଗୋଟିଏ ଅପୂର୍ବ ସମନ୍ୱୟ ରଚନା କଲେ । ଏହି ସମନ୍ୱୟ ଦ୍ୱାରା ଆଧୁନିକ ଭାରତ ପାଶ୍ଚାତ୍ୟ ଶିକ୍ଷାର ମାଧ୍ୟମରେ ଭାରତର ପ୍ରାଚୀନ ସଂସ୍କୃତି ଓ ଆଦର୍ଶ ସଂଜୀବିତ କରିବାକୁ ସମର୍ଥ ହେଲା ।

 

ମହାତ୍ମାଗାନ୍ଧିଙ୍କ ହରିଜନ ଆନ୍ଦୋଳନର ମୂଳ ବୀଜ ପକାଇ ଥିଲେ ସ୍ୱାମୀ ବିବେକାନନ୍ଦ । ସେ ଦରିଦ୍ର ନାରାୟଣ ସେବା ବ୍ରତର ପ୍ରଥମ ପୁରୋଧା ଥିଲେ । ସେ ଭାରତର ଅତୀତକୁ, ବେଦାନ୍ତ ତତ୍ତ୍ୱକୁ, ହିନ୍ଦୁର ସଭ୍ୟତାକୁ ଏଡ଼େ ପ୍ରାଞ୍ଜଳ, ଏଡ଼େ ସ୍ପଷ୍ଟ ଓ ଏଡ଼େ ଗମ୍ଭୀର ଭାବେ ବୁଝାଇ ଥିଲେ ଯେ ସେହି ଦିନଠାରୁ ଭାରତ ପ୍ରତି ପାଶ୍ଚାତ୍ୟ ଅଧବାସୀମାନଙ୍କର ଭାବ ଓ ଧାରଣା ଭଲଆଡ଼କୁ ପରିବର୍ତ୍ତିତ ହେଲା । ଭାରତର ପ୍ରକୃତ ଗାରିମା ହୃଦୟଙ୍ଗମ କରିବାକୁ ସେମାନେ ପରିଶେଷରେ ସମର୍ଥ ହେଲେ । ଚିକାଗୋ ସହରରେ ଯେଉଁ ଧର୍ମ ମହାସଭା ବସିଥିଲା, ସେଥିରେ ବକ୍ତୃତା ଦେବାକୁ ବିବେକାନନ୍ଦ ଅତି କଷ୍ଟରେ ମୋଟେ ପାଞ୍ଚଟି ମିନିଟ ସମୟ ପାଇଥିଲେ । କିନ୍ତୁ ମୁଗ୍‌ଧ ଜନତା ତାଙ୍କର ବଜ୍ର ଗମ୍ଭୀର ସମ୍ବାଜ ଶୁଣିବାକୁ ଏକଘଣ୍ଟା ସମୟ ବଢ଼ାଇ ଦେଇଥିଲା । ସେହି ଦିନଠାରୁ ଆମେରିକାରେ ରାମକୃଷ୍ଣ ଧର୍ମ ଓ ଅନୁଷ୍ଠାନ ପ୍ରସାର ଲାଭ କଲା । ଏପରି ବିଶ୍ୱନମସ୍ୟ ବିବେକାନନ୍ଦଙ୍କ ଜନ୍ମ ଯେଉଁ ଦେଶରେ, କାହାର ସାଧ୍ୟ ସେହି ଦେଶର ସଂସ୍କୃତିକୁ ଧ୍ୱଂସ କରିବ ?

 

ପାଶ୍ଚାତ୍ୟ ଧରଣର ଶିକ୍ଷା ଦ୍ୱାରା ମେକାଲେଙ୍କର ଆଉ ଗୋଟିଏ ଆଶା ରହିଥିଲା । ସେ ଆଶା କରିଥିଲେ ଯେ ରାଜନୀତି କ୍ଷେତ୍ରରେ ଭାରତବାସୀ ଇଂଲଣ୍ଡର ଗଣତାନ୍ତ୍ରିକ ପ୍ରଣାଳୀକୁ ଅନୁକରଣ କରି କାଳକ୍ରମେ ଭାରତକୁ ମଧ୍ୟ ବିଲାତ ପରି ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ର କରିବାକୁ ସମର୍ଥ ହେବେ । ତାଙ୍କର ଏହି ଭବିଷ୍ୟତ୍‍ବାଣୀ ଅନେକ ଦୂର କାହିଁକି, ସଂପୂର୍ଣ୍ଣ ଭାବେ ସତ୍ୟ ହୋଇଅଛି । ସେ କହିଥିଲେ–

 

"These subjects (Indians) having become instructed in European knowledge may in some future age demand European institutions." ସେ ଗର୍ବଭରେ ଘୋଷଣା କରିଥିଲେ, "Whether such a day will ever come I know not. But never will I attempt to avert or retard it. Whenever it comes, it will be the proudest day in English history". ନ୍ରୋ ସାର ଥୋମାସ ମାନ୍ତୋ ନାମକ ଆଉ ଜଣେ ବ୍ରିଟିଶ ଶାସକ ମାନ୍ଦ୍ରାଜର ଲାଟରୂପେ କାର୍ଯ୍ୟ କରୁଥିଲେ । ସେ ମଧ୍ୟ ଆଶା କରିଥିଲେ–

 

"The character of the Indian subjects would so far improve by Western education as to enable them to govern and protect themselves." ବୈଦେଶିକମାନଙ୍କର ଏପରି ଉଦାର ଓ ଆଶାଜନକ ଉକ୍ତିର ଠିକ୍ ପଚାଶ ବର୍ଷ ପରେ ୧୮୮୫ ଖ୍ରୀଷ୍ଟାବ୍ଦରେ ବୋମ୍ବେ ନଗରୀରେ ସର୍ବ ପ୍ରଥମ ଜାତୀୟ କଂଗ୍ରେସ ଅଧିବେଶନ ବସିଥିଲା ଓ ସର୍ବପ୍ରଥମେ ଭାରତର ସ୍ୱାୟତ୍ତଶାସନ ଦାବୀ ଉପସ୍ଥାପିତ ହୋଇଥିଲା । କଂଗ୍ରେସ ଆନ୍ଦୋଳନର ଶେଷ ପରିଣାମ ହେଲା ଭାରତର ସ୍ୱରାଜ୍ୟ ଲାଭ ଓ ଏହି ସ୍ୱରାଜ୍ୟ ପୁଣି ଗଣତାନ୍ତ୍ରିକ ପ୍ରଣାଳୀରେ ଚାଳିତ । ଏହି ଗଣତନ୍ତ୍ର ଭାବ ଭାରତ ଇତିହାସରେ କ୍ରମବିକାଶ ଲାଭ କଲା ବ୍ରିଟିଶ ଯୁଗରେ । ଆଧୁନିକ ଶିକ୍ଷାର ଫଳସ୍ୱରୂପ ଏପରି ହେବା ଅତି ସ୍ୱାଭାବିକ । ସ୍କୁଲ କଲେଜରେ ମିଲଠୁଁ ଆରମ୍ଭ କରି ବେର୍ନାଡ଼ଶା ଯାଏଁ ପଢ଼ିବା ପରେ କେଉଁ ଭାରତୀୟ ଜାତୀୟ ଓ ଗଣତନ୍ତ୍ର ଭାବରେ ଉଦ୍‌ବୁଦ୍ଧ ନ ହେବ ? ୧୨୧୫ର ମାଗ୍ନାକାର୍ଟାଠାରୁ ଆରମ୍ଭ କରି ୧୯୩୮ର ପାର୍ଲମେଣ୍ଟ ଇଙ୍ଗିତରେ ଅଷ୍ଟମ ଏଡଉଆର୍ଡ଼ଙ୍କ ଗାଦି ତ୍ୟାଗ ପର୍ଯ୍ୟନ୍ତ ବିଦ୍ୟାଳୟରେ ଶିକ୍ଷା ଲାଭ କରି କେଉଁ ଭାରତୀୟ ଯୁବକ ଗଣତନ୍ତ୍ର ଶାସନରେ ମନ ନ ବଳାଇବ-? ପେଷ୍ଟଳଜି, ମଣ୍ଟସୋରି, ରୁଷୋ ଓ ଫ୍ରୋବେଲଙ୍କ ଶିକ୍ଷା ପଦ୍ଧତି ଜାଣି ଭାରତର କେଉଁ ଶିକ୍ଷାବିତ୍, ପୁରାଣ ଶିକ୍ଷା ପ୍ରଣାଳୀର ସଂସ୍କାର କରିବାକୁ ଇଚ୍ଛା ନ କରିବ ?

 

ନୂତନ ଯୁଗର ଏହି ନବଜାଗରଣ ହେତୁ ଭାରତବର୍ଷ ତାହାର ପୁରାତନ ଆତ୍ମାକୁ ନୂତନ ଭାବରେ ଲାଭ କରିଅଛି ଓ ପୁରାତନ ଆଲୋକ ଧରି ନୂତନ ମାର୍ଗରେ ଚାଲିବାକୁ ସମର୍ଥ ହୋଇଅଛି । ଦେଶର ରାଜନୈତିକ ଆନ୍ଦୋଳନକୁ ବାଳଗଙ୍ଗାଧର ତିଳକ ଗୋଟିଏ ନୂତନ ପ୍ରଣାଳୀରେ ଚଳାଇବାକୁ ଲାଗିଲେ । ନତଜାନୁରେ, ବୈଦେଶିକ ଶାସକଙ୍କ ସମ୍ମୁଖରେ ନିଜମାତୃଭୂମିର ସ୍ୱାଧୀନତା ଭିକ୍ଷାକୁ କର୍ମଯୋଗୀ, ଗୀତାରହସ୍ୟ ରଚୟିତା, ଆର୍ଯ୍ୟ ସଭ୍ୟତାର ମୂଳଭୂମି ଆବିଷ୍କାରକ ତିଳକ ଘୃଣାଚକ୍ଷୁରେ ଦେଖୁଥିଲେ । ସେ କାକୁତି ମିନତିର ଭାବକୁ ପରିଷ୍କାର ଭାବେ ତ୍ୟାଗ କରି ବୀରୋଚିତ ବଜ୍ର ଗମ୍ଭୀର ସ୍ୱରରେ ଆକୁମାରୀ ହିମାଚଳ କମ୍ପାଇ ଦେଲେ । ସେ ଉବ୍ଦୋଧନ ଦେଇଥିଲେ, ‘‘ସ୍ୱରାଜ୍ୟ ମୋର ଜନ୍ମ ଅଧିକାର ।’’ ନିଜର ଜନ୍ମ ଅଧିକାର କିଏ କାହାକୁ ଦିଏ ନାହିଁ । ତାହା ଆପେ ଆପେ ଆସିଯାଏ ଉପରୁ ତଳକୁ ପାଣି ଖସିଲାପରି । ଦେବା ନ ଦେବା ଅଧିକାର କାହାର ନାହିଁ । ଏହି ନୂତନ ଭାବରେ ଅନୁପ୍ରାଣିତ ହୋଇ ଭାରତବାସୀ ସେମାନଙ୍କ ଜାତୀୟ ଆନ୍ଦୋଳନକୁ ଅଧିକ କାର୍ଯ୍ୟକ୍ଷମ ଓ ଶକ୍ତିଶାଳୀ କଲେ । ଏହି ଆନ୍ଦୋଳନ କେବଳ ସଭାସମିତିର ଲମ୍ବା ଲମ୍ବା ଆଳଙ୍କାରିକ ପ୍ରସ୍ତାବାବଳୀରେ ପର୍ଯ୍ୟବସିତ ନ ହୋଇ ଜାତିର ପ୍ରାଣକୁ ସ୍ପର୍ଶ କଲା ଓ ଏହାର ପରଣାମରୂପେ ଜାତୀୟ ଶକ୍ତିର ଉଦ୍ରେକ ହେଲା । ଭାରତୀୟ ଜାତିକୁ ତିଳକ ମହାରାଜ ବୁଝାଇଲେ ଯେ କେବଳ ନିଜ ବଳରେ, ନିଜ ଶକ୍ତିରେ ନିଜ କର୍ମ ଓ ଅଧ୍ୟବସାୟରେ ମାତୃଭୂମିର ମୁକ୍ତି ସମ୍ଭବ ହେବ । ତିଳକ ଜୀବନ ଚରିତ ପାଠ କଲେ ତାଙ୍କ ଚରିତ୍ରର ମହନୀୟତା ହୃଦୟଙ୍ଗମ କରି ହୁଏ । ତାଙ୍କୁ ଥରେ ଜଣେ ପଚାରିଥିଲେ, ‘‘ଭାରତର ସ୍ୱରାଜ୍ୟ ଲାଭ ପରେ ଆପଣ କେଉଁ ଉଚ୍ଚ ପଦରେ ରହିବେ ?’’ ତାଙ୍କଠାରୁ ଉତ୍ତର ଆସିଲା, ‘‘ସ୍ୱରାଜ୍ୟ ଘୋଷଣାର ଠିକ୍‌ ପରଦିନ ମୋର ପ୍ରିୟ ଅନୁଷ୍ଠାନ ଫର୍ଗୁସନ କଲେଜରେ ଗଣିତ ଶାସ୍ତ୍ର ଗବେଷଣାରେ ମୁଁ ପୁନର୍ବାର ଯାଇ ଲାଗିଯିବି ।’’ ଆଜି କାଲିର Power Politics ଯୁଗରେ, ଗାନ୍ଧିଜୀଙ୍କ ଭାଷାରେ cashing one's sacrificeର ବାତାବରଣ ଭିତରେ ତିଳକଙ୍କର ଏହି ନିଃସ୍ୱାର୍ଥପର ସରଳ ଉକ୍ତି ମରୁଭୂମିରେ ମରୁଦ୍ୟାନର ଶୀତଳବାୟୁ ପରି ଅନୁଭୂତ ହୁଏ ।

 

ଊନବିଂଶ ଶତାବ୍ଦୀର ପରାର୍ଦ୍ଧ ଭାଗରେ ଦେଶ ସେବା ଭାରତର ଗୋଟିଏ ଧର୍ମ ସଦୃଶ ବିବେଚିତ ହେବାକୁ ଲାଗିଲା । ‘‘ଜନନୀ ଜନ୍ମ ଭୂମିଶ୍ଚ ସ୍ୱର୍ଗାଦପି ଗରୀୟସି’’ ର ସାର୍ଥକତା ଏହି ଯୁଗରେ ଭାରତବାସୀ ମର୍ମେ ମର୍ମେ ଅନୁଭବ କରିବାକୁ ଲାଗିଲେ । ଦେଶ-ସେବାକୁ ଜୀବନର ବ୍ରତ କରି, ଦେଶର ଉନ୍ନତି ଚିନ୍ତାରେ, କେତେ ବୀର ନିଜ ପ୍ରାଣ ତ୍ୟାଗ କରିଥିଲେ । ଦେଶ ସେବାକୁ ଜୀବନର ମୁଖ୍ୟ କର୍ତ୍ତବ୍ୟ କରି ଗୋପାଳକୃଷ୍ଣ ଗୋଖେଲ ତାଙ୍କର ଭାରତ-ସେବକ ସମାଜ (ବର୍ତ୍ତମାନ ପରିବର୍ତ୍ତିତ ନାମ ହିନ୍ଦ୍‌ ସେବକ ସଙ୍ଘ) ସ୍ଥାପନ କରିଥିଲେ । ଏପରି ଦେଶ ସେବାର ପବିତ୍ର ଆଦର୍ଶ ଭାରତ ବ୍ୟତୀତ ଅନ୍ୟତ୍ର ବିରଳ କହିଲେ ଚଳେ । ଗୋଖଲେ ଦେଶ ସେବା ବ୍ରତରେ ବ୍ରତୀ ହୋଇ ନିଜର ସମଗ୍ର ଜୀବନକୁ ଏହି ନବଧର୍ମ ପାଳନରେ ନିଯୁକ୍ତ କଲେ । ତାଙ୍କ ସେବା ଓ ତ୍ୟାଗ ଧର୍ମରେ ଅନୁପ୍ରାଣିତ ହୋଇ ଆଜଯାଏଁ ଦେଶର ଅନେକ ବ୍ୟକ୍ତି ଦେଶ ସେବା ବ୍ରତରେ ଲାଗିଛନ୍ତି । ପଞ୍ଜାବ-କେଶରୀ ଲଜପତ ରାୟ ସେହିପରି ଅନ୍ୟ ଏକ ଅନୁଷ୍ଠାନ ଗଢ଼ିଥିଲେ, ଲୋକ-ସେବକ-ସଂଘ । ଉତ୍କଳମଣି ସ୍ୱର୍ଗୀୟ ଗୋପବନ୍ଧୁ ଲୋକ ସେବକ ସଙ୍ଘରେ ରହିଥିଲେ ।

 

ତିଳକ, ଗୋଖଲେ, ଗୋପବନ୍ଧୁ ପ୍ରଭୃତି ଜାତୀୟ ବୀରବୃନ୍ଦ ଭାରତୀୟ ସଂସ୍କୃତିର ଉନ୍ନତି ବିଧାନାର୍ଥେ ବହୁତ ତ୍ୟାଗ କରିଅଛନ୍ତି, ବହୁ କଷ୍ଟ ସ୍ୱୀକାର କରିଅଛନ୍ତି । ତଦ୍ଦ୍ୱାରା ଦେଶ ବିଶେଷ ଅଂଶରେ ଉପକୃତ ହୋଇଅଛି । ସେମାନଙ୍କ ନିର୍ଦ୍ଦେଶରେହିଁ ଦେଶବାସୀ ନିଜର ଜନ୍ମଭୂମିକୁ ଭଲଭାବେ ଚିହ୍ନି ପାରି ଅଛନ୍ତି । ତିଳକଙ୍କ ଗୀତା ରହସ୍ୟର କର୍ମଯୋଗ ଜାତିକୁ ନୂତନ ପ୍ରେରଣା ଦେଇଅଛି । ସମାଜ ପତ୍ରିକା ପ୍ରକାଶିତ ହେବାପରେ ଉତ୍କଳର ରାଜନୀତି, ସମାଜନୀତି ଓ ଲୋକ ସାହିତ୍ୟରେ ଯେଉଁ ନୂତନ ଆଲୋକ ଲୋକେ ପାଇଛନ୍ତି, ତାହା ଗୋପବନ୍ଧୁଙ୍କର ଅମୁଲ୍ୟ ଦାନ । ତାଙ୍କ ଜୀବନୀ ଓ କାର୍ଯ୍ୟକଳାପ ଉତ୍କଳ ଦେଶର ଗୋଟିଏ ସଂକ୍ଷିପ୍ତ ଐତିହାସିକ ସଂସ୍କରଣ ଅଟେ । ଗୋପବନ୍ଧୁ ବିନା ନୂତନ ଉତ୍କଳର ଅବସ୍ଥିତି ସମ୍ବନ୍ଧେ ଚିନ୍ତା କରିବା ଅସମ୍ଭବ । ଦୁଇଟି ବିଷୟ ଅବିଚ୍ଛେଦ୍ୟ ଓ ସମ ଅବସ୍ଥିତ ।

 

କୌଣସି ଦେଶର ସଂସ୍କୃତି ମରିବାର ନୁହେଁ । ତାହା ଚିର ଓ ଅମର । ଜନ୍ମମରଣ ସମାଜରେ ଲାଗିଛି ଓ ସଂସ୍କୃତିର ଗତି ଅପ୍ରତିହତ ଭାବେ ଚାଲିଛି । ଭାରତ ପରି ପୁରାଣ ପ୍ରସିଦ୍ଧ ଜାତିର ସଂସ୍କୃତିକୁ ଉଚ୍ଛେଦ କରିବ ଏପରି କ୍ଷମତା କୌଣସି ଶକ୍ତିର ନାହିଁ । ଭାରତର ଭବିଷ୍ୟତ ଅତି ଉଜ୍ଜ୍ୱଳ । ଅତ୍ୟଧିକ ଭୌତିକବାଦ ଓ ବିଜ୍ଞାନର ଅସଦ୍‌ ବିନିଯୋଗ ଭାରତୀୟ ସଂସ୍କୃତିର ପରିପନ୍ଥୀ ଅଟେ । ଜଗତର ଇତର ଜାତି ଯେତେବେଳେ ପାର୍ଥିବତାରେ ମୋହିତ, ସେତେବେଳେ ଭାରତହିଁ ଅନ୍ଧକାର ପଥରେ ଆଲୋକ ଦେଖାଇବାକୁ ସମର୍ଥ । ସବୁ ଯୁଗରେ ଭାରତ ଜଗତକୁ ଆଧ୍ୟାତ୍ମିକତାର ଆଲୋକ ପ୍ରଦାନ କରି ଆସିଅଛି ଏବଂ ଭବିଷ୍ୟତରେ ମଧ୍ୟ ତାର ସେହି ଆଲୋକ ପ୍ରଦୀପ୍ତ ରହିବ । *

 

*

ଏହି ପ୍ରବନ୍ଧର ଅନୁଗାମୀ ସ୍ୱରୂପ ଗାନ୍ଧିଯୁଗ ଶୀର୍ଷକ ଗୋଟିଏ ସ୍ୱତନ୍ତ୍ର ପ୍ରବନ୍ଧ ଲେଖିବାର ବାସନା ରଖି ଏଥିରେ ଗାନ୍ଧିଜୀଙ୍କ ବିଷୟ ଉଲ୍ଲେଖ କରାଯାଇ ନାହିଁ । କାରଣ ଗାନ୍ଧିଯୁଗ ଭାରତୀୟ ନବଜାଗରଣର ଦ୍ୱିତୀୟ ଭାଗ ଅଟେ ।

Image

 

ଅଗସ୍ତ୍ୟ

 

ଅଗସ୍ତ୍ୟ ଜଣେ ୠଷିଙ୍କ ନାମ । ତାଙ୍କ ଜୀବନୀ ଓ କାର୍ଯ୍ୟକଳାପ କେତେ ପୁରାଣରେ ବର୍ଣ୍ଣିତ ହୋଇଅଛି । ତାଙ୍କ ପିତାଙ୍କ ନାମ ମିତ୍ରବରୁଣ ଓ ମାତାଙ୍କ ନାମ ଉର୍ବଶୀ । ତାଙ୍କ ସ୍ତ୍ରୀଙ୍କ ନାମ ଲୋପାମୁଦ୍ରା ଓ ପୁତ୍ରଙ୍କ ନାମ ଦୃଢ଼ । ଅଗସ୍ତ୍ୟଙ୍କର ଅନ୍ୟ ଏକ ନାମ କୁମ୍ଭଯୋନି ବା କୁମ୍ଭ ସମ୍ଭବ । ଏହି ନାମରୁ ସେ କୁମ୍ଭରୁ ଜାତ ହେବା କିମ୍ବଦନ୍ତୀ ପୁରାଣରେ ରହିଅଛି । ଅଗସ୍ତ୍ୟଙ୍କ ଉଦ୍ଦେଶ୍ୟରେ ହୋଇଥିବା ଗୋଟିଏ ସ୍ତୁତିରେ ତାଙ୍କୁ ଲଙ୍କାବାସୀ ବୋଲି କୁହାଯାଇଅଛି । ଅଗସ୍ତ୍ୟ ଶବ୍ଦର ବ୍ୟୁତ୍ପତ୍ତି ହେଉଛି ଅଗ ଅର୍ଥାତ୍‌ ପର୍ବତକୁ ଯେ ସ୍ତମ୍ଭନ କରେ । ଜ୍ୟୋତିଷ ଶାସ୍ତ୍ରରେ କେତେକ ନକ୍ଷତ୍ର ବିଭିନ୍ନ ୠଷିଙ୍କ ନାମରେ ଅଭିହିତ, ଯଥା ଶୁକ୍ର, ବୃହସ୍ପତି ଓ ବଶିଷ୍ଠ । ସେହିପରି ଅନ୍ୟ ଏକ ନକ୍ଷତ୍ରର ନାମ ଅଗସ୍ତ୍ୟ । ଏହି ନକ୍ଷତ୍ର ସିଂହ ସଂକ୍ରମଣର ଏକୋଇଶ ଦିନ ପରେ ବା କନ୍ୟା ସଂକ୍ରାନ୍ତିର ସାତଦିନ ପୂର୍ବେ ଦକ୍ଷିଣ ଦିଗରେ ଉଦୟ ହୁଏ ଓ ବୃଷ ସଂକ୍ରାନ୍ତି ବେଳକୁ ସେହି ଦିଗରେ କେବଳ ଅସ୍ତ ହୁଏ । ଅଗସ୍ତ୍ୟ ଉଦୟ ହେଲେ ଜଳ ନିର୍ମଳ ହୁଏ ଅର୍ଥାତ୍‌ ବର୍ଷା କାଳର ଶେଷ ହୁଏ ଓ ଶରତ ୠତୁର ଆରମ୍ଭ ହୁଏ । ଏହି ନକ୍ଷତ୍ର ଉଦୟ ହେବାର ସାତ ଦିନ ନଚେତ୍‌ ସତର ଦିନ ଭିତରେ ଅଗସ୍ତ୍ୟ ପୂଜା କରିବା ବିଧି ବିଭିନ୍ନ ସ୍ମୃତିରେ କୁହାଯାଇ ଅଛି । ସେ ସବୁ ବିଧି ଅନୁସାରେ ଗୋଟିଏ କୁମ୍ଭ କରାଯାଏ ଓ ଗୋଟିଏ ସୁବର୍ଣ୍ଣ ପ୍ରତିମା କରି, କାଶ ତଣ୍ଡିଫୁଲ ପ୍ରଭୃତିରେ ସେହି ପ୍ରତିମାକୁ ବେଦୋକ୍ତ ଅଗସ୍ତ୍ୟ ମନ୍ତ୍ର ଅନୁସାରେ ପୂଜା କରିବାକୁ ହୁଏ । ସେହି ପୂଜାରେ ସାତଗୋଟି ଧାନଗଜା କୁମ୍ଭ ଆଗରେ ରଖିବାକୁ ହୁଏ । ରାତି ଜାଗ୍ରତ ରହି ପ୍ରତ୍ୟୁଷରେ କୁମ୍ଭ ଇତ୍ୟାଦି ଜଳରେ ବିସର୍ଜନ କରିବାକୁ ହୁଏ ଓ ବ୍ରାହ୍ମଣଙ୍କୁ ଦୁଗ୍‌ଧବତୀ ଗାଈ ସହିତ ସ୍ୱର୍ଣ୍ଣ ପ୍ରତିମା ଦାନ କରାଯାଏ । ଅଗସ୍ତ୍ୟ ପୂଜାର ଇହ ଓ ପରକାଳପାଇଁ ବିଭିନ୍ନ ଫଳ ସ୍ମୃତିଗୁଡ଼ିକରେ ଲେଖା ଯାଇଅଛି । ଆଜୀବନ ଯେଉଁ ବ୍ୟକ୍ତି ଏହି ପୂଜା କରେ ସେ ବ୍ରହ୍ମଲୋକ ପ୍ରାପ୍ତ ହେବାର ଆଶା ମଧ୍ୟ ସ୍ମୃତିରେ ଦିଆଯାଇଛି ।

 

ଜ୍ୟୋତିଷ ଓ ସ୍ମୃତି ବ୍ୟତୀତ ପୁରାଣରେ ଅଗସ୍ତ୍ୟଙ୍କ ସମ୍ବନ୍ଧରେ କୁହାଯାଇଛି । ରାମାୟଣର ଅରଣ୍ୟକାଣ୍ଡ ଓ ଉତ୍ତରାକାଣ୍ଡରେ ଅଗସ୍ତ୍ୟଙ୍କ କଥା ଦେଖିବାକୁ ମିଳେ । ରାମଚନ୍ଦ୍ର, ଭ୍ରାତା ଓ ପତ୍ନୀସହ ଦଣ୍ଡକ ଅରଣ୍ୟରେ ଦଶବର୍ଷ କଟାଇବା ପରେ ଗୋଦାବରୀ ତୀରକୁ ଗଲେ । ସେହି ନଦୀ ନିକଟରେ ଅଗସ୍ତ୍ୟ ୠଷିଙ୍କ ଆଶ୍ରମ ଥିଲା । ରାମ ଅଗସ୍ତ୍ୟଙ୍କ ଦର୍ଶନ ସକାଶେ ପ୍ରଥମେ ଲକ୍ଷ୍ମଣଙ୍କୁ ପଠାଇଲେ । ପଛେ ସେ ଓ ସୀତା ଆଶ୍ରମରେ ପ୍ରବେଶ କଲେ । ୠଷିଙ୍କଠାରୁ ସେ ଉପଦେଶ ଲାଭ କରି ଗୋଦାବରୀ ତୀରବର୍ତ୍ତୀ ପଞ୍ଚବଟୀରେ ଗୋଟିଏ ପର୍ଣ୍ଣଶାଳା ନିର୍ମାଣ କରି ଆଉ ଚାରି ବର୍ଷ ତାଙ୍କ ବନବାସ କଟାଇବାକୁ ଠିକ୍‌ କଲେ । ସେ ସେଠାରୁ ୠଷିଙ୍କ ଆଶୀର୍ବାଦ ଗ୍ରହଣ କରି ପଞ୍ଚବଟୀ ଆଡ଼େ ଗଲେ । ରାମଚନ୍ଦ୍ର, ଲଙ୍କାରୁ ଫେରିଲାବେଳେ ପୁଷ୍ପକ ଯାନରୁ ସୀତାଙ୍କୁ ଅଗସ୍ତ୍ୟଙ୍କ ଆଶ୍ରମ ଚିହ୍ନାଇ ଦେଇ ପୂର୍ବ ବନବାସ କଥା ମନେ ପକାଇ ଥିଲେ ।

 

ସୀତାଙ୍କର ଦ୍ୱିତୀୟ ବନବାସ ସମୟରେ ରାମଚନ୍ଦ୍ରଙ୍କୁ ଦଣ୍ଡକ ବନକୁ ଯିବାକୁ ହୋଇଥିଲା । କାରଣ ସେଠାରେ ଜଣେ ଶୂଦ୍ରମୁନି ତପସ୍ୟା ଆରମ୍ଭ କରିବାରୁ ଅଯୋଧ୍ୟାରେ ଜଣେ ବାହ୍ମଣ ପୁତ୍ରର ଅକାଳ ମୃତ୍ୟୁ ଘଟିଲା । ତେଣୁ ରାମଚନ୍ଦ୍ର ସେହି ତପସ୍ୟା ସ୍ଥାନକୁ ଯାଇ ଶୂଦ୍ରମୁନିଙ୍କୁ ହତ୍ୟା କଲେ । ଏହି ଘଟଣା ପରେ ସେ ସେହି ନିକଟରେ ଥିବା ଅଗସ୍ତ୍ୟାଶ୍ରମକୁ ଯାଇ ସେଠାରେ ରାତି କଟାଇଲେ । ସେଠାରେ ସେ ଜାଣିଲେ ଯେ, ଅଗସ୍ତ୍ୟ ବାରବର୍ଷ ପର୍ଯ୍ୟନ୍ତ ଜଳଶଯ୍ୟାରେ ରହି ସେତେବେଳେ ଉଠି ଆଶ୍ରମକୁ ଫେରିଛନ୍ତି । ଅଗସ୍ତ୍ୟ ରାମଚନ୍ଦ୍ରଙ୍କୁ ଗୋଟିଏ ମୂଲ୍ୟବାନ ଆଭରଣ ପ୍ରଦାନ କଲେ ଓ ସେ କିପରି ସେହି ଆଭରଣଟି ପାଇଥିଲେ ତାହାର ଇତିହାସ କହିଲେ । ସେହି କଥାରେ ଦଣ୍ଡକ ଅରଣ୍ୟର ଉତ୍ପତ୍ତି ବିଷୟ ଥିଲା । ରାମଚନ୍ଦ୍ର ଅଗସ୍ତ୍ୟଙ୍କଠାରୁ ବିଦାୟ ନେଇ ଆରଦିନ ସକାଳୁ ଅଯୋଧ୍ୟାକୁ ଫେରିଲେ ।

 

ଅଗସ୍ତ୍ୟଙ୍କର ସମୁଦ୍ର ଶୋଷଣ ବୃତ୍ତାନ୍ତ ଓ ଆତାପି ବାତାପି ବଧ ବୃତ୍ତାନ୍ତ ଅତି ଚମତ୍କାର-। ଦଧିଚୀ ଅସ୍ଥିରେ ବୃତ୍ର ବଧ ପରେ ସୁଦ୍ଧା ଦେବତାମାନଙ୍କର ଶାନ୍ତି ରହିଲା ନାହିଁ । କାରଣ କାଳକେୟ ନାମକ ଅନ୍ୟ ଏକ ରାକ୍ଷସ ଓ ତାହାର ସହଚରମାନେ ସମୁଦ୍ରରେ ଲୁଚି ରହି ଦେବତାମାନଙ୍କୁ ହଇରାଣ କଲେ । ଦେବତାମାନେ ଭାବିଲେ ସମୁଦ୍ରରୁ ସମସ୍ତ ଜଳ ନିଷ୍କାଶିତ ହେଲେ କେବଳ ଶତ୍ରୁମାନଙ୍କ ବଧ ସହଜ ହେବ । ଏହି ଅଦ୍ଭୁତ କାର୍ଯ୍ୟ ଅଗସ୍ତ୍ୟଙ୍କଦ୍ୱାରା କେବଳ ସମ୍ଭବ ଭାବି ଦେବତାମାନେ ତାଙ୍କର ସାହାଯ୍ୟ ଭିକ୍ଷା କଲେ । ଅଗସ୍ତ୍ୟ ସମୁଦ୍ର ନିକଟକୁ ଯାଇ ଚଳୁରେ ସମୁଦ୍ର ଜଳ ଶୋଷଣ କଲେ । ସମଗ୍ର ସମୁଦ୍ର ଶୁଷ୍କ ହୋଇଗଲା । ପରେ ଭଗୀରଥଙ୍କଦ୍ୱାରା ଜାହ୍ନବୀ ଆସି କିପରି ପୁନର୍ବାର ଜଳ ପୂର୍ଣ୍ଣ କଲେ ତାହା ଅନ୍ୟ ଏକା ପୌରାଣିକ କଥା ।

 

ଅଗସ୍ତ୍ୟଙ୍କ ଜୀବନୀରେ ଅନ୍ୟ ଏକ ଅଲୌକିକ କାର୍ଯ୍ୟ ଘଟିଥିଲା ଯାହାଦ୍ୱାରା ଅଗସ୍ତ୍ୟ ନାମ ସାର୍ଥକ ହୋଇଥିଲା । ତାହା ଅଟେ ବିନ୍ଧ୍ୟ ପର୍ବତର ଦର୍ପ ଦମନ । ବିନ୍ଧ୍ୟ ପର୍ବତ ଗର୍ବରେ ଅନ୍ଧ ହୋଇ ସୂର୍ଯ୍ୟଙ୍କ ସଙ୍ଗେ ମଧ୍ୟ କଳି ଆରମ୍ଭ କଲା । ସେ ସୂର୍ଯ୍ୟଙ୍କର ଗତି ଅଟକାଇବା ଉଦ୍ଦେଶ୍ୟରେ କ୍ରମେ କ୍ରମେ ବଢ଼ିବାକୁ ଲାଗିଲା । ତେଣୁ ସୂର୍ଯ୍ୟ ଗୋଟିଏ ପାଖରେ ରହିବାକୁ ବାଧ୍ୟ ହେଲେ । ଏଥିରେ ଲୋକେ ପ୍ରମାଦ ଗଣି ଅଗସ୍ତ୍ୟଙ୍କର ଶରଣାପନ୍ନ ହେଲେ । ଅଗସ୍ତ୍ୟ ଯେତେବେଳେ ବିନ୍ଧ୍ୟ ନିକଟରେ ପହଞ୍ଚିଲେ, ଗୁରୁଭକ୍ତି ଦେଖାଇ ବିନ୍ଧ୍ୟ ଅଗସ୍ତ୍ୟଙ୍କ ନିକଟରେ ନତମସ୍ତକ ହୋଇ ଠିଆ ହେଲା । ଅଗସ୍ତ୍ୟ ବିନ୍ଧ୍ୟକୁ ସେ ଦକ୍ଷିଣରୁ ଫେରିଲା ପର୍ଯ୍ୟନ୍ତ ସେହିପରି ଠିଆ ରହିବାକୁ କହି ଚାଲିଗଲେ । ମାତ୍ର ‘‘ଗଲା ପୁତ୍ର ବାହୁଡ଼ି ନୋଇଲା’’ ପରି ଅଗସ୍ତ୍ୟ ଦକ୍ଷିଣରୁ ଫେରିଲେ ନାହିଁ ଓ ବିନ୍ଧ୍ୟ ପର୍ବତକୁ ଆଉ ମୁଣ୍ଡ ଟେକିବାକୁ ହେଲା ନାହିଁ ।

 

ଆଦ୍ୟ କାବ୍ୟ ରାମାୟଣ ତିନିଗୋଟି ପ୍ରଧାନ ଉଦ୍ଦେଶ୍ୟରେ ବାଲ୍ମୀକିଙ୍କଦ୍ୱାରା ରଚିତ ହୋଇଥିଲା । ତିନିଗୋଟି ଉଦ୍ଦେଶ୍ୟ ହେଉଛି ରାମଚନ୍ଦ୍ର ପ୍ରଭୃତିଙ୍କ ଆଦର୍ଶକୁ ନେଇ ସାମାଜିକ ବିଶେଷତଃ ପାରିବାରିକ ଆଦର୍ଶ ଗଠନ କରିବା, ରାମ ରାବଣ ଯୁଦ୍ଧରେ ଦେବାସୁର ଗୁଣକୁ ପ୍ରକଟନ କରି ଧର୍ମର ଜୟ ପ୍ରମାଣ କରିବା ଓ ଦାକ୍ଷିଣାତ୍ୟରେ ଆର୍ଯ୍ୟ ସଭ୍ୟତା, ଆର୍ଯ୍ୟ ଧର୍ମ ଓ ଆର୍ଯ୍ୟ ସଂସ୍କୃତିର ପ୍ରାଦୁର୍ଭାବ ଓ ପ୍ରସାର କିପରି ହୋଇଥିଲା ତାହା ଦର୍ଶାଇବା । ଆର୍ଯ୍ୟମାନେ ସିନ୍ଧୁ ଓ ଗଙ୍ଗା ଅବବାହିକାରେ ସେମାନଙ୍କର ନିବାସ ପ୍ରତିଷ୍ଠା କଲାପରେ ସେମାନଙ୍କୁ ଦକ୍ଷିଣ ଦିଗକୁ ଯିବାକୁ ହୋଇଥିଲା । ପୁଣି ଦାକ୍ଷିଣାତ୍ୟରେ ଆର୍ଯ୍ୟ ସଭ୍ୟତା ପ୍ରସାର କରିବାକୁ, ବଣ ଜଙ୍ଗଲ କାଟି କୃଷି ଇତ୍ୟାଦି ସଭ୍ୟତା ସୁଲଭ ବୃତ୍ତି ଆରମ୍ଭ କରିବାକୁ ପୁଣି ବୈଦିକ ଧର୍ମ, ଅଗ୍ନି, ପୂଜା, ସୂର୍ଯ୍ୟ ପୂଜା ପ୍ରଭୃତି ବୈଦିକ ରୀତିନୀତି ଅନାର୍ଯ୍ୟ ଦେଶରେ ପ୍ରବର୍ତ୍ତନ କରିବାକୁ ସମୋନଙ୍କୁ ବହୁ ପରିଶ୍ରମ, ବହୁ ସୁଖ ତ୍ୟାଗ ଓ ବହୁ ଯୁଦ୍ଧ କରିବାକୁ ହୋଇ ଥିଲା । ରାମାୟଣର ଅରଣ୍ୟକାଣ୍ଡରେ ଏହିସବୁ କାର୍ଯ୍ୟର ବିଶଦ ବିବରଣ ଦେଖିବାକୁ ମିଳେ । ସୀତା ଶବ୍ଦର ଅର୍ଥ ଭୂମିରେ ଲଙ୍ଗଳର ଗାର । ଅରଣ୍ୟ ପୂର୍ଣ୍ଣ ଦାକ୍ଷିଣାତ୍ୟରେ ଆର୍ଯ୍ୟମାନେ ପ୍ରବେଶ କରି ସେଠାରେ ନିବାସ କରି କୃଷି କାର୍ଯ୍ୟ ଆରମ୍ଭ କରିଥିଲେ ଏହା ହେଉଛି ଇତିହାସର ଗୋଟିଏ ପ୍ରଧାନ ଘଟଣା । ରାମଚନ୍ଦ୍ରଙ୍କର ସୀତାଙ୍କ ସହିତ ଚଉଦବର୍ଷ ବନବାସ ଏହି କୃଷି ପ୍ରବର୍ତ୍ତନ ଘଟଣାର ଗୋଟିଏ ରୂପକ ହୋଇପାରେ । ଜନଶୂନ୍ୟ ଅରଣ୍ୟକୁ ଯାଇ ତପସ୍ୟା କରିବା, ପୁଣି ତପୋବନ ପ୍ରତିଷ୍ଠା କରି ଶିଷ୍ୟ ଗହଣରେ ଗୁରୁକୁଳ ଜୀବନ ନିର୍ବାହ କରିବା ଆର୍ଯ୍ୟ ୠଷିମାନଙ୍କର ଚିରନ୍ତନ ପଦ୍ଧତି ଥିଲା । ଯେକୌଣସି ସ୍ଥାନକୁ ସେମାନେ ଆଗ ଯାଉଥିଲେ, ସେମାନଙ୍କ ପଛେ ଯାଉଥିଲେ ଆର୍ଯ୍ୟ ସମାଜର ଅନ୍ୟ ଲୋକମାନେ । ଏହା ମାନବ ଇତିହାସର ସାଧାରଣ ଘଟଣା । ପ୍ରଥମେ ଧର୍ମ, ତା ପରେ କୃଷି ବା ବାଣିଜ୍ୟ, ତା ପରେ ରାଜ୍ୟ, ଏହି ଉପାୟରେ ସବୁ ଜାତି ନୂଆ ଦେଶରେ ଯାଇ ଉପନିବେଶ ସ୍ଥାପନ କରନ୍ତି । ପ୍ରଥମେ ଆର୍ଯ୍ୟ ୠଷିମାନେ ଦାକ୍ଷିଣାତ୍ୟ ବିଜୟ, ଧର୍ମ ସ୍ଥାପନ ରୂପେ ଆରମ୍ଭ କଲେ । ତତ୍‌ପରେ ସେମାନଙ୍କୁ ରାମଚନ୍ଦ୍ରଙ୍କ ପରି କ୍ଷତ୍ରିୟମାନଙ୍କର ସାହାଯ୍ୟ ନେବାକୁ ହୋଇଥିଲା ସେହି ନୂଆସ୍ଥାନରେ ଆର୍ଯ୍ୟ ସମାଜ ଓ ଆର୍ଯ୍ୟ ରାଜତ୍ୱ ଚଳାଇବାକୁ । ଏହି ୠଷିମାନେ ହେଲେ ଆର୍ଯ୍ୟ ଅଭିଯାନର ପ୍ରଥମ ବା ସମ୍ମୁଖ ଭାଗ । ସେମାନଙ୍କ ମଧ୍ୟରେ ଅଗ୍ରଗାମୀ ୠଷି ଥିଲେ ଅଗସ୍ତ୍ୟ । ଅଗସ୍ତ୍ୟ-ବିନ୍ଧ୍ୟ ଉପାଖ୍ୟାନ ଏହି ଐତିହାସିକ ଘଟଣାର ଗୋଟିଏ ରୂପକ କାହାଣୀ ।

 

ଅଗସ୍ତ୍ୟ ଦାକ୍ଷିଣାତ୍ୟକୁ ଯାଇ ଆଉ ଫେରିଲେ ନାହିଁ । ସେତିକି ନୁହେଁ ବିନ୍ଧ୍ୟ ପର୍ବତ ମୁଣ୍ଡ ନୁଆଇଁ ରହିବାର ସୁଯୋଗ ପାଇ ଅନ୍ୟ ୠଷିମାନେ ଅଗସ୍ତ୍ୟଙ୍କ ପଛେ ଯାଇ ଦାକ୍ଷିଣାତ୍ୟର ବିଭିନ୍ନ ସ୍ଥାନରେ ଆଶ୍ରମ ସ୍ଥାପନ କରିବାକୁ ଲାଗିଲେ । ଅନାର୍ଯ୍ୟମାନଙ୍କୁ ଦମନ କରିବାକୁ ପଛେ ସେମାନଙ୍କୁ ଆର୍ଯ୍ୟ ଯୋଦ୍ଧା, ଯଥା ରାମଚନ୍ଦ୍ର, ଲକ୍ଷ୍ମଣଙ୍କ ସାହାଯ୍ୟ ନେବାକୁ ହୋଇଥିଲା । ଅଗ୍ନି ପୂଜା, ସୂର୍ଯ୍ୟ ପୂଜା ଇତ୍ୟାଦି ବୈଦିକ ରୀତି ନୀତି ପ୍ରଚଳନ କରି ସେହିସବୁ ନୂଆ ସ୍ଥାନରେ ଶାନ୍ତି ସ୍ଥାପନ କରିବା ପରେ ଆର୍ଯ୍ୟମାନେ କୃଷିକାର୍ଯ୍ୟ ଆରମ୍ଭ କଲେ । ତେଣୁ ଦାକ୍ଷିଣାତ୍ୟରେ ମଧ୍ୟ ସୀତାଙ୍କର ଆବିର୍ଭାବ ହେଲା । ଅଗସ୍ତ୍ୟ ପୂଜାରେ ସାତ ଗୋଟି ଧାନଗଜା ବ୍ୟବହାର କରିବାର ନିର୍ଦ୍ଦେଶ ସ୍ମୃତିରେ ଅଛି । ଅଗସ୍ତ୍ୟଙ୍କୁ ଲଙ୍କାବାସୀ ବୋଲି ସ୍ମୃତିରେ ବର୍ଣ୍ଣନା କରାଯାଇଛି । ଅଗସ୍ତ୍ୟ ନକ୍ଷତ୍ର ଦକ୍ଷିଣ ଦିଗରେ ଉଦୟ ଓ ଦକ୍ଷିଣ ଦିଗରେ କେବଳ ଅସ୍ତ ହୁଏ । ପୁଣି ଅଗସ୍ତ୍ୟ ପୂଜା ବର୍ଷା ୠତୁ ପରେ ଆରମ୍ଭ ହୁଏ । ଏହିସବୁ ସାମାଜିକ ରୀତିର ଭିତ୍ତି ଆର୍ଯ୍ୟମାନଙ୍କର ଦାକ୍ଷିଣାତ୍ୟରେ ଉପନିବେଶ ସ୍ଥାପନ ଘଟଣା ବୋଲି ମନେ ହୁଏ । ଏହି କାର୍ଯ୍ୟର ପ୍ରବର୍ତ୍ତକ ଉଦ୍ୟୋକ୍ତା ଓ ପଥପ୍ରଦର୍ଶକ ଥିଲେ ଅଗସ୍ତି ୠଷି । ତେଣୁ ତାଙ୍କର ପୂଜା ବିଧାନ ଆର୍ଯ୍ୟମାନଙ୍କର ଗୋଟିଏ ସ୍ମୃତି-ସମ୍ମତ ରୀତି ହୋଇ ଆଜିପର୍ଯ୍ୟନ୍ତ ଆମ୍ଭମାନଙ୍କ ଦେଶରେ ରହିଅଛି ।

 

ଅଗସ୍ତ୍ୟ ୠଷିଙ୍କ ଜୀବନୀରେ ସମୁଦ୍ର ସହିତ ବେଶୀ ସମ୍ବନ୍ଧ ଥିବା ଦେଖାଯାଏ । ସେ ଦେବତାମାନଙ୍କୁ ସାହାଯ୍ୟ କରିବାକୁ ସମଗ୍ର ସମୁଦ୍ରକୁ ଶୋଷଣ କରି ଜଳଶୂନ୍ୟ କରି ଦେଇଥିଲେ । ଅଗସ୍ତ୍ୟଙ୍କ ପରି ଜଣେ ୠଷି ଥାଉ ଥାଉ ରାମଚନ୍ଦ୍ର କାହିଁକି ତାଙ୍କର ଆଶ୍ରୟ ନ ନେଇ ଗୋଟିଏ ସେତୁ ବାନ୍ଧିଥିଲେ ଜଣାଯାଏ ନାହିଁ । ଅଗସ୍ତ୍ୟ ବାରବର୍ଷ ପର୍ଯ୍ୟନ୍ତ ଜଳ ଶଯ୍ୟାରେ ରହିଥିବା କଥା ରାମାୟଣର ଉତ୍ତରାକାଣ୍ଡରେ ବର୍ଣ୍ଣିତ ହୋଇଅଛି । ଭାରତବର୍ଷର ଉତ୍ତର ଭାଗ ସହିତ ସମୁଦ୍ରର କୌଣସି ସମ୍ବନ୍ଧ ନାହିଁ କହିଲେ ଚଳେ । ମାତ୍ର ସମଗ୍ର ଦାକ୍ଷିଣାତ୍ୟ ସାଗରଦ୍ୱାରା ପରିବେଷ୍ଟିତ । ଭାରତ ଇତିହାସରେ ସାମୁଦ୍ରିକ ପ୍ରଭାବ ଦାକ୍ଷିଣାତ୍ୟରେ କେବଳ ଦେଖାଯାଏ । ପରବର୍ତ୍ତୀକାଳରେ କଳିଙ୍ଗ, ଚୋଳ, ପାଣ୍ଡ୍ୟ ଓ ଚେର ରାଜ୍ୟଗୁଡ଼ିକ ସାମୁଦ୍ରିକ ବଳରେ ବଳଶାଳୀ ଥିବା କଥା ଇତିହାସରୁ ଜଣାଯାଏ । ଆର୍ଯ୍ୟମାନଙ୍କର ସମୁଦ୍ର ସହିତ ପ୍ରଥମ ସମ୍ବନ୍ଧ ହୋଇଥିଲା, ସେମାନଙ୍କର ଦାକ୍ଷିଣାତ୍ୟ ପ୍ରବେଶ ପରେ । ବିଜୟ ସିଂହ ପରବର୍ତ୍ତୀ କାଳରେ ସିଂହଳ ବିଜୟ କରିଥିଲେ ଓ ଅଶୋକ ଧର୍ମ ପ୍ରଚାର ନିମନ୍ତେ ସଂଘମିତ୍ରା ଓ ମହେନ୍ଦ୍ରଙ୍କୁ ପଠାଇ ଥିଲେ । ଏହିସବୁ ପରବର୍ତ୍ତୀ ଐତିହାସକ ଘଟଣାର କ୍ଷୀଣ ସୂତ୍ରପାତ ହୋଇଥିଲା, ପୌରାଣିକ ସେତୁ ବନ୍ଧନ ଓ ସମୁଦ୍ର ଶୋଷଣ ଉପାଖ୍ୟାନରେ ।

 

ଅଗସ୍ତ୍ୟଙ୍କ ଜୀବନୀ ଉଲ୍ଲିଖିତ ଐତିହାସିକ ତତ୍ତ୍ୱ ନିମନ୍ତେ ଉପାଦେୟ ବୋଲି ମନେ ହୁଏ-। ମାତ୍ର ତାଙ୍କ ଜୀବନୀର ସମସ୍ତ ଘଟଣାକୁ ଐତିହାସିକ ସତ୍ୟ ବୋଲି ଭାବିବା ଠିକ୍‌ ନୁହେ ।

 

ପିତୃପୁରୁଷମାନଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପିଣ୍ଡ ପ୍ରଦାନ କରିବା ଗୋଟିଏ ଅତି ପୁରାତନ ବେଦସମ୍ମତ ଅନୁଷ୍ଠାନ । ଅନାର୍ଯ୍ୟମାନେ ପିତୃପୁରୁଷଙ୍କୁ ଏହିପରି ପିଣ୍ଡ ପ୍ରଦାନ କରୁ ନ ଥିଲେ । ଆର୍ଯ୍ୟମାନଙ୍କର ଏହି ଅନୁଷ୍ଠାନକୁ ସେମାନେ ପ୍ରଥମେ ଘୃଣା କରିବେ ସ୍ୱାଭାବିକ । ଦୁଇଜଣ ଅନାର୍ଯ୍ୟ ଭ୍ରାତା ଏହି ଆର୍ଯ୍ୟ ରୀତି ବିରୁଦ୍ଧରେ ଯାଇ ଆର୍ଯ୍ୟ ବ୍ରାହ୍ମଣମାନଙ୍କୁ ଭୋଜନ ନିମନ୍ତେ ନିମନ୍ତ୍ରଣ କରି ସେମାନଙ୍କୁ ବଧ କରୁଥିଲେ । ଅଗସ୍ତ୍ୟ ସେହିପରି ଦିନେ ନିମନ୍ତ୍ରଣ ପାଇ ଆତାପିଙ୍କ ଗୃହରେ ପ୍ରବେଶ କଲେ । ମାତ୍ର ତାଙ୍କୁ ଅନାର୍ଯ୍ୟ ଦ୍ୱୟ ହତ୍ୟା କରିପାରି ନ ଥିଲେ । ବରଂ ତାଙ୍କର ଆଧ୍ୟାତ୍ମିକ ପ୍ରଭାବ ସେମାନଙ୍କୁ ହରାଇ ଦେଇଥିଲା । ସେମାନେ ପରିଶେଷରେ ବୈଦିକ ଶ୍ରାଦ୍ଧାନୁଷ୍ଠାନ ଗ୍ରହଣ କଲେ । ବୋଧହୁଏ ଆତାପି ବାତାପି ଉପାଖ୍ୟାନ ଏହି ଐତିହାସିକ ରୀତି ଉପରେ ପ୍ରତିଷ୍ଠିତ ।

 

ପୁରାଣ ଇତିହାସକୁ ବାଦ ଦେଲେ, ଅଗସ୍ତ୍ୟ ସମ୍ବନ୍ଧେ ଖାଣ୍ଟି ସତ୍ୟ ଜ୍ୟୋତିଷ ଶାସ୍ତ୍ରରେ କେବଳ ମିଳେ । ଅଗସ୍ତ୍ୟ ଗୋଟିଏ ଅତି ବୃହତ୍‌ ନକ୍ଷତ୍ର । ତାହାର ଜ୍ୟୋତି ସୂର୍ଯ୍ୟର ଜ୍ୟୋତି ଅପେକ୍ଷା ଅଶି ହଜାର ଗୁଣ ଅଧିକ । ଆୟତନରେ ସୂର୍ଯ୍ୟର ବ୍ୟାସାର୍ଦ୍ଧ ଅପେକ୍ଷା ଅଗସ୍ତ୍ୟର ବ୍ୟାସାର୍ଦ୍ଧ ଶହେ ଅଶିଏ ଗୁଣ ଦୀର୍ଘତର । ଅଗସ୍ତ୍ୟ ପୃଥିବୀର ବହୁ ଦୂରରେ ଅବସ୍ଥିତ । ଜ୍ୟୋତିଷ ଶାସ୍ତ୍ରର ପରିଭାଷାରେ କହିବାକୁ ଗଲେ ଏହି ଦୂରତା ଛ ଶହ ପଚାଶ ଆଲୋକ ବର୍ଷ ବା କାନ୍ତି ସମ୍ବତ୍ସର । ଅଗସ୍ତ୍ୟ ୠଷିଙ୍କର ସମୁଦ୍ର ଶୋଷଣ ଉପାଖ୍ୟାନ ସଙ୍ଗେ ଅଗସ୍ତ୍ୟ ତାରକାର ଆୟତନ ଓ ତେଜ ବିଚାର କଲେ ମନେହୁଏ ଅଗସ୍ତ୍ୟ ଯଦି କୌଣସି କାଳେ ପୃଥିବୀର ପାର୍ଶ୍ୱବର୍ତ୍ତୀ ହୁଏ, ତେବେ ସମୁଦ୍ରର ସମସ୍ତ ଜଳ ଶୋଷିତ ହେବା କିଛି ବିଚିତ୍ର ନୁହେଁ ।

 

ଜ୍ୟୋତିଷ, ଧର୍ମ ଓ ଐତିହାସିକ ଘଟଣାବଳୀର ସମ୍ମିଶ୍ରଣରେ ସବୁ ଦେଶର ପୌରାଣିକ ଉପାଖ୍ୟାନଗୁଡ଼ିକ ଅତିଶୟ ଜଟିଳ । ଠିକ୍‌ ସେହିପରି ଏହି ଅଗସ୍ତ୍ୟ ୠଷିଙ୍କ କଥା ଓ ଅଗସ୍ତ୍ୟ ତାରକାର ବିଷୟ । ଅଣବିଶ୍ୱାସୀ ଏହିପରି ଉପଖ୍ୟାନଗୁଡ଼ିକୁ ଏକାବେଳେକେ ଅସତ୍ୟ, ଅଳୀକ ଓ କାଳ୍ପନିକ ବୋଲି କାଟି ଦିଏ । ପୁଣି ସରଳ ବିଶ୍ୱାସୀ ଏଗୁଡ଼ିକୁ ଆକ୍ଷରିକ ସତ୍ୟ ବୋଲି ଧରି ନିଏ-। ମାତ୍ର ସେଗୁଡ଼ିକର ପ୍ରକୃତ ସତ୍ୟ ନିର୍ଦ୍ଧାରିତ ହୁଏ, ମଧ୍ୟମପନ୍ଥା ଅର୍ଥାତ୍‌ ଗବେଷଣାର ଅବଲମ୍ବନ କଲେ ।

Image